ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ
ଡ.ତପନ କୁମାର ପାଳ : ପୁଣ୍ୟଭୂମି ଭାରତରେ ଆଜି ପର୍ଯ୍ୟନ୍ତ ଯେଉଁ କେତେଜଣ ଯୋଗଜନ୍ମା, ମହାନ ସାଧକଙ୍କ ଆବିର୍ଭାବ ଘଟିଛି, ସେମାନଙ୍କ ମଧ୍ୟରେ ଅଦ୍ୱୈତବାଦର ପ୍ରବର୍ତ୍ତକ, ମୋକ୍ଷଧର୍ମର ମାର୍ଗଦର୍ଶକ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଅନ୍ୟତମ । ସେ ତାଙ୍କ ଜୀବନକାଳ ମଧ୍ୟରେ କେବଳ ସର୍ବଶ୍ରେଷ୍ଠ ସାଧନାର ଅଧିକାରୀ ହୋଇପାରିଥିଲେ ତାହା ନୁହେଁ, ଏକାଧାରରେ ସେ ଥିଲେ ସାଧକ, ଜ୍ଞାନୀ, ପଣ୍ଡିତ, ତାର୍କିକ, ଗୁରୁ ଓ ଉପଦେଷ୍ଟା । ସେ ମଧ୍ୟ ଥିଲେ ମହାତ୍ମା ଓ ସିଦ୍ଧପୁରୁଷ । ସେଥିପାଇଁ ସେ ଭାରତର ପ୍ରତି ପୁରପଲ୍ଲୀରେ ସେ ଶିବଙ୍କର ମୂର୍ତ୍ତିମନ୍ତ ଅବତାର ଭାବରେ ପୂଜିତ ଓ ସମ୍ମାନିତ ।
ଭାରତର ଦକ୍ଷିଣ-ପଶ୍ଚିମ ସମୁଦ୍ର କୂଳରେ ଅବସ୍ଥିତ କେରଳ ପ୍ରଦେଶର କାଲଟି ଗ୍ରାମରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ । ପୂର୍ବକାଳରେ ସେହି ଗ୍ରାମରେ ନମ୍ବୁତ୍ତରି ନାମକ ଗୋଟିଏ ବଂଶ ଶିବଭକ୍ତି ପ୍ରଦର୍ଶନ କରି ଲୋକଖ୍ୟାତି ଅର୍ଜନ କରିଥିଲା । ସେହି ବଂଶର ପୂଜକମାନେ ପବିତ୍ରତା ଓ ଧାର୍ମିକତା ପାଇଁ ଏପରି ଭାବରେ ପ୍ରସିଦ୍ଧ ହୋଇଉଠିଥିଲେ ଯେ ସୁଦୂର କାଶ୍ମୀରର ବିଖ୍ୟାତ ଜୋଷୀମଠରେ ପୁରୋହିତ କାର୍ଯ୍ୟ କରିବା ପାଇଁ ସେମାନେ ନିଯୁକ୍ତି ପାଇଥିଲେ । କାଲ୍ଟି ଗ୍ରାମର ଅନତିଦୂରରେ ପବିତ୍ର ପୂର୍ଣ୍ଣାନଦୀ ପ୍ରବାହିତ ହେଉଥିଲା । ନଦୀ ତଟରେ ଅବସ୍ଥିତ ବୃକ୍ଷ ପର୍ବତ ଉପରେ ଭଗବାନ ଚନ୍ଦ୍ରମୌଳିଙ୍କର ଏକ ରମଣୀୟ ମନ୍ଦିର ଅବସ୍ଥିତ ଥିଲା । କେରଳର ତକ୍ରାଳୀନ ରାଜା ରାଜଶେଖର ନମ୍ବୁତ୍ତରି ବଂଶର ପ୍ରସିଦ୍ଧ ପଣ୍ଡିତ ବିଦ୍ୟାଧିରାଜଙ୍କୁ ଭଗବାନ ଚନ୍ଦ୍ରମୌଳିଙ୍କର ପୂଜାର୍ଚ୍ଚନା କରିବା ପାଇଁ ନିଯୁକ୍ତି କରିଥିଲେ । ବିଦ୍ୟାଧିରାଜ ଶିବ ପୂଜାରେ ତନ୍ମୟ ହୋଇ ନିଜ ଜୀବନକୁ ଧନ୍ୟ କରିପାରିଥିଲେ । ଯଥା ସମୟରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ସେ ପୁତ୍ରଟିର ନାମ ରଖିଥିଲେ ବିଶ୍ୱଜିତ୍ । ବିଦ୍ୟାଧିରାଜ ପୁତ୍ର ବିଶ୍ୱଜିତ୍କୁ ଅଧ୍ୟୟନ କରିବା ପାଇଁ ଗୁରୁ ଗୃହକୁ ପ୍ରେରଣ କରିଥିଲେ । ବିଶ୍ୱଜିତ୍ ବେଦ, ବେଦାଙ୍ଗ, ଉପନିଷଦ, ପୁରାଣ ଓ ବ୍ୟାକରଣ ଆଦି ଶାସ୍ତ୍ର ଅଧ୍ୟୟନ କରିଥିଲେ । ସେ ଶିବଙ୍କ ପରି ଜ୍ଞାନ ଓ ଗୁରୁ ବୃହସ୍ପତିଙ୍କ ପରି ପାଣ୍ଡିତ୍ୟ ଅର୍ଜନ କରିଥିବାରୁ ଗୁରୁ ସନ୍ତୋଷ ପ୍ରକଟ କରି ତାଙ୍କ ଶିବଗୁରୁ ନାମରେ ନାମିତ କରିଥିଲେ । କିଛି କାଳ ପରେ ସତୀ ନାମ୍ନୀ ଏକ ସୁନ୍ଦରୀ କନ୍ୟା ସହିତ ଶିବଗୁରୁଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ମାତ୍ର ଯୌବନକାଳ ଅତୀତ ହେବାକୁ ବସିଥିଲେ ହେଁ ସେମାନଙ୍କ ଠାରୁ କୌଣସି ସନ୍ତାନ ସନ୍ତତି ଜନ୍ମ ହେଲେ ନାହିଁ । ଏହାପରେ ଦିନେ ଉଭୟ ଶିବଗୁରୁ ଓ ସତୀ ଅତ୍ୟନ୍ତ ନିଷ୍ଠା ଏବଂ ଭକ୍ତି ସହକାରେ ଭଗବାନ ଶିବଙ୍କର ପୂଜା ଆରାଧନା କଲେ । ସେମାନଙ୍କ ପୂଜାର୍ଚ୍ଚନାରେ ପ୍ରୀତ ହୋଇ ଭଗବାନ ଶିବ ତାଙ୍କର ମନୋସ୍କାମନା ପୂର୍ଣ୍ଣ କରିଥିଲେ । ତାହା ଥିଲା ୭୮୮ ଖ୍ରୀଷ୍ଟାବ୍ଦର ବୈଶାଖ ଶୁକ୍ଳ ପଞ୍ଚମୀ ତିଥି । ଭଗବାନ ଶଙ୍କରଙ୍କ ଆଶୀର୍ବାଦରୁ ସର୍ବଗୁଣସମ୍ପନ୍ନ ପୁତ୍ର ଜନ୍ମଲାଭ କରିଥିବାରୁ ସେହି ପୁଣ୍ୟ ସ୍ମୃତିର ପ୍ରତୀକ ରୂପେ ଶିବଗୁରୁ ପୁତ୍ରର ନାମ ରଖିଥିଲେ ଶଙ୍କର । ଶଙ୍କରାଚାର୍ଯ୍ୟଙ୍କର ଆବିର୍ଭାବ କାଳ ଥିଲା ଧର୍ମଜଗତରେ ସଙ୍କଟମୟ, ଘଡ଼ିସନ୍ଧି ସମୟ ।
ଶିଶୁ ଶଙ୍କର ଦିନକୁ ଦିନ ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲେ । ତାଙ୍କୁ ଯେତେବେଳେ ତିନି ବର୍ଷ ପିତା ଶିବଗୁରୁଙ୍କର ପରଲୋକ ହେଲା । ପାଞ୍ଚ ବର୍ଷ ବୟସରେ ସେ ବେଦାଧ୍ୟୟନ ପାଇଁ ଗୁରୁ ଗୃହକୁ ଗମନ କଲେ । ସପ୍ତମ ବର୍ଷ ବୟସରେ ସର୍ବଶାସ୍ତ୍ରରେ ସୁପଣ୍ଡିତ ହୋଇ ବାଳକ ଶଙ୍କର ଗୁରୁଗୃହରୁ ବିଦାୟ ନେଲେ । ଶୈଶବରୁ ହିଁ ଶଙ୍କର ଭଗବାନ ଶିବଙ୍କୁ ପରମ ଭକ୍ତି କରୁଥିଲେ । ଏପରିକି ସେ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନାରେ ସନ୍ତୁଷ୍ଟ କରି ମାତାଙ୍କ ସ୍ନାନର ସୁବିଧା କରିବା ନିମନ୍ତେ ପୂର୍ଣ୍ଣାନଦୀକୁ ତାଙ୍କର ଗୃହ ନିକଟରେ ପ୍ରବାହିତ କରାଇପାରିଥିଲେ । ଆଉ ଦିନକର ଘଟଣା । ଶଙ୍କର ଶିଷ୍ୟମାନଙ୍କ ସହିତ ଗଙ୍ଗାସ୍ନାନ ନିମନ୍ତେ ଯାତ୍ରା କରୁଥିଲେ । ବିପରୀତ ଦିଗରୁ ଜଣେ ଚାଣ୍ଡାଳ ଚାରୋଟି କୁକୁରକୁ ନେଇ ମାତାଲ ଅବସ୍ଥାରେ ଆସୁଥିଲେ । କୁକୁର ଓ ଚାଣ୍ଡାଳ ସ୍ପର୍ଶ ଭୟରେ ଶଙ୍କର ସେମାନଙ୍କୁ ଦୂରକୁ ଘଞ୍ଚôଯିବାକୁ କହିଲେ । ଏହାଶୁଣି ଚାଣ୍ଡାଳ କହିଲା ତୁମେ ବ୍ରହ୍ମଜ୍ଞାନ ଲାଭ କରି ସୁଦ୍ଧା ଭେଦଭାବ ଆଚରଣ କରୁଛ? ଶଙ୍କରଙ୍କ ଚେତା ପଶିଲା । ସେ ଚାଣ୍ଡାଳର ପାଦତଳେ ପଡ଼ି ପ୍ରଣାମ କଲେ । ହଠାତ୍ ସେହି ସ୍ଥାନରେ ବିରାଜମାନ ହେଲେ ଦେବଦେବ ମହାଦେବ । ଥରେ ଶଙ୍କରାଚାର୍ଯ୍ୟ ମଧ୍ୟାର୍ଜ୍ଜୁନ ପୀଠକୁ ଗମନ କରିଥାନ୍ତି । ଜଣେ ବୃଦ୍ଧ ଶଙ୍କରାଚାର୍ଯ୍ୟଙ୍କୁ କହିଲେ, ଅନେକ ସମୟରେ କିଛି ଭଣ୍ଡ ବ୍ୟକ୍ତି ନିଜର ବାକ୍ଚାତୁରୀ ବଳରେ ଲୋକଙ୍କୁ ଭ୍ରମିତ କରିଥାନ୍ତି । ଅବିଳମ୍ବେ ଶଙ୍କରାଚାର୍ଯ୍ୟ ଭଗବାନ ବିଶ୍ୱନାଥଙ୍କୁ ସ୍ତୁତି କଲେ । ତେଣୁ ଆପଣଙ୍କ ଉପରେ ଆମର ସନେ୍ଦହ ହେଉଛି । ଯଦି ଏହି ମନ୍ଦିରସ୍ଥିତ ଭବାନୀପତି ଭଗବାନ ଶିବ ଆପଣଙ୍କ ପ୍ରାର୍ଥନାରେ ଆମ୍ଭମାନଙ୍କର ସାକ୍ଷାତରେ ପ୍ରକଟିତ ହୋଇ ନିଜ ମୁଖରେ ଆପଣଙ୍କ ମତର ସତ୍ୟତା ସ୍ୱୀକାର କରିବେ, ତେବେ ଆମର ସନେ୍ଦହ ଦୂର ହେବ । ମନ୍ଦିରାଭ୍ୟନ୍ତରକୁ ଉଜ୍ଜ୍ୱଳ କରି ଆବିର୍ଭାବ ହେଲେ ତ୍ରିଶୂଳଧାରୀ ଶିବ । ଶଙ୍କର ଭଗବାନ ଶିବଙ୍କ ପ୍ରସାଦରୁ ଜନ୍ମ ନେଇଥିଲେ । ପୁଣି ଏକାଧିକବାର ଶିବଙ୍କୁ ଦର୍ଶନ କରିବା ସହିତ ଅନ୍ୟମାନଙ୍କୁ ଦର୍ଶନର ସୌଭାଗ୍ୟ ଜୁଟାଇଥିଲେ । କୁହାଯାଏ, ଭଗବାନ ଭକ୍ତର ଅଧୀନ । ଭକ୍ତର ପ୍ରେମ ଫାଶରେ ସେ ଚିରକାଳ ବନ୍ଧା । ଏମିତିକି ପରମେଶ୍ୱର ଏକାଧିକବାର କହିଛନ୍ତି, ସେ ବୈକୁଣ୍ଠରେ ନଥାନ୍ତି, ସେ ଥାଆନ୍ତି ଭକ୍ତର ହୃଦୟରେ । ସେ ଡାକିଲେ ଉଭା ହୁଅନ୍ତି । ଜୀବନକାଳ ମଧ୍ୟରେ ଶଙ୍କରାଚାର୍ଯ୍ୟ ଏକାଧିକ ବାର ଏଭଳି ଅଲୌକିକ ଘଟଣାର ସୂତ୍ରପାତ କରି ଦେଖାଇଥିଲେ । ଭଗବାନ ଶିବଙ୍କ ପରମଭକ୍ତ ଶଙ୍କରାଚାର୍ଯ୍ୟଙ୍କୁ ଏହି କାରଣରୁ ଶିବଙ୍କ ସ୍ୱରୂପ ଭାବେ ବିବେଚନା କରାଯାଏ ।
ମୋ : ୯୯୩୭୬୫୮୩୬୨