ଶିଶୁ ସ୍ୱାସ୍ଥ୍ୟ ଓ ଯୋଗ

  କେବଳ ଭାରତୀୟ ଆଧ୍ୟାତ୍ମିକ ବିଜ୍ଞାନ ନୁହେଁ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରକୁ ଦେଖାଗଲେ ଜଣାଯାଏ ଯେ ଯୋଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ଭୂମିକା ଗ୍ରହଣ କରିଥାଏ । ତେବେ ଯୋଗାସନ କ୍ଷେତ୍ରରେ ପିଲାମାନଙ୍କର କ୍ଷେତ୍ରକୁ ଦେଖିଲେ କେତେକ କ୍ଷେତ୍ରରେ ଭିନ୍ନ ମତ ଦେଖିବାକୁ ମିଳେ । ଏହା ସୁନିଶ୍ଚିତ କଥା ଆଠ ବର୍ଷରୁ ଊଦ୍ଧ୍ୱର୍ ପିଲା ତା’ର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଯୋଗ ଶିଖାଇଲେ କିଛି ଖରାପ ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉପାଦେୟ ପ୍ରସଙ୍ଗଟି ହେଉଛି ପିଲାଟିର ସ୍ୱାସ୍ଥ୍ୟ, ଶାରୀରିକ ଅସୁବିଧା ବା ଚିକିତ୍ସା, କୌଣସି ବଂଶାନୁକ୍ରମିକ ରୋଗ ବା ପାରିପାଶ୍ୱର୍ିକ ଅବସ୍ଥିତିକୁ ଦେଖି ନିର୍ଣ୍ଣୟ ନେବାକୁ ପଡ଼ିଥାଏ ଯେ ପିଲାଟିର ଶାରୀରିକ ପୁଷ୍ଟିସାଧନ କ୍ଷେତ୍ରରେ ଯୋଗର କ୍ଷେତ୍ର କେଉଁପରି ଓ କିଭଳି ରହିବ । ଆଜିକାଲି କିଛି ପିଲାମାନଙ୍କ ବାପମାଆ ବା ଅଭିଭାବକ ଭାବପ୍ରବଣ ହୋଇ ଖୁବ୍ କମ୍ ବୟସରୁ ପିଲାମାନଙ୍କୁ ଯୋଗ, ଆସନ, ପ୍ରାଣାୟମ ଓ ବିଭିନ୍ନ ଶାରୀରିକ ବିଜ୍ଞାନ କଳା ଶିଖାଉଛନ୍ତି । ଏହାକୁ ଏକ ପ୍ରକାର ଭାବପ୍ରବଣତାର ଚିନ୍ତାଧାରା କହିଲେ ଅତୁ୍ୟକ୍ତି ହେବନାହିଁ କିନ୍ତୁ ଏହି କ୍ଷେତ୍ରରେ ଚିକିତ୍ସା ବିଜ୍ଞାନ ନିଶ୍ଚିନ୍ତ ଭାବରେ ଏକ ଚିନ୍ତାଜନକ ବିତର୍କରେ ବି ପହଞ୍ଚô ଯାଇଥାଏ । ଶାସ୍ତ୍ର କହିଛି - “ଶରୀର ମାଦ୍ୟମଂ ଖଳୁଧର୍ମ ସାଧନମ୍ ।’ ଯାହାର ଭାବାର୍ଥ ହେଉଛି ଶରୀରକୁ ଦେଖି ଧର୍ମ ସାଧନା କର । ସେହିପରି ଆଜିକାଲି କିଛି ବିଦ୍ୟାଳୟରେ ମଧ୍ୟ ପିଲାମାନଙ୍କୁ ଏହିପରି ଯୋଗାସନ ଶିକ୍ଷା ପାଇଁ ଉତ୍ସାହିତ କରାଯାଉଛି । ଆଗାମୀ କାଲିର ଭବିଷ୍ୟତ କୁହାଯାଉଥିବା କୋମଳମତି ପିଲାଙ୍କୁ ଶାରୀରିକ ତତ୍ତ୍ୱ କ୍ଷେତ୍ରରେ ଗଢ଼ି ତୋଳିବା ଏକ ସାଧନା କହିଲେ ଅତୁ୍ୟକ୍ତି ହେବନାହିଁ । କାରଣ ଛୋଟ ପିଲାଟି ପାଇଁ ଏପରି ଅତ୍ୟନ୍ତ ଉପାଦେୟ ପ୍ରସଙ୍ଗ କେତେକ କ୍ଷେତ୍ରରେ ବିପଜ୍ଜନକ ହେବାର ଦୃଷ୍ଟାନ୍ତ ବି ରହିଛି । ସବୁପିଲାମାନଙ୍କ ବାପମାଆ ଚାହାଁନ୍ତି ସେମାନଙ୍କ ପିଲା ସୁସ୍ଥ ସବଳ ଭାବେ କୌଣସି ରୋଗର ଶିକାର ନହୋଇ ବେଶ ଡଉଲ ଡାଉଲ ଶରୀରଟି ପାଉ । କେବଳ ଶାରୀରିକ ଭାବରେ ନୁହେଁ ମାନସିକ ସ୍ତରରେ ପିଲାଟିର ଉନ୍ନତି ବି ବାପମାଆମାନେ ଚାହାଁନ୍ତି । ତେବେ ପିଲାମାନଙ୍କୁ ନିର୍ଦ୍ଦିଷ୍ଟ ବୟସ ଅବଧି ପରେ ଏବଂ ତାହାର ଶରୀରର ସୁସ୍ଥ ସବଳତାକୁ ଦେଖି ତାହାର ଚିକିତ୍ସା କରୁଥିବା ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଯୋଗାଭ୍ୟାସ କଲେ ଏହା ପିଲାଟି ପାଇଁ ଶାରୀରିକ କ୍ଷେତ୍ରରେ ନିଶ୍ଚିନ୍ତ ଭାବରେ ଉପାଦେୟ ହୋଇପାରିବ । ପିଲାମାନଙ୍କୁ ଆମର ଭାରତୀୟ ପ୍ରାଚୀନତମ ବିଜ୍ଞାନ ଅନୁଯାୟୀ ସୂର୍ଯ୍ୟ ନମସ୍କାର ଶିଖାଇବା ଏକ ଖୁବ୍ ଭଲ ଅଭ୍ୟାସ । ଏହାଦ୍ୱାରା ସ୍ୱାସ୍ଥ୍ୟ, ଶକ୍ତି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ । ଏତଦବ୍ୟତୀତ ଆତ୍ମୋତ୍ଥାନରେ ମଧ୍ୟ ଏହା ସହାୟକ ହୁଏ । ଏହାର ସଂଯୁକ୍ତ ପରିଣାମ ଚେତନାତ୍ମକ ବିକାଶ ରୂପେ ଦେଖିବାକୁ ମିଳେ । ଏଥିରେ ଆସନ, ପ୍ରାଣାୟାମ ତଥା ଧ୍ୟାନର କ୍ରିୟା ଏକସଙ୍ଗେ ଚାଲେ । ଅତଏବ ଏହା ହେଉଛି ଏକ ପୂର୍ଣ୍ଣାଙ୍ଗ ଅଭ୍ୟାସ । ପ୍ରତ୍ୟେକ ବୟସର ଲୋକଙ୍କ ପାଇଁ ସମାନ ରୂପେ ସୂର୍ଯ୍ୟ ନମସ୍କାର ଉପଯୁକ୍ତ । କିନ୍ତୁ ବାଳକ ଏବଂ କିଶୋର ମାନଙ୍କ ନିମନ୍ତେ ଏହାର ବିଶେଷ ମହତ୍ତ୍ୱ ରହିଛ । କାରଣ ଆଠବର୍ଷ ବୟସରୁ ପୀନିୟଲ ଗ୍ରନ୍ଥିର ଅବକ୍ଷୟ ହେବାକୁ ଲାଗେ । ଏହାଦ୍ୱାରା ୧୨ରୁ ୧୪ ବର୍ଷ ବୟସ ଭିତର ସେମାନଙ୍କର ଯୌବନ ଆରମ୍ଭ ହୁଏ । ଶାରୀରିକ ଏବଂ ଭାବନାତ୍ମକ ବିକାଶର ଏହି ଅସନ୍ତୁଳନ ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଗଠନ ସୂଚାରୁରୂପେ ହୋଇପାରେ ନାହିଁ । ଫଳରେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ସଫଳତା ପାଇବା ସନ୍ଦିଗ୍ଧ ହୋଇଯାଏ । ପୀନିୟଲ ଗ୍ରନ୍ଥିର ଏହି ଅବକ୍ଷୟକୁ ସୂର୍ଯ୍ୟ ନମସ୍କାର ଦ୍ୱାରା ନିୟନ୍ତ୍ରିତ କରିବା ସହଜ । ଏହି ସରଳ ଯୋଗାଭ୍ୟାସ ମାଧ୍ୟମରେ ଶରୀରର ନାଡ଼ି, ଗ୍ରନ୍ଥି, ଉପତ୍ୟକା, ମାତୃକା ଗୁଡ଼ିକୁ ସନ୍ତୁଳିତ, ସୁବ୍ୟବସ୍ଥିତ କରିବା ସମ୍ଭବ ହୁଏ । ବିଶେଷଜ୍ଞମାନେ କହନ୍ତି - ୮/୧୦ ବର୍ଷ ବୟସରୁ ବାଳକମାନେ ଯଦି ସୂର୍ଯ୍ୟନମସ୍କାର କରନ୍ତି, ତାହାହେଲେ ଏହାର ସ୍ପଷ୍ଟ ପରିଣାମ ଦେଖାଯାଏ, ଯେତେବେଳେ ଏହି ଅଭ୍ୟାସ କରୁନଥିବା ସମବୟସ୍କ ପିଲାଙ୍କ ସହିତ ଏହି ପିଲାଙ୍କର ତୁଳନା କରାଯାଏ, ଅଭ୍ୟାସ କରୁଥିବା ବାଳକ ପ୍ରତ୍ୟେକ କ୍ଷେତ୍ରରେ ନିଜ ସହପାଠୀଙ୍କ ଠାରୁ ଶ୍ରେଷ୍ଠ ହେବା ଦେଖାଯାଇଛି । 
ତେବେ ପ୍ରଥମ କଥା ହେଉଛି ପିଲାଟିକୁ ନିର୍ଦ୍ଦିଷ୍ଟ ଖାଦ୍ୟ ଓ ବିଶ୍ରାମର ରୁଟିନ୍ ତିଆରି କରି ସକାଳୁ ଯୋଗ, ଆସନ ପାଇଁ ପ୍ରସ୍ତୁତି କରନ୍ତୁ । ଏହା ପୂର୍ବରୁ ପିଲାଟିର କୋଷ୍ଠକାଠିନ୍ୟ ଥିଲେ, ବଦ୍ହଜମ ରହୁଥିଲେ, ଶ୍ୱାସ ବା ଅନ୍ୟକୌଣସି ଆନୁବଂଶିକ ବା ସଂକ୍ରମିତ ରୋଗ ରହୁଥିଲେ, ପିଲାଟିକୁ ନିଦ ନ ହେଉଥିଲେ, ଦୁର୍ବଳ ସ୍ୱାସ୍ଥ୍ୟ ରହୁଥିଲେ, ଉଦାସୀନତା ଚିନ୍ତାଧାରା ଥିଲେ ଏହିପରି ଅନେକ କ୍ଷେତ୍ରର ପରିପାଶ୍ୱିର୍କ ସ୍ଥିତିକୁ ଗୁରୁତ୍ୱର ସହିତ ଦୃଷ୍ଟି ଦିଅନ୍ତୁ । ପିଲାଟିକୁ ପ୍ରଥମେ ଆଗେ ସୁସ୍ଥସବଳ ରଖିବା ପରେ ହିଁ ଯୋଗ ଦିଗଟିକୁ ଦୃଷ୍ଟି ଦିଅନ୍ତୁ । ଯୋଗାସନ ଶିକ୍ଷା ଦେବା ପୂର୍ବରୁ ପିଲାଟିର ସକାଳୁ ନିତ୍ୟକର୍ମ ସାରିବାର ଅଭ୍ୟାସ ରଖନ୍ତୁ । ପିଲାଟିକୁ ନିଶ୍ଚିନ୍ତ ଭାବରେ ଜଣେ ବିଧିବଦ୍ଧ ଯୋଗ ପ୍ରଶିକ୍ଷକଙ୍କ ଠାରୁ ହିଁ ଏହାକୁ ଶିକ୍ଷା ଦେବାକୁ ବ୍ୟବସ୍ଥା କରନ୍ତୁ । ପିଲାମାନଙ୍କର ପ୍ରାୟ ସକାଳୁ ବିଦ୍ୟାଳୟ ଥିବାରୁ ଘରୋଇ ପରିବେଶରେ ଶିକ୍ଷା ଦେବା କିଛି ମନ୍ଦ ନୁହେଁ । ତେବେ ଯୋଗ ଦ୍ୱାରା ପିଲାଟିକୁ ଖୁବ୍ କମ ଦିନ ଭିତରେ ବେଶ୍ ମଜଭୁତିଆ ଶରୀରର କରିଦେବା ପରି ଚିନ୍ତାଧାରା ରଖନ୍ତୁ ନାହିଁ । ପିଲାଟିର ଗତ ରାତ୍ରିର ବିଶ୍ରାମ, ସକାଳର ନିଦ୍ରା ତ୍ୟାଗ, ନିତ୍ୟକର୍ମ ସହ ବିଦ୍ୟାଳୟକୁ ଯିବା ସମୟକୁ ମଧ୍ୟ ଦୃଷ୍ଟିରେ ରଖନ୍ତୁ । କେତେକ ବାପାମାଆ ଜିମ୍ରେ ପିଲାଙ୍କୁ ଶରୀର ବିଜ୍ଞାନ ବା ଯୋଗ ଶିଖାଇବାକୁ ଇଚ୍ଛୁକ ଥାନ୍ତି । ଏହାକିନ୍ତୁ କିଛି ମନ୍ଦ ନୁହେଁ, କିନ୍ତୁ କଥାଟି ହେଉଛି “ଦିଅଁ ଗଢ଼ୁ ଗଢ଼ୁ, ମାଙ୍କଡ଼ ନହେଉ’ । ପିଲାଟିକୁ ଶିକ୍ଷା ଦିଅନ୍ତୁ କିନ୍ତୁ ଶିକ୍ଷା ନାଁରେ ତା କ୍ରମବିକାଶର ବାଧକ ଯେ ଆପଣଙ୍କ ଶିକ୍ଷା ନ ହେଉଛି ତାହାକୁ ଚିନ୍ତାରେ ରଖିଥାନ୍ତୁ । କିଛି ଅଭିଭାବକ ଯୋଗାସନ କରୁଥିବା ପିଲାମାନଙ୍କ ପାଇଁ ବଜାରରେ ମିଳୁଥିବା ତଥାକଥିତ ପ୍ରୋଟିନ୍ ଖାଦ୍ୟକୁ ବେଶ୍ ଗୁରୁତ୍ୱ ଦିଅନ୍ତି । ସେମାନେ ଭାବନ୍ତି ପିଲାଟି ଯୋଗ, ବ୍ୟାୟାମ କରୁଛି ମାନେ ତା’ଶରୀରକୁ ଭଲ ରକମର ପୁଷ୍ଟିକର ଖାଦ୍ୟ ଦରକାର । ଏହା କିନ୍ତୁ ନିଶ୍ଚିନ୍ତ କଥା । ପିଲାଟିକୁ ଘରୋଇ ବ୍ୟବସ୍ଥାର ପୁଷ୍ଟିକର ଖାଦ୍ୟ ଦିଅନ୍ତୁ । ମୁଗଗଜା ହେଉ ବା ବାଦାମ, ପଞ୍ଚବର୍ଣ୍ଣୀ ଛତୁଆ ହେଉ ବା ଫଳ, କ୍ଷୀର ହେଉ ବା ଅଣ୍ଡା ବା ଛୋଟମାଛ ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ ପୁଷ୍ଟିକର । ଯୋଗାସନ ପରେ କିଛି ସମୟ ପିଲାମାନଙ୍କ ପାଇଁ ବିଶ୍ରାମର ଆବଶ୍ୟକତା ବି ରହିଛି । ପିଲାଟି ଯୋଗ ଅଭ୍ୟାସ ବେଳେ ଢ଼ିଲା ଓ ସୂତାବସ୍ତ୍ର ପିନ୍ଧାନ୍ତୁ । ଖୋଲା ଏବଂ ମୁକ୍ତ ପବନ ଯାଉଥିବା ସ୍ଥାନରେ ଏ ଅଭ୍ୟାସ ଶରୀର ପାଇଁ ଉପାଦେୟ । କେତେକ ବିଦ୍ୟାଳୟରେ ନିୟମିତ ଶାରୀରିକ ବିଜ୍ଞାନ ଶ୍ରେଣୀ ବି ରହିଛି ଏହା ପିଲାମାନଙ୍କ ପାଇଁ ବି ଯୋଗାଭ୍ୟାସ କ୍ଷେତ୍ର ପାଇଁ ଉପାଦେୟ । ତେବେ ପିଲାକୁ ଯୋଗାସନ କରିବା ପୂର୍ବରୁ ତାର ସ୍ୱାସ୍ଥ୍ୟର ସମସ୍ତ କ୍ଷେତ୍ରକୁ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ହିଁ ଅଭ୍ୟାସ କରନ୍ତୁ । ନଚେତ୍ ଏହା ପିଲାମାନଙ୍କ ପାଇଁ ଘାତକ ବି ସାବ୍ୟସ୍ତ ହୋଇପାରେ । ଭାରତର ପ୍ରାଚୀନତମ ଯୋଗବିଜ୍ଞାନ ଆଜିକା ସମୟରେ ପିଲାମାନଙ୍କ ପାଇଁ ବି ନିଶ୍ଚିନ୍ତ ଭାବରେ ଉପାଦେୟ ।  
             ମୋ: ୯୪୩୭୧୨୪୦୭୪