ଭାରତର ସ୍ୱତନ୍ତ୍ର ପୁଞ୍ଜିବାଦର ଅସ୍ତିତ୍ୱ
ଗୋପାଳ ମହାପାତ୍ର : ଏଇ ମାତ୍ର ୬ ମାସତଳେ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସକୁ ବିରୋଧ କରୁଥିଲେ । ପ୍ରସଙ୍ଗ ଥିଲା ଭାରତରେ ଉପଗ୍ରହ ଇଣ୍ଟରନେଟ ସେବା ଦେବା ପାଇଁ ସ୍ପେସ ଏକ୍ସକୁ ସୁଯୋଗ ଦିଆନଯାଉ । ଏଲନ ମସ୍କଙ୍କ ସ୍ପେସ ଏକ୍ସର ଷ୍ଟାରଲିଙ୍କ ଭାରତରେ ଉପଗ୍ରହ ଇଣ୍ଟରନେଟ ସେବା ଦେବା ପାଇଁ ପ୍ରସ୍ତୁତି ଚଳାଇଛି ଓ ଏବେ ଜିଓ ଏବଂ ଏୟାରଟେଲ ଦୁଇ କମ୍ପାନୀ ଷ୍ଟାରଲିଙ୍କ ସହ ବୁଝାମଣା କରିଛନ୍ତି । ୬ମାସତଳେ ବିରୋଧ କରୁଥିବା ଜିଓ ଓ ଏୟାରଟେଲ କାହିଁକି ଷ୍ଟାରଲିଙ୍କ ସହ ବୁଝାମଣା କଲେ ସେ କଥା ନେଇ ଅନେକ କଥା ଚର୍ଚ୍ଚା ହେଉଛି । ରିଲାଏନ୍ସ ଜିଓ ଭାରତରେ ତାର ବର୍ଚ୍ଚସ୍ୱ ବୃଦ୍ଧି କରିବାର ଯେଉଁ ମହତ୍ୱାକାଂକ୍ଷା ରଖିଛି ତାହା ସମସ୍ତଙ୍କୁ ଜଣା । ସେତେବେଳେ ରିଲାଏନ୍ସ ଜିଓ କହୁଥିଲା ଯେ ସ୍ପେକ୍ଟ୍ରମ ନିଲାମ କରାଯାଉ । ଗତ ୨୦୨୪ ଆକ୍ଟୋବର ମାସରେ ଭାରତୀ ଏୟାରଟେଲ ମଧ୍ୟ ସରକାରଙ୍କ ନିକଟରେ ଏହି ଦାବି କରିଥିଲା । ଇଣ୍ଟରନେଟ ସେବା ପ୍ରଦାନକାରୀ ଏ ଦୁଇ ବୃହତ୍ କମ୍ପାନୀଙ୍କ ଦାବିକୁ ଏକ ବଡ଼ ଘଟଣା ବୋଲି କୁହାଯାଉଥିଲା । ସେତେବେଳେ କୁହାଯାଉଥିଲା ଯେ ସ୍ପେସ ଏକ୍ସ ଭାରତକୁ ଆସିଲେ ସାଟେଲାଇଟ ଇଣ୍ଟରନେଟ କ୍ଷେତ୍ରରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ । ପ୍ରଥମତଃ ସ୍ପେକ୍ଟ୍ରମ କ୍ରୟରେ ପ୍ରତିଦ୍ୱନ୍ଦ୍ୱିତା ଏବଂ ଦ୍ୱିତୀୟତଃ ବଜାରରେ ନିଜର ଆଧିପତ୍ୟ ବିସ୍ତାରକୁ ନେଇ ପ୍ରତିଦ୍ୱନ୍ଦ୍ୱିତା । ସମୟ ଥିଲା ଯେତେବେଳେ ପୁଞ୍ଜିବାଦକୁ ସମର୍ଥନ କରୁଥିବା ଲୋକେ ପ୍ରତିସ୍ପର୍ଦ୍ଧାକୁ ଆର୍ଥôକ ବ୍ୟବସ୍ଥାର ଏକ ଖାସ୍ ଗୁଣ ବୋଲି କହୁଥିଲେ । କୁହାଯାଉଥିଲା ଯେ ପ୍ରତିସ୍ପର୍ଦ୍ଧା କାରଣରୁ କମ୍ପାନୀମାନେ ସେମାନଙ୍କ ଉତ୍ପାଦ ବା ସେବାରେ ଗୁଣବତ୍ତାକୁ ସୁଧାରିବା ପାଇଁ ବାଧ୍ୟ ହେବେ ।ଏପରିକି ସେମାନେ ନିଜ ନିଜର ଉତ୍ପାଦ ବା ସେବାକୁ କମ୍ ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ ଉଦ୍ୟମ କରିବେ । ଏଣୁ ଉପଭୋକ୍ତାଙ୍କର ଲାଭ ହେବ ।
ଭାରତର ଦୂରସଞ୍ଚାର ବଜାରରେ ଏକ ସମୟରେ (୨୦୦୦ ରୁ ୨୦୧୧-୧୨ ପର୍ଯ୍ୟନ୍ତ) ବିଭିନ୍ନ କମ୍ପାନୀ ମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ଉପଭୋକ୍ତା ବା ବ୍ୟବହାରକାରୀ ମାନେ ମଧ୍ୟ ଏହାର ଲାଭ ଉଠାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ କମ୍ପାନୀ ବଜାରରୁ ଉଭେଇଗଲେ ଏବଂ ମୋଟାମୋଟି ଭାବେ ଦୂର ସଞ୍ଚାର କ୍ଷେତ୍ରରେ ଜିଓ ଓ ଏୟାରଟେଲ ତାଙ୍କ ସ୍ଥିତିକୁ ମଜଭୁତ କରି ରହିଛନ୍ତି । ଯଦିଏ ବିଏସ୍ଏନ୍ଏଲ୍ ଏବଂ ଭୋଡାଫୋନ ରହିଛି କିନ୍ତୁ ଜିଓ ଓ ଏୟାରଟେଲଙ୍କ ସ୍ଥିତି ବେଶ୍ ଭଲ । ଏ ଦୁଇ କମ୍ପାନୀ ଦୂର ସଞ୍ଚାର କ୍ଷେତ୍ରକୁ ପୁରାପୁରି ଅକ୍ତିଆର କରି ନେଇଛନ୍ତି କହିଲେ ଅତୁ୍ୟକ୍ତି ହେବନାହିଁ । ଏବେ ଉପଗ୍ରହ ଇଣ୍ଟରନେଟ ସେବା ଉପଳବ୍ଧ ହେବାକୁ ଯାଉଛି ଓ ଆଶା କରାଯାଉଥିଲା ଜିଓ ଓ ଏୟାରଟେଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିବ । ଉପଭୋକ୍ତା ମାନଙ୍କର ଲାଭ ହେବ ବୋଲି ଆଶା କରାଯାଉଥିଲା । କେତେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲା ଯେ ସ୍ପେକ୍ଟ୍ରମ ଆବଣ୍ଟନ ପ୍ରସଙ୍ଗରେ ମୋଦି ସରକାରଙ୍କ ସାମନାରେ ଅନେକ ଚାଲେଞ୍ଜ ରହିଛି । କୁହାଗଲା ଯେ ଗୋଟିଏ ପଟେ ଭାରତୀୟ କମ୍ପାନୀ ଓ ଅନ୍ୟପଟେ ଆମେରିକାର କମ୍ପାନୀ ଯାହାର ମାଲିକ ବିଶ୍ୱର ଧନୀ ନଂ ଓ୍ୟାନ ହୋଇଥିବା କାରଣରୁ ସରକାରଙ୍କୁ ନିଷ୍ପତ୍ତି ନେବାରେ ଅସୁବିଧା ହେଉଛି କିନ୍ତୁ ଗତ ଜାନୁୟାରୀ ମାସରେ ଡ଼ୋନାଲଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମସ୍କଙ୍କୁ ସରକାରରେ ଗୁରୁତ୍ୱପୁର୍ଣ୍ଣ ପଦବୀରେ ଅବସ୍ଥାପିତ କରାଗଲା ଓ ସ୍ପେସଏକ୍ସର ଷ୍ଟାରଲିଙ୍କ ପାଇଁ ଭାରତ ତା’ର ବଜାର ଖୋଲିଦେଲା ।
ଟ୍ରମ୍ପ ପ୍ରଶାସନ ପକ୍ଷରୁ ବିଶ୍ୱର ଅନେକ ଦେଶ ଉପରେ ଟାରଫ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି । ଏଥିରୁ ବର୍ତ୍ତିବା ପାଇଁ ଭାରତ ସରକାର ଆମେରିକାର ସ୍ପେସ ଏକ୍ସ କମ୍ପାନୀ ଆଗରେ ମୁଣ୍ଡନୁଆଁଇଛନ୍ତି ବୋଲି କୁହାଯାଇପାରେ । କିନ୍ତୁ ସ୍ପେସ ଏକ୍ସର ଷ୍ଟାରଲିଙ୍କ ସହ ବୁଝାମଣା କରି ମଧ୍ୟ ଦେଶର ଲାଭ କ’ଣ ହେବ ସେକଥା ବୁଝାପଡୁନାହିଁ । ମୋଦି ସରକାରଙ୍କ କାର୍ଯ୍ୟକାଳକୁ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରମୁଖ କ୍ଷେତ୍ରରେ ନୀତିଗତ ଭାବେ ଏକଛତ୍ରବାଦ ବା ମନୋପଲିର ସମୟ ବୋଲି କୁହାଯିବ । ମୋଦି ସରକାର ସମର୍ଥକ ଅର୍ଥଶାସ୍ତ୍ରୀମାନେ ଏହାକୁ ରାଷ୍ଟ୍ରୀୟ ବିକାଶର ମଡେଲ ବୋଲି କୁହୁଛନ୍ତି । କିନ୍ତୁ ପ୍ରକୃତରେ ଏହା ଦକ୍ଷିଣ କୋରିଆର ମଡ଼େଲର ଅନୁକରଣ ଅଟେ ଯେଉଁଥିରେ ସରକାର ବଡ଼ ବଡ଼ କମ୍ପାନୀଙ୍କ ସ୍ୱାର୍ଥପାଇଁ ନୀତି ନିର୍ମାଣ କରି ଅର୍ଥବ୍ୟବସ୍ଥାର ଆଧାରକୁ ମଜଭୁତ କରିଥିଲେ । ସାମସଙ୍ଗ, ଏଲ୍ଜି ଭଳି କମ୍ପାନୀ ମାନେ ଏହି ମଡ଼େଲର ପ୍ରତୀକ । ସମ୍ଭବତଃ ଏହି ମଡ଼େଲର ଅନୁରୂପ ସରକାରଙ୍କ ସହଯୋଗରେ ରିଲାଏନ୍ସ, ଆଦାନୀ, ଟାଟା, ଆଦିତ୍ୟ ବିରଳା, ଭାରତୀ ଏୟାରଟେଲ, ଜିନ୍ଦଲ ଆଦିର ମନୋପଲି ଅର୍ଥବ୍ରବସ୍ଥାକୁ ଅଲଗା ଅଲଗା କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି । ପ୍ରଧାନମନ୍ତ୍ରୀ ନିଜେ ଏମାନଙ୍କୁ ପ୍ରଶଂସା କରୁଛନ୍ତି । ଏସବୁ କମ୍ପାନୀ ମାନେ ବିକଶିତ ଭାରତର ମାଧ୍ୟମ ବୋଲି କୁହାଯାଉଛି ।
ଏବେ ବିଚାର କରାଯିବା କଥା ଯେ ସରକାରୀ ସହଯୋଗରେ ବଢ଼ିଥିବା ଏହି ଶିଳ୍ପପତି ପରିବାର ପ୍ରକୃତପକ୍ଷେ କେତେ ‘ରାଷ୍ଟ୍ରୀୟ’ ଅଟନ୍ତି । ରାଷ୍ଟ୍ରୀୟ ପୁଞ୍ଜିବାଦ / ପୁଞ୍ଜିପତି ଶବ୍ଦର ଏକ ସ୍ୱତନ୍ତ୍ର ଅର୍ଥ ରହିଛି । ଏହା ସେହି ଲୋକମାନଙ୍କର ଯେଉଁମାନେ ଅନ୍ତର୍ଜାତୀୟ ପ୍ରତିସ୍ପର୍ଦ୍ଧାରେ କୌଣସି ରାଷ୍ଟ୍ର ବିଶେଷର ଆର୍ଥôକ ସ୍ୱାର୍ଥର ବାହକ ହୋଇଥାନ୍ତି । ସିଦ୍ଧାନ୍ତ ହେଉଛି ଏହି ଲୋକମାନେ ବା ଗୋଷ୍ଠୀ ନିଜର ସଫଳତା ସହ ଅର୍ଥ ଉପାର୍ଜନ କରନ୍ତି । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସେମାନଙ୍କ ଲାଭ ସେହି ଦେଶର ସମସ୍ତ ଜନସାଧାରଣଙ୍କ ନିକଟରେ ପହଞ୍ଚôଥାଏ । ଯେ ପର୍ଯ୍ୟନ୍ତ ଦୁନିଆରେ ସାମ୍ରାଜ୍ୟବାଦ ରହିଛି - ଅର୍ଥାତ୍ ଐତିହାସିକ କାରଣରୁ ଧନୀ ହୋଇଥିବା ଦେଶର ଏମିତି ବ୍ୟବସାୟୀ, ଶିଳ୍ପପତି ଯେଉଁମାନେ ସାରା ବିଶ୍ୱର ସଂସାଧନ ଏବଂ ବଜାରକୁ ହାସଲ କରିବାର ମହତ୍ୱାକାଂକ୍ଷା ରଖିଥାନ୍ତି ସେତେବେଳେ ରାଷ୍ଟ୍ରୀୟ ପୁଞ୍ଜିପତିଙ୍କ ସହ ଆନ୍ତର୍ଜାତୀୟ ବା ବହୁରାଷ୍ଟ୍ରୀୟ ବ୍ୟବସାୟୀଙ୍କ ମଧ୍ୟରେ ଲଢ଼େଇ ବା ପ୍ରତିଦ୍ୱନ୍ଦ୍ୱିତା ଅପରିହାର୍ଯ୍ୟ ହୋଇପଡ଼େ । କିନ୍ତୁ ଏବେ ଯାହା ହେଲା ଏହାର ବିପରୀତ । ସ୍ପେସ ଏକ୍ସ ଭାରତରେ ପ୍ରବେଶ କରିବାର ଉଦ୍ୟମ ବେଳେ ଭାରତୀୟ ଦୁଇ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପାଇଁ ଏହାର ମୁକାବିଲା କରିବାର ସୁଯୋଗ ଥିଲା । କିନ୍ତୁ ଏହି ଦୁଇ କମ୍ପାନୀ ମୁକାବିଲା କରିବା ପରିବର୍ତ୍ତେ ପ୍ରଥମରୁ ପରାଜୟ ସ୍ୱୀକାର କରିନେଲେ ଯାହାକୁ ଆତ୍ମସମର୍ପଣ ବୋଲି ମଧ୍ୟ କୁହାଯିବ । ଏ ଦୁଇ କମ୍ପାନୀ ଏବେ ଷ୍ଟାରଲିଙ୍କର ସହାୟକ (ସବସିଡିଆରି) ପାଲଟି ଯାଇଛନ୍ତି । ଏହାର ଅର୍ଥ ହେଉଛି ଏମାନେ ଷ୍ଟାର ଲିଙ୍କ ସେବା ଦେବା ପାଇଁ ଜରୁରୀ ଉପକରଣ ବିକ୍ରି କରିବେ ଓ ସେବା ପ୍ରଦାତା (ଷ୍ଟାରଲିଙ୍କ)ର ଏଜେଣ୍ଟ ଭୂମିକା ତୁଲାଇବେ । ଅନ୍ୟ ଅର୍ଥରେ ଆମ ଦେଶର ନମ୍ବର ୱାନ ମାନେ ଏବେ ବହୁରାଷ୍ଟ୍ରୀୟ କମ୍ପାନୀର ଏଜେଣ୍ଟ । ଏହାଦ୍ୱାରା ଭାରତୀୟ ପୁଞ୍ଜିପତିଙ୍କ ସ୍ଥିତି ବା ଛବି କୁ ନେଇ ବିଦେଶରେ କ’ଣ ଚର୍ଚ୍ଚା ହେବ ସେକଥା ଅନୁମେୟ । ଏ ପ୍ରସଙ୍ଗରେ ଭାରତୀୟ ରାଜନୀତି ପୁରା ନୀରବ । କେବଳ କଂଗ୍ରେସ ସୁରକ୍ଷା ପ୍ରସଙ୍ଗ ଉଠାଇଛି ଓ ପ୍ରଶ୍ନ କରିଛି ଯେ ଷ୍ଟାରଲିଙ୍କ ସେବା କେଉଁଠାରୁ ଚାଲିବ? ଯଦି ବିଦେଶରୁ ଚାଲିବ ଏବଂ ସୁରକ୍ଷା ଆବଶ୍ୟକତା ବେଳେ ଯଦି ଏହି ସେବାକୁ ନିୟନ୍ତ୍ରିତ କରାଯିବା ବା ବନ୍ଦ କରି ଦିଆଯିବାର ଆବଶ୍ୟକତା ପଡେ ତେବେ ସରକାର କ’ଣ କରିବେ ବୋଲି ମଧ୍ୟ କଂଗ୍ରେସ ପ୍ରଶ୍ନ କରିଥିଲା । ସରକାର ଏ ବାବଦରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଷ୍ଟାରଲିଙ୍କର ସଂଚାଳନ କେନ୍ଦ୍ର ଭାରତରେ ହିଁ ହେବ । କିନ୍ତୁ ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ କରାଯାଇଛି । ସେଥିରୁ ସୁରକ୍ଷା ପ୍ରସଙ୍ଗ ସହ ଅନ୍ୟ କେତେକ ପ୍ରସଙ୍ଗ ମଧ୍ୟ ରହିଛି । ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟି ପ୍ରଶ୍ନ କରିଛି ଯେ ସ୍ପେକ୍ଟ୍ରମର ପ୍ରଶାସନିକ ଆବଣ୍ଟନ କରିବେ ନା ନାହିଁ? ଘରୋଇ କମ୍ପାନୀଙ୍କୁ ଉପଗ୍ରହୀୟ କକ୍ଷରେ ଉପଯୋଗ ପାଇଁ ଅନୁମତି ଦେଲେ ଏହାର ଅର୍ଥ ହେଉଛି ପ୍ରତିରକ୍ଷା ସମ୍ପର୍କରେ, ପାଣିପାଗ ସୂଚନା ପର୍ଯ୍ୟନ୍ତ ପହଞ୍ଚôବାର ଅନୁମତି ଦେବା ଯାହା ରାଷ୍ଟ୍ରୀୟ ସ୍ୱାର୍ଥବିରୋଧୀ ।
ଏସବୁ ପରେ ଏକ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଏୟାରଟେଲ ଓ ଜିଓ ଆତ୍ମସମର୍ପଣ ପରେ ଷ୍ଟାରଲିଙ୍କର ଏକଛତ୍ରବାଦ ବଢିବାର ସମ୍ଭାବନା ମଧ୍ୟ ରହିଛି । ଭାରତର ଲୋକଙ୍କର ଏକଛତ୍ରବାଦ ସହିବାର ଅନୁଭବ ରହିଛି । କରୋନା ମହାମାରୀ ସମୟ ପରେ ଦରଦାମ ବୃଦ୍ଧିର ପ୍ରମୁଖ କାରଣ ହେଉଛି ପୁଞ୍ଜିପତିଙ୍କ ଏକଛତ୍ରବାଦ ବା ମନୋପଲି ଓ ଏହି କାରଣରୁ ସେମାନେ ଅଧିକ ଲାଭ ପାଇଛନ୍ତି । କିନ୍ତୁ ସଦ୍ୟ ଘଟଣାକ୍ରମ (ଷ୍ଟାରଲିଙ୍କ ସହ ବୁଝାମଣା) ପରେ ଭାରତୀୟ / ରାଷ୍ଟ୍ରୀୟ ଧନପତିମାନେ ବହୁରାଷ୍ଟ୍ରୀୟ ପୁଞ୍ଜିର ସେବକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ଏହି ଶିଳ୍ପପତି ମାନେ କ’ଣ ପ୍ରକୃତରେ ‘ରାଷ୍ଟ୍ରୀୟ’ ଅଟନ୍ତି? ଏମାନଙ୍କ ଭରସାରେ ଶିଳ୍ପ/ ବ୍ୟବସାୟର ବିକାଶ ହୋଇପାରିବ କି? ଏମାନଙ୍କ ଯୋଗଦାନ ରାଷ୍ଟ୍ରୀୟ ବିକାଶ ଆଧାର ହୋଇ ପାରିବକି? ମାର୍କ୍ସବାଦୀ ବିମର୍ଷରେ ଦଲାଲ ପୁଞ୍ଜିବାଦ / ପୁଞ୍ଜିପତି ଶବ୍ଦର ପ୍ରଚଳନ ଅଧିକ ଥିଲା । ବିମର୍ଷର ପ୍ରସଙ୍ଗ ଥିଲା ଭାରତୀୟ ପୁଞ୍ଜିବାଦ ଚରିତ୍ର ସ୍ୱତନ୍ତ୍ର ରାଷ୍ଟ୍ରୀୟ ନା ଏହା ସାମ୍ରାଜ୍ୟବାଦୀ ଦେଶର ପୁଞ୍ଜିବାଦର ଦଲାଲ । ପ୍ରତ୍ୟକ୍ଷ ଉପନିବେଶବାଦର ବିଲୋପ ପରେ ପୁଞ୍ଜିବାଦର ଚରିତ୍ର କୌଣସି ଦେଶର ଅର୍ଥବ୍ୟବସ୍ଥା ଏବଂ ରାଜସତ୍ତା (ଶାସନବ୍ୟବସ୍ଥା) ବା ଅନ୍ୟ ଅର୍ଥରେ ପଲିଟିକାଲ ଇକୋନୋମିର ସ୍ୱରୂପ ନିର୍ଦ୍ଧାରକ ତତ୍ତ୍ୱ ଅଟେ । ସଦ୍ୟ ଘଟଣାକ୍ରମେ ଭାରତରେ ଏଭଳି ହେବାର ଆଶଙ୍କାକୁ ଅଧିକ ବଳବତ୍ତର କରିଛି । ଯେତେବେଳେ ରାଷ୍ଟ୍ରୀୟ କୁହାଯାଉଥିବା ଶିଳ୍ପପତିମାନେ ଏଜେଣ୍ଟ ହେବାପାଇଁ ପ୍ରସ୍ତୁତ ସେତେବେଳେ ଭାରତରେ ସ୍ୱତନ୍ତ୍ର ପୁଞ୍ଜିବାଦର ଅସ୍ତିତ୍ୱକୁ ନେଇ ସନେ୍ଦହ ସୃଷ୍ଟି ହେବା ସ୍ୱାଭାବିକ । ଅର୍ଥବ୍ୟବସ୍ଥା ଏବେ ଅନିବାର୍ଯ୍ୟ ରୂପରେ ପୁଞ୍ଜିବାଦୀ ଭାବେ ଉଭାହୋଇଛି ଓ ସ୍ୱତନ୍ତ୍ର ଅସ୍ତିତ୍ୱ ରଖିବାରେ ଅସମର୍ଥ ହେଇଛି । ଏଣୁ ଏଥିରୁ ରାଜସତ୍ତା (ଶାସନବ୍ୟବସ୍ଥା)ର ଧାରା ଜଣାପଡୁଛି । ଏହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ଏସବୁ ପ୍ରସଙ୍ଗ ଉପରେ ଜାତୀୟ ଗଣମାଧ୍ୟମ ମଧ୍ୟ ନୀରବ । ଅଧିକାଂଶ ରାଜନୈତିକ ଦଳ ଏ ପ୍ରସଙ୍ଗକୁ ମଧ୍ୟ ଏଡ଼ାଇ ଚାଲିଛନ୍ତି । ଦୁର୍ଭାଗ୍ୟର କଥା ଯେ ଦେଶର ବୁଦ୍ଧିଜୀବୀ ବର୍ଗ ମଧ୍ୟ ଏହାକୁ ନେଇ ଚର୍ଚ୍ଚା କରୁନାହାଁନ୍ତି । କିନ୍ତୁ ଭାରତକୁ ସଙ୍କଟଗ୍ରସ୍ତ ସମୟରୁ ଉଦ୍ଧାର କରିବାକୁ ହେଲେ ଏ ପ୍ରସଙ୍ଗରେ ବ୍ୟାପକ ବିମର୍ଷ ହେବାର ଆବଶ୍ୟକତା ରହିିଛି । ଏହା ଛଡା କୌଣସି ବିକଳ୍ପ ନାହିଁ ।
ରାମଚନ୍ଦ୍ରପୁର, ରଣପୁର
ମୋ:୯୪୩୮୪୮୫୦୯୪