ବଢ଼ିବ ଏଟିଏମ୍ ଫି

ବଢ଼ିବ ଏଟିଏମ୍ ଫି


ବର୍ତ୍ତମାନ ଦେଶରେ ବ୍ୟାଙ୍କ୍ ବ୍ୟବସ୍ଥା ଏଭଳି ଏକ ପରିସ୍ଥିତିରେ ଆସି ପହଞ୍ଚିଗଲାଣି ଯେ ବ୍ୟାଙ୍କ୍ରେ ଟଙ୍କା ରଖିଲେ, କାଢ଼ିଲେ, ଟଙ୍କା କମ୍ ଥିଲେ, ଏଟିଏମ୍ ବ୍ୟବହାର କରି ଟଙ୍କା କାଢ଼ିଲେ ଇତ୍ୟାଦି ବିଭିନ୍ନ ପ୍ରକାରର ଆବଶ୍ୟକୀୟ ସେବା କ୍ଷେତ୍ରରେ ବ୍ୟାଙ୍କ୍ ଗୁଡ଼ିକ ଗ୍ରାହକଙ୍କ ଠାରୁ ଅର୍ଥ କାଟି ରଖୁଛନ୍ତି । ମୋବାଇଲ୍କୁ ମେସେଜ୍ ଆସିବା ପାଇଁ ପାଖାପାଖି ୬୦୦ ଟଙ୍କା ବର୍ଷକୁ କଟାଯାଉଛି । ଆସନ୍ତା ମେ ପହିଲା ଠାରୁ ଏଟିଏମ୍ର ବିଭିନ୍ନ ସେବା ପାଇଁ ବ୍ୟାଙ୍କ୍ ମାନେ ଫି କାଟିବେ । ବର୍ତ୍ତମାନ ଏଟିଏମ୍ ବ୍ୟବହାର କ୍ଷେତ୍ରରେ ମାସିକ ବ୍ୟବହାର ସଂଖ୍ୟାକୁ କମାଇଦିଆଯିବ । ପ୍ରତି ଆର୍ଥôକ କାରବାର ପାଇଁ ଏଟିଏମ୍ଧାରୀମାନଙ୍କୁ ପ୍ରତି ଥର ୨ ଟଙ୍କା ଏବଂ ଆକାଉଣ୍ଟ୍ ସମ୍ପର୍କରେ ଜାଣିବା ଭଳି ଅଣଆର୍ଥôକ କାରବାର ପାଇଁ ୧ ଟଙ୍କା ଦେବାକୁ ପଡ଼ିବ । ଟଙ୍କା ଉଠାଇଲେ ୟୁଜର୍ ଫି ଦେବାକୁ ପଡ଼ିବ । ଦେଶର କୋଟି କୋଟି ଏଟିଏମ୍ଧାରୀ ଏହି ବର୍ଦ୍ଧିତ ଫି ଦେବାକୁ ବାଧ୍ୟ ହେବେ । ଏ ପର୍ଯ୍ୟନ୍ତ ବ୍ୟାଙ୍କ୍ ଗୁଡ଼ିକ ମେ ପହିଲା ଠାରୁ ଏଟିଏମ୍ ଫି ଲାଗୁ ହେବ କି ନାହିଁ ସେ ସମ୍ପର୍କିତ ନିଷ୍ପତ୍ତି ନେଇନାହାନ୍ତି । ହେଲେ ଏ ସମ୍ପର୍କିତ ଏକ ଆବେଦନକୁ ରିଜର୍ଭ ବ୍ୟାଙ୍କ୍ ଅନୁମୋଦନ କରିସାରିଛି । ଗୋଟିଏ ବ୍ୟାଙ୍କ୍ର ଏଟିଏମ୍ରୁ ଅନ୍ୟ ବ୍ୟାଙ୍କ୍ରୁ ଅର୍ଥ ବାହାର କରିଲେ ଏହାକୁ ଏଟିଏମ୍ ଇଣ୍ଟରଚେଞ୍ଜ୍ କୁହାଯାଏ । ବର୍ତ୍ତମାନ ଏହି ଇଣ୍ଟରଚେଞ୍ଜ୍ ଉପରେ ଅଧିକ ଫି କଟାଯିବ । ପୂର୍ବରୁ ଏଥିପାଇଁ ୧ ଟଙ୍କା ଦେବାକୁ ପଡୁଥିଲା । ଏଣିକି ଏଟିଏମ୍ ଇଣ୍ଟରଚେଞ୍ଜ୍ ଫି ପ୍ରତି ଉଠାଣ ପିଛା ୧୯ ଟଙ୍କା ଲାଗୁ ନେଇ ପ୍ରସ୍ତାବ ରହିଛି । ମେଟ୍ରୋ ସହର ଗୁଡ଼ିକରେ ଏଟିଏମ୍ କାର୍ଡ୍ ମାଧ୍ୟମରେ ୫ ଥର କାରବାରକୁ ନିଃଶୁଳ୍କ କରାଯାଇଛି । ବାଲାନ୍ସ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ସମସ୍ତ ବ୍ୟାଙ୍କ୍ ଏବଂ ସେୟାର ହୋଲ୍ଡରମାନଙ୍କୁ ରିଜର୍ଭ ବ୍ୟାଙ୍କ୍ର ଏହି ଅନୁମୋଦନ ସମ୍ପର୍କରେ ଜଣାଇ ଦେଇଛି । ତେଣୁ ଆସନ୍ତା ଦିନମାନଙ୍କରେ ଏଟିଏମ୍ର ବ୍ୟବହାର ଉପରେ ବ୍ୟାଙ୍କ୍ ଗୁଡିକ ଅଧିକ ଫି ଲାଗୁ କରିଲେ ଲୋକମାନେ ଏଟିଏମ୍ର ବ୍ୟବହାର କରିବେ କି ନାହିଁ କିମ୍ବା ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ କରିବେ, ତାହା ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ କହିହେବ ନାହିଁ । ହେଲେ ଗୋଟିଏ କଥା ସତ ଯେ ବ୍ୟାଙ୍କ୍ରେ ଟଙ୍କା ରଖିବା ପରେ ଗ୍ରାହକ ସୁଧ ପାଇବ ବୋଲି ଯେଉଁ ଆଶା ରଖୁଛି ସେ ଆଶା ପୂର୍ଣ୍ଣମାତ୍ରାରେ ସଫଳ ହେବ ନାହିଁ । 
ଅନ୍ୟପକ୍ଷରେ ଅନ୍ଲାଇନ୍ ଠକେଇ ଭଳି ଘଟଣା ଗୁଡିକରେ ବ୍ୟାଙ୍କ୍ ଗୁଡିକ ନିଜ ଦାୟିତ୍ୱରୁ ହାତ ଝାଡ଼ି ଦେଇଛନ୍ତି । ସବୁତକ ଦାୟିତ୍ୱ ଗ୍ରାହକ ଉପରେ ଲଦି ଦେଉଛନ୍ତି । ତେଣୁ ଦେଖାଯାଉଛି ଯେ ବ୍ୟାଙ୍କ୍ କାରବାର ଦିନକୁ ଦିନ ସରଳ ହେବା ପାଇଁ ଏଟିଏମ୍ର ବ୍ୟବହାର ହେଉଥିଲେ ମଧ୍ୟ ଏଟିଏମ୍ କାର୍ଡ୍ର ବ୍ୟବହାର ପାଇଁ ଅଧିକରୁ ଅଧିକ ଅର୍ଥ ଦେବାକୁ ପଡୁଛି । ବ୍ୟାଙ୍କ୍ ବ୍ୟବସାୟ କ୍ଷେତ୍ରରେ ଗ୍ରାହକମାନଙ୍କୁ ଈଶ୍ୱର କହି ଗ୍ରାହକମାନଙ୍କୁ ଲୁଟିବା ମନୋବୃତ୍ତି ରଖିଲେ ଅନେକ ଗ୍ରାହକ ଏଟିଏମ୍ କାର୍ଡ୍କୁ ଫେରାଇ ଦେବାର ସମ୍ଭାବନା ଉଠିଲାଣି । ଏକ ଆର୍ଥôକ ସଂସ୍ଥା ଭାବରେ ବ୍ୟାଙ୍କ୍ ଗୁଡ଼ିକ ଲୋକଙ୍କୁ ସେବା ଯୋଗାଇ ଦେବା ଉଚିତ୍ । ପ୍ରତ୍ୟେକ ସେବା କ୍ଷେତ୍ରରେ ଚାର୍ଜ୍ କାଟି ରଖିବା ଗ୍ରାହକମାନଙ୍କ ପ୍ରତି ଧୋକ୍କାବାଜି । ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ୍ରେ ଡ଼ିପୋଜିଟ୍ ରହିଥିବା ଗ୍ରାହକମାନଙ୍କୁ ଏ ପ୍ରକାରର ୟୁଜର୍ସ ଫି ବାଧିବନି, ମାତ୍ର ଛୋଟମୋଟ ଦୋକାନୀ କିମ୍ବା ବ୍ୟବସାୟ କରି କିମ୍ବା ସରକାରଙ୍କ ବିଭିନ୍ନ ଯୋଜନାରେ ମିଳୁଥିବା ଭତ୍ତାର ବ୍ୟବହାର କରିବା ପାଇଁ ଏଟିଏମ୍୍ଧାରୀମାନଙ୍କ ପକ୍ଷରେ ଏ ପ୍ରକାରର ଶୁଳ୍କ ବିଶେଷ ଭାବେ ବାଧିବ ।