ଆଧ୍ୟାତ୍ମିକ ଅନ୍ୱେଷାର ଲକ୍ଷ୍ୟ
ଡା.ଉମେଶ ଚନ୍ଦ୍ର ପାତ୍ର : ମଣିଷ ଜୀବନର ବାଲ୍ୟକାଳରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଗୋଟିଏ ସୌନ୍ଦର୍ଯ୍ୟ ସଂଲଗ୍ନତା ଓ ଆବଶ୍ୟକତା ଥାଏ । ଯଦିଓ କେହି କାହାର ପୂର୍ଣ୍ଣମାତ୍ରାରେ ପରିପୂରକ ନୁହେଁ, କେହି କାହାକୁ ଛାଡ଼ିବା ପାଇଁ ପ୍ରସ୍ତୁତ ନଥାନ୍ତି । ସେଥିମଧ୍ୟରୁ ଯୌବନ ଏକ ସୁନ୍ଦର ଓ ବିରଳ ସ୍ଥିତି । ଏହା ଏକ ଅଦମ୍ୟ, ଅନ୍ୱେଷା ଓ ଜିଜ୍ଞାସାର ସ୍ଥିତି । ଯୌବନର ମହାସାଗର, ସୀମାହୀନ ଆକାଶର ବ୍ୟାପ୍ତି, ସୁନ୍ଦରତମ ନକ୍ଷତ୍ରରେ ପହଞ୍ଚôବାର ଝୁଙ୍କ । କାରଣ ଏ ଅବସ୍ଥାରେ ଅନନ୍ତ ପ୍ରାଣ ଶକ୍ତିର ସର୍ଜନାତ୍ମକ ଉର୍ମି ବାରମ୍ବାର କୂଳ ଲଙ୍ଘୁଥାଏ । କାରଣ ଏ ଅବସ୍ଥାରେ ସନ୍ନିହିତ ରହିଥାଏ ଜୀବନର ବୈପ୍ଳବିକ ଅତୃପ୍ତି, ଯେଉଁମାନେ ଯୌବନାତ୍ୱିତ ସେମାନେ ଜୀବନରେ ଓ ଆତ୍ମାରେ ଚାହାନ୍ତି ସୁରକ୍ଷା ଓ ସ୍ଥିରତା । ଯୌବନ କିନ୍ତୁ ଅସୀମର ଆହ୍ୱାନରେ ଅସ୍ଥିର ଓ ଚଳଚଞ୍ଚଳ । ଅନ୍ୱେଷାର ଜ୍ୱାଳା ଭିତରେ ସେ ଖୋଜେ ସତ୍ୟ, ନ୍ୟାୟ ଓ ସର୍ଜନାତ୍ମକ ଜୀବନର ପରିପୂର୍ଣ୍ଣତା । ତେବେ ଯୌବନର ପଥ ସବୁବେଳେ ସରଳ ନଥାଏ । ଥାଏ ବନ୍ଧୁର । ଅନତିକ୍ରମ୍ୟକୁ ଅତିକ୍ରମ କଲାବେଳେ ବାଟରେ ଯେଉଁ ବାଧା, ପ୍ରତିବନ୍ଧକ ଦେଖାଯାଏ ସେଥିରେ ଯିଏ ହାରିଗଲା ବୋଲି ଭାବିଲା ତା' ଜୀବନର ଗତିପଥ ଓ ମାନଚିତ୍ର ବଦଳିଯାଏ । ବହୁ ମୁନିଋଷି ଓ ମହାପୁରୁଷମାନେ ଯୌବନକୁ ବ୍ରହ୍ମଚର୍ଯ୍ୟ, ତପସ୍ୟା, ନିର୍ଭୀକତା ଓ ସତ୍ଚରିତ୍ରର ଅବସ୍ଥା ବୋଲି ଅଭିହିତ କରିଥାନ୍ତି । କାରଣ ଚାରିତ୍ରିକ ଶୁଦ୍ଧତା ଦିନକରେ ତିଆରି ହୁଏନାହିଁ । ଏଥିପାଇଁ ଯୁଗ ଯୁଗର ସଂଗ୍ରାମର ଆବଶ୍ୟକତା ଥାଏ । ତାହାହିଁ ଜଣକୁ ସତ୍ୟର ଅତି ପାଖାପାଖି କରିଥାଏ । ସତ୍ୟ, ସାଧୁତା ଓ ପବିତ୍ରତା ସର୍ବଦା ଅବିନାଶ । ଏସବୁ ସର୍ବୋତ୍ତମ ଗୁଣର ଯିଏ ଅଧିକାରୀ ତାକୁ ଆମେ କିପରି ସହଜରେ ହିସାବ କରିପାରିବା ବା ବର୍ଣ୍ଣନା କରିପାରିବା । ମନେପକାନ୍ତୁ ଶ୍ରବଣ କୁମାର, ଏକଲବ୍ୟ, ନଚିକେତା, ପ୍ରହ୍ଲାଦ କଥା । ମନେପକାନ୍ତୁ ପ୍ରମିଥିଅସ୍, ହରକୁ୍ୟଲସ୍, ସିସିଫସ୍ ଓ ଜନାଥନ ଲିଭିଙ୍ଗଷ୍ଟନ ସିଗଲ କଥା । ଏମାନଙ୍କ ଜୀବନର ବିଚିତ୍ରତା ସ୍ମରଣ କରାଇଦିଏ ଯୌବନର ଅପରିକଳ୍ପନୀୟ ଗାଥା ।
ପୃଥିବୀର ଯେ କୌଣସି ଦେଶରେ, ଯେକୌଣସି ପ୍ରକାରେ ସାମାଜିକ, ସାଂସ୍କୃତିକ, ଆର୍ଥିକ ଓ ରାଜନୈତିକ ପରିବର୍ତ୍ତନ ସଂଗଠିତ ହୋଇଛି ସେ ସବୁର ଅଗ୍ରଭାଗରେ ଯୌବନଦୀପ୍ତ ଯୁବ ସମାଜର ଅଗ୍ରଭୂମିକାକୁ ଅସ୍ୱୀକାର କରିହେବନାହିଁ । ଭାରତର ଦୀର୍ଘ ଦିନର ସ୍ୱାଧୀନତା ସଂଗ୍ରାମ ସମୟରେ କେତେ ଯେ କେତେ ଯୁବ ଗୋଷ୍ଠୀ ନିଜର ସ୍ୱାର୍ଥୋତ୍ସର୍ଗ କରିଛନ୍ତି ତାହା ଅବର୍ଣ୍ଣନୀୟ । ସେମାନଙ୍କ ଉଦେ୍ଦଶ୍ୟ ଥିଲା ପରାଧୀନତାରୁ ଭାରତମାତାକୁ ମୁକ୍ତି ଦେବା ଏବଂ ପରିଶେଷରେ ସେମାନଙ୍କର ସଂକଳ୍ପ ସିଦ୍ଧ ହେଲା । ସେମାନେ କେଉଁ ପ୍ରକାର ଭାରତ ଚାହୁଁଥିଲେ? ସେମାନେ ଚାହୁଁଥିଲେ ଅପସୃତ ଭାରତୀୟ ସଂସ୍କୃତିର ପୁନରୁଦ୍ଧାର ସହ ଏକ କ୍ଷୁଧାମୁକ୍ତ, ଭୟମୁକ୍ତ, ଦୁର୍ନୀତିମୁକ୍ତ ସ୍ୱାଧୀନ ଭାରତ । ତାହା ଏଯାଏ ସମ୍ଭବ ହୋଇପାରିଛି କି? ସ୍ୱାଧୀନୋତ୍ତର ଭାରତରେ ମଧ୍ୟ ଯେଉଁ ଯେଉଁ ବଡ଼ ବଡ଼ ଆନେ୍ଦାଳନ ମୁଣ୍ଡ ଟେକି ସଫଳ ହୋଇଛି ତାହା ମଧ୍ୟ କେବଳ ଯୁବଗୋଷ୍ଠୀର ପ୍ରତିବାଦ ଦ୍ୱାରା ସମ୍ଭବ ହୋଇପାରିଛି । ସଂପ୍ରତି ଭାରତର ସୁରକ୍ଷା ଓ ପ୍ରଗତିରେ ଯଦି କିଛି ପ୍ରଥମ ଅନ୍ତରାୟ ହୋଇଛି ତାହା ବାହ୍ୟଶକ୍ତି ଦ୍ୱାରା ନୁହେଁ, ତାହା ଆମ ସାମାଜିକ, ପ୍ରଶାସନିକ ଓ ରାଜନୈତିକ ଜୀବନରେ ଦୁର୍ନୀତି । ସଂପ୍ରତି ଦୁର୍ନୀତି ହିଁ ଭାରତୀୟ ଜୀବନର ବଡ଼ ଶତ୍ରୁ ଏବଂ ତାହାରି ପାଖରେ ବନ୍ଧାପଡ଼ିଛି ଆମର ନୈତିକ ଓ ସାମାଜିକ ଜୀବନ । ଏଥିପାଇଁ ଦରକାର ଆଉ ଏକ ଆନ୍ତରିକ ଆନେ୍ଦାଳନ, ଯାହା କେବଳ ଯୁବଶକ୍ତିମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ । କିନ୍ତୁ ପରିତାପର ବିଷୟ ଯେ ଆଜିର ଭାରତୀୟ ଯୁବଗୋଷ୍ଠୀ ବହୁଧା ବିଭକ୍ତ । ବିଭିନ୍ନ ରାଜନୈତିକ ଦଳ ଆପଣାର ଉଦେ୍ଦଶ୍ୟ ଚରିତାର୍ଥ କରିବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କର ଅଦ୍ୟମ ଇଛାଶକ୍ତି, ଦେଶ ପାଇଁ ପ୍ରତିବଦ୍ଧତା, ଭୟହୀନ ନାୟକତ୍ୱକୁ ନଷ୍ଟ କରିଦେଇଛନ୍ତି । ଆଜି ଯଦି ଭାରତ ସମସ୍ତ ରାଜନୈତିକ ବିଚାରର ଊଦ୍ଧ୍ୱର୍କୁ ଯାଇ ଯଦି ଅନ୍ତତଃପକ୍ଷେ ଶହେ କୋଟିରୁ ଊଦ୍ଧ୍ୱର୍ ଭାରତୀୟଙ୍କ ଭିତରୁ ଏକ କୋଟି ଯୁବଗୋଷ୍ଠୀ ଏକାଠି ହୋଇ ଦୁର୍ନୀତି ବିରୋଧରେ ଲଢ଼ନ୍ତେ ତାହାଲେ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ପୁଣି ଫେରି ଆସନ୍ତା ।
କୁରୁକ୍ଷେତ୍ର ରଣାଙ୍ଗନରେ ବିଷାଦଗ୍ରସ୍ତ ଅର୍ଜ୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣ ବୁଝାଇବାକୁ ଯାଇ କହିଥିଲେ, "କ୍ଲୈବ୍ୟଂ ମା ସ୍ୱ ଗମଃ ପାର୍ଥ ନୈତତ୍ତ୍ୱଯୁ୍ୟପପଦ୍ୟତେ । କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତ୍ୱୋତ୍ତିଷ୍ଠ ପରନ୍ତପ । ।' ଶ୍ରୀ ଶ୍ରୀ ଠାକୁରଙ୍କ ଭାଷାରେ "କୌଣସି କିଛିକୁ ବାଦ ଦେଇ କୌଣସିଟିର ମହତ୍ୱ ନାହିଁ । ସମସ୍ତ କିଛିକୁ ଧରି ମଣିଷର ଜୀବନ, ଆଉ ତାହା ଅଖଣ୍ଡ । ଅସ୍ତିତ୍ୱର ଭୌତିକ ସ୍ଥିତିକୁ ବାଦ ଦେଇ ଯଦି ଆଧ୍ୟାତ୍ମିକ ବିକାଶର କଥା ଭାବି ବସୁ, ତାହା ହେଲେ ଆତ୍ମିକ ବିକାଶ ହେବ କାହାକୁ ନେଇ ଏବଂ କାହା ଉପରେ ଛିଡ଼ା ହେଇ? ପୁଣି ଆତ୍ମିକ ବିକାଶର ଦିଗଟାକୁ ବାଦ ଦେଇ ଯଦି କେବଳ ମାତ୍ର ଭୌତିକ ସ୍ଥିତି ଓ ସମୃଦ୍ଧିର କଥାକୁ ବଡ଼ କରି ଦେଖୁ, ତେବେ ତାହା ପ୍ରବୃତ୍ତିର ପ୍ରଭୁତ୍ୱ ଏତେ ପରିମାଣରେ ବଢ଼ିଯିବ ଯେ ତାହା ହିଁ ନିଜର ଓ ଅପରର ବିନାଶର କାରଣ ହୋଇ ଉଠିବ ସମତା ରହିବ ନାହିଁ ।
ମୋ: ୯୪୩୭୦୫୧୯୫୭