କାହା ପ୍ରତି ରହିବା କୃତଜ୍ଞ ?

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବି·ର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ କାହା ପ୍ରତି କୃତଜ୍ଞ ରହିବାକୁ ହେବ ? ଆଜିର କଥାକୁ ଅ ।ପଣ ଗ୍ରହଣ କରିବେ, ବି·ରିବେ ବୋଲି ଆଶା ।
ମଣିଷ ତମାମ୍ ଜୀବନ ବହୁ ପରିସ୍ଥିତି ବିରୁଦ୍ଧରେ ଲଢେଇ କରି ବଞ୍ଚେ । ଯେଉଁ ମୁହୂର୍ତ୍ତରେ ଏ ଲଢେଇରେ ସେ ହାରିଯାଏ, ସେହି ମୁହୂର୍ତ୍ତଟି ଜୀବନର ଶେଷ ସମୟ ବୋଲି ମନେ ରଖିବାକୁ ପଡ଼ିବ । ତେଣୁ ଏଭଳି ସମୟରେ ସାହାଯ୍ୟ କରିଥିବା ଲୋକ ମଣିଷ ପାଇଁ ଈଶ୍ୱର ସଦୃଶ । ସର୍ବନିୟନ୍ତା କେବେ ହେଲେ ସିଧାସଳଖ ସ୍ୱର୍ଗରୁ ଓହ୍ଲାଇ ଆସି କାହାରିକୁ ସାହାଯ୍ୟ କରନ୍ତି ନାହିଁ । କୌଣସି ନା କୌଣସି ଏକ ଭିନ୍ନ ରୂପରେ ସେ ମଣିଷକୁ ସାହାଯ୍ୟ କରିଥାନ୍ତି । ଏହି ଭିନ୍ନ ରୂପଟି ଦେଖିବା ପାଇଁ କିମ୍ବା ଅନୁଭବ କରିବା ପାଇଁ ଆମେ ପ୍ରାୟତଃ ସମର୍ଥ ନୁହଁ । ଅତଏବ, ବିପଦ ସମୟରେ ସାହାଯ୍ୟ କରିଥିବା ଲୋକଟିକୁ ଈଶ୍ୱରଙ୍କ ଅବତାର ଭାବେ ଗ୍ରହଣ କରିବାକୁ ହେବ ।
କୃତଜ୍ଞତା ପ୍ରକାଶ କରିବା ମାନବୀୟ ଗୁଣ । କୃତଘ୍ନ ହେଲେ ମଣିଷ ପଶୁରେ ପରିଣତ ହୋଇଯିବ । ପଶୁ ସମାଜରେ ନିଜର ଛୁଆମାନଙ୍କ ପାଇଁ ମାଆ, ଅନ୍ୟମାନଙ୍କ ସହିତ ଲଢେଇ କରି ଜୀବନ ଦେବାକୁ ପ୍ରସ୍ତୁତ ହୋଇଯାଏ । କିନ୍ତୁ ଛୁଆ ବଡ଼ ହେଇଗଲେ ଖାଦ୍ୟ ପାଇଁ ମାଆ ସହିତ କଳହ କରିବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏଇଟା ପଶୁ ସମାଜର ଏକ ସାଧାରଣ ବ୍ୟବହାର । ମଣିଷ ସମାଜରେ ଏ ପ୍ରକାରର ଘଟଣା ଆଦୌ ଶୋଭନୀୟ ନୁହେଁ । ତେଣୁ ବିପଦ ସମୟରେ ଯିଏ ଆମକୁ ସାହାଯ୍ୟ କରିଛି, ଆମ ଦୁଖ ବେଳେ ଯିଏ ଆହା ବୋଲି ପଦେ କହିବା ପାଇଁ ଆମ ଘର ଆଗରେ ଠିଆ ହୋଇଛି ସେଭଳି ଲୋକଟି ପ୍ରତି ସାରା ଜୀବନ କୃତଜ୍ଞ ହୋଇ ରହିବା ହେଉଛି ମାନବିକତା । କୌଣସି ବି ପରିସ୍ଥିତିରେ ମାନବିକତାକୁ ନ ହରାଇ ମାନବୀୟ ଆଚରଣ ଦେଖାଉଥିବା ମନୁଷ୍ୟ ପ୍ରକୃତରେ ଦେବତା ।
ଜୀବନର କୌଣସି ନା କୌଣସି ପରିସ୍ଥିତିରେ, ସୁଖରେ ଅବା ଦୁଃଖରେ, ଜଟିଳ ପରିସ୍ଥିତିରେ, ଅସମୟରେ, ଅବେଳରେ ଯିଏ ଟିକିଏ ବି ସାହାଯ୍ୟ କରିଛି, ତାଙ୍କ ପ୍ରତି ଆମର ସାମାନ୍ୟ ସୁଦ୍ଧା କୃତଜ୍ଞତା ରହୁ ।

ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।