ରୌଦ୍ରକାଳରେ ହୃତ୍ପିଣ୍ଡର ଯତ୍ନ
ଦିନକୁ ଦିନ ଖରା ବଢ଼ୁଛି । ଏପରି ପାଣିପାଗ ଅସ୍ତବ୍ୟସ୍ତ କରିଦେଉଛି ଯେ ଦିନ ଏଗାରଟା ପରେ ବାହାରକୁ ବାହାରିବା ପାଇଁ ମଧ୍ୟ ତୀବ୍ର ଖରାକୁ ସାମ୍ନା କରିବାକୁ ପଡ଼ୁଛି । ତେବେ ଶରୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ହୃତପିଣ୍ଡର ଅନେକ ସମସ୍ୟା ଏହି ଖରାଦିନରେ ସାଧାରଣତଃ ଦେଖାଦେଇଥାଏ । ଖରାଦିନେ ହୃଦ୍ଘାତ ଅଧିକ ହେବାର ମୁଖ୍ୟ କାରଣ ହେଉଛି ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି । ହୃଦ୍ପିଣ୍ଡ ଅଧିକ କାର୍ଯ୍ୟ କରି ଶରୀରର ତାପମାତ୍ରା ଓ ବାହାରର ତାପମାତ୍ରାରେ ସନ୍ତୁଳନ ଆଣିବାରେ ଚେଷ୍ଟା କରେ । ହେଲେ ବାୟୁମଣ୍ଡଳର ତାପମାତ୍ରା ଅଧିକ ହେତୁ ଧମନୀ ପ୍ରସାରିତ ହୋଇଯାଏ । ଫଳରେ ହୃତ୍ପିଣ୍ଡକୁ ରକ୍ତପ୍ରବାହ ଓ ଅମ୍ଳଜାନ ପ୍ରବାହ ବାଧା ପ୍ରାପ୍ତ ହୁଏ । ଏହାଦ୍ୱାରା ହୃଦ୍ଘାତର ଆଶଙ୍କା ବଢ଼ିଯାଏ ।
ହୃଦ୍ଘାତ କେବଳ ବୟସ୍କ ଲୋକଙ୍କୁ ହୁଏ ତାହାନୁହେଁ, ଆଜିକାଲି କମ୍ ବୟସ୍କଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଅନିୟମିତତା ଜୀବନଶୈଳୀ ପାଇଁ କମ୍ ବୟସ୍କ ପିଲା ଓ ବ୍ୟକ୍ତି ହୃଦ୍ଘାତର ଶିକାର ହେଉଛନ୍ତି । ଏକ ସର୍ଭେରୁ ଜଣାପଡ଼ିଥିଲା, ଭାରତରେ ୩୦ରୁ ୫୦ ବର୍ଷ ବୟସ୍କଙ୍କ ମଧ୍ୟରୁ ପ୍ରତି ମିନିଟରେ ଚାରି ଜଣ ମୃତୁ୍ୟମୁଖରେ ପଡ଼ୁଛନ୍ତି । ଭାରତରେ ପ୍ରାୟ ୨୫ ପ୍ରତିଶତ ଲୋକ ୪୦ ବର୍ଷରୁ କମ୍ ବୟସ୍କ ହୃତ୍ଘାତରେ ମୃତୁ୍ୟ ମୁଖରେ ପଡ଼ୁଥିବାବେଳେ ୩୦ ବର୍ଷ ବୟସ୍କ ଯୁବା ପ୍ରତିଦିନ ଜଣେ ମୃତୁ୍ୟମୁଖରେ ପଡ଼ୁଛନ୍ତି ।
ଖରା ଦିନେ ହୃଦ୍ଘାତରୁ ରକ୍ଷା ପାଇବା ପାଇଁ ଜୀବନଶୈଳୀକୁ ପରିବର୍ତ୍ତନ କରନ୍ତୁ । ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍କୁ ନିୟନ୍ତ୍ରଣରେ ରଖନ୍ତୁ । ଧୂମପାନ ଓ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ । ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ । ପ୍ରଦୂଷଣ ଠାରୁ ନିଜକୁ ରକ୍ଷା କରନ୍ତୁ, ନିୟମିତ ଭାବରେ ଡାକ୍ତରୀ ଚେକ୍ଅପ୍ରେ ରୁହନ୍ତୁ । ଭିଟାମିନ୍ ଡି ସପ୍ଲିମେଣ୍ଟ ଖାଆନ୍ତୁ । ପ୍ରଚୁରମାତ୍ରାରେ ଫଳ ଓ ସବୁଜ ପନିପରିବା ଖାଆନ୍ତୁ । ମେଦ ହ୍ରାସ କରି ହୃତ୍ପିଣ୍ଡ ପ୍ରତି ଟିକେ ସତର୍କ ରହିବା ଦରକାର । ଖରାଦିନେ ଶାରୀରିକ କାର୍ଯ୍ୟକ୍ଷମତା ଅନ୍ୟଦିନ ଅପେକ୍ଷା ନିଷ୍କ୍ରିୟ ହୋଇପଡ଼େ । ଏଣୁ ଏ ଦିନରେ ଶାରୀରିକ ପରିଶ୍ରମ ତଥା ବ୍ୟାୟାମ କମ କରିବା ଏକାନ୍ତ ଆବଶ୍ୟକ । ଶାରୀରିକ ନିଷ୍କ୍ରିୟତା ବୃଦ୍ଧି ଯୋଗୁଁ ହୃଦ୍ଘାତ ଆଶଙ୍କା ବଢ଼ିଯାଏ । ଏଣୁ ବ୍ୟାୟାମ କରିବା ଅବା ପ୍ରାତଃ ଭ୍ରମଣ କିମ୍ବା ସାଇକେଲିଂ କରିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ କାରଣ ଡେରି ହେଲେ ଖରାର ତାତି ବଢ଼ିଯାଇଥାଏ । ପ୍ରାତଃକାଳରେ ବ୍ୟାୟାମ ଦ୍ୱାରା ହୃତ୍ପିଣ୍ଡରୁ ରକ୍ତ ପ୍ରବାହ ବୃଦ୍ଧି ପାଇବା ହେତୁ ହୃତ୍ପିଣ୍ଡ ସୁସ୍ଥ ରହେ ।
ଖରାଦିନେ ଅତ୍ୟଧିକ ଗରମ ଲାଗୁଥିଲେ ଶରୀରକୁ ଥଣ୍ଡା ରଖିବା ପାଇଁ କଟନ ପୋଷାକ ପିନ୍ଧନ୍ତୁ । ବାହାରକୁ ବାହାରିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଏହି ପୋଷାକରେ ଘୋଡ଼ାଇ ଯାଆନ୍ତୁ । ଏହା ସହିତ ସୁଶୀତଳ ପାଣି, ପ୍ରାକୃତିକ ଉପାୟର ଥଣ୍ଡା ଖାଦ୍ୟ ବା ପାନୀୟ ବା ଖୁବ ହେଲେ ଅଦା ଚା' ଅତି ଉତ୍ତମ । ତେବେ ଶରୀରକୁ ଥଣ୍ଡା କରିବା ପାଇଁ ମଦ୍ୟପାନ ବା କୌଣସି ନିଶା ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ । ଖରାଦିନେ ପଇଡ଼ ପିଇବା ଖୁବ ଭଲ ଅଭ୍ୟାସ । ଆପଣଙ୍କର ସୁଗାର ସମସ୍ୟା ନଥିଲେ ଆଖୁରସ ଓ ଫଳରସ ମଧ୍ୟ ଶରୀର ପାଇଁ ସ୍ୱାସ୍ଥ୍ୟ ସହାୟକ କାର୍ଯ୍ୟ କରିଥାଏ ।
ଶୀତ ଅପେକ୍ଷା ଗ୍ରୀଷ୍ମଦିନେ ଭାରତୀୟଙ୍କ ସହିତ ପାଶ୍ଚାତ୍ୟ ଦେଶର ଲୋକମାନେ ମଧ୍ୟ ହୃଦ୍ଘାତରେ ଅଧିକ ଶିକାର ହୋଇଥାନ୍ତି । ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଶାରୀରିକ ପରିଶ୍ରମ ହ୍ରାସ, ବାୟୁ ପ୍ରଦୂଷଣ, ପାଶ୍ୱର୍ପ୍ରତିକ୍ରିୟା ଓ ଅସ୍ୱାଭାବିକ ଶୈଳୀରେ ଖାଦ୍ୟ ଗ୍ରହଣ ଓ ରକ୍ତଜମାଟ ହେବା, ଉଚ୍ଚ ରକ୍ତଚାପ, କୋଲେଷ୍ଟରଲ ସ୍ତର ଅଧିକ, ଡାଇବେଟିସ୍, କମ୍ ଶାରୀରିକ ପରିଶ୍ରମ, ମେଦବହୁଳତା, ଚିନ୍ତା ଓ ବଂଶଗତ ଅନୁକ୍ରମିତା ଆଦି ହୃଦ୍ଘାତର ମୁଖ୍ୟ କାରଣ ।
ହୃଦ୍ଘାତ ହେବାର ମୁଖ୍ୟ ଲକ୍ଷଣ ହେଉଛି ଛାତି ଯନ୍ତ୍ରଣା ହେବା ଓ ଛାତି ଭାରି ଲାଗିବା, କେତେକ ସମୟରେ ଗୋଟିଏ କିମ୍ବା ଦୁଇଟି ବାହୁରେ ଯନ୍ତ୍ରଣା ହେବା, ପାଟି ହାଡ଼ରେ ଯନ୍ତ୍ରଣା ହେବା, ପିଠି, ପେଟ କିମ୍ବା ବେକରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ଦେଖାଯାଏ । ବିଶେଷ କରି ଡାଇବେଟିସ୍ ରୋଗୀ, ବୟସ୍କ ବ୍ୟକ୍ତିଙ୍କ ଠାରେ ହୃଦ୍ଘାତର ଆଶଙ୍କା ଅଧିକ ଥାଏ । ହୃଦ୍ଘାତ ଅଧିକ ଆଶଙ୍କା ଥିବା ବ୍ୟକ୍ତିଠାରେ ହଠାତ୍ କିଛି ଲକ୍ଷଣ ଦେଖାଯାଏ, ଯେପରି ଲମ୍ବା ନିଶ୍ୱାସ ନେଇପାରନ୍ତି ନାହିଁ, ବାନ୍ତି ବାନ୍ତି ଲାଗିବା, ବାନ୍ତି ହୋଇଯିବା ଓ କିଛି କିଛି ସମୟରେ ଝାଳ ବାହାରିବା ଆଦି ଲକ୍ଷଣ ଦେଖାଯାଏ । ସମୟ ସମୟରେ ପାଟି ଶୁଖିଯିବା, ପରିସ୍ରା ଗାଢ଼ ରଙ୍ଗର ହେବା, ମାଂସପେଶୀ ଯନ୍ତ୍ରଣା ହେବା, ତ୍ୱଚା ଶୁଖିଯିବା, ହୃଦ୍ସ୍ପନ୍ଦନ ବଢ଼ିଯିବା, ମୁଣ୍ଡବୁଲାଇବା ଆଦି ସମସ୍ୟା ମଧ୍ୟ ଦେଖାଯାଏ ।
ହୃଦ୍ସ୍ପନ୍ଦନ ହିଁ ଆମ ଜୀବନ ଆଉ ସମ୍ପର୍କର ପ୍ରମାଣ । ତେଣୁ ହୃଦୟକୁ ସୁସ୍ଥ ରଖିବାକୁ ହେବ । ଜଣଙ୍କ ବୟସ ୩୦ରୁ ୫୦ ବର୍ଷ ଭିତରେ ଥିବା ସମୟରେ ନିଜ ଓଜନ ଉପରେ ନିୟନ୍ତ୍ରଣ ରଖିବା ଖୁବ୍ ଜରୁରି । କାରଣ ଏ ସମୟରେ ଓଜନ ବଢ଼ିବାର ଆଶଙ୍କା ଅଧିକ । ଓଜନ ବୃଦ୍ଧି ହୃଦ୍ରୋଗ ସହ ବହୁ ରୋଗକୁ ଜନ୍ମ ଦେଇପାରେ । ତେଣୁ କୋଲେଷ୍ଟେରୋଲ୍ ଯୁକ୍ତ ଖାଦ୍ୟ କମ ଖାଇବା ସହିତ ସହ ଆଳୁ, ଭାତ ଆଦି ମଧ୍ୟ କମ୍ ଖାଇବା ଆବଶ୍ୟକ । ଫଳ, ଗଜାମୁଗ, ବୁଟ ଓ ଦଲିଆ ଆଦି ଲୋକ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ସୁସ୍ଥ ହୃଦୟ ପାଇଁ ଖୁବ୍ ଉପଯୋଗୀ । ଏହି ବୟସରେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ହେଲେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣ କରାଇନେବା ଆବଶ୍ୟକ । ଏ ବୟସ ପାଇଁ କଠୋର ବ୍ୟାୟାମ ସ୍ୱାସ୍ଥ୍ୟ ଅପେକ୍ଷା ହାଲ୍କା ବ୍ୟାୟାମ ଆବଶ୍ୟକ । ତେବେ ଦ୍ରୁତ ପ୍ରାତଃଭ୍ରମଣ ଖୁବ ଉପଯୋଗୀ । ୱାକିଂ ସ୍ପିଡ୍ ଠିକ୍ ଅଛି ନା ନାହିଁ ତାହା ନିଜେ ଜାଣିପାରିବେ । ଉଦାହରଣ ସ୍ୱରୂପ ଚାଲିବା ବେଳେ ଯଦି କୌଣସି ବାକ୍ୟକୁ ଆରାମରେ କହିପାରୁଛନ୍ତି, ତାହେଲେ ଜାଣନ୍ତୁ ଗତି ଧିମା ଅଛି । ଅଧା ବାକ୍ୟ ଠିକ୍ରେ କହିପାରୁ ନଥିଲେ ଜାଣନ୍ତୁ ଅଧିକ ଅଛି । ଯଦି ବାକ୍ୟଟି କଷ୍ଟରେ କହିପାରୁଛନ୍ତି ତାହେଲେ ବୁଝି ନିଅନ୍ତୁ ଗତି ଠିକ୍ ଅଛି । ବୟସ ୫୧ ଛୁଇଁଲେ ଖାଦ୍ୟ ପାନୀୟରେ ଆଧିକ୍ୟରୁ ଦୂରେଇ ରହିବା ଉଚିତ । ଖାଦ୍ୟପାନୀୟ ବା ମଦ୍ୟର ଅଧିକ ମାତ୍ରା ଏ ବୟସରେ ଚିନ୍ତାଜନକ । ଏ ବୟସରେ ପାଦ ଦେବା ପରେ ଗରିଷ୍ଠ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଖାଦ୍ୟରେ ସାଲାଡ଼, ସବୁଜ ପନିପରିବା ଓ ଫଳକୁ ପ୍ରାଧାନ୍ୟ ଦିଅନ୍ତୁ । ଅଳ୍ପ ଅଳ୍ପ କରି ଦିନରେ ୬ଥର ଖାଇବା ଦରକାର । ୫୧ ବର୍ଷରୁ ଅଧିକ ବୟସର ଲୋକମାନେ କଠୋର ବ୍ୟାୟାମ ଓ ଅଧିକ ଶାରୀରିକ ପରିଶ୍ରମ କରିବା ଉଚିତ ନୁହେଁ । ଦିନରେ ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲନ୍ତୁ । ଏ ବୟସରେ ଅବସାଦ ସମସ୍ୟା ଅଧିକ ଥାଏ, ଯାହା ହୃଦ୍ ସମସ୍ୟାକୁ ଡାକି ଆଣିପାରେ । ଏ ସ୍ଥିତିରେ ମନସ୍ତତ୍ତ୍ୱ ବିଶେଷଜ୍ଞମାନଙ୍କ ପରାମର୍ଶ ନେବା ଆବଶ୍ୟକ । ଏ ବୟସରେ ଜୀବନର ସଫଳତା ଓ ବିଫଳତାକୁ ନେଇ ମସ୍ତିଷ୍କରେ ଅଙ୍କକଷା ଚାଲିଥାଏ । ଏଥିରୁ ନିଜକୁ ମୁକୁଳେଇବା ପାଇଁ ଧ୍ୟାନ କରନ୍ତୁ । ନିୟମିତ ରକ୍ତ, ଇସିଜି, ଟିଏମ୍ଟି, ଶର୍କରା ଆଦି ପରୀକ୍ଷଣ କରାଇନିଅନ୍ତୁ ।
ପ୍ରତିମାସରେ ଥରେ ଉପବାସ ରହିବା ଖୁବ୍ ଭଲ । ନିଜକୁ ଚାପମୁକ୍ତ କରି ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିଲେ ଏହା ହୃଦ୍ରୋଗର ଆଶଙ୍କା ରଖନ୍ତା ନାହିଁ । ପ୍ରତିଦିନ କିଛି ସମୟ ବ୍ୟାୟାମ ଓ ମେଦବହୁଳତା ଠାରୁ ଦୂରେଇ ରୁହନ୍ତୁ । ରକ୍ତରେ କୋଲେଷ୍ଟେରୋଲ ପରିମାଣ ବଢ଼ିଗଲେ ହୃଦ୍ରୋଗ ହେବାର ଆଶଙ୍କା ରହିଥାଏ ଏଣୁ ରକ୍ତଚାପ ଓ କୋଲେଷ୍ଟେରୋଲ ନିୟମିତ ବ୍ୟବଧାନରେ ପରୀକ୍ଷା କରନ୍ତୁ । ସୁଷମ ଖାଦ୍ୟ, ସବୁଜ ପନିପରିବା, ଫଳ ବହୁତ ଭଲ । ଅଧିକ ତେଲ ମସଲା, ରାଗ, ଘିଅ, ଲହୁଣୀ, ମାଂସ ଠାରୁ ଦୂରେଇ ରୁହନ୍ତୁ । ନିଜ ଖାଦ୍ୟରେ ଯେପରି କମ୍ ଲୁଣ ବ୍ୟବହାର ହୋଇଥାଏ ସେ ଦିଗକୁ ନଜର ରଖନ୍ତୁ କାରଣ ଲୁଣ ହିଁ ହୃଦ୍ଘାତ ଓ ଷ୍ଟ୍ରୋକର ମୁଖ୍ୟ କାରଣ । ବିଶ୍ୱସ୍ତରରେ ଘଟୁଥିବା ଅକାଳ ମୃତୁ୍ୟର ମୁଖ୍ୟ କାରଣ ହେଉଛି ହୃଦ୍ଘାତ ଓ ହୃଦ୍ରୋଗ । ବ୍ୟବସ୍ଥିତ ଜୀବନ ଶୈଳୀ ନିଶ୍ଚିନ୍ତ ଭାବରେ ଆପଣ ମାନଙ୍କୁ ହୃଦ୍ରୋଗକୁ ରକ୍ଷା କରିବ ଏ ବିଶ୍ୱାସ ରଖନ୍ତୁ ।
ମୋ : ୯୪୩୭୨୭୭୮୬୪