ଫିଲ୍ଡ ମାର୍ସଲ ମାନେକଶା


ଅଦ୍ୟାବଧି ମାତ୍ର ଦୁଇ ଜଣ ଭାରତୀୟ ସେନା ବିଭାଗୀୟ ଉଚ୍ଚ ପଦାଧିକାରୀ ଫିଲଡ଼୍ ମାର୍ସଲ ପଦବୀକୁ ଉନ୍ନୀତ ହୋଇଥିବା ଜଣାଯାଏ  । ସେମାନେ ହେଉଛନ୍ତି ସାମ ମାନେକଶା ଓ କେ.ଏମ. କରିଅପ୍ପା  । ମାନେକଶା ଭାରତର ପ୍ରଥମ ଫିଲଡ଼୍ ମାର୍ସଲ  । କରିଅପ୍ପା ବୟୋଜ୍ୟେଷ୍ଠ ହୋଇଥିଲେ ହେଁ ଅବସର ଗ୍ରହଣର ପ୍ରାୟ ତିରିଶ ବର୍ଷ ପରେ (୧୯୮୬)ରେ ଫିଲଡ଼ ମାର୍ସଲ ଉପାଧି ପାଇଥିଲେ  । ଫିଲଡ଼୍ ମାର୍ସଲ ମାନେକଶା ସାମ ବାହାଦୁର ଭାବେ ମଧ୍ୟ ଜଣାଶୁଣା  । ନିଜର ଚାରି ଦଶନ୍ଧିର ସୈନିକ ଜୀବନରେ ଫିଲଡ଼୍ ମାର୍ସଲ ମାନେକଶା ପାଞ୍ଚଟି ଯୁଦ୍ଧ ଲଢ଼ିଥିଲେ  । ବ୍ରିଟିଶ ଇଣ୍ଡିଆନ୍ ଆର୍ମି ପକ୍ଷରୁ ସେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଲଢ଼ିଥିଲେ  । ୧୯୬୯ରେ ସେ ଭାରତର ଅଷ୍ଟମ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଭାବେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କ ନେତୃତ୍ୱରେ ୧୯୭୧ରେ ଭାରତ, ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା  । ଏହାର ସୁଫଳ ସ୍ୱରୂପ ବାଙ୍ଗଲାଦେଶ ଜନ୍ମ ହୋଇଥିଲା  । ୧୯୭୩ ଜାନୁଆରୀ ପହିଲାରେ ତାଙ୍କୁ ଫିଲଡ଼୍ ମାର୍ସଲ ଉପାଧିରେ ଭୂଷିତ କରାଯାଇଥିଲା  । ଏହାଛଡ଼ା ତାଙ୍କୁ ମିଲିଟାରୀ କ୍ରସ୍, ପଦ୍ମ ଭୂଷଣ, ଓ ପଦ୍ମ ବିଭୂଷଣ ମଧ୍ୟ ପ୍ରଦାନ କରାଯାଇଥିଲା  । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବର୍ମାରେ ଜାପାନୀ ସେନା ସହ ଲଢ଼ୁଥିବା ବେଳେ ତାଙ୍କ ପେଟରେ ମେସିନ୍ ଗନ୍ର ଗୁଳି ବାଜିଥିଲା ଏବଂ ସେ ଗୁରୁତର ଭାବେ ଆହତ ହୋଇଥିଲେ  । ବ୍ରିଟିସ ସେନା ପକ୍ଷରୁ ଯୁଦ୍ଧ ପରିଚାଳନା କରୁଥିଲେ ମେଜର୍ ଜେନେରାଲ ଡିଟି କୋୱାନ୍  । ମାନେକଶାଙ୍କ ଅବସ୍ଥା ଓ ତାଙ୍କ ଦମ୍ଭ ଦେଖି ସେ ସଙ୍ଗେ ସଙ୍ଗେ ରଣାଙ୍ଗନରେ ହିଁ ତାଙ୍କୁ ମିଲିଟାରୀ କ୍ରସ ପ୍ରଦାନ କରି କହିଥିଲେ ମୃତ ସୈନିକକୁ ଏହା ଦିଆଯାଏ ନାହିଁ  । ନିଅ, ଜୀବନ ଥାଉ ଥାଉ ଗ୍ରହଣ କର  । ହେଲେ ସେ ବର୍ତ୍ତି ଯାଇଥିଲେ  ।
ତାଙ୍କ ବ୍ୟକ୍ତିଗତ ପରିଚାରକ ଶେର ସିଂହ ଗୋଳା ବର୍ଷକୁ ଖାତିର ନକରି, ତାଙ୍କୁ ରେଙ୍ଗୁନସ୍ଥିତ ସେନା ହସ୍ପିଟାଲରେ ପହଞ୍ଚାଇଥିଲେ  । ସେଠାରେ ଡାକ୍ତରମାନେ ମାନେକଶାଙ୍କ ପେଟ, ଫୁସ୍ଫୁସ୍, ବୃକକ୍ ଆଦିରୁ ସାତଟି ଗୁଳି ବାହାର କରିଥିଲେ  । ଅସ୍ତ୍ରୋପଚାର ବେଳେ କ'ଣ ହୋଇଛି ପଚାରିବାରୁ ସେ କହିଥିଲେ ଗଧଟିଏ ନାତ ମାରିଦେଇଛି  । ଫିଲଡ଼୍ ମାର୍ସଲ ମାନେକଶା ଥିଲେ ଗୁଜୁରାଟ ଅନ୍ତର୍ଗତ ବଲ ସହରର ମୂଳ ବାସିନ୍ଦା  । ତାଙ୍କ ପିତା ଥିଲେ ଜଣେ ପାର୍ସୀ ଡାକ୍ତର  । ସେ ପଞ୍ଜାବର ଅମୃତସରରେ କାମ କରୁଥିଲେ  । ଫିଲଡ଼୍ ମାର୍ସଲ ମାନେକଶା ପ୍ରଥମେ ପିତାଙ୍କ ପରି ଡାକ୍ତର ହେବାକୁ ଚାହୁଁଥିଲେ  । ହେଲେ ଲଣ୍ଡନରେ ଡାକ୍ତରୀ ପଢ଼ିବା ପାଇଁ ପିତା ଅନୁମତି ନ ଦେବାରୁ କାହାକୁ କିଛି ନକହି ଡେରାଡୁନର ଇଣ୍ଡିଆନ୍ ମିଲିଟାରୀ ଏକାଡ଼େମୀରେ ଭର୍ତ୍ତି ହୋଇଥିଲେ  । ଭାରତୀୟ ସେନାର ଅପୂର୍ବ ବୀରତ୍ୱ ଗାଥାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମାନେକଶା । ତାଙ୍କ ଜୀବନ କାଳ ଭିତରେ ପ୍ରତିକୂଳତା ସହ ଲଢ଼େଇ କରି ଭାରତ ବିଜୟର ଜୟଯାତ୍ରାକୁ ସେ ଯେଉଁ ସ୍ଥାନକୁ ନେଇଛନ୍ତି ତାହା ବର୍ତ୍ତମାନର ସମୟରେ ଚିନ୍ତାର ବାହାରେ । ଭାରତୀୟ ସେନାବାହିନୀ ପକ୍ଷରୁ ତାଙ୍କ ବୀରତ୍ୱ ଗାଥାକୁ ନେଇ ପ୍ରାମାଣିକ ଚିତ୍ର ବି ପ୍ରସ୍ତୁତ ହୋଇଛି । ୧୯୧୪ ଏପ୍ରିଲ ୩ ତାରିଖ ଦିନରେ ଅମୃତସରରେ ସେ ଜନ୍ମ ହୋଇଥିଲେ  । 
ଡ.ତପନ କୁମାର ପାଳ
ମୋ : ୯୯୩୭୬୫୮୩୬୨