ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ

ପ୍ରବାଦପୁରୁଷ କହିଲେ ଯଥେଷ୍ଟ ହେବ ନାହିଁ । ଝଡ଼ର ଇଗଲ ଓ ମାଟିର ମୂର୍ତ୍ତିକାର ବି ପର୍ଯ୍ୟାପ୍ତ ନୁହେଁ ତାଙ୍କୁ ସାମଗ୍ରିକ ଭାବେ ଚିତ୍ରିତ କରିବାରେ । ଜୀବନ ସାରା ନଜିର ପରେ ନଜିର ସୃଷ୍ଟି କରିବାରେ ହିଁ ତାଙ୍କର ରେକର୍ଡ଼ । ଜୀବଦ୍ଦଶାରେ ଯିଏ ସୃଷ୍ଟି କରିଥିଲେ ରାଜନୀତିରେ ଚହଳ ପରେ ଚହଳ, ମୃତୁ୍ୟର ୨୩ ବର୍ଷ ପରେ ବି ସେଇ ପ୍ରବାଦପୁରୁଷ ପାଲଟିଛନ୍ତି ସମସ୍ତଙ୍କର କେନ୍ଦ୍ରବିନ୍ଦୁ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷକୁ ଶୋକାକୁଳ କରିଦେଇଥିଲା ତାଙ୍କରି ବିୟୋଗ । ନବୀନ ନିବାସରୁ ସ୍ୱର୍ଗଦ୍ୱାର ଅଗଣିତ ଶୋକାକୁଳ ଜନତାର ଅଭିନବ ଶୋଭାଯାତ୍ରା, ଲୁହ ଆଉ କୋହର ଏକ ମର୍ମଭେଦୀ ଉଚ୍ଛ୍ୱାସ୍ । ଏହି ଯାତ୍ରାର ମହାନାୟକ ଥିଲେ ସେ । ସେ ହେଉଛନ୍ତି ବିଜୟାନନ୍ଦ ପଟ୍ଟନାୟକ - ସବୁରି ପ୍ରିୟ ବିଜୁ ପଟ୍ଟନାୟକ । ଆମ ବିଜୁବାବୁ ।
ବିଜୁ ପଟ୍ଟନାୟକ - କାହିଁ କେହିତ କୁହନ୍ତି ନାହିଁ ବିଜୟାନନ୍ଦ ପଟ୍ଟନାୟକ । ଏତେ ଲୋକପ୍ରିୟତା କାହିଁକି ଏହି ନାଁରେ । ନାଁଟିକୁ କହିଦେଲେ ମନରେ ହୃତ୍କମ୍ପ ସୃଷ୍ଟି ହୁଏ । ବଙ୍କିମ୍ ଚନ୍ଦ୍ରଙ୍କ ‘ବନେ୍ଦମାତରଂ’, ସୁଭାଷ ବୋଷଙ୍କ ‘ଜୟହିନ୍ଦ’, କହିବା ପରି ଏକ ସ୍ୱରରେ ବିଜୁ ପଟ୍ଟନାୟକ ନାଁଟି କହିଦେଲେ ମନରେ କାହିଁକି ଉନ୍ମାଦନା ଆସେ । ସତେ ଯେମିତି ଓଡ଼ିଆ ସହିତ ବିଜୁ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ସହିତ ଓଡ଼ିଆ ଏକାକାର ହୋଇଯାଇଛନ୍ତି । ବିଜୁପଟ୍ଟନାୟକ ଏକାଧାରରେ ଥିଲେ ଜଣେ ବିଶିଷ୍ଟ ରାଜନୀତିଜ୍ଞ, ଦୁଃସାହସିକ ବୈମାନିକ, ଦୂରଦର୍ଶୀ ଶିଳ୍ପପତି, ଉଚ୍ଚକୋଟୀର କ୍ରୀଡାବିତ୍, ଦକ୍ଷକ୍ରୀଡା ସଙ୍ଗଠକ, ଦେଶଭକ୍ତ ସଂଗ୍ରାମୀ, ଓଡିଶା ଏବଂ ଭାରତର ଜଣେ ଅଦ୍ୱିତୀୟ ନେତା । ଜୀବନ ସଂଗ୍ରାମରେ ସେ କେବେ ଭାଙ୍ଗିପଡୁ ନଥିଲେ ଜୟ-ପରାଜୟ ଭିତରେ ଓ ସବୁକୁ ଖେଳୁଆଡ ମନୋଭାବରେ ଗ୍ରହଣ କରୁଥିଲେ । ସେ କଦାପି ଏଣୁ ତେଣୁ କଥା କହୁନଥିଲେ । ଯାହା ସେ ଥରେ ଚିନ୍ତା କରୁଥିଲେ , ତାକୁ କାମରେ କରି ଦେଖାଉଥିଲେ । ଏହାହିଁ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ।
ରାଜନୀତି କ୍ଷେତ୍ରରେ ବିଜୁପଟ୍ଟନାୟକ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ୧୯୪୭ ରୁ ୧୯୯୭ ପର୍ଯ୍ୟନ୍ତ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଓଡିଶାର ତଥା ବିଭିନ୍ନ ସମୟରେ ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲେ । ୧୯୬୧ରୁ ୧୯୬୩ ମସିହା ପର୍ଯ୍ୟନ୍ତ ସେ ଓଡିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ଆରମ୍ଭ କରିଥିଲେ ନିର୍ମାଣ ଯୁଗ । ପାରାଦ୍ୱୀପ ବନ୍ଦର ଏକ୍ସପ୍ରେସ୍ ହାଇୱେ, ସୁନାବେଡା ମିଗ୍ ବିମାନ କାରଖାନା, ବାଲିମେଳା ଡ୍ୟାମ ଓ ବରଗଡ ସିମେଣ୍ଟ କାରଖାନା ନିର୍ମାଣ କରି ସେ ନବ ଓଡ଼ିଶାର ଗଠନ ପ୍ରକ୍ରିୟା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସହଯୋଗରେ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ରାଉଲକେଲା ଇଞ୍ଜିନିୟରିଙ୍ଗ କଲେଜ, ସୈନିକ ସ୍କୁଲ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଓ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇ ଓଡ଼ିଶାରେ ବୈଷୟିକ ଓ ଯାନ୍ତ୍ରିକଶିକ୍ଷା କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା । ୧୯୯୦ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଦ୍ୱିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଆରମ୍ଭ କରିଥିଲେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା । ପ୍ରଶାସନକୁ ଲୋକାଭିମୁଖୀ କରିବା ଉଦେ୍ଦଶ୍ୟରେ ସେ ୧୩ ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ । ଏହା ତାଙ୍କ ପାରିବାପଣିଆର ଏକ ନମୁନା ଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଥିବା ବେଳେ ଏକ ଟଙ୍କା ଦରମା ନେଇ ସେ ନିଆରା ବ୍ୟକ୍ତିତ୍ୱର ପ୍ରମାଣ ଦେଇଥିଲେ । ପୁଣି ରିକ୍ସାରେ ବସି ବା କେବେ ସାଇକେଲ ଚଢ଼ି ସେ ସଚିବାଳୟକୁ ଆସି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଥିଲେ ।
ବିଜୁପଟ୍ଟନାୟକ ଜଣେ ଦକ୍ଷ ଓ ଦୁଃସାହସିକ ବୈମାନିକ ଥିଲେ । ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ନିଜ ଜୀବନକୁ ପାଣି ଛଡାଇ ଡଚ୍ ସେନାବାହିନୀ ଦ୍ୱାରା କବଳିତ ଇଣ୍ଡୋନେସିଆର ତକ୍ରାଳୀନ ରାଷ୍ଟ୍ରପତି ସୁକର୍ଣ୍ଣ, ପ୍ରଧାନମନ୍ତ୍ରୀ ଶାହାରିଆର ଓ ଉପ-ରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଦିଲ୍ଲୀକୁ ବିମାନ ଯୋଗେ ନେଇ ଆସିଥିଲେ । ନିଜର କୃତଜ୍ଞତା ଜଣାଇବାକୁ ଯାଇ ରାଷ୍ଟ୍ରପତି ସୁକର୍ଣ୍ଣ ତାଙ୍କୁ ପ୍ରାୟ ୫୦୦କୋଟି ଟଙ୍କାର ଉପହାର ପ୍ରଦାନ କରିଥିଲେ । ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ଭୂମିପୁତ୍ର ଉପାଧି ମଧ୍ୟ ତାଙ୍କୁ ମିଳିଥିଲା । ମାତ୍ର ସେହି ସବୁ ଉପହାର ଫେରାଇ ଦେଇଥିଲେ ସେ ଏବଂ କହିଥିଲେ ଭାରତୀୟ କିଛି ନିଏ ନାହିଁ । ସତରେ ଏପରି ବଦାନ୍ୟତା ପୃଥିବୀ ଇତିହାସରେ ବିରଳ । ତାଙ୍କର ଏହି କାମ ପାଇଁ ଇଣ୍ଡୋନେସିଆ ନିକଟରେ ଭାରତ ମହାନ ହୋଇ ରହିଲା ।
ଛାତ୍ରାବସ୍ଥାରେ କଟକରୁ ପେଶାୱାର ସାଇକେଲରେ ଯିବା, ପୋଲିସ୍ କର୍ଡନ୍ ଭାଙ୍ଗି ଗାନ୍ଧିଙ୍କୁ ଦେଖିବାପାଇଁ ଯିବାବେଳେ ପୋଲିସ ଏସ୍.ପି.ହାରଗ୍ରୀଭ୍ଙ୍କଠାରୁ ଲାଠିମାଡ ଖାଇବା ଘଟଣା ତାଙ୍କ ଦୁଃସାହସିକତାର ନମୁନା ମାତ୍ର । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବଡଲାଟ୍ ୱାଭେଲ୍ଙ୍କ ପାଇଲଟ୍ ଥାଇ ସୁଦ୍ଧା ପୋଲିସ ଆଖିରେ ଧୂଳି ଦେଇ ଜୟପ୍ରକାଶ ନାରାୟଣ , ଅରୁଣା ଆଶଫ୍ଅଲ୍ଲୀ ଓ ରାମମନୋହର ଲୋହିଆଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ତାଙ୍କ ଦୁଃସାହସିକତାର ଆଉ ଏକ ପରିଚୟ ।ଏଥିପାଇଁ ତାଙ୍କୁ କାରାବରଣ କରିବାକୁ ପଡିଛି ସତ ମାତ୍ର ଦେଶପାଇଁ ହସି ହସି କାରବରଣ କରିଛନ୍ତି ସେ । ସେହିପରି ୧୯୬୨ ରେ ଚୀନ୍ ଭାରତ ଆକ୍ରମଣ କରିବା ସମୟରେ ସେନାମାନଙ୍କୁ ସହାୟତା କରିବାରେ ତାଙ୍କର ଅବଦାନକୁ ଅସ୍ୱୀକାର କରାଯାଇନପାରେ ।
ଜଣେ ଓଡିଆ ଭାବେ ନିଜକୁ ପରିଚୟ ଦେଇ ସେ ଗର୍ବ ଅନୁଭବ କରିଥିଲେ । ସେ ଜାଣିଥିଲେ -କଳିଙ୍ଗାଃ ସାହସିକାଃ । ସେଥିପାଇଁ ସେ କଳିଙ୍ଗ ଏୟାରଲାଇନ୍ସ, କଳିଙ୍ଗ ଟାଇଲ୍୍ସ ଓ କଳିଙ୍ଗପୁରସ୍କାର ଆଦି ପ୍ରତିଷ୍ଠା କରିଥିଲେ । ଏହି କଳିଙ୍ଗ ପୁରସ୍କାର ଓଡିଶାକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ । ବାସ୍ତବିକ୍ ମଧୁବାବୁଙ୍କ ପରେ ଓଡିଆର ଟେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ସେ ହିଁ ଥିଲେ ଦ୍ୱିତୀୟ ବ୍ୟକ୍ତି । ଜୀବନ ଦୀପ ନିର୍ବାପିତ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ କେବଳ ଓଡିଆଙ୍କ କଥା ଚିନ୍ତା କରୁଥିଲେ । ଯୁବପିଢିଙ୍କୁ ସେ ସର୍ବଦା କହୁଥିଲେ-ଗୋଲାମୀ ନକରି ସ୍ୱାଧୀନ ହୁଅ । ନିଜ ଗୋଡରେ ନିଜେ ଛିଡା ହୁଅ, ଅନ୍ୟପାଖରେ ହାତ ପତାଅ ନାହିଁ । ଓଡିଆ ପୁଅର ବୀରତ୍ୱ ବଜାୟ ରଖ, ଓଡିଆର ସୁନାମ ରଖ, ଅଯଥାରେ ସମୟ ନଷ୍ଟକରନା, ଦେଶ କଥାଭାବ, ଦେଶ ପାଇଁ କାମ କରିବାକୁ ଆଗେଇ ଆସ ।
ଏତଦ୍ ବ୍ୟତୀତ ବିଜୁ ପଟ୍ଟନାୟକ ଥିଲେ ଜଣେ ଉଚ୍ଚକୋଟୀର କ୍ରୀଡାବିତ୍ ଓ ଦକ୍ଷ ସଂଗଠକ । ତାଙ୍କ ବଳିଷ୍ଠ ଓ ସୁଠାମ ଚେହେରା ଥିଲା ଈଶ୍ୱର ଦତ୍ତ । ୧୯୩୦ ଦଶକରେ ସେ ଓଡିଶାର ଖ୍ୟାତନାମା ଫୁଟବଲ ଖେଳଳୀ ମଧ୍ୟରେ ଜଣେ ଥିଲେ । ଯାହାଫଳରେ ସେ ରେଭେନ୍ସା-ବ୍ଲୁ ଦୁଇ ଥର ପାଇବାରେ ସକ୍ଷମ ହୋଇଥିଲେ । ଏପରିକି ପୋଲଭୋଲ୍ଟରେ ସେ ସମୟରେ ସର୍ବଶ୍ରେଷ୍ଠ କ୍ରୀଡାବିତ୍ ଥିଲେ । ଫୁଟବଲ ଖେଳପ୍ରତି ତାଙ୍କର ଅତିଶୟ ମୋହର ଅନ୍ୟ ଏକ ଉଦାହରଣ ୧୯୬୧-୬୨ ରେ କଟକରେ ପ୍ରଥମ ସର୍ବଭାରତୀୟ କଳିଙ୍ଗ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେ ଆରମ୍ଭ କରିଥିଲେ । କେବଳ ସେତିକି ନୁହେଁ ଓଡିଶାରୁ ପ୍ରଥମ ବ୍ୟକ୍ତି ଭାବେ ୧୯୬୪ ମସିହାରେ ବିଜୁ ପଟ୍ଟନାୟକ ଭାରତର ବାସ୍କେଟବଲ୍ ସଂଘର ସଭାପତି ପଦ ମଣ୍ଡନ କରିଥିଲେ ।ଏଥିସହିତ ଆଜି ରାଜ୍ୟ ମହିଳା ଫୁଟବଲ ଦଳ ସଫଳତାର ଯେଉଁ ଶୀର୍ଷରେ ପହଞ୍ଚôଛି ତାହା ପଛରେ ରହିଛି ତାଙ୍କ ପ୍ରଚେଷ୍ଟାର ଫଳଶ୍ରୁତି । ବିଜୁ ପଟ୍ଟନାୟକଙ୍କ ଜନ୍ମ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଓ ମୃତୁ୍ୟ ୧୯୯୭ ମସିହା ଏପ୍ରିଲ ୧୭ ତାରିଖ । ଦୀର୍ଘ ୮୧ ବର୍ଷର ଜୀବନ ଯାତ୍ରା ।ଭାରତୀୟ ରାଜନୀତିର ‘ଟଲ୍ ମ୍ୟାନ’ ଥିଲେ ସେ । କେବଳ ଉଚ୍ଚତାରେ ଡେଙ୍ଗା ଥିଲେ ତାହା ନୁହେଁ ବ୍ୟକ୍ତିତ୍ୱରେ ମଧ୍ୟ ଜଣେ ଉତ୍ତୁଙ୍ଗ ମଣିଷ ଥିଲେ । ସ୍ୱାଧୀନତା ଆନେ୍ଦାଳନରୁ ଆରମ୍ଭ କରି ଭାରତର ସୁରକ୍ଷା ଓ ଅଖଣ୍ଡତା କ୍ଷେତ୍ରରେ ତାଙ୍କର ଅବଦାନ ତାଙ୍କୁ ଜଣେ କିମ୍ବଦନ୍ତୀ ମଣିଷ କରିଥିଲା ।
ସଭାପତି
ସାରସ୍ୱତ ପରିଷଦ,ଜଗତସିଂହପୁର
ମୋ : ୯୯୩୭୧୫୧୦୫୨