ବଢ଼ିବ ଚିନି ଦର
ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ, ରବି ଶସ୍ୟ ଆଦିର ଚାହିଦା ବଜାରରେ ଚିନିର ମଧ୍ୟ ଚାହିଦା ଯଥେଷ୍ଟ ପରିମାଣରେ ବଢ଼ିଯାଇଛି । ଚିନିର ସିଧାସଳଖ ବ୍ୟବହାର ବା ପ୍ରତ୍ୟକ୍ଷ ବ୍ୟବହାର ଖାଦ୍ୟ ଭାବରେ ନାହିଁ । କିନ୍ତୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି, ମିଠା ପ୍ରସ୍ତୁତି, ବେକିଂ ଓ ବେକେରୀ ଶିଳ୍ପ, ହୋଟେଲ୍ ଆଦି ବିଭିନ୍ନ କ୍ଷେତ୍ରରେ ଚିନିର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପକ୍ଷରେ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଲୋକମାନେ ଭାବନ୍ତି ଯେ ଚିନିର ବ୍ୟବହାର କମୁଛି । କିନ୍ତୁ ବାସ୍ତବ ଘଟଣା ଏହାର ଓଲଟା ଚିନିର ବ୍ୟବହାର ଦିନକୁ ଦିନ ବିଭିନ୍ନ କ୍ଷେତ୍ରରେ ବଢ଼ି ବଢ଼ି ଚାଲିଛି । ସେହି ତୁଳନାରେ ଆଖୁ ଚାଷ ଏବଂ ଚିନି କଳ ମାଲିକମାନଙ୍କର ବିଭିନ୍ନ ପ୍ରକାରର ଦାବିର ସରକାରଙ୍କୁ ସମ୍ମୁଖୀନ ହେବାକୁ ପଡୁଛି । ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୩୪୦ ଟଙ୍କା ରହିଛି । ଅନ୍ୟପକ୍ଷରେ ଚିନିର ଏକ୍ସ ଫ୍ୟାକ୍ଟ୍ରୀ ପ୍ରାଇସ୍ କିଲୋ ପ୍ରତି ୩୬ ଟଙ୍କା ୨୫ ପଇସା ରହିଛି । କାରଖାନା ବାହାରକୁ ଆସିବା ବେଳକୁ କିଲୋ ପିଛା ଉତ୍ପାଦନ ଖର୍ଚ୍ଚ ୪୧ ଟଙ୍କା ୬୬ ପଇସା ରହୁଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଉତ୍ପାଦନ ଖର୍ଚ୍ଚ ଠାରୁ ଚିନିର ମୂଲ୍ୟ ବହୁତ୍ କମ୍ । ଏହା ଫଳରେ ଚିନି କଳମାଲିକମାନଙ୍କର କ୍ଷତି ଘଟୁଛି । ଏହି କ୍ଷତିକୁ ଭରଣା କରିବା ପାଇଁ ଚିନି କଳମାଲିକମାନେ ଚିନିର ସର୍ବନିମ୍ନ କିଲୋ ପିଛା ସହାୟକ ମୂଲ୍ୟ ୩୯ ଟଙ୍କା ୧୪ ପଇସା କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଏହା ୩୧ ଟଙ୍କା ରହିଛି । ତେଣୁ ସରକାର ଯଦି ଚିନି କଳମାଲିକମାନଙ୍କର ଦାବିକୁ ଗ୍ରହଣ କରନ୍ତି, ତାହା ହେଲେ ବଜାରରେ ଚିନିର ମୂଲ୍ୟ କିଲୋ ପିଛା ସର୍ବନିମ୍ନ ୮ ଟଙ୍କା ବୃଦ୍ଧି ପାଇବ ।
ଏଇଠି ମନରେ ଗୋଟିଏ ପ୍ରଶ୍ନ ଉଠେ ଯେ କିଲୋ ପିଛା ଉତ୍ପାଦନ ଖର୍ଚ୍ଚ ୪୧ଟଙ୍କା ୬୬ ପଇସା ହେଉଥିବା ବେଳେ ଏମ୍ଏସ୍ପି ୩୯ ଟଙ୍କା ୧୪ ପଇସାକୁ ବୃଦ୍ଧି କରିବା ପାଇଁ ଚିନି କଳମାଲିକମାନେ ଦାବି କେମିତି କରୁଛନ୍ତି? ଯାହାକି ଉତ୍ପାଦନ ମୂଲ୍ୟ ଠାରୁ ୨ ଟଙ୍କା ୫୨ ପଇସା କମ୍ । ଏହା ଅଦ୍ଭୂତ ବୋଲି ମନେ ହେଉଥିଲେ ମଧ୍ୟ ଏହା ପଛରେ ଏକ ବାସ୍ତବ ସତ୍ୟ ମଧ୍ୟ ରହିଛି । ତାହା ହେଲା ପ୍ରତ୍ୟେକ ଚିନିକଳ ହେଉଛି ଗୋଟିଏ ଗୋଟିଏ ଡ଼ିଷ୍ଟିଲେରୀ । ପ୍ରତ୍ୟେକ କାରଖାନାରୁ ଉତ୍ପାଦନ ସହିତ ବାଇପ୍ରଡ଼କ୍ଟ ବା ଉପଜାତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥାଏ । ଅନେକ କାରଖାନା ଏହି ଉପଜାତକୁ ଆର୍ଥôକ ଦୃଷ୍ଟିରୁ ପ୍ରଡ଼କ୍ଟ ବା ଉତ୍ପାଦନରେ ପରିଣତ କରିଥାନ୍ତି । ଏହିଭଳି କରାଯାଉଥିବା କ୍ଷେତ୍ରରେ ଚିନିକଳ ଏକ ନମ୍ବର ସ୍ଥାନରେ ରହିଛି । ଏହାର ଉତ୍ପାଦନ ଚିନି ସହିତ ଉପାଜତ ଆଲକହଲ୍ ବିପୁଳ ପରିମାଣରେ ବାହାରିଥାଏ । ପ୍ରତ୍ୟେକ ଚିନିକଳ ଚିିନିର ମୂଲ୍ୟରେ ଯେତିିକି ଲାଭ ପାଆନ୍ତି, ତା’ଠାରୁ ଅଧିକ ଲାଭ ବାଇପ୍ରଡକ୍ଟ ଭାବରେ ଆଲକହଲ୍ରୁ ପାଇଥାନ୍ତି । ଆଲକହଲ୍, ମିଥାଇଲ୍ ଆଲକହଲ୍ ଏବଂ ଇଥାଇଲ୍ ଆଲକହଲ୍ ଭାବରେ ଦୁଇ ପ୍ରକାରରେ ବାହାରିଥାଏ । ଏହି ଉଭୟ ପ୍ରକାରର ଆଲକହଲ୍କୁ ବିକ୍ରି କରି ଚିନିକଳ ଗୁଡ଼ିକ ବିପୁଳ ଲାଭ ପାଆନ୍ତି । ବର୍ତ୍ତମାନ ସେମାନେ ଏକ୍ସ ଫ୍ୟାକ୍ଟ୍ରୀ ପ୍ରାଇସ୍କୁ ୩୬ ଟଙ୍କା ୫ ପଇସା ଦେଖାଉଛନ୍ତି । ଏକ୍ସ ଫ୍ୟାକ୍ଟ୍ରୀ ମୂଲ୍ୟ ହେଉଛି କୌଣସି ଏକ ଉତ୍ପାଦନ କ୍ଷେତ୍ରରେ କାରଖାନାର ଗେଟ୍ ବାହାରକୁ ପ୍ୟାକିଂ ହୋଇ ପଦାର୍ଥଟି ଆସିବାର ପୂର୍ବାବସ୍ଥା । ଏକ୍ସ ଫ୍ୟାକ୍ଟ୍ରୀ ମୂଲ୍ୟ ଉପରେ ବିଭିନ୍ନ ଟ୍ୟାକ୍ସ ବସାଇ ବଜାର ମୂଲ୍ୟ ଧାର୍ଯ୍ୟ କରାଯାଏ । ତେଣୁ ଚିନିର ଏକ୍ସ ଫ୍ୟାକ୍ଟ୍ରୀ ପ୍ରାଇସ୍, ସହାୟକ ମୂଲ୍ୟ ଏବଂ ମିଲ୍ ମାଲିକମାନେ ଦାବି କରୁଥିବା ମୂଲ୍ୟ ଭିତରେ ତାଳମେଳ ଥିଲା ଭଳି ଲାଗେ ନାହିଁ । କିନ୍ତୁ ସରକାର ମିଲ୍ ମାଲିକମାନଙ୍କ ଦାବିକୁ ଯଦି ଗ୍ରହଣ କରନ୍ତି, ତେବେ ଆସନ୍ତା ଦିନମାନଙ୍କରେ ବଜାରରେ ଚିନିର ଖାଉଟି ମୂଲ୍ୟ ବଢ଼ିବାଟା ସୁନିଶ୍ଚିତ ।