ମହିଳାଙ୍କ ନିରାପତ୍ତା ଓ ଆଇନ 

ଆଜିକାଲି ମହିଳାମାନେ ଘର ଚଳାଇବା ଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି, ହେଲେ ଆଜି ବି ସେମାନଙ୍କୁ ଏଭଳି କଷ୍ଟ ମିଳିବା ବନ୍ଦ ହୋଇନି । ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି, ଯାହା ଅତ୍ୟନ୍ତ ବିଭତ୍ସ । କେଉଁଠି ଏକତରଫା ପ୍ରେମ ପାଇଁ ଯୁବତୀଙ୍କ ମୁହଁରେ ଏସିଡ଼ ପକା ଗଲାଣି ତ ଅନ୍ୟ କେଉଁଠି ପ୍ରତିଶୋଧ ନେବା ପାଇଁ । ପ୍ରତିଦିନ ଏଭଳି ଘଟଣା ସମ୍ପର୍କରେ ଖବର କାଗଜରେ ପଢ଼ିବାକୁ ମିଳୁଛି । ତେବେ ମଣିଷ ଏତେ ନିର୍ଦ୍ଦୟ କିଭଳି ହୋଇପାରେ ସେ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ । ନିଜର ପ୍ରତିଶୋଧ ପାଇଁ ଅନ୍ୟଜଣଙ୍କ ଜୀବନ ସହିତ ଏତେ ଭୟଙ୍କର ଉପାୟରେ ଖେଳିବାକୁ ମଧ୍ୟ ପଛାଇ ନଥାନ୍ତି କେତେକ ଦୟାହୀନ ମଣିଷ ।
ଏସିଡ଼ ଆଟାକକୁ ନେଇ ଦେଶରେ ବିଭିନ୍ନ କଡ଼ା ନିୟମ ରହିଛି । ହେଲେ ଏହି ନିୟମର ପ୍ରଭାବ କମ ପଡ଼ୁଥିବା ବିଭିନ୍ନ ସମୀକ୍ଷାରୁ ଜଣାପଡ଼ୁଛି । ଦେଶରେ ପ୍ରତି ସମୟରେ ଏହି ଅପରାଧ ବଢ଼ିବାରେ ଲାଗିଛି । ଏକ ସର୍ଭେ ଅନୁସାରେ ୨୦୧୪ରେ ୨୦୩, ୨୦୧୫ରେ ୨୨୨, ୨୦୧୬ରେ ୨୩୮, ୨୦୧୭ରେ ୨୫୨, ୨୦୧୮ରେ ୨୨୮ଟ ଏସିଡ଼ ଆଟାକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।  ସେହିଭଳି ୨୦୧୯ରେ ପାଖାପାଖି ୨୪୯ ଓ ୨୦୨୦ରେ ୧୮୨ଟି ମାମଲା ରୁଜୁ ହୋଇଛି । ଏହି ତଥ୍ୟରୁ ଜଣାପଡ଼େ ଦେଶରେ ଏସିଡ ଆଟାକର ମାମଲା କମିବା ବଦଳରେ ବଢ଼ିବାରେ ଲାଗିଛି । କୌଣସି ଆଇନ କିମ୍ବା ଦଣ୍ଡର ଡର ଏମାନଙ୍କୁ ଏଭଳି ଅପରାଧ କରିବାରୁ ରୋକି ପାରୁନାହିଁ । ଏଭଳି ଅମାନବୀୟ ଅପରାଧ ବଢ଼ିବାରେ ଲାଗିଛି । ଏହି ଅପରାଧ ଦେଶର ସବୁ ରାଜ୍ୟରେ ହେଉଥିବାବେଳେ ସବୁଠାରୁ ଅଧିକ ମାମଲା କୋଲକାତାରେ ଦେଖିବାକୁ ମିଳିଛି । ୨୦୨୧ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ କୋଲକାତାରେ ପାଖାପାଖି ୩୦ଟି ଏସିଡ ଆଟାକ ମାମଲା ସାମ୍ନାକୁ ଆସିଥାଏ, ଯେଉଁଥିପାଇଁ ଏହା ତାଲିକାର ଏକ ନମ୍ବରରେ ରହିଛି । ସେହଭଳି ଉତ୍ତର ପ୍ରଦେଶ ୧୮ଟି ମାମଲା ସହ ଦ୍ୱିତୀୟରେ ୮ଟି ମାମଲା ସହିତ ଦିଲ୍ଲୀ ତୃତୀୟରେ, ସାତୋଟି ମାମଲା ସହ ଆସାମ ଚତୁର୍ଥରେ ରହିଛି । ତେବେ ଏହି ସମସ୍ତ ମାମଲାକୁ ତର୍ଜମା କଲେ ଜଣାପଡ଼େ କି ଦେଶରେ ଏସିଡ ଆଟାକକୁ ନେଇଥିବା ନିୟମରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହାକୁ ଆହରୁି କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି ।
ଏସିଡ଼ ଆଟାକ ମାମଲା ବଢ଼ିବାରୁ ଦୀର୍ଘ ୯ବର୍ଷ ପୂର୍ବେ ସୁପ୍ରିମକୋର୍ଟ ଏସିଡ଼ କିଣାବିକାକୁ ନେଇ କିଛିଟା ନିୟମ କରିଥିଲେ । ହେଲେ ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ କି ଏହି ନିୟମର ପାଳନ ହୋଇନଥାଏ । ସୂଚନା ଅନୁସାରେ ଏଥିରୁ ଅନେକ ନିୟମ କେବଳ କାଗଜ କଲମରେ ରହିଛି । ତେବେ ନିୟମ ଅନୁସାରେ ୧୮ ବର୍ଷରୁ କମ ବ୍ୟକ୍ତିଙ୍କୁ ଏସିଡ଼ କିଣିବା ପାଇଁ ଅନୁମତି ନାହିଁ । ସେହିଭଳି ଦୋକାନୀ ଯେଉଁମାନେ ଏସିଡ଼ ବିକିବେ ସେମାନେ ଗ୍ରାହକଙ୍କର ସମ୍ପୂର୍ଣ୍ଣ ତଥ୍ୟ ରଖିବା ମଧ୍ୟ ଜରୁରି । ଏହି ତଥ୍ୟରେ ଗ୍ରାହକଙ୍କର ଠିକଣା ରହିବାର ଆବଶ୍ୟକତା ରହିଛି । ସେହିଭଳି ଦୋକାନୀଙ୍କ ପାଖରେ କେତେ ପରିମାଣର ଏସିଡ଼ ବିକ୍ରି ପାଇଁ ରହିଛି, ସେ ନେଇ ପ୍ରଶାସନ ପାଖରେ ମଧ୍ୟ ସୂଚନା ରହିବାର ଆବଶ୍ୟକତା ଅଛି । ସେହିଭଳି ହସ୍ପିଟାଲ, ବିଭିନ୍ନ ଲ୍ୟାବ, ଶିକ୍ଷାନୁଷ୍ଠାନ ଆଦିରେ ଯେଉଁଥିରେ ବି ଏସିଡ଼ର ବ୍ୟବହାର ହେଉଛି, ତାହାର ଲିଖିତ ତଥ୍ୟ ରଖିବାକୁ ନିୟମ ରହିଛି । ହେଲେ ବିଭିନ୍ନ ସମୟରେ ଏହି ନିୟମ ପାଳନ ହେଉନଥିବାର ଦେଖିବାକୁ ମିଳୁଛି । ବଜାରରେ ଯିଏ ଚାହୁଁଛି ସିଏ ସହଜରେ ଏସିଡ଼ କିଣିପାରୁଥିବାବେଳେ ଏହାର କୌଣସି ହିସାବ ଦୋକାନୀଙ୍କ ପାଖରେ ରହୁନାହିଁ । ସେହିଭଳି ଏହି ଗ୍ରାହକଙ୍କର କୌଣସି ତଥ୍ୟ ମଧ୍ୟ ଦୋକାନୀ ରଖୁନଥିବା ଜଣାପଡ଼ିଛି । ଯାହାଫଳରେ ଯେତେବେଳେ ବି କୌଣସି ଅପରାଧ ଘଟୁଛି ପୋଲିସ ଅପରାଧୀ ବିଷୟରେ ସନ୍ଧାନ ପାଇବାରେ ହଇରାଣ ହେଉଛି । 
ବର୍ତ୍ତମାନ ଯେକୌଣସି ବି ଅପରାଧ ହେଉ ଏହାକୁ ନେଇ ଅନେକ କଡ଼ା ନିୟମ ପ୍ରସ୍ତୁତ କରାଯାଉଛି । ଏହି ନିୟମ ଅପରାଧକୁ ରୋକିବାକୁ ତିଆରି କରାଯାଉଛି । ତେବେ ଏସିଡ଼ ଆଟାକକୁ ନେଇ ପୂର୍ବରୁ କୌଣସି ଅଲଗା ନିୟମ ଏଥିପାଇଁ ନଥିଲା । ଏହି ମାମଲା ୩୨୬ ଅଧୀନରେ ରେଜିଷ୍ଟର ହେଉଥିଲା । ଏହି ଧାରା ଅଧୀନରେ ଅପରାଧୀ ଉପରେ ଗମ୍ଭୀର ଭାବେ ଆହତ କରିବାର ମାମଲା ଲାଗୁଥିଲା । ହେଲେ ପରେ ଏଥିରେ ୩୨୬ ଏ ଓ ବି ଯୋଡ଼ା ଯାଇଥିଲା । ଯେଉଁ ଧାରା ଅଧୀନରେ ଏହାକୁ ଜାମିନ ରହିତ ଅପରାଧ ଭାବେ ଗଣାଯାଇଥିଲା । ଏହି ଅପରାଧ ଜଘନ୍ୟ ହୋଇଥିଲେ ଆଜୀବନ କାରାଦଣ୍ଡର ବିଧାନ ରହିଛି । ସେହିଭଳି ଅପରାଧୀ ଠାରୁ ଫାଇନ ଆଦାୟ କରି ପୀଡ଼ିତାଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । 
ଗଙ୍ଗାଧର ସାମଲ,ମୋ : ୯୪୩୭୨୨୬୬୪୭