ଅଜଣା ଜଗତର ଡାକ (୩୦)
ଅଶୋକ ବିଶ୍ୱାଳ : ପାଣି ଭିତରେ କିଛି ଦୂରରେ ବୀଣା ଆକାରର ଏକ ବିରାଟ ପଥର ଖଣ୍ଡ ଥିଲା । ବୀଣାର ଦୁଇ ମୁଣ୍ଡ ଟିକିଏ ଉଚ୍ଚ ହୋଇଥାଏ ଆଉ ମଝିରେ ଫାଙ୍କ ଥାଏ । ସେଇମିତି ଏ ପଥରର ଦୁଇମୁଣ୍ଡ ତଳ ଚଟାଣରେ ଲାଗିଥିଲା, ଦୁଇମୁଣ୍ଡ ପ୍ରାୟ ଗୋଲାକାର । ପ୍ରକୃତି ସତରେ ଏକ ବିଶାଳ ପଥରର ବୀଣା ତିଆରି କରି ନିଜେ ଅତି ମଧୁର ତାଳରେ ବଜାଉଛି । ଶୋଭନା ପ୍ରକୃତିର ବିଶାଳତାରେ, ବିସ୍ମୟକାରୀ ସୃଷ୍ଟିରେ ନିଜକୁ ହଜାଇ ଦେଉଥିଲେ, ନିଜକୁ ଏକ ଅବର୍ଣ୍ଣନୀୟ ବିଶାଳତା ଭିତରେ ଦ୍ରବୀଭୂତ ହୋଇଯାଉଥିବାର ମନେକରୁଥିଲେ । ଅନେକ ପଛରେ ଡାହାଣ ଆଡକୁ ଆଉ ଏକ ପଥର କ୍ରମଶଃ ବଡ ହୋଇ ପାହାଡ ହୋଇଯାଇଥିଲା । ପଥରର ବୀଣା ଆକାରକୁ ତାଙ୍କ ଆଖି ଫେରିଆସିଲା ଆଉ ସେ ନିଜ ଭିତରେ ସଙ୍ଗୀତର ନୂଆ ରାଗ ଖୋଜିବାରେ ଲାଗିଗଲେ । ମେଘ ମହ୍ଲାର ତ ବର୍ଷାର ତାନରୁ ଆରମ୍ଭ ହୋଇଛି । ସମୁଦ୍ରରୁ ଭାଙ୍ଗି ପଡୁଥିବା ଲହଡିରୁ କେଉଁ ରାଗ ତିଆରି ହୋଇଛି? କିଛି ମନେ ପଡିଲାନି । ସେ ଭାବିଲେ ମନେ ନ ପଡୁଛି ନପଡୁ । ସେ ଅସୀମଙ୍କ ସହ ମିଶି ଏକ ନୂଆ ରାଗ ତିଆରି କରିବେ । ସେ ରାଗ ପୃଥିବୀ ପାଇଁ ଏକ ନୂଆ ଆବିଷ୍କାର ହେବ, ନୂଆ ଉପହାର ହେବ । ସେ ମେଘମହ୍ଲାର ଆଉ ଦୀପକ ରାଗକୁ ନେଇ କିଛି ରାଗ ତିଆରି କରିପାରିବେ କି? ଦୀପକ ରାଗରେ କାଳେ ଦୀପ ଜଳିଉଠୁଥିଲା । ଏଠି ମନରେ ନୂଆ ଉତ୍ସାହ ଜାଗି ଉଠୁଛି ଆଉ ଆକାଶରୁ ସେମାନଙ୍କ ଉପରେ ଝରି ପଡୁଛି ଲହଡିରୁ ଉତ୍ପନ୍ନ ଜଳର ଛିଟିକାମାନ । ରାଗ ଭୈରବୀ । ସମୁଦ୍ରର ଭାଙ୍ଗି ପଡୁଥିବା ଢେଉକୁ ଭୈରବୀ ରାଗ ସହ ମିଶାଇ ଦେଲେ କେମିତି ହୁଅନ୍ତା । ରାଗ ଭୈରବ ତ ସକାଳର ସର୍ବୋତ୍ତମ ରାଗ । ଆଉ ଯାହା ମନ ଭିତରକୁ ସକାଳ ନେଇଆସେ ସେଇତ ମହାସମୁଦ୍ରର ସୀମାହୀନ ନୀଳ ଜଳରାଶି । କିଛି ନୂଆ ରାଗ ସେମାନେ ଆବିଷ୍କାର କରିବେ,ଏକ ଯୁଗଳବନ୍ଦୀ ତିଆରି କରିବେ ଯାହା ଯୁଗଯୁଗକୁ ରହିଯିବ ।
ଏଣେ ଆକାଶ ଧୀରେ ଲାଲ ପଡିଆସୁଥିଲା ଆଉ ଉପରେ କିଛି ପକ୍ଷୀ ଉଡୁଥିଲେ । ସେମାନେ ଉଚ୍ଚ ପାହାଡ ଉପରକୁ ଉଡିଯାଇ ତଳକୁ ଓହ୍ଲାଇ ଆସୁଥିଲେ ତା’ପରେ ତଳ ପଥର ଖଣ୍ଡମାନଙ୍କ ଉପରେ ଏକ ଗୁଡିର ଗୁଡିର କତରିଙ୍ଗ କଲାପରି ଶୀଘ୍ର ଗତି ଆଉ ଦିଗ ପରିବର୍ତ୍ତନ କରି ଉଡୁଥିଲେ । ତଳେ ଜୋରରେ ଢେଉମାନ କଚାଡି ହୋଇପଡୁଥିଲା । ପାଣିର ମୁକୁଟମାନ ପଥର ଚାରିପଟେ ସମୁଦ୍ର ଭିତରେ ତିଆରି ହେଉଥିଲା । ସେ ପକ୍ଷୀମାନେ ତା’ ଭିତର ଦେଇ ଉଡିଯାଉଥିଲେ । ଗୋଟାଏ ପରେ ଗୋଟାଏ ହୋଇ କ୍ରମାଗତ ଭାବେ ଲହଡି ମାଡିଆସୁଥିଲା, ଏବେ ଅବଶ୍ୟ କିଛି ଦୂରରେ । ଆକାଶରେ ବଉଦମାନ ଅନେକ ରୂପ ଧରି ସମୁଦ୍ର ପାଣି ଭିତରୁ ମୁଣ୍ଡ ଟେକିଥିଲେ ଆଉ ଧୀରେ ସୂର୍ଯ୍ୟ ତଳକୁ ଓହ୍ଲାଇ ଆସିବାର ଅପେକ୍ଷା କରିଥିଲେ । ସେମାନେ ସୂର୍ଯ୍ୟ ସହ ପାଣି ଭିତରେ ରାତିରେ ବିଶ୍ରାମ କରିବେ । ପାଣି ଭିତରେ କିଛି କିଛି ଜାଗାରେ ଛୋଟ ବଡ ଅନେକ ପଥର ଖଣ୍ଡ ଥିଲା । ତା’କୁ ପାଣି ଘେରିଯାଇ, ନିଜ ନରମ ଆଲିଙ୍ଗନ ଭିତରକୁ ନେଇ ପୁଣି ଛାଡି ଦେଉଥିଲା । ଶୋଭନା ନିଜ ଆଖିକୁ ଟିକେ ତଳୁଆ କରିଦେଲେ । ଏବେ ଧୀରେ ସମୁଦ୍ରରେ ବିଶାଳ ଢେଉମାନ ତିଆରି ହେଲାଣି ଆଉ ଲହଡିମାନ ତୁହାକୁ ତୁହା, ନଅଟକି ମାଡି ଆସୁଛି । ଲହଡିର ଉପରେ ଧଳାଫେଣ ମଲ୍ଲୀ ଫୁଲର ହାର ଭଳି ଝୁଲୁଛି । ଏକ ବିରାଟ ପଥର ଖଣ୍ଡ ପାଣି ଭିତରେ ଥିଲା । ସେ ପଥର ଦେହରେ ଧଳା ଲହଡିମାନ ଜୋରରେ ବାଡେଇ ହୋଇ ପଡୁଥିଲା । ଉପରେ ଏକ ଧଳା ବଗ ନିଜର ଲମ୍ବା ବେକ ଟେକି ସ୍ଥିର ହୋଇ ପାଣିକୁ ଅନାଇଥିଲା । ତା’ ପଛପଟେ ଆକାଶ ଲାଲ ହୋଇଆସିଥିଲା । କିଛି ସୁନେଲି ବଉଦ ମୁଣ୍ଡ ଟେକିଥିଲେ । ବଗ ଏକ କଳା ମୂର୍ତ୍ତି ପରି ଲାଗୁଥିଲା ଏକ ସୁନେଲି ଲାଲ ପ୍ରଚ୍ଛଦପଟ୍ଟରେ । ସେ ପକ୍ଷୀଟି ଉପରେ ଆଉ କେତେ ପକ୍ଷୀ ଉଡିଯାଉଥିଲେ । ସେ କିନ୍ତୁ ନଉଡି ସେମିତି ନିଜ ଲମ୍ବା ବେକ ଟେକି ତଳେ ଭାଙ୍ଗି ପଡୁଥିବା ପାଣିକୁ ଅନାଇଥିଲା । ତା’ ବସିବା ଜାଗାରୁ ପାଣି ଦୂର । ସେଇଠୁ ସେ ଶିକାର କରିପାରିନଥାନ୍ତା । କିନ୍ତୁ ପକ୍ଷୀଟି ମଧ୍ୟ ଅତି ଆନନ୍ଦରେ ପ୍ରକୃତିର ଶୋଭାକୁ ଉପଭୋଗ କରୁଥିଲା । ଶୋଭନା ପକ୍ଷୀଟିକୁ ଦେଖି ଭାବୁଥିଲେ ଆମେ ସମସ୍ତେ ପ୍ରକୃତିର ଏକ ଏକ ଅଂଶ । ଆଉ ଆମେ କାହା ମାନସପଟ୍ଟରେ ଏକ ଏକ ନିଷ୍କଳଙ୍କ ଚିତ୍ର ହୋଇ ଚିରଦିନ ଶୋଭା ପାଉଛେ । ସେ ଚିତ୍ର କେବେବି ନହଜୁ ।
କିଛି ସମୟପରେ ଅସୀମ ତଳକୁ ଓହ୍ଲାଇ ଆସିଲେ ଆଉ ସେ ଏବଂ ଶୋଭନା ସାଙ୍ଗ ହୋଇ ଚାଲିବାକୁ ଲାଗିଲେ ।
ହାତ ଧରି ତୁମ ଧୀରେ ମୁଁ ଚାଲୁଛି
ବଣୁଆ ରାସ୍ତାରେ ନିଜକୁ ଭୁଲି ତ ଯାଇଛି
ଛାଇ ପଡିଛି ମୋର ମନ୍ଦାଏ ପାଣିର ଉପରେ
ଚହଲି ଯାଉଛି, ଆକାଶକୁ ତୋଳିଆଣୁଅଛି
ଆହା, କି ସୁନ୍ଦର ଫୁଲ ଫୁଟିଛି ସମୁଦ୍ର ବେଳାରେ
ଆଖି ମୋର ଧରି ଲାଖିଯାଉଅଛି ।
ଶୋଭନା ସେମାନଙ୍କ ବସୁଥିବା କୁଟୀରକୁ ଅନାଇଲେ । ସୂର୍ଯ୍ୟର ଶେଷ କିରଣର ଲାଲିମା କୁଟୀରର ପତ୍ର ଉପରେ ଥିଲା । ସାମାନ୍ୟ ନିଆଁର ଧାସ ଯେମିତି କୁଟୀର ଉପରେ । ଏକ ଲାଲ କମଳା ରଙ୍ଗର ଅସ୍ପଷ୍ଟ ମୁକୁଟ । ନିଆଁ ଲଗିଲେ ସେ କୁଟୀର କ’ଣ ପୋଡିଯିବ? ଶୋଭନା ଚମକି ପଡିଲେ ।
“ମୋଟେ ଜଳିବନି । ସମୁଦ୍ରକୂଳରେ ଠିଆ ହୋଇଛି ଆମର ଏ ପତ୍ରର କୁଟୀର । ନିଆଁ କେମିତି ସେ ଯାଏଁ ପହଞ୍ଚôପାରିବ? ତଳେ ଯେ ପଥର । ଭୂମିରୁ ନିଆଁ ସେ ଯାଏଁ କେବେ ନପହଞ୍ଚôବ, ଲହଡିର ଛିଟିକାମାନ ଫୋପାଡି ପଡିବ, ନିଆଁ ଝୁଲଟିଏ ପତ୍ର କୁଟୀରକୁ ଛୁଇଁ ନ ପାରିବ । ନିଆଁର ଝୁଲକୁ, ପାଣିର ଛିଟିକାମାନ ଆକାଶରୁ ଯେ ଧରିବେ, ପତଙ୍ଗକୁ ପବନରେ ହାୱାବିଲ ଧରିଲା ପରାୟେ ।”-ଶୋଭନା ମନକୁ ମନ ଏକ କବିତା ଆବୃତ୍ତି କରୁଥିଲେ । “ହାତ ମୋ ଧରିଛ, ସାଥେ ଯେ ଚାଲୁଛ ପାଦକୁ ମିଳାଇ । କେମିତି ଜଳିବ କୁହ ଏ ଦୃଶ୍ୟ ବନର ଅଗ୍ନିରେ? ପାଦଚିହ୍ନ ତୁମ ଛାପି ଯେ ହୋଇଛି ଏଇ ତ ମାଟିରେ । କେମିତି ହଜିବ କୁହ ଝରା ପାଉଁଶରେ? ନିଆଁ ଆସିପାରିବନି ଆମ ପର୍ଣ୍ଣର୍ କୂଟୀର ପର୍ଯ୍ୟନ୍ତ, ଯେତେବେଳେ ଏଡେ ମହାସାଗର ଅଛି ଆମର ପଛରେ ।”- ଅସୀମ ନିଜକୁ ନିଜେ ଗୀତର ସ୍ୱର ଦେଉଥିଲେ ।
କିନ୍ତୁ ପ୍ରକୃତ ବନାଗ୍ନିର ଖବର ଦିନେ ପହଞ୍ଚôଲା । ସେଦିନ କ୍ୟାମ୍ପକୁ ଅସୀମ ଆସିିଛନ୍ତି, ନିଆଁ ଲାଗିବା ଖବର ଅତି ଜୋରରେ ଧଇଁସଇଁ ହୋଇ ଦୌଡି ଦୌଡି ପହଞ୍ଚôଗଲା । ଜଙ୍ଗଲରେ ନିଆଁ ଲାଗିବା ଏକ ବହୁତ ବଡ ଖବର । ଥରେ ନିଆଁ ବ୍ୟାପିଗଲେ ଆଉ ଆଗକୁ ସମ୍ଭାଳି ହେବନାହିଁ । ଏକେତ ଜଙ୍ଗଲରେ ପହଞ୍ଚôବାକୁ ସହଜରେ ରାସ୍ତା ମିଳିବନି, ତିଖ ପାହାଡ, ଅଭେଦ୍ୟ ଅରଣ୍ୟ, ଦ୍ୱିତୀୟରେ ଗ୍ରେଟ ନିକୋବର ଭଳି ଦ୍ୱୀପରେ ଆଉ ସାଧନ କାହିଁ? ଜଙ୍ଗଲ ନିଆଁ ଲିଭାଇବା ପାଇଁ ତୁରନ୍ତ ଆକ୍ସନର ଆବଶ୍ୟକତା ଅଛି । ସେଇଠି ଦରକାର ଅଛି ଉପସ୍ଥିତ ବୁଦ୍ଧି ଆଉ ଯାହାକିଛି ନିଜ ପାଖରେ ଅଛି ତା’ର ସଦୁପେଯାଗ । ନିଆଁ ଲାଗିବା ଯାଗାଟା ମଧ୍ୟ ସମୁଦ୍ରକୂଳ ପାଖାପାଖି ଆଉ ୩୫ କିମି ସମୁଦ୍ରକୂଳରେ ତିଆରି କୁଟୀରରୁ ଏଇ କେତେ ଶହ ଗଜ ଦୂର ।
ଅସୀମ ମନେ ମନେ ଶୋଭନାଙ୍କ ସହ ବିତାଇଥିବା କଥାମାନ ଭାବିଲେ । ସେ ପର୍ଣ୍ଣ କୁଟୀର ନିଆଁରେ ଏକ ମୁହୁର୍ତ୍ତରେ ଦଗ୍ଧ ହୋଇଯିବ । ତାଙ୍କ ଛାତି ଭିତରଟା ଧାଉଁ କରି ହୋଇଗଲା ।
“ଚାଲିଛ ଯେ ମୋ ସାଥେ ପାଦକୁ ମିଳାଇ, କେମିତି ଜଳିବ କୁହ ଆମ ପତ୍ରର କୁଟୀର । ଧୋଉଅଛି ଆମ ପାଦକୁ ଯେବେ ମହାସାଗରର ଜଳ, କେମିତି ହଜିବ କୁହ ଆମ ପାଦଛାପ?” –ସେ ପୁଣି ପୁରୁଣା ଗୀତମାନଙ୍କୁ ମନେ ପକାଇ ଗାଇହେଲେ । ତାଙ୍କର ଭିତରେ ହାୱାବିଲର ସ୍ଫୂର୍ତ୍ତି ଆସିଗଲା । ହାୱାବିଲ ମୋଟେ ଯେ ଥକେନା, ସେମିତି ପବନରେ ଉଡୁଥାଏ । ତାପରେ ପାଣ୍ଡାନାସ ବଣ ଭିତରେ ଅନେକ ଅନେକ ପାଦଚିହ୍ନ ଦେଖାଗଲା । ସେମାନେ ପ୍ରାୟ ଦୌଡାଦୌଡି ଗଲେ । ସେପଟେ ମଧ୍ୟ ସମୁଦ୍ରକୂଳଟା ପଥୁରିଆ । କୋରାଲ ଖଣ୍ଡମାନ ଚାରିଆଡେ ପଡିଛି । କିଛି ଗଛ ମୂଳରେ ମନ୍ଦାଏ ମନ୍ଦାଏ ବାଲି ଅଛି । କୂଳରେ ଗଛମାନ ଗାଢ ସବୁଜ ଲାଗୁଛି । ସେ ଭିତରେ ପଛଆଡକୁ କିଛି ଯାଗାରେ ଧଳାଧୂଆଁ ଜୋରରେ ବାହାରୁଛି । ଜାଗାଟା ଅନ୍ୟ ସ୍ଥାନ ଅପେକ୍ଷା ଉଜ୍ଜ୍ୱଳ ଲାଗୁଛି । କିଛି ଅଂଶରେ ନିଆଁ ଉପର ଡାଳକୁ ଧରିଲାଣି । ଚାରିଆଡ ଜଙ୍ଗଲ ଆଉ ପାଣ୍ଡାନାସ ବଣ ହେତୁ ନିଆଁ ଜୋରରେ ମାଡିଯିବ । ଅଗକୁ ନିଆଁ ଧରିଲାଣି ଅର୍ଥ ଆଗକୁ ପୋଡି ବିପଦଜନକ ହେବ । ସମ୍ଭାଳି ହେବକି ନାହିଁ କହିହେବନି । ଏବେ ସାଙ୍ଗେ ସାଙ୍ଗେ କିଛି କରିବା ଦରକାର । (କ୍ରମଷଃ)
ଭୁବନେଶ୍ୱର