ଶକ୍ତି ଉପାସନା ଓ ମା’ ମହାକାଳୀଙ୍କ ସ୍ୱରୂପ
ପଣ୍ଡିତ ଦୈତ୍ୟାରି ମହାପାତ୍ର :
ତନ୍ତ୍ର ପୂଜା ବା ଶକ୍ତି ଉପାସନା କ୍ଷେତ୍ରରେ ଓଡ଼ିଶାର ଖ୍ୟାତି ଯଥେଷ୍ଟ ରହିଛି ଓ ଏହା ବହୁ ପୁରାତନ । ଗବେଷକ ମାନଙ୍କ ମତରେ ଖ୍ରୀଷ୍ଟାବ୍ଦ ୪ର୍ଥ/୫ମ ଠାରୁ ଓଡ଼ିଶାରେ ଶକ୍ତି ଉପାସନାର ପ୍ରଚଳନ ହୋଇଛି । ଓଡ଼ିଶାରେ ଶକ୍ତିମୟୀ ମା’ ଦୁର୍ଗା ଓ ମା’ କାଳୀଙ୍କର ପୂଜା ଶ୍ରେଷ୍ଠ ଶକ୍ତି ପୂଜା ଭାବରେ ସର୍ବତ୍ର-ସାର୍ବଜନୀନ । ଉଭୟ ଦେବୀଙ୍କ ପୂଜା ଶରତ କାଳରେ ହିଁ ମହାସମାରୋହରେ ପାଳିତ ହୁଏ । ପ୍ରତ୍ନତାର୍ତ୍ତିକ ଓ ମୂର୍ତ୍ତି ତତ୍ତ୍ୱ ଦୃଷ୍ଟି କୋଣରୁ ମନେ ହୁଏ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀ ଠାରୁ ଓଡ଼ିଶାରେ କାଳୀପୂଜାର ପ୍ରସାର ଘଟିଥିଲା । ଭଗବାନ ବିଷ୍ଣୁଙ୍କ ଦଶ ଅବତାର ପରି ପରମାରାଧ୍ୟା ଆଦ୍ୟାଶକ୍ତି ମଧ୍ୟ ଦଶମହା ବିଦ୍ୟାରେ ଧରାବତରଣ କରନ୍ତି । ସେହି ଦଶ ମହାବିଦ୍ୟାର ପ୍ରଥମ ହେଉଛନ୍ତି ମା’ କାଳୀ । ପୁଣି ମହାମାୟାଙ୍କର ତ୍ରିବିଧ ସ୍ୱରୂପ ହେଉଛି ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ।କାଳ ସହିତ କାଳୀଙ୍କ ସଂପର୍କ ସୂକ୍ଷ୍ମାତି ସୂକ୍ଷ୍ମ । “କଳୟତି ଇତିକାଳୀ”, ଅନ୍ୟ ଅର୍ଥରେ ସମୟର ଅନ୍ୟ ନାମ ମହାକାଳ । ସେହି ମହାକାଳର ଶକ୍ତି ହିଁ କାଳୀ । ଅର୍ଥାତ୍ ସର୍ବ ଶକ୍ତିମାନ ମହାକାଳର କବଳିତ ଏହି ବିଶ୍ୱ ବ୍ରହ୍ମାଣ୍ଡର ଅନତିକ୍ରମଣୀୟ ଶକ୍ତି ମା’ କାଳୀଙ୍କର ପ୍ରତିକାତ୍ମକ ବିଗ୍ରହ । ସମସ୍ତ ଜୀବ ଜଗତ କାଳର ଅଧୀନ, କିନ୍ତୁ ଏହି କାଳ ଯାହାଙ୍କର ଅଧୀନ ଓ ଚରଣ ତଳେ ଶରଣାପନ୍ନ ସେ ହିଁ ମହାକାଳୀ । “ସ୍କନ୍ଦ ପୁରାଣ”ରେବାଖଣ୍ଡରେ ବର୍ଣ୍ଣିତ ଅଛି, କାଳୀ ହେଉଛନ୍ତି ବିଦୁ୍ୟତ୍ ଅଗ୍ନିମୟୀ । “ସାରଦା ତିଳକ” ଗ୍ରନ୍ଥରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ, ଅଗ୍ନିଙ୍କର ସପ୍ତମୂର୍ତ୍ତିର ସପ୍ତଜିହ୍ୱା ହେଉଛନ୍ତି କାଳୀ । ବ୍ୟାସଦେବଙ୍କ ମହାଭାରତର “ଭୀଷ୍ମପର୍ବ”ରେ ଅର୍ଜୁନ ଦୁର୍ଗାଙ୍କୁ ସ୍ତବକରି କାଳୀ, କପାଳିନୀ, ମହାକାଳୀ ଭଦ୍ରକାଳୀ ବୋଲି ସମ୍ବୋଧନ କରିଛନ୍ତି । ବାଲ୍ମୀକିକୃତ “ଅଦ୍ଭୁତ ରାମାୟଣ”ରେ ସହସ୍ରଶିରା ରାବଣକୁ ବଧକରି ସାରିବାପରେ ରାମଚନ୍ଦ୍ର ଦେବୀ ସୀତାଙ୍କୁ ଶିବାରୂଢ଼ା ଭୟଙ୍କର କାଳୀ ଭାବରେ ଦର୍ଶନ କରିଛନ୍ତି । “କାଳୀକାପୁରାଣ” ମତରେ ମହାମାୟାଙ୍କ ଗର୍ଭରୁ କାଳୀଙ୍କର ଜନ୍ମ ହୋଇଥିବା ବେଳେ “ଦାରୁକ” ନାମକ ରାକ୍ଷସକୁ ବଧ କରିବାପାଇଁ ଶିବ ନିଜ କଣ୍ଠରୁ ଯେଉଁ ବିଷ ଉତ୍ପନ୍ନ କରିଥିଲେ ସେଥିରୁ କାଳୀଙ୍କର ସୃଷ୍ଟି ବୋଲି “ଲିଙ୍ଗ ପୁରାଣ”ରେ ଉଲ୍ଲେଖଅଛି । ପୁଣି “ମାର୍କଣ୍ଡେୟ ପୁରାଣ”ରେ ବର୍ଣ୍ଣନା କରାଯାଇଛି ଯେ, ପ୍ରଳୟ କାଳରେ ସଂସାର ଜଳମଗ୍ନ ଥିବାବେଳେ ଭଗବାନ ବିଷ୍ଣୁୁ ଯୋଗ ନିଦ୍ରାରେ ଆବିର୍ଭୂତ ହୋଇ ପଡ଼ିଥିଲା । ତାଙ୍କ କର୍ଣ୍ଣ ମୂଳରୁ ଜନ୍ମନେଲେ ମଧୁ ଓ କୈଟଭ ନାମକ ଦୁଇ ରାକ୍ଷସ ।
ମହିଷାସୁରର ଆତ୍ୟା·ରରେ ତ୍ରିପୁର ତ୍ରାହି ତ୍ରାହି ଡାକିଲା । ବ୍ରହ୍ମା ବରରେ ବଳୀୟାନ ଏହି ଅସୁରର ବଧ ପାଇଁ ତାର ମୃତୁ୍ୟ ରହସ୍ୟ ଭେଦକରି ଦେବତାମାନେ ମହାମାୟୀ ମା’ ଦୁର୍ଗାଙ୍କୁ ଆବାହନ କଲେ । । ମା’ ଆବିର୍ଭୂତା ହେବାରୁ ସକଳ ଦେବତା ନିଜ ନିଜର ଅସ୍ତ୍ରଶସ୍ତ୍ର ଦ୍ୱାରା ଦେବୀଙ୍କୁ ଅଭିଷିକ୍ତା କରାଇ ବାହନ ଭାବରେ ପଶୁ ରାଜସିଂହଙ୍କୁ ପ୍ରଦାନ କଲେ ଓ ମହିଷାସୁରର ନିଧନ ପାଇଁ ଆକୁଳ ନିବେଦନ କଲେ । ଦେବତା ମାନଙ୍କର ନିବେଦନ ରକ୍ଷା କରି ଦେବୀ ମହିଷାସୁର ସହ ତୁମୁଳ ସଂଗ୍ରାମ କଲେ; ହେଲେ ଅସୁର ତାଙ୍କର ସମସ୍ତ ଶକ୍ତିକୁ ପ୍ରତିହତ କଲା । ଶେଷରେ ଦେବୀ ମୋହିନୀ ରୂପ ଧାରଣ କରି ଉଲଗ୍ନା ହେଲେ । ଦେବୀଙ୍କର କମନୀୟରୂପ ସୌନ୍ଦର୍ଯ୍ୟ ଓ ବିବସ୍ତ୍ର ଶରୀର ଦେଖି ଅସୁର ମନରେ ବିକାର କାମ ଲାଳସା ଜାଗ୍ରତ ହେଲା । ତାର ଅଜେୟ ଶକ୍ତିର କ୍ଷୟ ଘଟିଲା । ସେ ଦୁର୍ବଳ ହୋଇ ପଡିଲା ଓ ଦେବୀ ତୀକ୍ଷ୍ମଶୂଳରେ ତା’ର ବକ୍ଷ ଭେଦକରି ତାକୁ ନିହତ କଲେ । ତ୍ରିପୁର ଶାନ୍ତ ହେଲା । ଦେବଗଣ ଖୁସି ହେଲେ । ତ୍ରିପୁର ଶାନ୍ତ ହେଲାସିନା, କିନ୍ତୁ ସର୍ବ ସମ୍ମୁଖରେ ବିବସନା ହେତୁ ମା’ ଦୁର୍ଗାଙ୍କର କ୍ରୋଧ ଶାନ୍ତ ହେଲାନାହିଁ । ସେ ଲହହଲ ଜିହ୍ୱା, ନରମୁଣ୍ଡ ମାଳିନୀ, ଆରକ୍ତନୟନା ଓ ହସ୍ତରେ ଖଡ୍ଗଖର୍ପର, ପାନପାତ୍ର, ଚକ୍ର ଧାରଣ ପୂର୍ବକ ଉନ୍ମାଦିନୀ ହୋଇ ତାଣ୍ଡବ ନୃତ୍ୟରେ ଉନ୍ମତା ହେଲେ । ତାଙ୍କର ତତ୍ପକାଞ୍ଚନ ଗୌରାଙ୍ଗ କୃଷ୍ଣରଙ୍ଗରେ ପରିବର୍ତ୍ତିତ ହେଲା । ମା’ ଙ୍କର ଏହି ଭୟଙ୍କର ପରିବର୍ତ୍ତିତ କୃଷ୍ଣବର୍ଣ୍ଣ ରୂପହିଁ କାଳୀ । ଏହି କାଳୀଙ୍କୁ ଶାନ୍ତ କରାନଗଲେ ମହାପ୍ରଳୟ ସୃଷ୍ଟି ହେବ ଜାଣି ଦେବଗଣ ମହାଦେବଙ୍କୁ ପ୍ରାର୍ଥନା କଲେ । ଦେବତା ମାନଙ୍କ ଅନୁରୋଧ ରକ୍ଷାକରି ମହାଦେବ କାଳୀଙ୍କର ପଥରୋଧ କଲେ । ଦେବୀ ହେଲେ ଶିବାରୂଢ଼ା । ରୁଷ୍ଟାକାଳୀ ଶାନ୍ତ ହେଲେ, ଶାନ୍ତ ହେଲା ତ୍ରିପୁର । ଶିବାରୂଢ଼ା କାଳୀଙ୍କର ଏହି ରୂପ ଦୃଶ୍ୟହିଁ ସୂଚନା ଦିଏ ଶିବଶକ୍ତିି ଏକ ଓ ଅଭିନ୍ନ । ଏହି ଶକ୍ତିହିଁ ବ୍ରହ୍ମାଙ୍କର ପରାଶକ୍ତି । ଏହିପରି ମା’କାଳୀଙ୍କର ସ୍ୱରୂପ ଓ ପ୍ରକାଶ ସମ୍ବନ୍ଧରେ ବହୁ ଶାସ୍ତ୍ରରେ ବହୁମତ ପରିଦୃଷ୍ଟ । ଆସୁରିକ ଶକ୍ତିର ନିଧନରେ ଶକ୍ତି ସ୍ୱରୂପିଣୀ ମା’କାଳୀଙ୍କର ଯେଉଁ ଭୟଙ୍କର ରୂପର ପରିକଳ୍ପନା କରାଯାଇଛି ଏରୂପ କେବଳ ଦୃଷ୍ଟଶକ୍ତି ମାନଙ୍କ ପାଇଁ; ସାଧାରଣ ସନ୍ତାନ ମାନଙ୍କ ପାଇଁ ଏହାନୁହେଁ । କାରଣ ସେ ମା, ସନ୍ତାନବସôଳା, ସ୍ନେହଶିଳା, ମମତାମୟୀ । ଯିଏ ତାଙ୍କୁ ଭକ୍ତିକରେ, ନିଜକୁ ତାଙ୍କ ପାଦତଳେ ସମର୍ପି ଦିଏ, ସେ ତା’ ପାଇଁ କରୁଣାର ଦିବ୍ୟ ଧାରା ଟିଏ ହୋଇ ମୁକ୍ତିପଥ ପରିଦର୍ଶନ କରାନ୍ତି । ପୁଣି ମା’ଙ୍କ ନିକଟରେ ବଳି ପ୍ରଥାର ଅବତାରଣା ସଂପର୍କରେ କୁହାଯାଇ ପାରେ ଯେ, ମା’ଙ୍କ ନିକଟରେ ପଶୁ ପକ୍ଷୀ ବଳିପ୍ରଥା ଏକ ନାରକୀୟ ପ୍ରଥା ଓ ଅଂଧବିଶ୍ୱାସ ପରି·ୟକ । ଯେଉଁ ମା’ ଜଗତର କଲ୍ୟାଣ କାରିଣୀ ଓ ଏ ବିଶ୍ୱବ୍ରହ୍ମାଣ୍ଡର କୀଟୁ ବ୍ରହ୍ମ ଯାଏ ଯାହାଙ୍କର ସନ୍ତାନ, ସେ ମା’ କଣ କୌଣସି ସନ୍ତାନର ରକ୍ତ ପାନ କରି ପାରନ୍ତି । ବଳି ପ୍ରଧାର ପ୍ରକୃତ ରହସ୍ୟ ହେଉଛି ଶ୍ରେଷ୍ଠ ପ୍ରାଣୀ ଭାବେ ମଣିଷ ତା’ର କାମ, କ୍ରୋଧ ଲୋଭ, ମୋହ, ମଦ, ମାସôର୍ଯ୍ୟ ଇତ୍ୟାଦି ଷଡ଼ରିପୁଙ୍କୁ ମା’ଙ୍କ ପାଖରେ ସମର୍ପି ଦେଇ ନିଜକୁ ଉତ୍ତମ, ଦୟାଳୁ ଓ ସାଧୁ ବ୍ୟକ୍ତିରେ ପରିଣତ କରିବା ।
ରାଜ୍ୟ ଶିକ୍ଷା ଅଧିକାର ଅଧିକାରୀ
ଭୁବନେଶ୍ୱର
ମୋ-୮୭୬୩୫୪୩୨୦୨