ମହାବିଷୁବ ସଂକ୍ରାନ୍ତି

ମହାନ୍ ଉକ୍ରଳ ସଂସ୍କୃତିର ବର୍ଷ ଆରମ୍ଭ ହୁଏ ମହାବିଷୁବ ସଂକ୍ରାନ୍ତିରୁ । ତେଣୁ ଏହି ଦିନକୁ ସମଗ୍ର ଓଡ଼ିଶାର ପୁରପୁଲ୍ଲୀରେ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୁଏ ମେଷ ମାସ ବା ସୌର ବୈଶାଖ ମାସ । ଗଣନା ଅନୁସାରେ ଚଳିତ ବର୍ଷ ପାରମ୍ପରିକ ୧୯୩୭ ଶକାବ୍ଦର ପ୍ରଥମ ଦିବସକୁ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଭାବେ ପାଳନ କରାଯିବ ।
ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ସବୁଠାରୁ ବଡ଼ଦିନ । ଏହି ଦିନ ବସନ୍ତ ଋତୁ ବିଦାୟ ନେବା ସହ ଗ୍ରୀଷ୍ମଋତୁର ଆଗମନ ହୋଇଥାଏ । ମହାବିଷୁବ ସଂକ୍ରାନ୍ତିରେ ପ୍ରତ୍ୟେକ ଓଡ଼ିଆ ପଣା ପାନ କରିବାର ପରମ୍ପରା ରହିଛି । ତେଣୁ ଏହାକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ମହାବିଷୁବ ସଂକ୍ରାନ୍ତି କେବଳ ଓଡ଼ିିଶାର ଜନଜୀବନ ମଧ୍ୟରେ ସୀମିତ ନାହିଁ, ଦେଶବିଦେଶରେ ଏହା ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ପଞ୍ଜାବରେ ବୈଶାଖୀ, ଆସାମରେ ବିହୁ, ମିଥିଳାରେ ଜୁଇର ଶିତଲ, ବଙ୍ଗଳାରେ ନବବର୍ଷ, କର୍ଣ୍ଣାଟକରେ ବିଷୁ ପର୍ବ, କେରଳରେ ବିଷୁ ଏବଂ ତାମିଲନାଡୁରେ ପୁଥାଣ୍ଡୁ ନାମରେ ଏହି ଦିନଟିକୁ ପାଳନ କରାଯାଏ । ଓଡ଼ିଶାରେ ଏହି ଦିନଟିକୁ ଲୋକମାନେ ଧୁମ୍ଧାମ ସହକାରେ ପାଳନ କରିଥାନ୍ତି । ବ୍ରାହ୍ମଣ, ଗରିବ ଲୋକମାନଙ୍କୁ ଏହିଦିନ ଛତୁଆ, ପଣା, ଛତା ଓ ତାଳପତ୍ରରେ ପ୍ରସ୍ତତ ପଙ୍ଖା ଦାନ କରିବାର ପରମ୍ପରା ରହିଛି । ପ୍ରତ୍ୟେକ ହିନ୍ଦୁ ପରିବାରରେ ଏହି ଦିନ ତୁଳସୀ ଚଉରାରେ ମାଟିରେ ତିଆରି ଠେକି ବସାହୁଏ । ଠେକିରେ ସରୁ କଣା କରି ଦୁବ ଲଗାଯାଇଥାଏ । ଚୈତ୍ର ପର୍ବ ନାମରେ ପରିଚିତ ଝାମୁଝାତ୍ରା, ହିଙ୍ଗୁଳା ଯାତ୍ରା ବା ପଟୁଆ ଯାତ୍ରା, ଦଣ୍ଡଯାତ୍ରା, ଉଡା ଯାତ୍ରା ଆଦି ମହାବିଷୁବ ସଂକ୍ରାନ୍ତି ପୂର୍ବରୁ ଶେଷ ହୋଇଥାଏ । ଏହି ଅବସରରେ ଓଡ଼ିଶାର ଛୋଟବଡ଼ ଦେବାଳୟଗୁଡ଼ିକ ଉତ୍ସବମୁଖର ହୋଇଉଠେ । ବିଭିନ୍ନ ସ୍ଥାନରେ ମେଳା, ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । କଟକର କଟକ ଚଣ୍ଡୀ, ଯାଜପୁରର ବିରଜା, ଝଙ୍କଡ଼ର ଶାରଳା, କାକଟପୁରର ମଙ୍ଗଳା, ସମ୍ବଲପୁରର ସମଲେଶ୍ୱରୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ବହୁ ଜନସମାଗମ ହୁଏ । ସେଠାରେ ଝାମୁଯାତ୍ରା ଅନୁଷ୍ଠିତ ହୁଏ । ଉତ୍ତର ଓଡ଼ିଶାରେ ଏହାକୁ ଚଡ଼କ ପର୍ବ ଏବଂ ଦକ୍ଷିଣ ଓଡ଼ିଶାରେ ମେରୁଯାତ୍ରା ବୋଲି କୁହାଯାଏ ।
ନବବର୍ଷକୁ ସ୍ୱାଗତ ଜଣାଇବା ପାଇଁ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ । ପୃଥିବୀର ବିଭିନ୍ନ ସଂସ୍କୃତି ଏବଂ ପରମ୍ପରାଗୁଡ଼ିକ ମଧ୍ୟରେ ଭାରତୀୟ ହିନ୍ଦୁଧର୍ମ, ସଂସ୍କୃତି ଓ ପରମ୍ପରାର ସ୍ଥାନ ସ୍ୱତନ୍ତ୍ର । ସନାତନ ଧର୍ମର ଅବଶିଷ୍ଟାଂଶ ହିଁ ପରବର୍ତ୍ତୀ ସମୟରେ ବା ଆଧୁନିକ ସମାଜରେ ହିନ୍ଦୁଧର୍ମ ନାମ ବହନ କରିଛି । ଏହି ଧର୍ମ ଯାହା କହେ, ତାହା ହିଁ କାର୍ଯ୍ୟରେ ପରିଣତ କରେ । ଏହା ବିଜ୍ଞାନସମ୍ମତ ଭିତ୍ତିଭୂମି ଉପରେ ଆଧାରିତ । ହିନ୍ଦୁ ଧର୍ମରେ ସମସ୍ତ କଳ୍ପନା ହିଁ ବାସ୍ତବ ରୂପ ବହନ କରିଛି । ତେଣୁ କୁହାଯାଇଛି ଯାହା ନାହିଁ ଭାରତେ, ତାହା ନାହିଁ ଜଗତେ । କାଳ୍ପନିକ ମୂର୍ତ୍ତି, ଚିତ୍ରକଳା ଓ ଭାବନା ହିଁ ଈଶ୍ୱର ସତ୍ତାର ଅନୁଭବ ପ୍ରଦାନ କରିଥାଏ । ହିନ୍ଦୁ ଧର୍ମରେ ଥିବା ବାର ରାଶିକୁ ଭିତ୍ତି କରି ଇଂରେଜମାନେ ୧୨ମାସ ଜାନୁୟାରୀ, ଫେବୃଆରୀ ଇତ୍ୟାଦି ନାମକରଣ କରିଛନ୍ତି । ଯେଉଁ ରାଶି ସହିତ ମଧ୍ୟ ରେଖା ଅର୍ଥାତ୍ ବିଷୁବ ରେଖା ସଂଯୁକ୍ତ ହୋଇଥିଲା ସେହି ମାସକୁ ରାଶି ଅନୁସାରେ ନାମିତ କରାଯାଉଥିଲା ଓ ସେହି ରେଖାଯୁକ୍ତ ଦିନଟିକୁ ସଂକ୍ରାନ୍ତି ବା ମାସର ପହିଲା ତଥା ତା'ର ପୂର୍ବଦିନକୁ ମାସନ୍ତ ବା ଗତ ମାସର ଶେଷଦିନ କୁହାଯାଉଥିଲା । ମେଷ ରାଶିରେ ବିଷୁବ ରେଖାର ସଂଯୁକ୍ତ ହେତୁ ବୈଶାଖ ମାସର ସଂକ୍ରାନ୍ତି ଠାରୁ ମେଷ ମାସର ଆରମ୍ଭ ଘଟେ । ଏଣୁ ଏହି ଦିନଟି ବର୍ଷର ପ୍ରଥମ ମାସର ପହିଲା ହୋଇଥିବାରୁ ହିନ୍ଦୁମାନେ ଏହାକୁ ନବବର୍ଷ ଭାବେ ପାଳନ କରନ୍ତି । ବିଦେଶୀମାନେ ଜାନୁଆରୀ ମାସର ପହିଲାକୁ ନବବର୍ଷ ଭାବେ ଗ୍ରହଣ କରି ମଦ, ମାଂସ ଭଳି ତାମସିକ ଖାଦ୍ୟ ଖାଇ ପାଳନ କରୁଥିବା ବେଳେ ହିନ୍ଦୁ ଧର୍ମାବଲମ୍ବୀମାନେ ମେଷ ମାସକୁ ବର୍ଷର ପ୍ରଥମ ମାସ ଓ ବିଷୁବ ସଂକ୍ରାନ୍ତି ଦିନଟିକୁ ପହିଲା ବୋଲି ଭାବି ସାତ୍ତ୍ୱିକତାର ସହିତ ପଣା ସଂକ୍ରାନ୍ତି ନାମରେ ପାଳନ କରିଥାଆନ୍ତି । ଏହି ସଂକ୍ରାନ୍ତି ଦିନ ମେଷ ରାଶିରେ ରବି ଅବସ୍ଥାନ କରୁଥିବାରୁ ଏହାକୁ ମଧ୍ୟ ମେଷ ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି କୁହାଯାଏ ।
ସତ୍ୟ ମହାପାତ୍ର
ମୋ: ୯୬୫୮୧୦୫୫୩୨