କର୍କଟ ରୋୀଗୀଙ୍କ ବର୍ଦ୍ଧିଷ୍ଣୁ ସଂଖ୍ୟା ଉଦବେଗଜନକ

କର୍କଟ ରୋୀଗୀଙ୍କ ବର୍ଦ୍ଧିଷ୍ଣୁ ସଂଖ୍ୟା ଉଦବେଗଜନକ


ଏବେ ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ଯେପରି ବଢିଚାଲିଛି, ତାହା କ୍ରମଶଃ ମହାମାରୀ ରୂପ ଧାରଣ କରିବା ଆଭିମୁଖ୍ୟ ଅଗ୍ରସର ହେଉଛି ବୋଲି କହିଲେ ହୁଏତ ଭୁଲ ହୋଇନପାରେ । ଏକ ସ୍ୱାସ୍ଥ୍ୟ ରିପୋର୍ଟରୁ ଜଣାଯାଇଛି ଯେ, କେବଳ ପୂର୍ବ ଭୂମଧ୍ୟ ଅଂଚଳରେ ପ୍ରତିବର୍ଷ ସାଢେ ୪ଲକ୍ଷରୁ ଅଧିକ ଲୋକଙ୍କର ଜୀବନ କର୍କଟ ନେଉଛି । ତେବେ ଭାରତ ଏବଂ ଓଡିଶାରେ ମଧ୍ୟ ଏହି କର୍କଟ ରୋଗୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର)ର ଜାତୀୟ କର୍କଟ ପଞ୍ଜୀକରଣ କାର୍ଯ୍ୟକ୍ରମ ଅନୁଯାୟୀ, ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶଶସିତ ଅଞ୍ଚଳରେ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଆଇସିଏମଆରର ଜାତୀୟ କର୍କଟ ପଞ୍ଜୀକରଣ କାର୍ଯ୍ୟକ୍ରମ ରିପୋର୍ଟ ଅନୁଯାୟୀ ଦେଶରେ ୨୦୨୦ରେ ୧୩,୯୨,୧୭୯ କର୍କଟ ପିଡିତ ଥିବାବେଳେ ୦୨୧ରେ ୧୪,୨୭,୪୪୭ ଓ ୨୦୨୨ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୬୧,୪୨୭କୁ ବୃଦ୍ଧି ପାଇଥିଲା । ସେହିପରି ଦେଶରେ ଏହି ୩ବର୍ଷ ମଧ୍ୟରେ ଯଥାକ୍ରମେ ୭,୭୦,୨୩୦ଜଣଙ୍କର ମୃତ୍ୟୁ ୭,୮୯,୨୦୨ଜଣଙ୍କର ଏବଂ ୮,୦୮,୫୫୮ ଜଣଙ୍କ ମୃତ୍ୟୁ ଘଟିଥିଲା । କେବଳ ଏତିକି ନୁହେଁ, ପଞ୍ଜାବ, ହରିଆନା, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡରେ ସର୍ବାଧିକ କର୍କଟ ପୀଡିତ ଥିବାବେଳେ ସେମାନଙ୍କର ସଂଖ୍ୟା ମଧ୍ୟ ବଢିଚାଲିଛି । ଆମ ରାଜ୍ୟରେ ଶିଶୁକର୍କଟ ରୋଗୀଙ୍କ ସଂଖ୍ୟା ଉଦବେଗଜନକ । ପ୍ରାୟ ୫୦ହଜାର ଶିଶୁ ଆକ୍ରାନ୍ତ ହୋଇଥିବା କୁହାଯାଇଛି ।  ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପଞ୍ଜାବରେ ପ୍ରତି ୧ଲକ୍ଷ ଲୋକରେ ୯୦ଜଣ କର୍କଟ ପିଡିତ । ଗତ ୭ବର୍ଷ ମଧ୍ୟରେ ହାରାହାରି ୭.୫୮୬ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ।  ଆମ ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ । ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟରେ ୯୨,୬୯୯ ଜଣ କର୍କଟ ରୋଗୀ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ୩୧,୬୯୨ଜଣଙ୍କର ମୃତ୍ୟୁ ଘଟିଥିବା ବିଧାନସଭାରେ ଗତ ବର୍ଷ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ବେସରକାରୀ ରିପୋର୍ଟରେ ଏହି ସଂଖ୍ୟା ଆହୁରି ଅଧିକ ଏଥିରେ ସନ୍ଦେହ ନାହିଁ । ଆମ ରାଜ୍ୟରେ ଏହି ମାରାତ୍ମକ ଦୁରାରୋଗ୍ୟ ବ୍ୟାଧିରେ ବାର୍ଷିକ ହାରାହାରି ୫୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବାବେଳେ ୧୫ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି । ରାଜ୍ୟରେ ପୁରୁଷ ଲୋକମାନେ ମୁଖ୍ୟତଃ ମୁଖ କର୍କଟରେ ପୀଡିତ ହେଉଥିବାବେଳେ ମହିଳାଙ୍କ କ୍ଷେତ୍ରରେ ସ୍ତନକର୍କଟ ଅଧିକ ପରିମାଣରେ ଦେଖାଯାଏ ।  ଆମ ଦେଶରେ କର୍କଟରେ ପୀଡିତ ରୋଗୀଙ୍କ ମଧ୍ୟରୁ ୪୦ରୁ ୫୦ ପ୍ରତିଶତ ହେଉଛନ୍ତି ମୁଖ ଗହ୍ୱର କର୍କଟ ରୋଗୀ । ମୁଖ କର୍କଟର ମୁଖ୍ୟ କାରଣ ହେଉଛି ତମାଖୁ ଓ ଗୁଟଖା ସେବନ । ତମାଖୁ, ଗୁଟଖା  ଧୂମପାନ ଆଦି ଦ୍ରବ୍ୟରେ ବୈଧାନିକ ସତର୍କତା ସତ୍ୱେ ଏହାର ସେବନ ବଢି ଚାଲିଛି  । ଯଦି ଏହାକୁ ନିୟନ୍ତ୍ରଣ କରାଯାଇପାରନ୍ତା, ତେବେ ୪୦ପ୍ରତିଶତ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା କମିଯିବ, ଏଥିରେ ସନ୍ଦେହ ନାହିଁ । ସେହିପରି କର୍କଟ ରୋଗର ଆଉ ଏକ କାରଣ ହେଉଛି, କୀଟ ନାଶକ ଔଷଧର ବହୁଳ ବ୍ୟବହାର । ଏବେ ସମସ୍ତେ ପନିପରିବା, ଧାନ, ମୁଗ, ଗହମ, ଆଖୁ ଆଦି ଫସଲରୁ ରୋଗ ଦାଉରୁ ରକ୍ଷା ପାଇଁ ବହୁଳ ଭାବରେ କୀଟନାଶକ ଔଷଧ ବ୍ୟବହାର ହୋଉଛି ।  ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପଛରେ ଅତ୍ୟଧିକ ରସାୟନିକ ସାର ବ୍ୟବହାର ଓ କୀଟନାଶକ ଔଷଧ ଫସଲରେ ବ୍ୟବହାର ବୋଲି କୁହାଯାଇଛି । ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ, ଆମ ଦେଶରେ ବ୍ୟବହୃତ ୨୩୪ଟି ପଞ୍ଜିକୃତ ରାସାୟନିକ ଔଷଧ ମଧ୍ୟରୁ ଅନେକ ଏହାର ମାରାତ୍ମକ ପ୍ରଭାବ ଯୋଗୁଁ ବିଦେଶରେ ନିଷିଦ୍ଧ ହୋଇଥିବାବେଳେ ଆମେ ସେଗୁଡିକୁ ଅତ୍ୟଧିକ ମାତ୍ରାରେ ବ୍ୟବହାର କରିଚାଲିଛୁ । ଏହାର ପ୍ରଭାବରେ କେବଳ ଖାଦ୍ୟ ନୁହେଁ, ଜୀବନରକ୍ଷାକାରୀ ଜଳ, ମାଟି, ପବନ ସବୁକିଛି ବିଷାକ୍ତ ହୋଇଯାଇଛି ।  ଏହା ସତ୍ୟ ଯେ, ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହୋଇପାରିଲେ, ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ, ଏଥିରେ ସନ୍ଦେହ ନାହିଁ । ତେବେ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ଜରୁରି । ତମାଖୁ, ସିଗାରେଟ, ମଦ ଆଦି ମାଦକ ଦ୍ରବ୍ୟ ଉପରେ ବୈଧାନିକ ଚେତାବନୀ ରହିଛି । ଏପରିକି କଙ୍କଡାବିଛା(କର୍କଟ)ର ଛବି ରହିଛି । ଯାହାକି ମାରାତ୍ମକ କର୍କଟ ରୋଗର ଚେତାବନୀ ।  ଏହା ସତ୍ତେ୍ୱ ଜାଣିନଜାଣିବା ପରି ଲୋକ ତମାଖୁ, ସିଗାରେଟ ମଦ ଛାଡିପାରିନାହିଁ । ଯାହାକି କର୍କଟ ରୋଗର ବାହକ ।