ବିଚାରପତିଙ୍କ ସମ୍ପତ୍ତି
decision
ନିଜର ସମ୍ପତ୍ତି ସାର୍ବଜନୀନ କରିବା ପାଇଁ ସୁପ୍ରିମକୋର୍ଟର ସମସ୍ତ ୩୩ଜଣ ବିଚାରପତିଙ୍କ ସର୍ବସମ୍ମତି ନିଷ୍ପତ୍ତି ସାଂପ୍ରତିକ ସମୟରେ କେବଳ ସ୍ୱାଗତଯୋଗ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହା ବିଚାର ବିଭାଗ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ପୁନଃ ପ୍ରତିଷ୍ଠା କରିବାରେ ସହାୟକ ହୋଇପାରିବ । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ବାସଭବନରୁ କୋଟି କୋଟି ଟଙ୍କା ଜବତ ହେବା ପରିପ୍ରେକ୍ଷୀରେ ପ୍ରଧାନବିଚାରପତି ସଂଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମସ୍ତ ବିଚାରପତିମାନଙ୍କର ଏକ ବୈଠକରେ ସର୍ବସମ୍ମତ କ୍ରମେ ଏହି ନିଷ୍ପତ୍ତି ଗୃହୀତ ହୋଇଛି । ବିଚାରପତି ବର୍ମାଙ୍କ ବାସଭବନରୁ ପ୍ରାୟ ୧୫କୋଟି ଟଙ୍କା ଜବତ ହେବା ପରେ ବିଚାର ବିଭାଗର ସ୍ୱଚ୍ଛତା ଓ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଦେଶବ୍ୟାପୀ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ତ୍ୱରିତ ପଦକ୍ଷେପ ସହ ପ୍ରଧାନ ବିଚାରପତି ଖାନ୍ନା ଆଭ୍ୟନ୍ତରୀଣ ତଦନ୍ତ ପାଇଁ ନିଦେ୍ର୍ଦଶ ଦେବା ସହ ତାଙ୍କୁ ତୁରନ୍ତ ଆଲାହାବାଦ ହାଇକୋର୍ଟକୁ ବଦଳି କରିଥିଲେ । ଏହା ବ୍ୟତୀତ ତାଙ୍କୁ କୌଣସି ମାମଲା ବିଚାର କରିବା ପାଇଁ ଦୂରେଇ ରଖିବା ଲାଗି ନିଦେ୍ର୍ଦଶ ଦେଇଥିଲେ । ଏହା ସତ୍ତ୍ୱେ ବିଚାର ବିଭାଗ ତଥା ନ୍ୟାୟାଳୟର ସ୍ୱଚ୍ଛତା, ନିରପେକ୍ଷତା ନେଇ ବିଚାର ବିଭାଗର ଗୁରୁତ୍ୱର ଚାପରେ ରହିଥିଲା ବୋଲି ନିଃସନେ୍ଦହରେ କୁହାଯାଇପାରିବ । ଜନମାନସରେ ନ୍ୟାୟାଳୟର ସ୍ୱଚ୍ଛତା ଓ ନିରପେକ୍ଷତା ନେଇ ଘନୀଭୂତ ହୋଇଥିବା ସନେ୍ଦହ, ଆଶଙ୍କାକୁ ଦୂରୀଭୂତ କରିବା ପାଇଁ ବିଚାରପତିମାନଙ୍କ ସମ୍ପତ୍ତି ଅଦାଲତର ୱେବ-ସାଇଟରେ ସାର୍ବଜନୀନ କରିବା ନିଶ୍ଚିତ ଭାବେ ଏକ ସମୟୋପଯୋଗୀ ପଦକ୍ଷେପ । କିନ୍ତୁ ସୁପ୍ରିମକୋର୍ଟଙ୍କର ବିଚାରପତିମାନଙ୍କର ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ଆମ ଦେଶରେ ନୂଆ ନିଷ୍ପତ୍ତି ନୁହେଁ । ୧୯୯୭ ମସିହାରେ ପ୍ରଥମ ଥର ପାଇଁ ବିଚାରପତିମାନଙ୍କର ସମ୍ପତ୍ତି ତାଲିକା ପ୍ରଧାନ ବିଚାରପତିଙ୍କୁ ପ୍ରତିବର୍ଷ ପ୍ରଦାନ ଲାଗି ସୁପ୍ରିମକୋର୍ଟର ବିଚାରପତିମାନେ ମଧ୍ୟ ମୁଖ୍ୟ ବିଚାରପତିଙ୍କ ନିକଟରେ ସମ୍ପତ୍ତି ତାଲିକା ଦାଖଲ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ପ୍ରସ୍ତାବ ସ୍ୱେଚ୍ଛାକୃତ ଏବଂ ଅତ୍ୟନ୍ତ ଗୋପନୀୟ ଥିଲା । ସମ୍ପତ୍ତି ତାଲିକା ପ୍ରଦାନ ବିଚାରପତିମାନଙ୍କ ପାଇଁ ବାଧ୍ୟତାମୂଳକ ନଥିଲା ଏବଂ ଗୋପନୀୟ ଥିବାରୁ ଜନସାଧାରଣ ଜାଣିବାର କୌଣସି ସୁଯୋଗ ମଧ୍ୟ ନଥିଲା । ସମ୍ପତ୍ତି ତାଲିକା ଅନ୍ଧାରରେ ଥିବାରୁ ଜନସାଧାରଣ ପାଇଁ ଆଦୌ ଉତ୍ତମ ପ୍ରସ୍ତାବ ନଥିଲା । ସେହିପରି ୨୦୦୫ ମସିହାରେ ଦେଶରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରେ ବିଚାରପତିଙ୍କ ସମ୍ପତ୍ତି ଜାଣିବା ନେଇ ଆଶା ସଂଚାର କରିଥିଲା । କିନ୍ତୁ ବୃହତ୍ତର ଜନସ୍ୱାର୍ଥ ନଥିଲେ ବ୍ୟକ୍ତିଗତ ସୂଚନା ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ସୂଚନା ଅଧିକାର ଆଇନରେ ଏକ ବ୍ୟବସ୍ଥା ଥିବାରୁ ବିଚାରପତିମାନଙ୍କ ସମ୍ପତ୍ତି ଜାଣିବା ଅନ୍ଧକାରରେ ରହିଛି । ଏପରି କି ସେମାନେ ସୂଚନା ଆବେଦନକାରୀଙ୍କ ପାଇଁ ଏହି ବ୍ୟବସ୍ଥା ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ନ୍ୟାୟାପଳିକାରେ ସ୍ୱଚ୍ଛତା ପାଇଁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିମାନଙ୍କ ନିଯୁକ୍ତି ଓ ବଦଳି ପାଇଁ କେନ୍ଦ୍ର ସରକାର ୨୦୧୫ରେ ପ୍ରଣୟନ କରିଥିବା ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ । ଆଇନକୁ ଆସାମ୍ବିଧାନିକ ଘୋଷଣା କରି ରଦ୍ଦ କରିବା ପରେ ବିଚାରପତିମାନଙ୍କୁ ଉତ୍ତରଦାୟୀ କରିବା ଲାଗି ସୁପ୍ରିମକୋର୍ଟ ଘୋଷଣା କରିଥିଲେ । ମାତ୍ର ଏବେ ଦୀର୍ଘ ଏକ ଦଶନ୍ଧି ପରେ ଦୁଇଜଣ ବିଚାରପତିଙ୍କ ଆଚରଣ ନେଇ ପ୍ରଶ୍ନ ଉଠିଥିବାବେଳେ ସେମାନଙ୍କୁ ଉତ୍ତରଦାୟିତ୍ୱ କରାଯାଇପାରିନାହିଁ । ଆଲାହାବାଦ ହାଇକୋର୍ଟର ବିଚାରପତି ଶେଖର ଯାଦବଙ୍କ ସାମ୍ପ୍ରଦାୟିକ ମତବାଦ ଏବଂ ବିଚାରପତି ବର୍ମାଙ୍କ ଆର୍ଥôକ ଦୁର୍ନୀତି ଘଟଣାରେ ସେମାନଙ୍କୁ ଉତ୍ତରଦାୟୀ କରିବାରେ ସର୍ବୋଚ୍ଚ ଅଦାଲତ ବିଫଳ ହୋଇଥିବା କୁହାଯାଇପାରେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଲୋକପ୍ରତିନିଧି ଅମଲାତନ୍ତ୍ର ତଥା ସରକାରୀ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ବାଧ୍ୟତାମୂଳକ ହୋଇଥିବାବେଳେ ବିଚାରପତିମାନଙ୍କୁ ଏଥିରୁ ବାଦ୍ ଦିଆଯିବା ଉଚିତ ନୁହେଁ । କାରଣ ବିଚାର ବିଭାଗରେ ଗୌରବ ଏବଂ ଉତ୍ତରଦାୟିତ୍ୱ ଏବେ ବିପଦଗ୍ରସ୍ତ । ବିଚାରପତିମାନଙ୍କ ସମ୍ପତ୍ତି ତାଲିକା ଘୋଷଣା ବାଧ୍ୟତାମୂଳକ କରିବାର ସମୟ ଏବେ ଉପନୀତ । କାରଣ ସୁପ୍ରିମକୋର୍ଟଙ୍କ ସର୍ବସମ୍ମତ ନିଷ୍ପତ୍ତି ଯଥେଷ୍ଟ ନୁହେଁ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩