ଅରଣ୍ୟ ଓ ବନ୍ୟପ୍ରାଣୀଙ୍କ ସଂରକ୍ଷଣ
ଅକ୍ଷୟ କୁମାର ରାଉତ : ଘନବନାନୀ ଆଚ୍ଛାଦିତ ନଭଶ୍ଚୁମ୍ବି ପର୍ବତମାଳା, ତରଙ୍ଗଶୋଭିତ ନଦୀସକଳ ହଂସକାରାଣ୍ଡାକାଦି ବିହଙ୍ଗମ ଶୋଭିତ ହ୍ରଦ ଓ ହ୍ରଦ ତୀର, ଶାଳ , ପିଆଶାଳ, ଅଶିନ, ଆମ୍ର, ପଣସ ଆଦି ବୃକ୍ଷ ପରିପୂର୍ଣ ଘଂଚ ଜଙ୍ଗଲ । ପ୍ରକୃତିର ଏକ ସୌନ୍ଦର୍ଯ୍ୟମୟୀ ନୟନାଭିରାମ ଦୃଶ୍ୟ । ଅରଣ୍ୟର ଗୁରୁଗମ୍ଭୀର କାନ୍ତକମନୀୟ, ପରିବେଶ ମନୁଷ୍ୟର ହୃଦୟସ୍ୱର୍ଶୀ ହୋାଇଥାଏ । ଜଙ୍ଗଲ ହିଁ ମନୁଷ୍ୟ ସଭ୍ୟତାର ଜୀବନ । ଏହି ବିଚିତ୍ର ବର୍ଣ୍ଣ ବନଭୂମିରେ ବନ୍ୟ ପଶୁ ପକ୍ଷୀମାନଙ୍କର ଜୀବନଯାପନର ପ୍ରଣାଳୀ ମନୁଷ୍ୟକୁ ପରିତୃପ୍ତ କରିଥାଏ । ସେମାନଙ୍କର ଗୁଞ୍ଜନ, ଗର୍ଜନ, ରାବ ଓ କାକଳିରେ ବନଭୂମିରେ ସୃଷ୍ଟିହୁଏ ଶ୍ରୁତିମଧୁର ଓ ଭୀତଚକିତ ପରିବେଶ । ମହିଷିମାନଙ୍କର ସିଂହ ସହିତ ଲଢେଇ, ବ୍ୟାଘ୍ର ଗଜର ସମର, ବ୍ୟାଘ୍ର ଦେଖି ହରିଣ ଯୂଥର ପଳାୟନ, ମହାବଳ ବାଘ, ଭାଲୁ, ଗଧିଆ, ସରୀସୃପ ଓ ବିଭିନ୍ନ ବନ୍ୟଜନ୍ତୁଙ୍କର ଗତିବିଧି ଦର୍ଶକଙ୍କ ମନକୁ କରେ ପୁଲକିତ । ଚିଡିଆଖାନା ଠାରୁ ମୁକ୍ତ ବନ୍ୟ ପରିବେଶରେ ଥିବା ପଶୁ ପକ୍ଷୀମାନଙ୍କୁ ଦେଖିବାରେ ରହିଛି ଅନେକ ଆନନ୍ଦ । କିନ୍ତୁ ଶିକାରୀ ମାନଙ୍କର ଅହେତୁକ ଶିକାର ପ୍ରିୟତା ଏବଂ ବିଚାରହୀନ ଶିକାର ପ୍ରକ୍ରିୟା ଫଳରେ ବନଭୂମିରୁ ବହୁବିଧ ବନ୍ୟଜନ୍ତୁ ସବଂଶରେ ଲୁପ୍ତ ଓ ନିଶ୍ଚିହ୍ନ ହେବାକୁ ବସିେଲେଣି । ବୃକ୍ଷଲତା, ଗୁଳ୍ମଆଦି,ପଶୁପକ୍ଷୀ, ଜୀବଜନ୍ତୁ ମାନଙ୍କର ଅଭିବୃଦ୍ଧି, ମାନବ ସମାଜର ଅର୍ଥନୈତିକ ଓ ବୈଜ୍ଞାନିକ ପ୍ରଗତିରେ ସହାୟକ ହୋଇଥାଏ । ଅସଂଖ୍ୟ ବନ୍ୟଜନ୍ତୁଙ୍କର ବିଭିନ୍ନ ଅଙ୍ଗ ମନୁଷ୍ୟର ଔଷଧ ଆଦି ପ୍ରସ୍ତୁତିରେ ବିଶେଷ ଭାବରେ ବ୍ୟବହୃତ ହୁଏ । ବନ ମଧ୍ୟରେ ଏକ ଶ୍ରେଣୀର ଶ୍ୱାନ ରହିଛନ୍ତି, ଯେଉଁମାନେ କି ଜଙ୍ଗଲ ମଧ୍ୟରେ ମନୁଷ୍ୟକୁ ବାଟ ଦେଖାଇଥାଆନ୍ତି । ଶିକାରୀ ମାନଙ୍କର ଅତ୍ୟାଚାରରୁ ବନ୍ୟଜନ୍ତୁଙ୍କୁ ରକ୍ଷା କରିବା ଲାଗି ଏବେ ଠାରୁ ସତର୍କ ନହେଲେ ମନୁଷ୍ୟ ସମାଜ ଏକ ଅମୂଲ୍ୟ ମହାସମ୍ପଦ ହରାଇ ବସିବ । ବନ୍ୟ ପ୍ରାଣୀମାନଙ୍କର ସୁରକ୍ଷା ପାଇଁ ୧୯୭୨ ମସିହାରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ପ୍ରଣୀତ ହେଉଅଛି । ବନ୍ୟଜନ୍ତୁ ସଂରକ୍ଷଣ ନିମିତ ଭାରତ ବର୍ଷରେ ୧୦୪ ଟି ଜାତୀୟ ଉଦ୍ୟାନ ତାର ଆୟତନ ୪୩.୭୧୬ ବର୍ଗ କିମି ଓ ୫୬୬ ଟି ଅଭୟାରଣୟ ଯାହାର କ୍ଷେତ୍ରଫଳ ୧୨୨୪୨୦ ବର୍ଗ କିମି ଅଟେ । ସମୟ କ୍ରମେ ଏସବୁର ବୃଦ୍ଧି ଘଟୁଛି । ଓଡ଼ିଶାର ୨ଟି ଜାତୀୟ ଉଦ୍ୟାନ ଥିବା ବେଳେ ମଧ୍ୟପ୍ରଦେଶରେ ୧୧ଟି ଓ ପଞ୍ଜାବରେ ଜାତୀୟ ଉଦ୍ୟାନ ନାହିଁ । ଓଡ଼ିଶାରେ ୧୯ ଟି ଅଭୟାରଣ୍ୟ ଥିବାବେଳେ ମହାରାଷ୍ଟ୍ରରେ ୪୮ଟି ଅଭୟାରଣ୍ୟ ଅଛି । ବ୍ୟାଘ୍ରଙ୍କ ସଂଖ୍ୟା ପ୍ରାୟ ୨୯୬୭ଟି ଥିଲାବେଳେ ହାତୀମାନଙ୍କ ସଂଖ୍ୟା ୨୭୩୧୨, ସେହିପରି ଭାରତ ବର୍ଷରେ ସିଂହମାନଙ୍କ ସଂଖ୍ୟା ପ୍ରାୟ ୬୭୪ଟି । ଓଡ଼ିଶାରେ ହାତୀ ସଂରକ୍ଷଣ ପାଇଁ ମୟୁରଭଞ୍ଜ, ମହାନଦୀ ସମ୍ବଲପୁର ଓ ଚନ୍ଦକାରେ ହାତୀ ଅଭୟାରଣ୍ୟ ରହିଛି ।କେନ୍ଦ୍ର ସରକାର ବନ୍ୟଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ‘ଦ ଇଣ୍ଡିଆନ ବୋର୍ଡ ଫର ୱାଇଲ୍ଡ ଲାଇଫ’ ନାମକ ଏକ ସଂଗଠନ ପ୍ରତିଷ୍ଠା କରିଛନ୍ତି । ବନ୍ୟଜନ୍ତୁ ସଂରକ୍ଷଣ ବିଷୟରେ ଜନସାଧାରଙ୍କୁ ସଚେତନତା ପାଇଁ ବନ୍ୟଜନ୍ତୁ ସଂରକ୍ଷଣ ସପ୍ତାହ ବା ପଶୁ କଲ୍ୟାଣ ଦିବସ ଅକ୍ଟୋବର ମାସ ୪ ତାରିଖରେ ପାଳନ କରାଯାଇଥାଏ । ଗାନ୍ଧୀ ଜୟନ୍ତୀରୁ ଏହି ବନ୍ୟ ଜନ୍ତୁ ସପ୍ତାହ ପାଳନ କରାଯାଏ । ଭାରତ ବର୍ଷରେ ବିଭିନ୍ନ ରାଜ୍ୟରେ ବନ୍ୟଜନ୍ତୁ ସରଂକ୍ଷଣର ବହୁ ଆଦର୍ଶ କେନ୍ଦ୍ର ରହିଛି । ସେଗୁଡିକ ହେଉଛି ବଳୀପୁର ଅଭୟାରଣ୍ୟ, ଚନ୍ଦ୍ରପ୍ରଭା ଅଭୟାରଣ୍ୟ, ଗୁଜୁରାଟର ଗିରି ବନଭୂମି, ବଙ୍ଗରାଜ୍ୟର ବଳଦପଡ଼ା ଅଭୟାରଣ୍ୟ, ହିମାଳୟ ନିକଟବର୍ତ୍ତୀ କର୍ବେଟ୍ ଜାତୀୟ ଉଦ୍ୟାନ, ଦରଚିଗ୍ରାମ ଅଭୟାରଣ୍ୟ, ଜବଲପୁର ଠାରୁ ପ୍ରାୟ ଶହେ ମାଇଲ ଦୂରରେ ଥିବା କାହ୍ନା ଜାତୀୟ ଉଦ୍ୟାନ, ଆସାମର କାଜିରଙ୍ଗ ଅଭୟାରଣ୍ୟ, ମାନସ ଅଭୟାରଣ୍ୟ ଭରତପୁରଠାରେ ଥିବା କେଜି ଅଭୟାରଣ୍ୟ, ମାନ୍ଦ୍ରାଜର ମୃଦୁମଲାଇ ଅଭୟାରଣ୍ୟ, ମଧ୍ୟପ୍ରଦେଶରେ ଥିବା ଶିବପୁର ଜାତୀୟ ଉଦ୍ୟାନ, କେରଳରେ ପେରିଅର ଅଭୟାରଣ୍ୟ, ସିରିସ୍ ଅଭୟାରଣ୍ୟ, ମାନ୍ଦ୍ରାଜରେ ଥିବା ବେଦାନ୍ତ ପଶୁପକ୍ଷୀ ଅଭୟାରଣ୍ୟ, ରାଜାଜୀ ଅଭୟାରଣ୍ୟ, ଶିଓଲିକ୍ ଗିରିମାଳାରେ ଅବସ୍ଥିତ । ଭାରତର ଅରଣ୍ୟମାନଙ୍କରେ ବିଭିନ୍ନ ପ୍ରକାର ବନ୍ୟ ପଶୁ ଓ ପକ୍ଷୀ ଦେଖାଯାଆନ୍ତି । ସେ ଗୁଡିକ ମଧ୍ୟରେ ସିଂହ, ବାଘ, ହାତୀ, ଭାଲୁ, ଗଣ୍ଡା, ଗୟଳ, ବାରହା, ମାଙ୍କଡ, କୋକିଶିଆଳି, ଗଧିଆ, ବିଲୁଆ, ହରିଣ, ସମ୍ବର, ଚିତାବାଘ ଓ ବିଭିନ୍ନ ଜାତିର ସରୀସୃପ, ସାପ,କୁମ୍ଭୀର , ମୟୂର, ଶୁଆଶାରୀ, ଚିଲ, ଛଂଚାଣ, ପେଚା, କୋଚିଳାଖାଇ ଆଦି ଦେଖାଯାଆନ୍ତି । ସେଥିପାଇଁ ୧୯୮୩ ମସିହାରେ କେନ୍ଦ୍ର ସରକାର ‘ନ୍ୟାସନାଲ ୱାଇଲଡ୍ ଆକ୍ସନ ପ୍ଲାନ୍ ’ ଯୋଜନା କାର୍ଯ୍ୟକାରୀ କରୁଅଛନ୍ତି । ସରକାରଙ୍କ କଠୋର ଆଇନ ଗତ ପଦକ୍ଷେପ ବନ କର୍ମଚାରୀମାନଙ୍କର ସାଧୁତା ଓ ନିଷ୍ଠାପର କର୍ତ୍ତବ୍ୟ ପରାୟଣତା ଯୋଗୁ ପ୍ରାକୃତିକ ସମ୍ପଦର ସୁରକ୍ଷା ହୋଇ ପାରିବ ।
ମିଳିମିଶି କଲେ ପ୍ରାଣୀ ସୁରକ୍ଷା
ମନୁଷ୍ୟ ସମାଜ ହୋଇବ ରକ୍ଷା ।
ପଙ୍କପାଳ, ବଣିକୁନ୍ଦ,ଜଗତ୍ସିଂହପୁର
ମୋ.- ୯୯୩୭୬୯୧୪୭୫