ଜୀବନ ସଂଘର୍ଷ ପଥ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ଜୀବନ ସଂଘର୍ଷପଥକୁ ନେଇ କିଛି ବାସ୍ତବ ଓ ନିଚ୍ଛକ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ମନରେ ଅନେକ ପ୍ରଶ୍ନ । ଆଉ ସବୁ ପ୍ରଶ୍ନ ସହିତ ଇଚ୍ଛାଟିଏ ବି ରହେ । ସବୁତକ ଇଚ୍ଛାକୁ ପୂରଣ କରିବା ପାଇଁ ମଣିଷ ଦିନରାତି ଚେଷ୍ଟା କରି ଚାଲିଥାଏ । ଏହାସତ୍ତ୍ୱେ ସବୁ ଇଚ୍ଛା ପୂରଣ ହୁଏ ନାହିଁ । କିଛି ଇଛା ପୂରଣ ହେବାର ପରିସ୍ଥିତିରେ ବି ନଥାଏ । ସେଥିପାଇଁ ଈଂରାଜୀରେ ଗୋଟିଏ ଆପ୍ତ ବାକ୍ୟ ଅଛି "ଇଫ୍ ଉଇସେସ୍ ଆର ହର୍ସେସ୍ ବେଗର୍ସ୍ କ୍ୟାନ୍ ରାଇଡ୍ ।' ଏହାର ଅର୍ଥ ହେଲା ଯଦି ସବୁ ଇଚ୍ଛା ଗୁଡ଼ିକ ପୂରଣ ହୋଇଯାନ୍ତା, ତା'ହେଲେ ଭିକାରୀମାନେ ବି ଘୋଡ଼ା ଚଢ଼ନ୍ତେ ।
ପ୍ରାୟ ସବୁ ମଣିଷଙ୍କ କ୍ଷେତ୍ରରେ ଏକ ସାଧାରଣ ଘଟଣା ହେଲା ମନ ଭିତରେ ଅନେକ ଇଚ୍ଛା ଜନ୍ମ ନିଏ ଆଉ ଇଚ୍ଛା ଗୁଡ଼ିକ ପୂରଣ ନହେଲେ ଗଭୀର ଭାବରେ ଦୁଃଖୀ ହୋଇପଡ଼େ, ଭାଙ୍ଗିପଡ଼େ । ଇଚ୍ଛା ପୂରଣ ନହେଲେ ସେଥିପାଇଁ କରୁଥିବା ଉଦ୍ୟମ ମଧ୍ୟ ବ୍ୟର୍ଥରେ ପଳେଇଲା ବୋଲି ଭାବେ । ତେବେ ପ୍ରକୃତରେ ଜୀବନକୁ ବୁଝିଥିବା ଲୋକେ ପ୍ରତ୍ୟେକ ବ୍ୟର୍ଥତାରୁ ନୂଆ ସଫଳତା ପାଇଁ ପ୍ରେରଣାଟିଏ ପାଆନ୍ତି ।
ବ୍ୟର୍ଥତା ଯେତେବେଳେ ହୃଦୟକୁ ଭାଙ୍ଗି ଦିଏ, ସେତିକି ବେଳେ ମଣିଷ ଦୁଃଖରେ ଭାଙ୍ଗିପଡ଼େ । ସେ ସମୟରେ କିଛି ନୂଆ କଥା ମଧ୍ୟ ଶିକ୍ଷା ଲାଭ ହୋଇଥାଏ । ହେଲେ ସେତକକୁ ଧରିବା ପାଇଁ ଯେଉଁ ସାହସ ଆବଶ୍ୟକ, ସେହି ସାହସ ସମସ୍ତେ ଧରିପାରନ୍ତି ନାହିଁ । ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ମନୁଷ୍ୟଙ୍କୁ ଅନେକ ପ୍ରକାରର ଶିକ୍ଷା ମିଳୁଥାଏ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।