ସାନ୍ତାଳୀ ଭାଷାର ଉତ୍ପତ୍ତି ଓ କ୍ରମବିକାଶ
ଶିକ୍ଷାବିତ୍, ସମାଜସଂସ୍କାରକ, ସ୍ୱଭାଷାପ୍ରେମୀ ପଣ୍ଡିତ ରଘୁନାଥ ମୁର୍ମୁ ୧୯୦୫ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିକଟବର୍ତ୍ତୀ ଦାଣ୍ଡବୋଷଠାରେ ଜନ୍ମଗ୍ରହଣ କରିଥିଲେ । ଛାତ୍ରାବସ୍ଥାରୁ ସେ ନିଜର କଥିତ ସାନ୍ତାଳୀଭାଷାକୁ ଲୋକପ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ମାତ୍ର ୨୦ବର୍ଷ ବୟସରଙ୍କ ୧୯୨୫ ମସିହାରେ ସେ ସାନ୍ତାଳୀ ଭାଷା ପାଇଁ ପ୍ରସ୍ତୁତି କରିଥିଲେ ‘ଅଲ୍ଚିକି ଲିପି’ । ସେ ୧୯୩୩ ମସିହାରେ ବଡ଼ାମତଳିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରୁଥିବା ସମୟରୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ସମୟରେ ଅନେକାଂଶବେଳେ ଅଲଚିକ୍ ଲିପି ବ୍ୟବହାର କରିଥିଲେ । ୧୯୩୬ ମସିହାରେ ଅଲଚିକ୍ ଲିପିରେ ସେ ସର୍ବପ୍ରଥମେ ‘ହର୍ସେରେଙ୍ଗ’ ନାମକ ଏକ ପୁସ୍ତକ ରଚନା କରିଥିଲେ । ୧୯୪୨ ମସିହାରେ ସେହି ସାନ୍ତାଳୀ ଭାଷା ଅଲଚିକ୍ ଲିପିରେ ‘ବିନ୍ଦୁ ଚାନ୍ଦାନ’ ନାମକ ଏକ ନାଟକ ପୁସ୍ତକ ରଚନା କରିଥିଲେ । ଏଥି ସହିତ ସେ ଅନେକ ଲୋକପ୍ରିୟ ଲେଖା ସାନ୍ତାଳି ଭାଷାରେ ରଚନା କରି ଛାତ୍ରଛାତ୍ରୀମାନଙ୍କୁ ଜାଣିବା ପାଇଁ ସାନ୍ତାଳୀ ଭାଷା ଶିକ୍ଷା ଦେଉଥିଲେ । ୧୯୪୨ ମସିହା ସ୍ୱଦେଶୀ ଆନେ୍ଦାଳନ ଏବଂ ୧୯୪୭ ମସିହା ସ୍ୱାଧୀନତା ପରେ ତାଙ୍କ ବନ୍ଧୁ ସାଧୁ ଚରଣ ମୁର୍ମୁଙ୍କ ସହ ମିଶି ଅଲ୍ଚିକ୍ ଭାଷାର ପ୍ରସାର ପ୍ରଚାର କରିବାରେ ଲାଗିପଡ଼ିଲେ ।
ଧୀରେ ଧୀରେ ଅଲ୍ଚିକ୍ ଲିପି ସାନ୍ତାଳୀ ସଭ୍ୟତାରେ ଆଦୃତି ଲାଭ କଲା । ବହୁ ଚେଷ୍ଟା ଏବଂ ଉଦ୍ୟମ ଫଳରେ ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ମିଳିପାରିଲା ନାହିଁ । ଜୀବନତମାମ ଭାଷା ଓ ଲିପିର ସାମ୍ବିଧାନିକ ସ୍ୱୀକୃତି ପାଇଁ ଲଢ଼ି ଲଢ଼ି ଶେଷରେ ୧୯୮୨ ମସିହା ଫେବୃୟାରୀ ମାସ ୧ ତାରିଖ ଦିନ ସେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ । ହେଲେ ସାନ୍ତାଳୀ ଭାଷା ଓ ଲିପିର ଜନକ ପଣ୍ଡିତ ରଘୁନାଥ ମୁର୍ମୁ ସିନା ଚାଲିଗଲେ, ସେ ଛାଡ଼ିଯାଇଥିବା ଭାଷାର ସୂତ୍ର ବା ମଞ୍ଜି ସାନ୍ତାଳି ସଭ୍ୟତାରେ ଆଲୋଡ଼ିତ ହେଲା । ଦୀର୍ଘ ୩୦ବର୍ଷ ପରେ ଅର୍ଥାତ୍ ୨୦୧୨ ମସିହା ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ମର୍ଯ୍ୟାଦା ଦେବା ପାଇଁ ସାନ୍ତାଳୀ ଜନଜାତି ଏକତ୍ରିତ ହେଲେ । ଏହାର ନେତୃତ୍ୱ ନେଇଥିଲେ ବର୍ତ୍ତମାନର ରାଷ୍ଟ୍ରପତି ‘ଦ୍ରୌପଦୀ ମୁର୍ମୁ ।’ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜର୍ଷି ଅଟଳ ବିହାରୀ ବାଜପେୟୀ ଦୌପଦୀ ମୁର୍ମୁଙ୍କଠାରୁ ସାନ୍ତାଳୀ ଭାଷାର ଲିପି ସ୍ୱହସ୍ତରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଓ ତାକୁ ସ୍ୱୀକୃତି ଦେବାପାଇଁ ସଂସଦକୁ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୭ ମସିହା ଫେବୃୟାରୀ ମାସରୁ ଏହି ପ୍ରକ୍ରିୟା ଧୀରେ ଧୀରେ ବଳବତ୍ତର ହେବାକୁ ଲାଗିଲା । ସେଥିପାଇଁ ଭାରତ ସହିତ ଦକ୍ଷିଣ ଏସିଆର ବଙ୍ଗଳାଦେଶ, ଭୁଟାନ୍ ଏବଂ ନେପାଳ ଆଦି ଦେଶମାନଙ୍କରେ ବୈଠକ ବସି ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦେବାପାଇଁ ପ୍ରୟାସ ଜାରି ରଖିଲେ । ଦକ୍ଷିଣ ଏସିଆର ଦେଶମାନଙ୍କରେ ପ୍ରାୟ ୭.୪ ନିୟୁତ ଲୋକ ସାନ୍ତାଳୀ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି ।
ସାନ୍ତାଳୀ ଭାଷା ହେଉଛି ‘ମୁଣ୍ଡା ଭାଷା’ ସମୂହର ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଭାଷା । ୨୦୧୭ ମସିହା ସେପ୍ଟେମ୍ବର ମାସରେ ବଙ୍ଗଳା ଦେଶ ଢାକାଠାରେ ସାନ୍ତାଳିଭାଷାକୁ ସ୍ୱୀକୃତି ଦେବା ପାଇଁ ଏକ ବୈଠକ ଆୟୋଜିତ ହୋଇଥିଲା । ସେହି ବର୍ଷ ଡିସେମ୍ବର ମାସ ୩୦ତାରିଖ ମଧ୍ୟ ସାନ୍ତାଳି ଭାଷାଭାଷୀ ଲୋକମାନଙ୍କୁ ନେଇ ଏକ ଧର୍ମଶାଳା ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କୁ ବାରମ୍ବାର ଦାବିପତ୍ର ଦିଆଯାଉଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନ ଥିଲା । ୨୦୧୮ ମାର୍ଚ୍ଚ ୧୧ ତାରିଖ ଦିନ ଓଡ଼ିଶାର ସାନ୍ତାଳୀ ଭାଷା ସମ୍ପ୍ରଦାୟ ଏକ କର୍ମଶାଳା ଆୟୋଜନ କରି ତା’ର ଏକ ବୃହତ ଦାବି ପତ୍ର ସାମ୍ବିଧାନିକ ସ୍ୱୀକୃତି ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଲିଖିତ ଜଣାଇଥିଲେ । ସେହିବର୍ଷ ଅର୍ଥାତ୍ ୨୦୧୮ ଜୁନ୍ ୨୮ତାରିଖ ଦିନ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଫଳରେ ଉଇକିପିଡିଆ ଭାଷା କମିଟି ସାନ୍ତାଳୀ ଭାଷା ଉଇକିପିଡିଆକୁ ଅନୁମୋଦନ କରିଥିଲା । ସାନ୍ତାଳୀ ଭାଷାର ନିଜସ୍ୱ ବର୍ଣ୍ଣମାଳା ‘ଅଲ୍ଚିକି’ ଉଇକିମିଡିଆର ବର୍ଣ୍ଣମାଳା ଭାବରେ ବ୍ୟବହୃତ ହୋଇଅଛି ।
ପଣ୍ଡିତ ଦୈତ୍ୟାରି ମହାପାତ୍ର
ଭଦ୍ରକ,ମୋ-୮୭୬୩୫୪୮୨୦୮