ଖାଦ୍ୟାଭାବ ଏବଂ ଖାଦ୍ୟର ଅପଚୟ


ଭାରତୀୟ ସଂସ୍କୃତିରେ “ସର୍ବେ ଭବନ୍ତୁ ସୁଖୀନଃ ସର୍ବେ ସନ୍ତୁ ନିରାମୟା:” କହି ସମସ୍ତ ଜୀବ ଜଗତର କଲ୍ୟାଣର କଥା କୁହାଯାଇଥାଏ । ଅନ୍ୟପକ୍ଷରେ “ବସୁଧୈବ କୁଟୁମ୍ବକମ୍” କଥା କହି ସଂମ୍ପୂର୍ଣ୍ଣ ବସୁଧାକୁ ଏକ ପରିବାର ଭାବରେ ସ୍ୱୀକାର କରାଯାଇଛି । ତାତ୍ପର୍ଯ୍ୟ ହେଉଛି ଆମ ସଂସ୍କୃତିରେ ଏକାକୀ ସ୍ଥାନରେ ସକଳ ବା ସମସ୍ତଙ୍କୁ ଆମ ସହ ସାମିଲ କରାଯିବା କଥା କୁହାଯାଉଛି । ଆମ ପୂର୍ବଜମାନେ ଆମକୁ ଏକଥାର ମହତ୍ୱ ଶିଖାଇ ଯାଇଛନ୍ତି । ମନୁଷ୍ୟ ତାର ଏଭଳି ଭାବ, ସଂସ୍କାର, ସରଳତା, ଏଭଳି ଆଧ୍ୟାତ୍ମିକ ଗଭୀରତା ଏବଂ ଏଭଳି ସଂସ୍କୃତି ଦୁନିଆର ଅନ୍ୟ କୌଣସି ସମାଜ, ସଂସ୍କୃତି ବା ଧର୍ମରେ ମିଳେ ନାହିଁ । କିନ୍ତୁ ସମସ୍ତ ଜୀବ ଜଗତର କଲ୍ୟାଣ କଥା ଚିନ୍ତା କରୁଥିବା ସମାଜ ଆଦି ସ୍ୱୟଂ ହିଁ ଏତେ ବେପରୁଆ, ଏତେ ଅସହାୟ ଏବଂ ଏତେ ଦାୟିତ୍ୱହୀନ ହୋଇଯାଇଛି ଯେ ଏଇ ସମାଜରେ ଭୟ, ଭୋକ, (ଅନାହାର-ଅର୍ଦ୍ଧାହାର), ଅଶାନ୍ତି, ପୀଡ଼ା, ସଙ୍କଟ ଏବଂ ସମାଧାନ କଥାକୁ ଏଡ଼େଇ ଚାଲିଛି । ଏକଥା କେମିତି ସମ୍ଭବ ହୋଇପାରିଛି ଯେ ନିଜେ ଖାଇବା ପୂର୍ବରୁ ଅନ୍ୟକୁ ଭୋଜନ କରାଇବା ବାଲା ସମାଜରେ ହିଁ କୋଟି କୋଟି ଲୋକ ଆଜି ବି ଦୁଇବେଳା ପେଟପୁରା ଖାଇବାକୁ ପାଉନାହାଁନ୍ତି । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ର ତଥ୍ୟ ଅନୁସାରେ ୨୮.୭ ନମ୍ବର ସହ ଭାରତର ସ୍ଥାନ ତାଲିକାର ତଳେ ରହିଛି । ରିପୋର୍ଟରେ ଭାରତରେ କ୍ଷୁଧା (ଅନାହାର-ଅର୍ଦ୍ଧାହାର) ସ୍ତର ଗମ୍ଭୀର ବୋଲି କୁହାଯାଇଛି । ହାତଗଣତି ମାତ୍ର କିଛି ଲୋକଙ୍କ ପାଖରେ ଦେଶର ଅଧିକାଂଶ ସମ୍ପଦ ରହିଛି ।
ନିକଟରେ ଜାତିିସଂଘ ପକ୍ଷରୁ ଭୋଜନ ସହ ଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି । ଗୋଟିିଏ ରିପୋର୍ଟ ଭୋଜନ ବା ଖାଦ୍ୟର ଅପଚୟ ସମ୍ପର୍କରେ ଥିବାବେଳେ ଅନ୍ୟ ରିପୋର୍ଟ ଖାଦ୍ୟାଭାବ ପ୍ରସଙ୍ଗରେ ରହିଛି । ଏମିତି ଦେଖିବାକୁ ଗଲେ ଖାଦ୍ୟର ଅଭାବ ପାଇଁ ଅନେକ କାରଣ ରହିଛି । କିନ୍ତୁ ଖାଦ୍ୟର ଅପଚୟ ବା ନଷ୍ଟ ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ । ଯଦି ଖାଦ୍ୟର ଅପଚୟକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇ ପାରିବ ତେବେ ଏହି ସମସ୍ୟର ଭୟାବହତା କିଛି ପରିମାଣରେ କମିଯାଇ ପାରିବ । ଗତ ଏପ୍ରିଲ ମାସର ଶେଷଭାଗରେ ଜାତିସଙ୍ଘ ପକ୍ଷରୁ “ଗ୍ଲୋବାଲ ରିପୋର୍ଟ ଅନ ଫୁଡ କ୍ରାଏସିସ୍” ନାମକ ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ୫୯ ଦେଶର ପାଖାପାଖି ୨୮ କୋଟି ଲୋକ ଖାଦ୍ୟଭାବର ଶୀକାର ହେଉଛିନ୍ତି । ଏହି ରିପୋର୍ଟରେ ଅନୁସାରେ ଯୁଦ୍ଧଗ୍ରସ୍ତ ଗାଜାପଟ୍ଟି ଏବଂ ସୁଡାନରେ ଖାଦ୍ୟାଭାବ ଏକ ସଙ୍ଗୀନ ସମସ୍ୟା ଅଟେ । ଗାଜାପଟ୍ଟି ଓ ସୁଡାନରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ୨୦୨୨ ମସିହାରେ ୨.୪ କୋଟି ଲୋକଙ୍କୁ ଖାଦ୍ୟାଭାବ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଖାଦ୍ୟ ସାମଗ୍ରୀର ଅଭାବ କାରଣରୁ ଲୋକଙ୍କୁ ଉପବାସରେ ରହିବାକୁ ପଡ଼ିଥିଲା । ୨୦୧୬ ମସିହାଠାରୁ ଜାତିସଙ୍ଘ ଖାଦ୍ୟଭାବ ସମ୍ପର୍କରେ ରିପୋର୍ଟ ଜାରି କରିଆସୁଛି ଓ ବିଭିନ୍ନ ଦେଶର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସାରା ବିଶ୍ୱକୁ ଅବଗତ କରାଉଛି । ଜାତିସଙ୍ଘ ପକ୍ଷରୁ ପ୍ରଥମେ ପ୍ରକାଶ ପାଇଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ତୁଳନାରେ ଏବେର ଗ୍ଲୋବାଲ ରିପୋର୍ଟ ଅନ୍ ଫୁଡ କ୍ରାଏସିସରେ ଅନାହାର / ଅର୍ଦ୍ଧାହାରରେ ରହୁଥିଲା ଲୋକଙ୍କ ସଖ୍ୟା ୪ଗୁଣ ବୃଦ୍ଧି ପାଇଛି । ଏଥି ସହିତ ଖାଦ୍ୟ ସାମଗ୍ରୀର ଅଭାବରୁ ଭୋକରେ ରହୁଥିବା ଲୋକଙ୍କ ସଂଖ୍ୟା ଅନ୍ୟ ବର୍ଷମାନଙ୍କ ଅପେକ୍ଷା ସର୍ବାଧିକ ଅଟେ । ରିପୋର୍ଟରେ ଯେଉଁ ସବୁ ତଥ୍ୟ ଉପସ୍ଥାପନ କରାଯାଇଛି ତଦନୁସାରେ ଭୋକରେ ବା ଉପବାସ ରହିବାର କାରଣ ଦାରିଦ୍ର୍ୟ ଏବଂ ବେରୋଜଗାର ହୋଇପାରେ । ଏହି କାରଣ ଖାଦ୍ୟର ଅଭାବ ଏବଂ ଭୋକ ସହ ସମ୍ପର୍କିତ ଭାରତୀୟ ପରିଦୃଶ୍ୟରେ ବିଲକୁଲ ସାର୍ଥକ ଏବଂ ସଠିକ୍ ପ୍ରତୀକ ହୋଇଥାଏ । ଖାଦ୍ୟାଭାବ ଜନିତ ମୃତୁ୍ୟ ସମସ୍ୟାର ବିଶ୍ଳେଷଣ କରୁଥିବା ସାରା ବିଶ୍ୱର ବିଶେଷଜ୍ଞମାନେ ଖାଦ୍ୟଭାବକୁ ବୁଝିବା ଅଥବା ପରିଭାଷିତ କରିବା ପାଇଁ ଏକ ମାପଦଣ୍ଡ ନିର୍ଦ୍ଧାରିତ କରାଛନ୍ତି । ଜାତିସଙ୍ଘର ଖାଦ୍ୟ ଏବଂ କୃଷି ସଙ୍ଗଠନର ଅର୍ଥଶାସ୍ତ୍ରର ମେକ୍ସିମୋ ଟୋରେରୋ ଏହି ମାନଙ୍କ ମାପଦଣ୍ଡ ପ୍ରସଙ୍ଗରେ କହିଛନ୍ତି ଯେ ୫ଟି ପର୍ଯ୍ୟାୟରେ ସର୍ବେକ୍ଷଣ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ଭୋକରେ ପୀଡ଼ିତ ଲୋକଙ୍କୁ ପଞ୍ଚମ ପର୍ଯ୍ୟାୟରେ ରଖାଯାଇଛି ଯେଉଁଥିରେ ଭାରତ ସମେତ ୫ଟି ଦେଶର ୭୦୫୦୦୦ ଲୋକଙ୍କୁ ସାମିଲ କରାଯାଇଛି, ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅର୍ଥାତ ୫୭୭୦୦୦ ଲୋକେ କେବଳ ଯୁଦ୍ଧଗ୍ରସ୍ତ ଗାଜାପଟ୍ଟିରେ ରହୁଛନ୍ତି ।
ବିଶ୍ୱର ୧୨୫ଟି ଦେଶ ଭୋକର ତାଲିକା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ରେ ପ୍ରକାଶ ପାଇଛି । ଏସବୁ ଦେଶରେ ହେଉଥିବା ଖାଦ୍ୟାଭାବ ଓ ଖାଦ୍ୟାଭାବ ଜନିତ ମୃତୁ୍ୟ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇ ରିପୋର୍ଟରେ ସ୍ଥାନିତ କରାଯାଇଛି । ଏହି ୧୨୫ଟି ଦେଶର ତାଲିକାରେ ଭାରତ ୧୧୧ତମ ସ୍ଥାନରେ ରହିଛି । ବିଡ଼ମ୍ବନା ହେଉଛି ଆମେ ବିଶ୍ୱର ୫ମ ବୃହତ୍ ଅର୍ଥ ବ୍ୟବସ୍ଥା ବୋଲି ଦାବି କରୁଛେ କିନ୍ତୁ ଆମ ଦେଶର ପରିଚୟ ଏବେ ଖାଦ୍ୟାଭାବ ଜନିତ ମୃତୁ୍ୟ ବା ଅନାହାରରେ ରହୁଥିବା ଲୋକଙ୍କ ଦେଶର ତାଲିକାରେ ରହିଛି । ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ଖାଦ୍ୟ ଅପଚୟ ଅଧିକ ଭାବରେ ହେଉଛି ବୋଲି ରିପୋର୍ଟରେ କୁହାଯାଇଛି  । ରିପୋର୍ଟ ଅନୁସାରେ ୨୦୨୨ରେ ସାରା ବିଶ୍ୱରେ ଯେତିକି ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥିଲା ତାର ୧୯ ପ୍ରତିଶତ ଅର୍ଥାତ ପାଖାପାଖି ୧.୦୫ ଅରବ ଟନ ଖାଦ୍ୟ ଶଷ୍ୟ ନଷ୍ଟ ହୋଇଥିଲା । ରିପୋର୍ଟ ଅନୁସାରେ ଚାଷୀର କ୍ଷେତରୁ ଖାଇବା ଥାଳି ପର୍ଯ୍ୟନ୍ତ ପହଞ୍ଚିବା ଭିତରେ ଉତ୍ପାଦନର ୧୩ ପ୍ରତିଶତ ଖାଦ୍ୟଶସ୍ୟ ନଷ୍ଟ ହୋଇଯାଇଥାଏ । ଜାତିସଙ୍ଘର ଖାଦ୍ୟ ଅପଚୟ ସୂଚକାଙ୍କ ରିପୋର୍ଟରେ ୨୦୩୦ ସୁଦ୍ଧା ଖାଦ୍ୟ ଅପଚୟକୁ ୫୦ ପ୍ରତିଶତ କମାଯିବା ପାଇଁ କୁହାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଯଦି ଖାଦ୍ୟ ଶସ୍ୟର ଅପଚୟ/ ନଷ୍ଟକୁ ରୋକାଯାଇପାରିବ ତେବେ ସାରା ବିଶ୍ୱରୁ ଖାଦ୍ୟାଭାବ ଭଳି ସମସ୍ୟା ଦୂର ହୋଇଯିବ । ଏବେ ସାରା ବିଶ୍ୱରେ ୭୮.୩ କୋଟି ଲୋକ ଖାଦ୍ୟାଭାବର ଶୀକାର ହେଉଥିବା ବେଳେ ୧୦୦କୋଟି ଲୋକଙ୍କ ଖାଦ୍ୟ ନଷ୍ଟ ହେୁଛି । ଏକ ରିପୋର୍ଟ ଅନୁସାରେ ପ୍ରତିବ୍ୟକ୍ତି ବର୍ଷକୁ ୭୯ କିଲୋଗ୍ରାମ ଖାଦ୍ୟ ନଷ୍ଟ କରିଥାନ୍ତି । ଏଣୁ ଖାଦ୍ୟ ଅପଚୟ ଏକ ବିଶ୍ୱସ୍ତରୀୟ ସମସ୍ୟା ଓ ସଙ୍କଟ । ଏହାକୁ ରୋକାଯିବା ମଧ୍ୟ ଜରୁରି କାରଣ ଏହି ସମସ୍ୟା ଯେ କେବଳ ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ ତା ନୁହେଁ ଏହା ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ବିବିଧତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
        ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪