ଅଜଣା ଜଗତର ଡାକ (୨୬)


ସେଦିନ ବ୍ୟାଙ୍କ ମ୍ୟାନେଜର ଭଟ୍ଟବାବୁ ଅସୀମଙ୍କ ସହ କ୍ୟାମ୍ପବେଲ ବେର ଘଞ୍ଚ ଜଙ୍ଗଲରେ ବୁଲିବାକୁ ଲାଗିଲେ । ସେ ଏକ ପତଳା ଲୋକ, ଯଥେଷ୍ଟ ବୁଦ୍ଧିମାନ କିନ୍ତୁ ଟଙ୍କା ପଇସା କାରବାରରୁ ବେଳେବେଳେ ବାହାରି ଆସିବାକୁ ଚାହାନ୍ତି । ଆଉ ତାଙ୍କ କଥାରେ ନୂଆ ଜିନିଷମାନ ଭରିଥାଏ । ଅସୀମ ମଧ୍ୟ ନୂଆ ଜିନିଷ ଖୋଜି ଖୁସି ହୋଇଯାଆନ୍ତି । ଇଷ୍ଟ ୱେଷ୍ଟ ରୋଡର ଶୋମ୍ପନ ହଟ୍ ପର୍ଯ୍ୟନ୍ତ ଗାଡି ଚାଲିଲା । ଏ ରାସ୍ତା ଗ୍ରେଟ ନିକୋବର ଦ୍ୱୀପକୁ ମଝିରୁ କାଟି ଦେଇଛି ଆଉ ସମୁଦ୍ରକୂଳ ବହୁ ଦୂରରେ ଅଛି । ଜଙ୍ଗଲ ଗଭୀର ହୋଇଯାଉଥିଲା ଆଉ ଗଛ ଲତା ସବୁ ଅଚିହ୍ନା ହୋଇଯାଉଥିଲା । ଅଚିହ୍ନା ହେଲେ କ’ଣ ହେଲା ଗଛ ଲତାଙ୍କର ବୃଦ୍ଧି ଆଉ ବିଭିନ୍ନତାରେ ଅସୀମ ତଥା ଭଟ୍ଟବାବୁ ଖୁସି ହୋଇଯାଉଥିଲେ ।  ରାସ୍ତା ଧାରରେ ଟିକେ ଖାଲି ଜାଗା ଆଉ ଆକାଶକୁ ମୁଣ୍ଡ ଟେକିଥିଲା ଏକ ଲମ୍ବା ଗଛ, ପଛରେ ଲାଗିକରି କେଉଁ ଗଛ ନଥିବାରୁ ଆକାର ଭଲକରି ଜଣାଯାଉଥିଲା । ମୁଖ୍ୟ ଗଣ୍ଡିଟି କିଛି ବାଟ ସିଧା ଚାଲିଯାଇଛି ଆଉ ଅନ୍ୟ ଛୋଟ ଗଛମାନଙ୍କ ଉପରେ ଚାରିଆଡକୁ ଡାଳ ମେଲିଯାଇଛି ଆଉ ଧିରେ ଡାଳ ଉପର ଆଡକୁ ସରୁଆ ହୋଇଯାଇ ଠିକ ସବା ଉପର ମଝିରେ ସାମାନ୍ୟ ଗୋଜିଆ ହୋଇଯାଇଛି ।
“ମନ୍ଦିରର ମୁଖଶାଳା ।”
ଅସୀମ ଆଶ୍ଚର୍ଯ୍ୟ ହୋଇଗଲେ ଭଟ୍ଟବାବୁଙ୍କ କଥାରେ । ଗଛ ତାଙ୍କୁ ମନ୍ଦିର ଭଳି କ’ଣ ଦେଖାଗଲାଣି । କର୍ଣ୍ଣାଟକର ସମୁଦ୍ରକୂଳରୁ ଆସିଛନ୍ତି । ବହୁତ ପୂଜା ପର୍ବ କରନ୍ତି । ଅତି ଧାର୍ମିକ ବ୍ୟକ୍ତି । ତେଣୁ ତାଙ୍କୁ ଗଛ ମଧ୍ୟ ମନ୍ଦିର ଲାଗୁଥିବ । 
“ଆକାର ଭଲ କରି ଦେଖୁନାହାନ୍ତି, ମନ୍ଦିର କ’ଣ ସେମିତି ଦେଖାଯାଉନି କି?”
ଅସୀମ ଏକ ମନ୍ଦିରର ଆକୃତିକୁ ମନେ ପକାଇଲେ । ବେସ ବା ମୂଳରୁ ସିଧା ହୋଇ ଏକ ଗୋଲ ଆକୃତି ବା ସିଲିଣ୍ଡର ବେଶ କିଛି ବାଟ ଚାଲିଯାଏ । ତା’ପରେ ମନ୍ଦିର ଗୋଜିଆ ହୋଇଆସି ଏକ ଦଧିନଉତି ପାଖରେ ସରିଯାଏ ଆଉ ସେଇଠି ଶେଷରେ ଗୋଜ ହୋଇ ନିଜର ଆକାରର ପୂର୍ଣ୍ଣଚ୍ଛେଦ ପକାଏ । ସେମିତି ଭାବରେ ଦେଖିବାକୁ ଗଲେ ଏହି ଗଛର ଆକୃତି ତ ଏକ ମନ୍ଦିର ଦେଖାଯାଉଛି । କ୍ୟାମ୍ପବେଲ ବେରେ ଗଛର ଏମିତି ଆକୃତି ଖୋଜିଦେଇଥିବାରୁ ଅସୀମ ଖୁସି ହୋଇଗଲେ । କ୍ୟାମ୍ପବେଲରେ ଲୋକେ ରୁଦ୍ରାକ୍ଷ ଗଛ ଲଗାଇଛନ୍ତି । ରୁଦ୍ରାକ୍ଷ ତ ପୂଜା ପର୍ବ, ଧର୍ମ କର୍ମରେ ଲାଗେ । ସେମାନଙ୍କ ମଗର ନାଳା କ୍ୟାମ୍ପରେ ଏକ ବଡ ରୁଦ୍ରାକ୍ଷ ଗଛ ଅଛି । ସେଥିରୁ ବହୁତ ରୁଦ୍ରାକ୍ଷ ମିଳେ । ଅସୀମ ରୁଦ୍ରାକ୍ଷ ଗଛର ଆକୃତି କଥା ମନେ ପକାଇଲେ ।  ସେମାନଙ୍କୁ ଭୂମିରେ ଉଠିଥିବା ଛୋଟ ଛୋଟ ଫର୍ଣ୍ଣଗଛ ଦେଖିବାକୁ ଭଲ ଲାଗୁଥିଲା । କିଛି ଲୋକେ ଏକ ପ୍ରକାରର ଫର୍ଣ୍ଣ ପତ୍ରକୁ ଶାଗ ଭାବରେ ବ୍ୟବହାର କରନ୍ତି । ଅସୀମ ମଧ୍ୟ ଖାଇଛନ୍ତି । ଭଲ ଲାଗେ । ଫର୍ଣ୍ଣ ପତ୍ର ଖୋଲିଯିବା ଆଗରୁ ଗଛରୁ ବାହାରିଥିବା ଶେଷ ଶାଖାରେ ପତ୍ର ତେଲୁଣିପୋକ ପରି ଗୋଲ ହୋଇଯାଇଥାଏ, ଯେମିତି ଏକ ସବୁଜ ତେଲୁଣି ପୋକ ଏକ ଡାଙ୍ଗର ଶେଷ ଆଡକୁ ଗୋଲ ହୋଇ ଝୁଲୁଛି । ତା’ପରେ ମଣିଷ ଗଲା ପରେ ଧିରେ ପତ୍ରମାନ ତେଲୁଣି ପୋକ ଖୋଲିଲାପରି ଖୋଲିଯାଉଛି । ସରୁଆ ବାଉଁଶର କଣିମାନ କେଉଁ ଗଳାବାଟ ବାଟ ଖୋଜି ଆକାଶକୁ ଲମ୍ବିଯାଇଥିଲା । ପରେ ସେଥିରୁ ଧିରେ ପତ୍ର ବାହାରିବ । ସେହି ବାଉଁଶର ଏକୁଟିଆ କଣିକୁ ଏକ ବୁଢିଆଣୀ ନିଜ ବସାର ବେସ ବନାଇଦେଇଥିଲା ଆଉ ପାଖ ଫର୍ଣ୍ଣଗଛର ଖୋଲା ପତ୍ରକୁ ନେଇ ଶୂନ୍ୟରେ ନିଜର ଏକ ବଡ ଜାଲ ତିଆରି କରି ଶିକାରର ପ୍ରତୀକ୍ଷାରେ ଥିଲା । ବୁଢିଆଣୀର ଥିଲା ଚାରି ଚାରି କରି ଆଠଟା ଲମ୍ବା ଗୋଡ । ଆଗ ଲମ୍ବା ଗୋଡରେ ବୁଢିଆଣୀ ଶିକାରକୁ ଧରି ଡଙ୍କ ମାରିଥାଏ ।  କିଛି ଗଛରେ ଧଳା ଫୁଲମାନ ପେନ୍ଥାହୋଇ ଫୁଟିଥିଲା । ସେଥିରୁ ବାହାରି ଆସିଥିଲା ଛୋଟ କେଶରମାନ । ବୋଧହୁଏ କ୍ଲୋରୋଡେନଡ୍ରନ ପ୍ରଜାତିର ଧଳା ଫୁଲ ଥିବା ଝାଡିଗଛ । ଏହାର ଲାଲ ଫୁଲ ମଧ୍ୟ ଅଛି । କିଏ ଯେମିତି ଗୋଚ୍ଛାକରି ବଡ ଆକାରର ଧଳା ଗଙ୍ଗଶିଉଳୀ ଫୁଲଗୁଡିକୁ ଏକାଯାଗାରେ ସଜାଇ ଦେଇଛି । ଧଳା କେଶରମାନ ସିାଧାହୋଇ ମୁକୁଟ ଭଳି ମୁଣ୍ଡ ଟେକିଛି । ସେମାନେ ଅନେକ ପ୍ରକାରର ଫୁଲ ପାଇଲେ । ମୁଖ୍ୟତଃ ଫୁଲର ରଙ୍ଗ ଧଳା ଥିଲା । ଅନେକ ପ୍ରଜାପତି ମଧ୍ୟ ଫୁଲରେ ଆସି ବସିପଡୁଥିଲେ । ଜଙ୍ଗଲରୁ କ୍ରମାଗତ ଭାବେ ଝିଙ୍କାରୀର ଝିଁ ଝିଁ ଶବ୍ଦ ଆସୁଥିଲା । ମଝିରେ ମଝିରେ ପକ୍ଷୀମାନେ କେଉଁ ଉହାଡରୁ ଡାକ ଦେଉଥିଲେ । ଭଟ୍ଟବାବୁ ଆଉ ଅସୀମ ନୁଆ ପ୍ରକାରର ରୂପ ଆଉ ରଙ୍ଗ ଜଙ୍ଗଲରୁ ଖୋଜିଚାଲିଥିଲେ । 
ସେମାନଙ୍କୁ ବାଉଁଶ ଦେଖିବାକୁ ଭଲ ଲାଗୁଥିଲା । ବାଉଁଶର ପବ ସବୁ ପ୍ରଥମରୁ ନରମ ଆଉ ଲମ୍ବା ଥାଏ । ସେଥିରେ ବାଉଁଶ କରଡି ଘୋଡେଇ ହୋଇଥାଏ, ସତେ ୍େୟମିିତି ଏକ ଲଜେନସକୁ କିଏ ଜରିରେ ପ୍ୟାକ କରିଛି ଆଉ ତା’କୁ ପରେ ଧିରେ ଅନପ୍ୟାକ କରିବ ବା ଖୋଲିଦେବ । ପ୍ୟାକିଙ୍ଗରେ ସୁବିଧାହେବ ବୋଲି ଜରିରେ ବାଉଁଶକୁ ଠାଏ ଠାଏ କରଡିରେ ଗୁଡାଇ ଦିଅଯାଇଛି । ମଣିଷ କିଛି ଭାବିବା ଆଗରୁ ପ୍ରକୃତିରେ ତାହାହେଲେ ପ୍ୟାକିଙ୍ଗ ସିଷ୍ଟମ ଅଛି ।  ଜଙ୍ଗଲ ଭିତରୁ ଏକ ପାଦ ଚଲା ରାସ୍ତା ଦେଖାଗଲା । ସ୍ଥାନଟା ଶୋମ୍ପେନହଟ ପାଖାପାଖି । ଭଟ୍ଟବାବୁ ଦୁଇଜଣ ଶୋମ୍ପେନଙ୍କୁ ପ୍ରଥମେ ଦେଖିନେଲେ । ସେ କିଛି ନୂଆ ଜିନିଷ ଆବିଷ୍କାର କଲା ଭଳି ଚପା କଣ୍ଠରେ ପାଟି କରି ଉଠିଲେ-”ଶୋମ୍ପନ, ଶୋମ୍ପେନ ।” 
ଅସୀମ ବି ଚମକି ପଡିଲେ । ଏକଦମ ଜଙ୍ଗଲ ଭିତରେ ସେ ଶୋମ୍ପେନ ଦେଖିବେ । ହୃଦୟର ଗତି ବଢିଯିବା କଥା । ପୁରା ଜଙ୍ଗଲୀ ଲୋକ ହୋଇଥିବେ ଏହି ଶୋମ୍ପେନମାନେ । ଯଦି ସେମାନେ ବିଶ୍ୱାସର ବୃକ୍ଷ ତଳେ ନଠିଆହୋଇଥରବେ ତେବେ? ସେମାନେ କ’ଣ ତାଙ୍କର ପୁରୁଣା ଚିତ୍ରର ଜଙ୍ଗଲୀ ଲୋକ ଭଳି ଦେଖାଯାଉଥିବେ । ସମୁଦ୍ରକୂଳିଆ ଶୋମ୍ପେନମାନେ କିଛି ଜଙ୍ଗଲୀ ଲୋକଙ୍କ ସହ ମିଳୁଛନ୍ତି, କିନ୍ତୁ ପୁରା ମିଳୁନାହାନ୍ତି । ରଙ୍ଗ କଥା ଆସୁନି, ସେହି ଝାମ୍ପୁରା ବାଳ, ବଲ୍ଲମ ଧରି ଶିକାର ପଛରେ ଗୋଡାଇବାର ଚିତ୍ର, ପୁରା କେମିତି ମିଳୁନଥିଲା । 
ଏଣେ ସମସ୍ତଙ୍କ ମୁହଁ ସେ ଚଲା ରାସ୍ତା ଆଡକୁ ବୁଲିଗଲା ଆଉ ଗାଡିର ଗତି ଧିର ହୋଇଗଲା । ଆଉ ଭଟ୍ଟବାବୁ ଗାଡି ଅଟକିବା ମାତ୍ରେ ଶୋମ୍ପେନମାନଙ୍କ ଆଡକୁ ଚାଲିଗଲେ । କ୍ୟାମ୍ପବେଲ ବେରେ ଶୋମ୍ପେନମାନେ ଆକ୍ରାମକ ନୁହଁନ୍ତି । କେହି କୁଆଡେ ଲେଖିନାହାନ୍ତି । ତଥାପି, ତଥାପି? ତେଣୁ ଡରିବାର କିଛି କାରଣ ନାହିଁ । ଅସୀମ ନିଜ ଭିତରର ନିଃଶ୍ୱାସକୁ ଟିକିଏ ରୋକି ନେଇଥିଲେ । ସମସ୍ତେ ଅବଶ୍ୟ ଅସୀମଙ୍କ ଭଳି ଜଙ୍ଗଲୀ ଲୋକର କଳ୍ପନା କରୁନଥିବେ । ସେମାନେ ଶବ୍ଦ ଶୁଣି ମଣିଷ ଗଢୁଥିବେ । ଅସୀମ କିନ୍ତୁ ଚିତ୍ର, ବିଚାର, ବୁଦ୍ଧି ନେଇ ଏକ ଜଙ୍ଗଲୀ ମଣିଷ ଗଢୁଛନ୍ତି । ଚାରିଆଡେ ଘଞ୍ଚ ଜଙ୍ଗଲ, ଗଛ ଲତା ରାସ୍ତା ଉପରକୁ ମାଡି ଆସି ଚଲା ବାଟ ପ୍ରାୟ ଲୁଚାଇ ଦେଇଛି । 
ସେପଟୁ ଦୁଇଜଣ ଶୋମ୍ପେନ ଚାଲିଚାଲି ଆସୁଥିଲେ । ଜଣେ ସାମାନ୍ୟ ଲମ୍ବା ଆଉ ଜଣେ କିଶୋର ବୟସର । ଅସୀମ ଆଉ ତାଙ୍କ ଦଳ ପ୍ରଥମଥର ପାଇଁ ଘୋର ଜଙ୍ଗଲ ଭିତରେ ଶୋମ୍ପେନ ଦେଖିଲେ । ସେମାନଙ୍କ ଅଣ୍ଟାରେ କପଡାର ଲେଙ୍ଗୁଟି ଥିଲା ଆଉ ଦେହ ଖୋଲା ଥିଲା । ସେମାନେ ହାତରେ ବେଶ ଲମ୍ବା, ପ୍ରାୟ ମଣିଷ ଶରୀରର ଦେଢର ଦୁଇଗୁଣ ଲମ୍ବା ହେବା ଭଳି ସରୁଆ କାଠର ବର୍ଚ୍ଛା ଧରିଥିଲେ । (କ୍ରମଶଃ)
                                                        ଭୁବନେଶ୍ୱର