ରାମ ନବମୀ ଓ ରାମ ଚରିତ ମାନସ
ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନକୁ ରାମ ନବମୀ ଭାବେ ପାଳନ କରାଯାଏ । ଜନ୍ମାଷ୍ଟମୀ ବା ହରିଜନ୍ମ ପରି ରାମ ନବମୀ ଏକ ସର୍ବଭାରତୀୟ ସ୍ତରର ହିନ୍ଦୁ ପର୍ବ । ଏହା ସର୍ବତ୍ର ମହା ସମାରୋହରେ ପାଳନ କରାଯାଏ । ଚୈତ୍ର ଶୁକ୍ଳ ପକ୍ଷ ନବମୀ ହେଉଛି "ରାମ ନବମୀ' । ଜନ୍ମାଷ୍ଟମୀ ତୁଳନାରେ ରାମ ନବମୀର ପ୍ରଚଳନ ପ୍ରାଚୀନ । କାରଣ ଭଗବାନ ବିଷ୍ଣୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ରୂପେ ଜନ୍ମ ହୋଇଥିଲେ ଏବଂ ଏହାର ବହୁ ପୂର୍ବରୁ ତ୍ରେତା ଯୁଗରେ ସେ ଶ୍ରୀରାମ ରୂପେ ପ୍ରକଟ ହୋଇଥିଲେ । ତ୍ରେତା ଯୁଗରେ ଲଙ୍କା-ନରେଶ ରାବଣଙ୍କ ନେତୃତ୍ୱରେ ଅସୁରମାନେ ଶକ୍ତିଶାଳୀ ହୋଇ ସାଧାରଣ ମଣିଷ ତଥା ମୁନି-ଋଷିଙ୍କ ଉପରେ ଅତ୍ୟାଚାର ଚଳାଇଥିଲେ । ଦେବତାମାନେ ସୁଦ୍ଧା ଅସୁରଙ୍କ କବଳରୁ ସୁରକ୍ଷିତ ନଥିଲେ । ମାନବ ଭିନ୍ନ ଅନ୍ୟ କାହା ହାତରେ ରାବଣ ନିହତ ହେବେନାହିଁ, ବୋଲି ବ୍ରହ୍ମା ବର ଦେଇଥିଲେ । ଏଣୁ ଦେବତା ଗନ୍ଧର୍ବ, ମୁନି-ଋଷି ଓ ମଣିଷ ରାବଣଙ୍କ ବିନାଶ ପାଇଁ ବିଷ୍ଣୁଙ୍କୁ ପ୍ରାର୍ଥନା କରିଥିଲେ । ରାବଣଙ୍କୁ ବଧ କରିବା ପାଇଁ ବିଷ୍ଣୁ ମାନବ ରୂପ ଧାରଣ କରିଥିଲେ । ସେ ନିଜକୁ ଚାରି ଭାଗରେ ବିଭକ୍ତ କରି ମହାରାଜା ଦଶରଥଙ୍କ ପୁତ୍ରଗଣ ଭାବେ ଜନ୍ମ ନେବାକୁ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ ଅପୁତ୍ରିକ ଦଶରଥ, ବିଭାଣ୍ଡକ ମୁନିଙ୍କ ପୁତ୍ର ଋଷ୍ୟଶୃଙ୍ଗଙ୍କ ପୌରୋହିତ୍ୟରେ ସନ୍ତାନ ଲାଭ ପାଇଁ ଯଜ୍ଞ କରୁଥାନ୍ତି । ପୂର୍ଣ୍ଣାହୁତି ପରେ ଯଜ୍ଞ କୁଣ୍ଡ ଭିତରେ ସୁବର୍ଣ୍ଣ ପାତ୍ର ଧରି ଆବିର୍ଭୁତ ହେଲେ ଜଣେ ଦିବ୍ୟ ପୁରୁଷ । ନିଜକୁ ଭଗବାନଙ୍କ ଦୂତ କହି ସେ ପାତ୍ରଟିକୁ ଦଶରଥଙ୍କ ହାତରେ ଦେଲେ । ସେଥିରେ ଥିଲା ଦିବ୍ୟ ପାୟସ । ଦଶରଥ ତାହାକୁ ରାଣୀ କୌଶଲ୍ୟାଙ୍କୁ ଦେଲେ । କୌଶଲ୍ୟା ପାୟସକୁ ତିନିଭାଗ କରି ନିଜେ ଗୋଟିଏ ଭାଗ ରଖି ଅନ୍ୟ ଦୁଇଭାଗକୁ କୈକେୟୀ ଓ ସୁମିତ୍ରାଙ୍କୁ ଦେଲେ । ସୁମିତ୍ରା ଛାତ ଉପରେ ପାୟସ ରଖି କେଶ ପ୍ରସାଧନ କରୁଥିବା ସମୟରେ ଚିଲ ପାୟସ ନେଇଗଲା । କୌଶଲ୍ୟା ଓ କୈକେୟୀ ନିଜ ଭାଗରୁ କିଛି ପାୟସ ସୁମିତ୍ରାଙ୍କୁ ଦେଲେ । ଫଳରେ କୌଶଲ୍ୟାଙ୍କ ଗର୍ଭରୁ ରାମ, କୈକେୟୀଙ୍କ ଗର୍ଭରୁ ଭରତ ଓ ସୁମିତ୍ରାଙ୍କ ଗର୍ଭରୁ ଲକ୍ଷ୍ମଣ ଏବଂ ଶତୃଘ୍ନ ଜନ୍ମ ହେଲେ ।
ସନ୍ଥ ତୁଳସୀ ଦାସ ତ ରାମ ଭକ୍ତ । ରାମକଥା ଲେଖିବାକୁ ତାଙ୍କର ଆଗ୍ରହ ହେଲା । ସଂସ୍କୃତ ଭାଷାରେ ସେ ପଦ୍ୟ ରଚନା କଲେ; କିନ୍ତୁ ବିସ୍ମୟର କଥା ଯେତେ ପଦ୍ୟରଚନା କରୁଥାନ୍ତି; ରାତିରେ ସେ ସବୁ ଲୋପ ପାଇଯାଉଥାଏ । ଏହି ଘଟଣା ପ୍ରତିଦିନ ଘଟୁଥାଏ । ଏପରିଭାବେ ଅଷ୍ଟମଦିନ ରାତିରେ ତୁଳସୀ ଦାସଙ୍କୁ ସ୍ୱପ୍ନାଦେଶ ହେଲା । ଭଗବାନ ଶଙ୍କର ତାଙ୍କୁ ସ୍ୱପ୍ନରେ କହିଲେ "ତୁମେ ଲୌକିକ ଭାଷାରେ ପଦ୍ୟ ରଚନା କର' । ତୁଳସୀ ଦାସଙ୍କ ନିଦ ଭାଙ୍ଗିଗଲା । ସେ ଉଠି ବସିପଡ଼ିଲେ । ସେତେବେଳେ ଭଗବାନ ଶିବ ଓ ପାର୍ବତୀ ତାଙ୍କ ଆଗରେ ଅବିର୍ଭୂତ ହେଲେ । ତୁଳସୀଦାସ ସେମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ । ଭଗବାନ ଶିବ କହିଲେ "ତୁମେ ଯାଇ ଅଯୋଧ୍ୟାରେ ରହି ଅବଧ ଭାଷାରେ ରଚନା କର । ଆମ ଆଶୀର୍ବାଦରେ ତୁମ କବିତା ସାମବେଦ ସମାନ ଫଳବତୀ ହେବ । ଏତିକି କହି ଗୌରୀଶଙ୍କର ଅନ୍ତର୍ଦ୍ଧ୍ୟାନ ହୋଇଗଲେ । ସମ୍ଭବତଃ ୧୬୩୧ ପ୍ରାରମ୍ଭ ହେଲା । ସେହିବର୍ଷ ରାମନବମୀ ଦିନ ତ୍ରେତାଯୁଗରେ ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମଦିନ ସମାନ ଯୋଗ ପଡ଼ିଥିଲା । ସେ ଦିନ ପ୍ରାତଃକାଳରେ ତୁଳସୀଦାସ ଶ୍ରୀରାମ ଚରିତ ମାନସ ରଚନା କରିବାକୁ ଆରମ୍ଭ କଲେ । ଦୁଇବର୍ଷ ସାତମାସ ଛବିଶଦିନରେ ଗ୍ରନ୍ଥ ସମାପ୍ତ ହେଲା । ତାପରେ ଭଗବାନଙ୍କ ଆଦେଶାନୁସାରେ ତୁଳସୀ ଦାସ କାଶୀ ଚାଲିଆସିଲେ । ସେଠାରେ ସେ ଭଗବାନ ବିଶ୍ୱନାଥ ଓ ମାତା ଅନ୍ନପୂର୍ଣ୍ଣାଙ୍କୁ ଶ୍ରୀରାମ ଚରିତ ମାନସ ଶୁଣାଇଲେ । ରାତିରେ ଶ୍ରୀ ବିଶ୍ୱନାଥ ମନ୍ଦିରରେ ଉକ୍ତ ପୋଥି ରଖି ଦିଆଗଲା ।ଏସବୁ ଦେଖି ସେଠାକାର ପଣ୍ଡିତମାନଙ୍କ ମନରେ ଈର୍ଷା ଜାତ ହେଲା । ସେମାନେ ଏକଜୁଟ ହୋଇ ତୁଳସୀ ଦାସଙ୍କର ନିିନ୍ଦା କରିବାକୁ ଲାଗିଲେ ଓ ସେହି ପୋଥିଟିକୁ ନଷ୍ଟ କରିଦେବାକୁ ଚେଷ୍ଟା କଲେ । ପୋଥିଟି ଚୋରାଇ ଆଣିବାକୁ ସେମାନେ ଦୁଇଜଣ ଚୋରଙ୍କୁ ପଠାଇଲେ । ଚୋରମାନେ ଯାଇ ଦେଖନ୍ତି ତ ତୁଳସୀଦାସଙ୍କ କୁଟୀର ନିକଟରେ ଦୁଇଜଣ ଧନୁର୍ଦ୍ଧାରୀ ବୀର ପହରା ଦେଉଛନ୍ତି । ଦୁହେଁ ଦେଖିବାକୁ ସୁନ୍ଦର । ଜଣକର ବର୍ଣ୍ଣ ଶ୍ୟାମଳ, ଅନ୍ୟ ଜଣଙ୍କର ଗୌରବର୍ଣ୍ଣ । ସେହି ଦୁହିଁଙ୍କୁ ଦେଖି ଚୋରଙ୍କ ବୁଦ୍ଧି ଶୁଦ୍ଧ ହୋଇଗଲା । ସେହି କ୍ଷଣରୁ ସେମାନେ ଚୋରି କରିବା ଛାଡ଼ିଦେଇ ଭଜନରେ ମନନିବେଶ କଲେ । ଏଥିରେ ନିରାଶ ହୋଇ ଗ୍ରନ୍ଥଟିର ପରୀକ୍ଷା ନିମନ୍ତେ ପଣ୍ଡିତମାନେ ଅନ୍ୟ ଏକ ଉପାୟ ଚିନ୍ତା କଲେ । ଦିନେ ରାତିରେ ସେମାନେ ଉପରେ ବେଦ, ତା ତଳେ ଶାାସ୍ତ୍ର, ଶାସ୍ତ୍ର ତଳେ ପୁରାଣ ଏବଂ ପୁରାଣ ତଳେ ଶ୍ରୀରାମଚରିତ ମାନସ ଗ୍ରନ୍ଥଟି ରଖି ତାହା ବିଶ୍ୱନାଥଙ୍କ ସମ୍ମୁଖରେ ଥୋଇଦେଲେ ଓ ମନ୍ଦିର କବାଟ ବନ୍ଦ କରିଦେଲେ । ସକାଳେ କବାଟ ଖୋଲିବାରୁ ଦେଖାଗଲା ଶ୍ରୀରାମ ଚରିତ ମାନସ ଗ୍ରନ୍ଥଟି ବେଦମାନଙ୍କ ଉପରେ ରଖାଯାଇଛି । ଏଥର ସେମାନେ ନିଜର ଭୁଲ ବୁଝିପାରି ଯାଇ ତୁଳସୀ ଦାସଙ୍କୁ କ୍ଷମା ମାଗିଲେ ଏବଂ ଭକ୍ତିର ସହ ତାଙ୍କ ଚରଣୋଦକ ଗ୍ରହଣ କଲେ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପୁଣ୍ୟ ଅବିସ୍ମରଣୀୟ ରାମ ନବମୀ ଆମ ସମସ୍ତଙ୍କ ଅନ୍ତର୍ନିହିତ ଆଧ୍ୟାତ୍ମିକ ସେବାକୁ ସମାଜଭିମୁଖୀ କରିବା ପାଇଁ ପଥ ଦେଖାଉ ଏହା ହିଁ କାମନା ।
ବିକ୍ରମ ଦାଶ,ମୋ : ୯୮୬୧୫୭୫୨୩୭