ମାଆ ସନ୍ତାନର ପ୍ରଥମ ଶିକ୍ଷକ


mother : ମାଆର ରକ୍ତ ମାଂସରେ ଗଢ଼ା ଏଇ ପାର୍ଥିବ ଶରୀର । ଆମେ ଖାଉଥିବା ଖାଦ୍ୟ, ପିନ୍ଧୁଥିବା ବସ୍ତ୍ର ଏବଂ ଆମର ଏ ସୁନ୍ଦର ଶରୀର ସବୁ ଆମ ପିତାମାତାଙ୍କର ଦାନ । ତେଣୁ ସନ୍ତାନର ପ୍ରଥମ କର୍ତ୍ତବ୍ୟ ହେଲା ମାତାପିତାଙ୍କୁ ଖୁସି ରଖିବା । ସେମାନଙ୍କ ସେବା ଯତ୍ନ କରି ଋଣ ପରିଶୋଧ କରିବାକୁ ଚେଷ୍ଟା କରିବା । ପରିବାରରେ ମାଆର ଅନେକ ଦାୟିତ୍ୱ । ରନ୍ଧାବଢ଼ା, ଅତିଥି ଚର୍ଚ୍ଚା, ଗୃହ ପରିଚାଳନା, ପିଲାର ଯତ୍ନ, ଶାଶୂ ଶ୍ୱଶୁରଙ୍କ ସେବା ଇତ୍ୟାଦି ଇତ୍ୟାଦି । କିନ୍ତୁ ସବୁ ଭିତରେ ସେ ପିଲାଟିକୁ ଆଖିପତା ପରି ଜଗି ରହିଥାଏ । ପିଲାଟି ଧୀରେ ଧୀରେ ବଢ଼ିବାକୁ ଲାଗେ । ତା ସହିତ ତାର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହୁଏ । ପିଲାଟି ତାର ପରିବେଶରୁ ବେଶ ଜଲ୍ଦି ସବୁ କିଛି ଶିଖିବାକୁ ଆରମ୍ଭ କରେ । ଏହି ସମୟରେ ମାଆ ହେଉଛି ତାର ପ୍ରଥମ ଗୁରୁ । ପିଲାଟି ବିଦ୍ୟାଳୟ ଯିବା ପୂର୍ବରୁ ମାଆ ସିଲଟ ଖଡ଼ି ଧରି ଗୋଲ ବୁଲାଇ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମ ଶିଖାଇ ଆଶୀର୍ବାଦ ପ୍ରାପ୍ତ କରାଏ । ଫଳରେ ପିଲାଟି ବିଦ୍ୟା ଲାଭ କରିବା ପୂର୍ବରୁ ଆଧ୍ୟାତ୍ମିକ ଶକ୍ତି ଓ ଈଶ୍ୱରଭକ୍ତି ଲାଭ କରେ । ମାଆ ଉଚ୍ଚ ଶିକ୍ଷିତା ହେବା ଜରୁରି ନୁହେଁ । ମାଆ ସୁଶିକ୍ଷିତା ହେବା ଆବଶ୍ୟକ । ଯାହାଫଳରେ ସେ ପିଲାଟିକୁ ପ୍ରଥମରୁ ଉପଯୁକ୍ତ କରି ଗଢ଼ି ତୋଳି ପାରିବ । ପିଲାର ମନ କଞ୍ଚାମାଟି ପରି ନରମ । ତାକୁ ପ୍ରଥମରୁ ଯେଉଁ ଆକାର ଦେବାକୁ ଚାହିଁବ ସେ ସେହିପରି ହୋଇପାରିବ । ମାଟି ଶୁଖିଗଲେ ଯେପରି ଆଉ ମୂର୍ତ୍ତି ଗଢ଼ି ହୋଇପାରେ ନାହିଁ ପିଲାଟି ଥରେ ବିଗିଡିଗଲେ ତାକୁ ବାଟକୁ ଆଣିବା କଷ୍ଟକର ହୁଏ । ପିଲାଟି ମାଆ ସହିତ ଅଧିକାଂଶ ସମୟ କଟାଏ । ତେଣୁ ମାଆ ଯେପରି ହେବ ପିଲାଟି ତାକୁ ଅନୁସରଣ କରିବ । ତା ଅଜଣାତରେ ସେ ମାଆର ଆଚରଣ କଥାବାର୍ତ୍ତା ଓ ଚାଲିଚଳନ ଅନୁକରଣ କରି ଚାଲିବ । ତେଣୁ ମାଆ ନିଜ ଆଚାର ବ୍ୟବହାରରେ ସତର୍କ ରହିବା ଉଚିତ । କାରଣ ମାଆର ପରିବାର ତଥା ସନ୍ତାନ ପ୍ରତି ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ।
ମାଆ କୋଳ ପିଲାର ପ୍ରାଥମିକ ବିଦ୍ୟାଳୟ । ମାଆ ତା ପିଲାକୁ କୋଳରେ ଶୁଆଇ ନାନାବାୟା ଗୀତ ଗାଇ ସଂଗୀତ ଶିଖାଏ, ଆଙ୍ଗୁଳି ଗଣି ଗଣିତ ଶିଖାଏ, ବିଭିନ୍ନ ଗଳ୍ପ କହି ତା ମାଧ୍ୟମରେ ନୀତିଶିକ୍ଷା ଓ ସାହିତ୍ୟ ଶିକ୍ଷା ଦିଏ, ପୁରାଣ ରାମାୟଣରୁ ଗପ କହି ଧର୍ମ ମାର୍ଗରେ ନେବାକୁ ଚେଷ୍ଟା କରେ । ଗୁରୁ ଗୁରୁଜନ ତଥା ଭଗବାନଙ୍କୁ ଭକ୍ତି କରିବା ଶିକ୍ଷା ଦିଏ ଓ ଏହିପରି ଆହୁରି କେତେ କଣ ଉପଦେଶ ଦେଇ ପିଲାଟିକୁ ବାଲ୍ୟକାଳରୁ ଉପଯୁକ୍ତ କରି ଗଢ଼ି ତୋଳିବାକୁ ପ୍ରୟାସ କରେ । ଜଣେ ସମର୍ପିତା ମାଆ ପିଲାକୁ ଭଲ ମଣିଷଟିଏ କରି ବଢ଼ାଇବାକୁ ଦୃଢ଼ ନିଶ୍ଚିତ ରହେ । ଏଥିପାଇଁ ସେ କୌଣସି ଦୁଃଖ, କଷ୍ଟ, ବାଧାବିଘ୍ନ, ଅଭାବ ଅନାଟନକୁ ଖାତିରି କରେନାହିଁ । କେବଳ ପିଲାର ଉଜ୍ଜଳ ଭବିଷ୍ୟତ ତାର ଲକ୍ଷ୍ୟ ହୋଇଥାଏ । କାରଣ ପିଲାଟି ଉପଯୁକ୍ତ ହେଲେ ତା ପରିବାରର ଭବିଷ୍ୟତ ଉଜ୍ଜ୍ୱଳମୟ ହୁଏ । ଫଳରେ ଦେଶର, ରାଷ୍ଟ୍ରର ତଥା ବିଶ୍ୱର ଉନ୍ନତି ହୁଏ । ତେଣୁ ଜଣେ ଉପଯୁକ୍ତ ମାଆ କେବଳ ପରିବାରର ନୁହେଁ ସେ ମଧ୍ୟ ରାଷ୍ଟ୍ରୀୟ ସମ୍ପତ୍ତି । 
ମାଆ ମାନଙ୍କୁ ସମାଜରେ ସବୁବେଳେ ଶ୍ରେଷ୍ଠସ୍ଥାନ ଦିଆଯାଇଛି । ଆଦି କବି ଶଙ୍କରାଚାର୍ଯ୍ୟଙ୍କ ଭାଷାରେ - "କୁପୁତ୍ର ଜାୟତେ କ୍ୱଚିଦପି, କୁମାତା ନଭବତି ।' ଅର୍ଥାତ୍ ସଂସାରରେ ମନ୍ଦପୁତ୍ର ଜାତ ହୋଇପାରେ ମାତ୍ର ମାଆ କଦାପି ମନ୍ଦ ହୋଇପାରନ୍ତି ନାହିଁ । କାରଣ ମାଆ ସବୁବେଳେ ନିଃସ୍ୱାର୍ଥପର ଭାବରେ ସନ୍ତାନର ଲାଳନ ପାଳନ ତଥା ସେବାଯତ୍ନ କରେ । ସେ ଚାହେଁ ତାର ସନ୍ତାନ ବୁଦ୍ଧିମାନ, ବିଦ୍ୱାନ, ଶାନ୍ତ ସରଳ ଓ ଈଶ୍ୱର ବିଶ୍ୱାସୀ ହେଉ । ସମାଜରେ ତାର ତଥା ପରିବାରର ନାମ ଓ ଯଶ ପ୍ରତିଷ୍ଠା କରୁ । ସେଥିପାଇଁ ସେ ପିଲାଟି ପ୍ରତି ପ୍ରଥମରୁ ଯତ୍ନବାନ ହୁଏ । କଥା କହିଳା ଦିନୁ ଭଲ କଥା କହିବା ଶିଖାଏ, ପାଠ ପଢ଼ିଲା ଦିନୁ ତାର ପାଠପଢ଼ା ପ୍ରତି ଯତ୍ନବାନ ହୁଏ । ଗୁରୁଜନଙ୍କୁ କିପରି ଭକ୍ତି କରିବାକୁ ହୁଏ ଏବଂ ଭବିଷ୍ୟତରେ କିପରି ଉତ୍ତମ ମଣିଷଟିଏ ହେବ ସେଥିପାଇଁ ଭଗବାନଙ୍କ ପାଖରେ ସଦାସର୍ବଦା ଗୁହାରୀ କରୁଥାଏ । ତେଣୁ ମାଆ ଠାରୁ ବଳି ଭଲ ଶିକ୍ଷକ ଓ ପଥପ୍ରଦର୍ଶକ ଆଉ କିଏ ହୋଇପାରେ? ଏଇଠି ଆମେ କେତେ ଜଣ ଆଦର୍ଶମାତାଙ୍କର ଉଦାହରଣ ଦେଇ ପାରିବା । ଶ୍ରୀରାମ ମାତା କୌଶଲ୍ୟାଙ୍କ ଯତ୍ନରେ ସଦାସର୍ବଦା ସତ୍ୟପଥରେ ଚାଲୁଥିଲେ । ଲବ ଓ କୁଶ ମାତା ସୀତାଙ୍କ ତତ୍ତ୍ୱାବଧାନରେ ବିଦ୍ୱାନ ଓ ଶକ୍ତିଶାଳୀ ହୋଇ ପାରିଥିଲେ । ଶିବାଜୀଙ୍କ ବୀରତ୍ୱ ପାଇଁ ମାତା ଜୀଜାବାଈଙ୍କର ପ୍ରେରଣା ଅନ୍ତର୍ନିହିତ । ପୁତୁଲିବାଈଙ୍କ ପ୍ରେରଣାରେ ମୋହନଦାସ ମହାତ୍ମାରେ ପରିଣତ ହୋଇ ପାରିଥିଲେ । ଏହିପରି ଅନେକ ଆଦର୍ଶ ମାତାଙ୍କର ଉଦାହରଣ ଆମ ପୁରାଣ ତଥା ଇତିହାସରେ ବର୍ଣ୍ଣିତ ।
ସମ୍ପ୍ରତି ମାତୃଜାତି ପ୍ରତି କିଛି ଆହ୍ୱାନ ରହିଛି । ପୂର୍ବରୁ ମାଆମାନେ ପିଲାମାନଙ୍କୁ ସକାଳେ ସନ୍ଧ୍ୟାରେ ପ୍ରାର୍ଥନା କରି ପଢ଼ି ବସିବାକୁ ଶିଖାଉଥିଲେ । ଆଜିକାଲି ଅଧିକାଂଶ ମାତା ସେହି ସମୟରେ ପିଲାଙ୍କୁ ପାଠ ପଢ଼ିବାକୁ ବାଧ୍ୟ କରୁଛନ୍ତି କିମ୍ବା ଟିୟୁସନ୍ ପଠାଇ ଦେଇ ନିଶ୍ଚିନ୍ତରେ ରହୁଛନ୍ତି । ଏହାଦ୍ୱାରା ମାଆମାନେ ପିଲା ମାନଙ୍କୁ ପ୍ରକୃତ ଜ୍ଞାନ ପ୍ରଦାନ କରିବା ବଦଳରେ ଗୋଟିଏ ଲେଖାଏଁ ପୁସ୍ତକକୀଟରେ ପରିଣତ କରୁଛନ୍ତି । ସେମାନେ ଜାଣି ରଖିବା ଉଚିତ ଯେ ପିଲାମାନଙ୍କର ନୈତିକତାର ସ୍ଖଳନ ପାଇଁ ସେମାନେ ନିଜେ ହିଁ ଦାୟୀ । ସେମାନେ ନିଜେ ଟେଲିଭିଜନ ଦେଖିବା ବେଳେ ପିଲାମାନଙ୍କୁ ବାରଣ କରିବା କେତେ ଦୂର ଯୁକ୍ତିଯୁକ୍ତ । ତାହା ବିଚାର କରିବା ଉଚିତ । ଆଧୁନିକତାର ଦ୍ୱାହି ଦେଇ ମାଆମାନେ ଅଳୀକ ଭୋଗ ବାସନା ପଛରେ ଧାଇଁ ନିଜର ତଥା ପରିବାରର କ୍ଷତି ସାଧନ କରୁଛନ୍ତି । ତେଣୁ ଏପରି ମାଆମାନେ ପିଲାଙ୍କ ପ୍ରତି ବେଳ ହୁଁ ସାବଧାନ ରହିବା ଉଚିତ୍ ।
ଦେଶର ଉତ୍ତର ପୁରୁଷର ବଂଶଧରଗଣ ଆଜିର ମାତୃଜାତି ଦ୍ୱାରା ଗଠିତ ହେବେ । ଅନ୍ତତଃ ଆଗାମୀ କାଳର ବଂଶଧର ମାନଙ୍କୁ ରକ୍ଷା କରିବା ନିମନ୍ତେ ଆଜିର ମାଆ ମାନଙ୍କୁ ସାବଧାନ ହେବାକୁ ପଡ଼ିବ । ଅତୀତ ହେଉ, ବର୍ତ୍ତମାନ ହେଉ, ଭବିଷ୍ୟତ ହେଉ, ସର୍ବକାଳରେ ମାତୃଜାତି ହିଁ ପ୍ରଗତିର ମେରୁଦଣ୍ଡ । ମନେରଖିବା ଉଚିତ ମାତା ହିଁ ଦିବ୍ୟ ଜନନୀଙ୍କ ମୃର୍ତ୍ତିମୟ ପ୍ରତୀକ ଓ ତା ସନ୍ତାନର ପ୍ରଥମ ଶିକ୍ଷକ । 
ମୋ: ୯୮୬୧୩୫୫୬୨୮