ଷ୍ଟିଲ୍ ଆମଦାନୀରେ ସେଫଗାର୍ଡ ଡୁ୍ୟଟି ଏକ ଐତିହାସିକ ପଦକ୍ଷେପ
ନୂଆଦିଲ୍ଲୀ/ଭୁବନେଶ୍ୱର : ଘରୋଇ ଇସ୍ପାତ ଶିଳ୍ପକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଫ୍ଲାଟ ଇସ୍ପାତ ଉତ୍ପାଦ ଆମଦାନୀ ଉପରେ ୧୨% ସେଫଗାର୍ଡ ଡୁ୍ୟଟି (ସୁରକ୍ଷା ଶୁଳ୍କ) ଲାଗୁ କରିଛନ୍ତି, ଯାହା ଏପ୍ରିଲ ୨୧ରୁ ଆଗାମୀ ୨୦୦ ଦିନ ପାଇଁ କାର୍ଯ୍ୟକାରୀ ହେବ । ଏହି ପଦକ୍ଷେପ ଚୀନ୍, ଦକ୍ଷିଣ କୋରିଆ ଏବଂ ଜାପାନରୁ ଶସ୍ତା ଇସ୍ପାତ ଆମଦାନୀକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଦିଷ୍ଟ, ଯାହା ଦ୍ୱାରା ଘରୋଇ ଇସ୍ପାତ ନିର୍ମାତାମାନଙ୍କୁ ଆଶ୍ୱସ୍ତି ମିଳିବ । ଡାଇରେକ୍ଟର ଜେନେରାଲ ଅଫ୍ ଟ୍ରେଡ୍ ରେମେଡିଜ୍ ଦ୍ୱାରା କରାଯାଇଥିବା ଏକ ତଦନ୍ତରୁ ଜଣାପଡିଛି ଯେ ଉପରୋକ୍ତ ଦେଶଗୁଡ଼ିକରୁ ଇସ୍ପାତ ଆମଦାନୀ ଯୋଗୁଁ ଘରୋଇ ଶିଳ୍ପର "ଗମ୍ଭୀର କ୍ଷତି" ହେଉଛି । ଏହା ଉଲ୍ଲେଖନୀୟ ଯେ, ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅଶୋଧିତ ଇସ୍ପାତ ଉତ୍ପାଦନକାରୀ ଦେଶ ଭାରତ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଫିନିଶ୍ଡ୍ ଇସ୍ପାତର ନିଟ୍ ଆମଦାନୀକାରୀ ପାଲଟିଛି ଏବଂ ୨୦୨୪-୨୫ ମସିହାରେ ଏହି ଆମଦାନୀ ନଅ ବର୍ଷର ସର୍ବୋଚ୍ଚସ୍ତର ୯.୫ ନିୟୁତ ମେଟ୍ରିକ୍ ଟନ୍ ରେ ପହଞ୍ଚିଛି ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ଇସ୍ପାତ ସଂଘ (ଆଇଏସଏ) ଏବଂ ଦେଶର ପ୍ରମୁଖ ଶିଳ୍ପପତିମାନେ ସ୍ୱାଗତ କରିଛନ୍ତି । ଭାରତୀୟ ଇସ୍ପାତ ସଂଘର ସଭାପତି ଏବଂ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ଏହାକୁ ଆତ୍ମନିର୍ଭର ଭାରତ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି । "ଫ୍ଲାଟ୍ ଇସ୍ପାତ ଉତ୍ପାଦ ଉପରେ ୧୨% ସେଫଗାର୍ଡ ଡୁ୍ୟଟି ଲାଗୁ କରିବା ପାଇଁ ସରକାରଙ୍କ ନିର୍ଣ୍ଣାୟକ ନିଷ୍ପତି ପାଇଁ ଆମେ କୃତଜ୍ଞ, ଯାହା ଅତ୍ୟଧିକ ମୂଲ୍ୟରେ ଆସୁଥିବା ଆମଦାନୀକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ । ସରକାରଙ୍କ ଏହି ସହଯୋଗ ନିବେଶକମାନଙ୍କୁ ୨୦୩୦ ସୁଦ୍ଧା ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ଲକ୍ଷ୍ୟ ହାସଲ ପାଇଁ ନୂତନ ଉସôାହ ସହିତ କାମ କରିବାକୁ ପ୍ରେରଣା ଦେବା ସହ ଏକ ଆତ୍ମନିର୍ଭର ଭାରତ ତଥା ବିକଶିତ ଭାରତ ନିର୍ମାଣ ଦିଗରେ ଅଗ୍ରସର କରିବ । ଭାରତର ଜାତୀୟ ଇସ୍ପାତ ନୀତି-୨୦୧୭ ରେ ଦେଶର ଇସ୍ପାତ ଉତ୍ପାଦନ କ୍ଷମତାକୁ ୨୦୩୦ ସୁଦ୍ଧା ୩୦୦ ନିୟୁତ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ସରକାରଙ୍କ ଏହି ପଦକ୍ଷେପ ଭାରତକୁ ବିଦେଶୀ ଇସ୍ପାତ ଆମଦାନୀକୁ ନିୟନ୍ତ୍ରଣ କରିବା ସହିତ ଘରୋଇ ଉତ୍ପାଦନ କ୍ଷେତ୍ରକୁ ସୁରକ୍ଷା ଦେବା ପାଇଁ ଚାହୁଁଥିବା ଅନ୍ୟ ଦେଶମାନଙ୍କ ସହିତ ସମନ୍ୱିତ କରୁଛି ।