ନିର୍ବାଚନୀ ଋତୁର ନିର୍ଯାତନା

ଏପ୍ରିଲ, ମେ, ଜୁନ ଏଇ ତିନିମାସ ହିଁ ଆମ ଦେଶରେ ଗ୍ରୀଷ୍ମ ଅନୁଭୂତ ହୁଏ । ଠିକ ଏଇ ସମୟରେ ନିର୍ବାଚନ ଆସିଛି । ଏ ବର୍ଷ ରାଜ୍ୟରେ ଗ୍ରୀଷ୍ମ ଦିନକୁ ଦିନ ଅତ୍ୟାଚାରୀ ହେବାରେ ଲାଗିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି, କେତେକ ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଅତିକ୍ରମ କରିସାରିଲାଣି । ବୋଝ ଉପରେ ନଳିତା ବିଡ଼ା ଭଳି ତାତି ସାଙ୍ଗକୁ ଜଳକଷ୍ଟ ଅଧିକ ଅସହ୍ୟ ହୋଇଛି । ଏଭଳି ସମୟରେ କର୍ମଚାରୀମାନଙ୍କ ପାଇଁ ନିର୍ବାଚନ ପ୍ରସ୍ତୁତି ଏବଂ ନେତାଙ୍କ ପାଇଁ ନିର୍ବାଚନ ପ୍ରଚାର ନିର୍ଯାତନା ଭଳି ମନେହେଉଛି । ପ୍ରଶ୍ନ ଉଠୁଛି ଏ ତିନିମାସକୁ କାହିଁକି ନିର୍ବାଚନ ପାଇଁ ବଛାଗଲା । ନିର୍ବାଚନ ତାରିଖ ଧାର୍ଯ୍ୟ କରାଯିବା ପୂର୍ବରୁ ପାଣିପାଗ ବିଭାଗର ପରାମର୍ଶ ନେବା ଉଚିତ ଥିଲା । ଏଭଳି ସମୟରେ ନିର୍ବାଚନ ହେବା ଉଚିତ ଯେଉଁ ସମୟରେ ଭୋଟ ସହଜରେ ଯାଇ ଭୋଟ ଦେଇପାରିବେ ଏବଂ ପ୍ରାର୍ଥୀ ମାନଙ୍କ ପାଇଁ ମଧ୍ୟ ପ୍ରଚାର କରିବା ସହଜ ହେବ । ଏକ ସନ୍ତୁଳିତ ମାସରେ ନିର୍ବାଚନ କରାଯାଇଥିଲେ ଭୋଟହାର ନିଶ୍ଚିତ ଭାବେ ବଢ଼ିଥାନ୍ତା । ଗ୍ରୀଷ୍ମ ଯେଉଁଭଳି ଅତ୍ୟାଚାରୀ ହୋଇଛି ଏବେ ସାମାନ୍ୟ ଅସୁସ୍ଥ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ବୁଥକୁ ଯାଇ ଭୋଟ ଦେବା ସହଜ ହେବନି ବୋଧେ । ତେଣୁ ଭୋଟ ହାର କମିବାର ସମ୍ଭାବନା ରହିଛି ।
ପ୍ରାଥୀଙ୍କ ପାଇଁ ଗ୍ରୀଷ୍ମର ପ୍ରକୋପ ଅଧିକ କଷ୍ଟଦାୟକ ହୋଇଛି । ଖରାକୁ ଡରିଲେ ନିର୍ବାଚନ ମଣ୍ଡଳୀର ପ୍ରତିଟି ଲୋକଙ୍କୁ ହୁଏତ ଛୁଇଁ ହେବନି ଏଇ ଆଶଙ୍କାରେ ମୁଣ୍ଡଫଟା ଡହଡହ ଖରାରେ ମଧ୍ୟ ପ୍ରାର୍ଥୀମାନେ ଘରକୁ ଘର ବୁଲୁଥିବାର ଦେଖିବାକୁ ମିଳୁଛି । ସଭାସମିତି ଏବଂ ର୍ୟାଲି ମଧ୍ୟ ଚାଲିଛି । ଆମ ଦେଶରେ ନିର୍ବାଚନକୁ ଗଣତନ୍ତ୍ରର ଏକ ମହାପର୍ବ ବୋଲି କୁହାଯାଉଛି । ତେଣୁ ଗାଁଠୁ ସହର ଯାଏଁ ସବୁଠି ସମସ୍ତେ ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ଏ ମହାପର୍ବରେ ସାମିଲ ଅଛନ୍ତି । ଗ୍ରୀଷ୍ମପ୍ରବାହ ଏବଂ ଉତ୍ତାପକୁ ଆଖି ଆଗରେ ରଖି ଲୋକଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି । କିନ୍ତୁ ସବୁ ସତ୍ତେ୍ୱ ନେତାମାନେ ସେମାନଙ୍କ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଅନେକ ଜାଗାରେ ଛୋଟ ଛୋଟ ପିଲାଙ୍କୁ ମଧ୍ୟ ପ୍ରଚାରରେ ସାମିଲ କରାଯାଉଥିବାର ଦେଖିବାକୁ ମିଳିଛି । ଏଇ କାରଣରୁ ଅଂଶୁଘାତ ଆଶଙ୍କା ବଢ଼ିବାର ସମ୍ଭାବନା ରହିଛି । ଆମ ଦେଶର ନେତାମାନେ ହିଁ ସବୁଠୁ ଅଧିକ ବିଶୃଙ୍ଖଳିତ ହୁଅନ୍ତି ଏବଂ ନିୟମ ଭାଙ୍ଗନ୍ତି । ନେତାଙ୍କ ମିଟିଂ, ରାଲି ଏବଂ ରୋଡ଼ ଶୋ' ପାଇଁ ଟ୍ରାଫିକ ଜାମ ହୁଏ । ପରିବେଶ ପ୍ରଦୂଷିତ ହୁଏ ଭୋଜିଭାତର ଅଇଁଠା ଖଲି ଏଣେତେଣେ ପଡ଼ି । ଶବ୍ଦ ପ୍ରଦୂଷଣ ସୀମା ଉଲ୍ଲଂଘନ କରେ ଡାକବାଜି ଯନ୍ତ୍ରର ତୀବ୍ରତାରେ ଲଗାମ ନଥିବା କାରଣରୁ । ତେଣୁ ଅନ୍ୟମାନଙ୍କୁ କିଏ ସଚେତନ କରାଇବ? ନୀତି ନୈତିକତା, ଆଦର୍ଶକୁ ଭୁଲି ଯେଉଁମାନେ ଟିକେଟ ଲୋଭରେ ଏ ଦଳରୁ ସେ ଦଳକୁ ଡିଅାଁ ମାରୁଛନ୍ତି ସେମାନେ ନିର୍ବାଚନରେ ଜିତି ମନ୍ତ୍ରୀ, ବିଧାୟକ ହେଲେ ସ୍କୁଲ ପିଲାଙ୍କୁ ନୀତିବାନ ହେବାର ପରାମର୍ଶ ଯେ ନଦେବେ ଏକଥା କହିହେବନି । ନେତାମାନେ ଖରାତରାରେ ଝାଳନାଳ ହୋଇ ପ୍ରଚାର କରିବାର ପରବର୍ତ୍ତୀ ସମୟରେ ସେମାନେ ଅୟସ କରିବେ । କିନ୍ତୁ ଯେଉଁ ସାଧାରଣ ଲୋକଟି ଖରାରେ ଯାଇ ନିଜ ମୂଲ୍ୟବାନ ଭୋଟ ଖଣ୍ଡିକ ଦେଇ ତାଙ୍କୁ ଜିତାଇଲେ ସେ କ'ଣ ପାଇବେ? ଯେଉଁ ଆଶା ନେଇ ସିଏ ତାଙ୍କ ଅଧିକାର ସାବ୍ୟସ୍ତ କରିବେ ପରବର୍ତ୍ତୀ ସମୟରେ ସିଏ ଯେ ଠକି ଯାଇନାହାନ୍ତି ଏହାକୁ ନେତାଏ ସୁନିଶ୍ଚିତ କରାଯାଇପାରିବେ ତ?
ଯୁଧିଷ୍ଠିର ମହାରଣା
କଟକ, ମୋ: ୯୪୩୭୧୬୩୫୨୮