ଧାନ ସଂଗ୍ରହ ପାଇଁ ନୂଆ ବ୍ୟବସ୍ଥା, ଏଣିକି ଏଫ୍ଏକୁ୍ୟ ମାନ ଚିହ୍ନଟ କରିବ ଏଆଇ
ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହ ନୀତିକୁ ଆହୁରି ସୁଦୃଢ଼ କରିଛନ୍ତି ରାଜ୍ୟ ସରକାର । ଚଳିତବର୍ଷ ଧାନ ସଂଗ୍ରହକୁ ଆହୁରି ସହଜ ଓ ସୁନିଶ୍ଚିତ କରିବା ପାଇଁ ଏଥିରେ ତିନୋଟି ନୂଆ ବ୍ୟବସ୍ଥା ଆଣିଛନ୍ତି ରାଜ୍ୟ ସରକାର । ତାହା ହେଉଛି, ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ମନ୍ତ୍ରୀଙ୍କୁ ସଂଗ୍ରହଣ କାର୍ଯ୍ୟର ତଦାରଖ, ସମୀକ୍ଷା ଓ ସଂଯୋଜନ କରିବାର ଦାୟିତ୍ୱ ଦିଆଯାଇଛି, ୫୦୦୦ ମେଟ୍ରିକ ଟନରୁ ଅଧିକ ଧାନ କ୍ରୟ କରୁଥିବା ସମସ୍ତ ପିପିସି ପାଇଁ, ଏଫ୍ଏକୁ୍ୟ ମାନର ଶୀଘ୍ର ଚିହ୍ନଟ ଏବଂ କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଆର୍ଏମ୍ସି ଦ୍ୱାରା ଏଆଇ ଆଧାରିତ ଶସ୍ୟ ବିଶ୍ଳେଷଣକାରୀ ଯନ୍ତ୍ର ଉପଲବ୍ଧ କରାଯାଉଅଛି ଏବଂ ୫୦୦୦ ମେଟ୍ରିକ ଟନରୁ କମ କ୍ରୟ କରାଯାଇଥିବା ପିପିସିରେ, ଧାନର ମାନ ନେଇ କୌଣସି ବିବାଦ ଉପୁଜିଲେ, ସମ୍ପୃକ୍ତ ଆର୍ଏମ୍ସି ଗୁଡିକ ଦ୍ୱାରା ପ୍ରସ୍ତୁତ ହୋଇ ରହିଥିବା ଜାନ ମାଧ୍ୟମରେ ଏଆଇ ଆଧାରିତ ଶସ୍ୟ ବିଶ୍ଳେଷଣକାରୀ ଯନ୍ତ୍ର ଉପଲବ୍ଧ କରାଇ ଧାନର ମାନ ନିର୍ଦ୍ଧାରଣ କରିବା ସହ କ୍ରୟ କରିବାକୁ ପଦକ୍ଷେପ ନିଆଯାଇଛି । ବୁଧବାର ଗୃହରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ; ଧାନ ସଂଗ୍ରହ କ୍ଷେତ୍ରରେ ସରକାରଙ୍କ ଚଳିତ ନୀତି କଣ ଓ ଏହା ପୂର୍ବ ନୀତି ଠାରୁ କିପରି ଭିନ୍ନ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ, ଖାଦ୍ୟ ଏବଂ ସଂଗ୍ରହଣ ନୀତିର ଉଦେ୍ଦଶ୍ୟ ହେଉଛି ରାଜ୍ୟର ଚାଷୀମାନଙ୍କଠାରୁ ସରକାରୀ ଘୋଷିତ ଦରରେ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓ ନିର୍ଦ୍ଧାରିତ ଅମଳ ହାରରେ ସମସ୍ତ ବିକ୍ରି ଯୋଗ୍ୟ ଧାନ କ୍ରୟ, ଅବିଳମ୍ବେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । କୃଷି ଓ ଖାଦ୍ୟ ଉତ୍ପାଦନ ନିଦେ୍ର୍ଦଶାଳୟର ପ୍ରଦତ୍ତ ତଥ୍ୟ ଆଧାରରେ ସମସ୍ତ ଜିଲ୍ଲାର ଧାନ ଅମଳ ହାରକୁ ବିଚାରକୁ ନେଇ ଜଳସେଚିତ ଓ ଅଣ-ଜଳସେଚିତ ଜମି ପାଇଁ ଏକର ପ୍ରତି ଧାନ କ୍ରୟର ହାର ଧାର୍ଯ୍ୟ କରାଯାଇଥାଏ । ଚଳିତ ଖରିଫ ଋତୁ ପାଇଁ ଜଳସେଚିତ ଜମିରୁ ଏକର ପ୍ରତି ୧୯ କ୍ୱିଣ୍ଟାଲ ଏବଂ ଅଣ-ଜଳସେଚିତ ଜମିରୁ ୧୩ କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ସ୍ଥିରୀକୃତ ହୋଇଛି ।