ଦୀପାବଳି ପର୍ବର ଉତ୍ପତ୍ତି
ଦୀପାବଳି : ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ପ୍ରତିବର୍ଷ କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପାରମ୍ପରିକ ପର୍ବ । ଏହାକୁ ଧନ୍ତେରସ ପର୍ବ ରୂପେ ବି ପାଳନ କରାଯାଏ ବା ଏହିଦିନକୁ ଧନ୍ୱନ୍ତରୀ ଜୟନ୍ତୀ ବୋଲି କୁହାଯାଏ । ଧନତେରାସ୍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ୱନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରାଯାଏ ।
ଉତ୍ପତ୍ତି:
ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ଅନୁସାରେ ଏହି ପର୍ବ କୃଷିଭିତ୍ତିକ ବିଧି ବୋଲି କୁହାଯାଏ । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି । ଅମଳ ଋତୁ ଆସିଲେ ଶସ୍ୟକ୍ଷେତ୍ର ସହ ଜନବସତିରେ ମଧ୍ୟ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡେ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ ।