ଚାଷୀ ସବୁବେଳେ କ୍ଷତିରେ
ରାଜ୍ୟରେ ଏବେ ମୌସୁମୀର ପ୍ରତାବର୍ତ୍ତନ ସମୟ । ସ୍ୱଳ୍ପକାଳୀନ ଧାନ ଅମଳ ହେବାକୁ ବସିଲାଣି । ଖରିଫ୍ ଧାନ ଫସଲ ଅମଳ ପାଇଁ ଆଉ ବେଶୀ ଡ଼େରି ଲାଗିବ ନାହିଁ । ଏଭଳି ପରିସ୍ଥିତିରେ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଧାନ ମଣ୍ଡିଗୁଡ଼ିକରେ ପଞ୍ଜୀକରଣ କରିବାକୁ ବ୍ୟଗ୍ରତା ପ୍ରକାଶ କରିଲେଣି । ତେବେ ଏପରି ଏକ ସମୟରେ ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ପଞ୍ଜୀକରଣ କାମ ଆରମ୍ଭ ହୋଇନାହିଁ । ତେବେ ନିର୍ଦ୍ଧାରିତ ସମୟରେ ଚାଷୀମାନଙ୍କର ପଞ୍ଜୀକରଣ ହୋଇପାରିବ କି ନାହିଁ ତାହା ଏକ ସମସ୍ୟା ଭାବରେ ଦେଖା ଦେଲାଣି । ଲକ୍ଷାଧିକ ଆବେଦନ ପତ୍ର ଅନ୍ଲାଇନ୍ରେ କରାଯାଇଥିଲେ ମଧ୍ୟ ଏସବୁ ପଡ଼ିରହିଛି । ୨୦୨୪-୨୫ ଖରିଫ୍ ଋତୁ ପାଇଁ ୧୭ ଲକ୍ଷ ୪୮ ହଜାର ୫୧୫ ଜଣ ଚାଷୀ ଅନ୍ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥାରେ ଆବେଦନ କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୪୭ ହଜାରରୁ ଅଧିକ ଫର୍ମ୍ ପଡ଼ିରହିଛି ଏବଂ ୧ ଲକ୍ଷ ୬ ହଜାରରୁ ଅଧିକ ଫର୍ମ ସୋସାଇଟି ନିକଟରେ ପଡ଼ିରହିଛି । ଏଗୁଡ଼ିକର ଅପ୍ଡ଼େଟ୍ ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ । ଆହୁରି ୨ ଲକ୍ଷ ୭୭ ହଜାର ଫର୍ମ୍ ଡ଼ିଆର୍ସିଏସ୍୍ କିମ୍ବା ଏଆର୍ସିଏସ୍ ମାନଙ୍କ ନିକଟରେ ପଡ଼ିରହିଛି । ଏହିଭଳି ଅବହେଳା ସରକାରୀ କର୍ମଚାରୀମାନଙ୍କ ପାଇଁ ହୁଏତ କିଛି ନୁହେଁ, କିନ୍ତୁ ଚାଷୀମାନଙ୍କ ପାଇଁ ଏହା ବର୍ଷକର ଆୟର ଏକ ପ୍ରଶ୍ନ ।
ଚଳିତବର୍ଷ ଚାଷୀଙ୍କ ଠାରୁ ଧାନ କିଣିବା କ୍ଷେତ୍ରରେ ସରକାର ୩ ହଜାର ଶହେ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ପ୍ରକୃତରେ ତାହା କେତେ ହେବ ଟଙ୍କା ମିଳିବା ପରେ ଯାଇ ଜଣାପଡ଼ିବ । ଧାନ ମଣ୍ଡିଗୁଡ଼ିକରେ ଚାଷୀମାନେ ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେବେଳେ କଟ୍ନିଛଟ୍ନି ନାମରେ ଶୋଷଣର ଶିକାର ହେଉଛନ୍ତି ତ ଆଉ କେତେବେଳେ ବସ୍ତା ପାଇଁ ହଇରାଣର ସମ୍ମୁଖୀନ ହେଉଛନ୍ତି । ଧାନର ମାନ ନେଇ ମଧ୍ୟ ବାରମ୍ବାର ଚାଷୀମାନଙ୍କୁ ହଇରାଣ କରାଯାଉଛି ଏବଂ ଯେତେ ଭଲ ଧାନ ନେଇ ଗଲେ ମଧ୍ୟ ସେଥିରେ ଆର୍ଦ୍ରତା ପରିମାଣ ଅଧିକ ଥିବା ଦର୍ଶାଇ ଚାଷୀମାନଙ୍କ ଠାରୁ କ୍ୱିଣ୍ଟାଲ୍ ପିଛା ସ୍ଥଳ ବିଶେଷରେ ୧୦ କିଲୋଗ୍ରାମ୍ ପିଛା ଧାନ ଅଧିକା ନିଆଯାଉଛି । ଏସବୁଥିରୁ ଦେଖାଯାଉଛି ଯେ ଚାଷୀମାନେ ସବୁ କ୍ଷେତ୍ରରେ ପ୍ରତାରଣାର ଶିକାର ହେଉଛନ୍ତି । ପରିବା ଚାଷ ହେଉ କି ଧାନ ଚାଷ କିମ୍ବା ଅନ୍ୟ ଯେ କୌଣସି ଚାଷ ହେଉ, ସବୁ କ୍ଷେତ୍ରରେ ଚାଷୀକୁ ସମସ୍ତେ ଠକିବା ପାଇଁ ବ୍ୟଗ୍ର । ଚାଷୀ କେତେ ପରିଶ୍ରମ କରିବା ପରେ ଧାନ କେଣ୍ଡାଟିଏ ଫଳୁଛି ତାହାର ପ୍ରକୃତ ମୂଲ୍ୟାୟନ କରାଯାଉନାହିଁ । ମଣ୍ଡିରେ ଧାନ ପହଞ୍ଚିବା ପରେ ମୂଷା ଠାରୁ ଆରମ୍ଭ କରି ସମସ୍ତଙ୍କର ଉପଦ୍ରବ ଲାଗି ରହୁଛି । କେତେବେଳେ ବର୍ଷାରେ ଧାନ ଗଜା ହୋଇଯାଉଛି ଯେ ଆଉ କେତେବେଳେ ଶୀତ କାକର ଖାଇ ସେସବୁର ମାନ ଖରାପ ହୋଇଯାଉଛି ।
ଏବେ ନିକଟରେ ପରିବେଶକୁ ଦୃଷ୍ଟିରେ ରଖି ସିନ୍ଥେଟିକ୍ ବ୍ୟାଗ୍ ବଦଳରେ ଝୋଟ ଅଖାର ବ୍ୟବହାର ପାଇଁ ସରକାର ନିୟମ କରିଛନ୍ତି । କିନ୍ତୁ ଏହି ଝୋଟ ଅଖାର ଓଜନ ଅଧିକ ଥିବାରୁ ମିଲର୍ମାନେ ଝୋଟ ଅଖା ବ୍ୟବହାର କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଟ୍ରକ୍ ଟ୍ରକ୍ ଝୋଟ ଅଖା ବିଭିନ୍ନ ମଣ୍ଡି ନିକଟରେ ପଡ଼ିରହିଛି । ଚାଷୀମାନେ ବାଧ୍ୟ ହୋଇ ବିଭିନ୍ନ ସୂତ୍ରରୁ ସିନ୍ଥେଟିକ୍ ଅଖା ସଂଗ୍ରହ କରି ସେଥିରେ ଧାନ ନେଇ ମଣ୍ଡି ନିକଟରେ ପହଞ୍ଚାଉଛନ୍ତି । ଦିନକୁ ଦିନ ଚାଷୀମାନେ ନୂଆ ନୂଆ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ କୃଷି ବିଭାଗ ଦୃଷ୍ଟି ଦେବା ଆବଶ୍ୟକ । କୃଷକମାନଙ୍କୁ ବିଭିନ୍ନ ପ୍ରକାରର ଶୋଷଣରୁ ରକ୍ଷା କରିବା ପାଇଁ ଏବଂ ସେମାନଙ୍କର ଅଭାବ ଅସୁବିଧାଗୁଡଡ଼ିକୁ ଶୁଣିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିବା ଆବଶ୍ୟକ । କାରଣ ଚାଷୀମାନେ ଯେଇଁ ମଞ୍ଚରେ ଯେତେ ଅଭିଯୋଗ କରିଲେ ମଧ୍ୟ ସେସବୁର ସମାଧାନ ହୋଇପାରୁନାହିଁ । ଏ ଦିଗରେ ଦୟାକରି ସରକାର ଧ୍ୟାନ ଦିଅନ୍ତୁ ।