କାଳଚକ୍ରର ଗତି

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା କାଳଚକ୍ରର ଗତିକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ସମୟ କାଳଚକ୍ରର ଏକ ଉପକ୍ରମ । ସମୟ ଏକ ପ୍ରାକୃତିକ ନିୟମରେ ଚାଲେ । ସମୟର ନିୟମରେ କାହାରି ହସ୍ତକ୍ଷେପ କାମ କରେ ନାହିଁ । ପ୍ରତି ସେକେଣ୍ଡ୍ରେ ସୂର୍ଯ୍ୟକିରଣରେ ଆମ ଛାଇ କେତେ ଲମ୍ବା ହେଇଛି ବା କେତେ ଛୋଟ ହେଉଛି ତାହା ଏକ ପ୍ରାକୃତିକ ନିୟମରେ ବନ୍ଧା । ଏଭଳି ଏକ ପ୍ରାକୃତିକ ନିୟମକୁ କେହି ବଦଳାଇ ଦେଇପାରିବେ ନାହିଁ । ଏହି ପ୍ରାକୃତିକ ନିୟମକୁ କୁହାଯାଏ କାଳଚକ୍ର । ଏହି କାଳଚକ୍ରରେ ପ୍ରତ୍ୟେକ ବସ୍ତୁ, ପ୍ରାଣୀ, ଉଦ୍ଭିଦ ଆଦି ସମସ୍ତଙ୍କର ଏକ ପରିବର୍ତ୍ତନ ଘଟୁଛି । ପ୍ରତି ମୁହୂର୍ତ୍ତର ପରିବର୍ତ୍ତନକୁ ହୁଏତ ଅନୁଭବ କରିହୁଏନି, କିନ୍ତୁ ଏକ ଦୀର୍ଘ ସମୟର ବ୍ୟବଧାନରେ ପରିବର୍ତ୍ତନ ବେଶ୍ ଉଲ୍ଲେଖନୀୟ ଭାବେ ଅନୁଭୂତ ହୁଏ ।
ଆମେ ଦେଖୁଥିବା ଆଜିର ଗଛ ଏବଂ ଆସନ୍ତାକାଲିର ଗଛ ମଧ୍ୟରେ ଆମ ଆଖିରେ କୌଣସି ପ୍ରାର୍ଥକ୍ୟ ଦେଖାଯାଏ ନାହିଁ । ମାତ୍ର ସେହି ଗଛଟିକୁ ଦଶବର୍ଷର ବ୍ୟବଧାନରେ ଦେଖିଲେ ଘଟିଥିବା ପରିବର୍ତ୍ତନ ସ୍ପଷ୍ଟ ହୋଇଯାଏ । ଏହା ହିଁ କାଳଚକ୍ରର ପ୍ରଭାବ । କାହାକୁ ଅପେକ୍ଷା କରେ ନାହିଁ କିମ୍ବା କାହାରି ହସ୍ତକ୍ଷେପରେ ପ୍ରଭାବିତ ହୁଏ ନାହିଁ । କୌଣସି ଏକ ଅଜ୍ଞାତ ନିୟମରେ ଆମେ ଦୃଶ୍ୟମାନ ପୃଥିବୀରେ ସବୁକିଛିର ପରିବର୍ତ୍ତନକୁ ଲକ୍ଷ୍ୟ କରୁ । ମହାଶୂନ୍ୟରେ ତାରା ଭାବରେ ଦେଖା ଯାଉଥିବା ଜ୍ୟୋତିଷ୍କ ଆମେ ସନ୍ଧ୍ୟାରେ ଗୋଟିଏ ସ୍ଥାନରେ ଦେଖୁ, ଦୁଇ ଘଣ୍ଟା ପରେ ଏହାର ସ୍ଥାନ ପରିବର୍ତ୍ତନ ହୋଇଯାଇଥିବା ଦେଖୁ । କେହି ଇଚ୍ଛା କରି ଦୁଇ ଘଣ୍ଟା ପରର ସ୍ଥିତିରେ ଥିବା ତାରାକୁ ଦୁଇ ଘଣ୍ଟା ପୂର୍ବକୁ ଆଣିପାରିବେ ନାହିଁ ।  
ଆମ ଜନ୍ମ ହୋଇଥିବା ଗାଁରେ ପାହାଡ଼ ଉପରେ ଥିବା ପଥରଟିକୁ ସେମିତି ମୃତୁ୍ୟ ପର୍ଯ୍ୟନ୍ତ ଅପରିବର୍ତ୍ତନୀୟ ରହିଥିବା ଦେଖୁ । କିନ୍ତୁ ପ୍ରକୃତରେ କାଳଚକ୍ରର ନିୟମରେ ତାହାର ପରିବର୍ତ୍ତନ ଏତେ ମନ୍ଥର ଯେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ହେଲେ ହୁଏତ ଆମକୁ ଆମ ଆୟୁଷ କେବେ ଅଣ୍ଟିବନି । କାରଣ ଆମ ଜୀବଦ୍ଦଶା ମଧ୍ୟରେ ପାହାଡ ଉପରେ ଦେଖୁଥିବା ପଥରଟି ଆଜି ଯେଉଁ ଅବସ୍ଥାରେ ଅଛି ଦଶ ଲକ୍ଷ ବର୍ଷ ତଳେ ତାହା ସେହି ଅବସ୍ଥାରେ ନଥିଲା ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।