ଜୟ ହନୁମାନ ଜ୍ଞାନ ଗୁଣ ସାଗର

ଜୟ ହନୁମାନ ଜ୍ଞାନ ଗୁଣ ସାଗର

ଦେବଭୂମି ଭାରତ । ଭାରତୀୟ ସଂସ୍କୃତିରେ ବିଭିନ୍ନ ଦେବ ଦେବୀଙ୍କ ଉପାସନା ପ୍ରଚଳିତ ଏବଂ ଏହି ଦେବଦେବୀଙ୍କ ମଧ୍ୟରେ ହନୁମାନଙ୍କ ଲୋକପ୍ରିୟତା ସର୍ବାଧିକ । ସେ ଏକାଧାରରେ ଜ୍ଞାନୀ, ଗୁଣୀ, ସିଦ୍ଧିଦାତା, ବଳବାନ ଓ ଦୁଷ୍ଟ ବିନାଶକ । ବଜରଙ୍ଗବଲୀଙ୍କ ନାମ ସ୍ମରଣ ମାତ୍ରେ ଘୁଞ୍ଚôଯାଏ ବିପଦ । ଅଞ୍ଜନା ପୁତ୍ର, କେଶରୀ ନନ୍ଦନ, ପବନ ପୁତ୍ର, କପିଶ୍ରେଷ୍ଠ ତାଙ୍କର ଆଉ ଗୋଟିଏ ଗୋଟିଏ ଶ୍ରଦ୍ଧା ପୂର୍ବକ ଉଚ୍ଚାରଣ ହୋଇଥିଲେ ହେଁ ରାମ ଭକ୍ତ ହନୁମାନ ଉଚ୍ଚାରଣରେ ସେ ସନ୍ତୋଷ ଲାଭ କରନ୍ତି । ଚିରଞ୍ଜୀବୀ, ନିତ୍ୟ ପୂଜ୍ୟ ମହାବୀର ହନୁମାନଙ୍କ ଜନ୍ମ ସଂପର୍କରେ ଋକ ବେଦ, ବ୍ରହ୍ମାଣ୍ଡ ଓ ବ୍ରହ୍ମ ବୈବର୍ତ୍ତ ପୁରାଣ, ବାୟୁ ପୁରାଣ, ସ୍କନ୍ଦ ପୁରାଣ, ରାମାୟଣ ଓ ମହାଭାରତାଦି ବିଭିନ୍ନ ଗ୍ରନ୍ଥରେ ବ୍ୟାପକ ବର୍ଣ୍ଣନା ରହିଛି । ସମୁଦ୍ର ମନ୍ଥନ ପରେ ଭଗବାନ ବିଷ୍ଣୁ ଦିବ୍ୟ ମୋହିନୀ ରୂପ ଧରି ଦେବଗଣଙ୍କୁ ଅମୃତ ପରଶୁଥିବା ବେଳେ ତାଙ୍କୁ ନିରୀକ୍ଷଣ କରି ଶିବଙ୍କର ତେଜସ୍ଖଳିତ ହେଲା ।

ଋଷିମାନେ ତାହାକୁ ପତ୍ରପଟୁରେ ସଂଗ୍ରହ କରିଥିଲେ । ବାୟୁଦେବ ସେହି ଶିବତେଜକୁ ନେଇ କେଶରୀଙ୍କ ପତ୍ନୀ ଅଞ୍ଜନାଙ୍କ କର୍ଣ୍ଣ ମାଧ୍ୟମରେ ତାଙ୍କ ଦେହରେ ପ୍ରବେଶ କରାଇଥିଲେ । ଦେବୀ ଅଞ୍ଜନା ମଧ୍ୟ ଶିବଙ୍କୁ ସ୍ତୁତି କରି ବରଦାନ ପାଇଥିଲେ । ଯାହାଫଳରେ ଶିବଙ୍କ ତେଜରୁ ଏକାଦଶ ରୁଦ୍ର ରୂପେ ହନୁମାନଙ୍କ ପରି ସର୍ବଗୁଣ ସମ୍ପନ୍ନ ପୁତ୍ର ଲାଭ ହୋଇଥିଲା । ପୁରାଣରେ ଏହା ମଧ୍ୟ ବର୍ଣ୍ଣିତ ଯେ ଅଞ୍ଜନା ପୂର୍ବଜନ୍ମରେ ପୁଞ୍ଜିକସ୍ଥଳା ନାମ୍ନୀ ଅପ୍ସରା ଥିଲେ ଏବଂ ଋଷି ଅଭିଶାପଗ୍ରସ୍ତା ଥିଲେ । ସେ ଯେତେବେଳେ ମାନବୀ ରୂପ ଧରି ସୁମେରୁ ଶିଖରରେ ବିହାର କରୁଥିଲେ ସେତେବେଳେ ତାଙ୍କ ରୂପ ଲାବଣ୍ୟ ସଂଦର୍ଶନ କରି ବାୟୁଦେବ ମଧ୍ୟ ଆକର୍ଷିତ ହୋଇ କେଶରୀଙ୍କ ଶରୀରରେ ମଧ୍ୟ ପ୍ରବେଶ କରିଥିଲେ । ବାୟୁଶକ୍ତି ବିଲକ୍ଷଣ ଗତିମାନ, ଚପଳ ଓ ଅମାପ ଶକ୍ତିସଂପନ୍ନ ଥିଲେ ହନୁମାନଙ୍କ ପିତା କେଶରୀ । ଆନନ୍ଦ ରାମାୟଣ ଅନୁଯାୟୀ ପୁତ୍ରେଷ୍ଟି ଯଜ୍ଞରେ ଅଗ୍ନିଦେବଙ୍କ ଠାରୁ ତିନୋଟି ପିଣ୍ଡ ଦଶରଥଙ୍କୁ ମିଳିଥିଲା । ସେଗୁଡ଼ିକ ତିନି ରାଣୀଙ୍କୁ ପ୍ରଦାନ କରାଯାଇଥିଲା । କୈକେୟୀ କ୍ରୋଧିତା ଥିବାରୁ ନିଜ ଭାଗ ପିଣ୍ଡଟି ନେଲେ ନାହିଁ । ତାଙ୍କ ଭାଗଟି ପଡ଼ି ରହିଥିବା ବେଳେ ତାହାକୁ ଗୋଟିଲ ଚିଲ ଝାମ୍ପି ନେଇ ଅନ୍ୟତ୍ର ପକାଇ ଦେଇଥିଲା । ଯାହାକୁ ପାଇ ଖାଇବା ପରେ ଅଞ୍ଜନା ଗର୍ଭବତୀ ହୋଇଥିଲେ । ଦୁଇଟି ପିଣ୍ଡ ଖାଇଥିବା ତିନି ରାଣୀଙ୍କ ଗର୍ଭରୁ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଅର୍ଦ୍ଧ ପିଣ୍ଡରୁ ଜନ୍ମ ନେବାବେଳେ ପୂର୍ଣ୍ଣ ପିଣ୍ଡରୁ ଜନ୍ମ ହୋଇଥିଲେ ହନୁମାନ । ହନୁମାନଙ୍କୁ ନେଇ ଅନେକ କଥା କାହାଣୀ ରହିଛି । ପରମବୀର ହନୁମାନ ପ୍ରଭୁ ରାମଚନ୍ଦ୍ରଙ୍କୁ ପ୍ରତିଷ୍ଠା କରିବାକୁ ଯାଇ କୃତକାର୍ଯ୍ୟ ହେଲେ ଓ ନିଜେ ମଧ୍ୟ ଅମର ହେଲେ ।  ଭକ୍ତ ହନୁମାନ ଯୁଦ୍ଧ କରିଛନ୍ତି, ରାଜନୀତି କରିଛନ୍ତି, ଲଙ୍କାପୁରୀ ଜଳାଇ ଦେଇଛନ୍ତି କିନ୍ତୁ ସବୁକିଛି ପ୍ରଭୁ ରାମଚନ୍ଦ୍ରଙ୍କ ସେବା ଓ ପ୍ରୀତି ନିମିତ୍ତ ଉଦ୍ଦିଷ୍ଟ, ଆଉ ଏହା ପାଇଁ ତାଙ୍କ ମନରେ ଅହଂକାର ନାହିଁ ଏବଂ ପ୍ରଭୁଙ୍କର ଶକ୍ତିରେ ଶକ୍ତିମାନ ବୋଲି  ତାଙ୍କର ହୃଦ୍ବୋଧ ଥିଲା । ପ୍ରଭୁ ରାମଚନ୍ଦ୍ରଙ୍କୁ ସୁଖୀ କରିବା, ତାଙ୍କର ମୁହଁରେ ହସ ଫୁଟାଇବା, ତାଙ୍କ ଇଛା ପରିପୂରଣ କରିବା ଛଡ଼ା ଅନ୍ୟ କୌଣସି ଚାହିଦା ଭକ୍ତ ହନୁମାନଙ୍କର ନଥିଲା ।  କୁରୁକ୍ଷେତ୍ର ସମରରେ ଭଗବାନ କ୍ରୀଷ୍ଣ ଭକ୍ତବୀର ଅର୍ଜୁନଙ୍କୁ ଗୀତାର ମାହାତ୍ମ୍ୟ ବୁଝାଇଥିବା ସମୟରେ ଭକ୍ତକୁଳତିଳକ ହନୁମାନ ସେହି ରଥର ଶିଖରରେ ବସିଥିଲେ ଓ ସେହି ରଥକୁ କପିଧ୍ୱଜ କୁହାଯାଏ । ଜୟଶ୍ରୀ ରାମ । ଜୟ ଶ୍ରୀ ହନୁମାନ । 
ଅଜୟ କୁମାର ବେହେରା
ମୋ : ୯୪୩୭୧୦୩୧୨୫୩