ତ୍ୟାଗର ପ୍ରତିରୂପ 


  ସାରା ସଂସାରର ଏକମାତ୍ର ତ୍ୟାଗର ପ୍ରତିରୂପ ହିଁ ଶିବ । ସେ ପୁଣି ସତ୍ୟ ଓ ସୁନ୍ଦର ଏଥିରେ ବୁଝିବାର କାହାର ଦ୍ୱିଧା ନାହିଁ । ଶିବ ବିଶ୍ୱବ୍ରହ୍ମାଣ୍ଡ ତଥା ସଂପୂର୍ଣ୍ଣ ଜଗତର କଲ୍ୟାଣକାରୀ ଓ ମଙ୍ଗଳମୟର ପ୍ରତୀକ । ସମୁଦ୍ର ମନ୍ଥନରୁ ହଳାହଳ ଗରଳ ନିର୍ଗତ ହେବା ଦେଖି ସମସ୍ତ ଦେବମଣ୍ଡଳ, ଗ୍ରହମଣ୍ଡଳ, ଜୀବମଣ୍ଡଳ ଏପରିକି ସଂପୂର୍ଣ୍ଣ ଜଗତ କିଂକର୍ତ୍ତବ୍ୟବିମୂଢ଼ ଭାବେ ସ୍ତମ୍ଭୀଭୂତ ହୋଇଗଲା । ଶେଷରେ ଜଗତର ମଙ୍ଗଳ ନିମନ୍ତେ ମହାନ ତ୍ୟାଗୀ ଶିବ ଏହି ହଳାହଳ ବିଷ ପାନ କରି ସଂପୂର୍ଣ୍ଣ ଜଗତକୁ ଉଦ୍ଧାର କରିଥିଲେ । ଏହି ବିଷପାନରେ ଶିବଙ୍କ କଣ୍ଠ ନୀଳକଣ୍ଠ ହୋଇଗଲା । ତେଣୁ ସେ ନୀଳକଣ୍ଠ ରୂପେ ପରିଚିତ ହେଲେ । ବିଷଜ୍ୱାଳାର ଉପଶମ ହେବା ପାଇଁ ମସ୍ତକର ଜଟା ମଧ୍ୟେ ଗଙ୍ଗା, ଭାଲରେ ଶୀତଳ କିରଣ ପ୍ରଦାନ କରୁଥିବା ଚନ୍ଦ୍ର, ଗଳାରେ ସର୍ପ ଶୋଭିତ ହେଲା । କଟିରେ ବ୍ୟାଘ୍ର ଚର୍ମ, ନୀଳବର୍ଣ୍ଣ କାନ୍ତିଯୁକ୍ତ ଶରୀର, କପାଳରେ ଶ୍ମଶାନ ଭସ୍ମ, ସ୍କନ୍ଧରେ ଯଜ୍ଞପବୀତ, ହସ୍ତରେ ତ୍ରୀଶୂଳ ଓ ଡମ୍ବରୁ, ଗଳାରେ ରୁଦ୍ରାକ୍ଷମାଳା, ହସ୍ତରେ କମଣ୍ଡଳୁ ଓ ଆଶାବାଡ଼ି, ପଦଯୁଗଳରେ କଠଉ, କର୍ଣ୍ଣରେ କୁଣ୍ଡଳ, ବୃଷଭବାହନ, ବାମରେ ପ୍ରିୟତମା ପତ୍ନୀ ପାର୍ବତୀ, ପୁତ୍ର ଗଣେଶ ଓ କାର୍ତ୍ତିକ ସହ ପ୍ରକୃତି ରୂପକ କୈଳାସ ପର୍ବତରେ ଅବସ୍ଥାନ କରି ସର୍ବଦା ଧ୍ୟାନମଗ୍ନ ରହନ୍ତି । ଶିବ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ, ପ୍ରକୃତିମାନଙ୍କ ଭିତରେ ସବୁଠାରୁ ସୁନ୍ଦର, ସତ୍ୟର ଏକ ନଗ୍ନପ୍ରତିଛବି । ଦେବଦେବ ମହାଦେବ ରୂପେ ସେ ଖ୍ୟାତ । ଶିବ ହିଁ ଏକମାତ୍ର ଦେବତା ଯିଏ ମହାଯୋଗୀ, ମହାଭୋଗୀ ଓ ମହାତ୍ୟାଗୀ । ଯୋଗରେ ସେ ବିଲୟ, ଭୋଗରେ ତନ୍ମୟ ଓ ତ୍ୟାଗରେ ସେ ମହାନ । ଜ୍ୟୋତିଷାଚାର୍ଯ୍ୟମାନଙ୍କ ମତରେ ଶିବ ଦେବ ମଣ୍ଡଳ, ଗ୍ରହମଣ୍ଡଳ ଓ ଜୀବମଣ୍ଡଳର ଅଧୀଶ୍ୱର ଅଟନ୍ତି । ଶିବ ପ୍ରକୃତି ତଥା ଜଗତର ପ୍ରତୀକ ହେତୁ ସେ ଜଗତ ବ୍ୟାପୀ ଏବଂ ଜଗତମୟ । ସେ ନବଗ୍ରହଙ୍କ ଅଧିଷ୍ଠାତ୍ର ଅଟନ୍ତି । 
ଅଜୟ କୁମାର ବେହେରା
ମୋ: ୯୪୩୭୦୩୧୨୫୩