ଗୁରୁକୃପା ଓ ଜୀବନ
ଆମର ଗୋଟାଏ ଦୋଷ ଏଇ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭଗବତ୍ତ୍ୱ ଆରୋପ କରି, ଭଗବତ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ - ଏଇ ଆଶାରେ ନିଶ୍ଚିନ୍ତ ହୋଇ ବସିଯାଉ । ଏହାଠାରୁ ବଡ଼ ଭୁଲ ଆଉ କିଛି ନାହିଁ । ଭଗବାନ ହେଲେ ବି ସିଏ ଯେ ଜଣେ ମଣିଷ, ଏବଂ ମଣିଷ ଜଗତରେ ମଣିଷକୁ ଯାହା କରିବାକୁ ହୁଏ ସେହି ମାନବୀୟ ଭାବରେ କାର୍ଯ୍ୟସିଦ୍ଧି କରିବା ଛଡ଼ା ତାଙ୍କର ମଧ୍ୟ ଯେ ଉପାୟ ନାହିଁ, ଏହା ବୁଝି, ଖଟିଖାଟି, ତାଙ୍କର ଚାହିଦା ପୂରଣ କରିବା ଦରକାର । ମହାପୁରୁଷଗଣ ଇଛା କରିଲେ ହିଁ ଅନେକ କିଛି କରିପାରନ୍ତି । ଏଇ କଥାର ତାତ୍ପର୍ଯ୍ୟ ଏଇ ଯେ, ସେମାନଙ୍କର ବିରାଟ ପରିପୂରଣକାରୀ ଓ ନିୟନ୍ତ୍ରଣକାରୀ ଶକ୍ତି, ପ୍ରେମ ଓ ଚରିତ୍ରବଳ ଥାଏ, ସେଇ କାରଣରୁ ଅନେକେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କର କଲ୍ୟାଣକର ଇଛାକୁ ରୂପଦେବାକୁ ଚେଷ୍ଟା କରନ୍ତି ଏବଂ ବହୁ ଲୋକଙ୍କର ସମବେତ ଓ ସୁସଂଗଠିତ ଚେଷ୍ଟା ଫଳରେ ଅନେକ ଅସାଧ୍ୟ ସାଧନ ହୋଇଥାଏ । ଯାହାହେଉ, ଅବତାର ମହାପୁରୁଷଙ୍କ ଭୂତ-ମହେଶ୍ୱର ଭାବ କିନ୍ତୁ ତାଙ୍କୁ ଅନୁସରଣ କରିଲେ ହିଁ ବୁଝାଯାଏ । ମନୁଷ୍ୟତ୍ୱରୁ ଈଶ୍ୱରତ୍ୱକୁ ଅଗ୍ରସର ନହେଲେ ଈଶ୍ୱରତ୍ୱ ବୁଝାଯାଏ ନାହିଁ, ତତ୍ ସମ୍ବନ୍ଧରେ ଅଳୀକ ମନଗଢ଼ା କଳ୍ପନାହିଁ ସାର ହୋଇଥାଏ । ଜୀବନ ଗତିଶୀଳ, ଏକ ପ୍ରବହମାନ ଧାରା । ଏହି ଧାରାରେ ଧାବିତ ସକଳ ଜୀବଜଗତ, ମାତ୍ର ଧାବମାନ ଜୀବନକୁ ସୁନିୟନ୍ତ୍ରିତ କରି ନପାରିଲେ ଜନ୍ମ ନିରର୍ଥକ ହୋଇଯାଏ । ଜୀବନକୁ ସୁନିୟନ୍ତ୍ରିତ କରିବା ଲାଗି ସଦଗୁରୁଙ୍କ ଶରଣାପନ୍ନ ହେବା ଅପରିହାର୍ଯ୍ୟ । ସଦଗୁରୁଙ୍କ ନିଦେ୍ର୍ଦଶିତ ପଥରେ ଜୀବନକୁ ଚଳାଇପାରିଲେ ଜୀବନ ହୋଇଉଠେ ସମୁନ୍ନତ, ସୁମଧୁର । ଠାକୁର ଅନୁକୂଳଚନ୍ଦ୍ର "ସତ୍ୟାନୁସରଣ'ରେ ଉଲ୍ଲେଖ କରିଛନ୍ତି - "ସଦଗୁରୁଙ୍କ ଶରଣାପନ୍ନ ହୁଅ, ସତନାମ ମନନ କର ଆଉ ସତସଙ୍ଗର ଆଶ୍ରୟ ଗ୍ରହଣ କର, ମୁଁ ନିଶ୍ଚୟକରି କହୁଛି ତୁମର ଉନ୍ନୟନ ପାଇଁ ତୁମକୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ ।' ଏ ଉନ୍ନୟନ ଉଭୟ ଭୌତିକ ଓ ଆତ୍ମିକ । ଆତ୍ମିକ ଉନ୍ନତି ବିନା କେବଳ ଭୌତିକ ଉନ୍ନତି ମୂଲହୀନ । ପୁଣି ଉଚ୍ଚ ବା ଶ୍ରେଷ୍ଠଜନଙ୍କ ପ୍ରତି ଶ୍ରଦ୍ଧାଭକ୍ତି ବିନା ଉନ୍ନତି ସମ୍ଭବ ନୁହେଁ । କେତେକେ କହନ୍ତି, "ପ୍ରଭୁ ତୁମେ ମୋର' । ଏହାର ଅର୍ଥ ପ୍ରଭୁ ତୁମେ କେବଳ ମୋର, ତୁମେ ଆଉ କାହାର ନୁହଁ । ଅବଶ୍ୟ ଏଠାରେ ସଂକୀର୍ଣ୍ଣ ସ୍ୱାର୍ଥପରତାର ଝଲକ ଫୁଟି ଉଠେ । କାରଣ ଏଭଳି କହୁଥିବା ବ୍ୟକ୍ତି ଚାହେଁ ପ୍ରଭୁ କେବଳ ତା'ରି କଥା ଶୁଣନ୍ତୁ, ତାରି ଅଭୀଷ୍ଟ ପୂରଣ କରନ୍ତୁ । ଅପରପକ୍ଷରେ "ମୁଁ ତୁମର' କହିଲେ - ସମର୍ପଣର ଭାବ ପ୍ରକଟିତ ହୁଏ । ତେଣୁ ଠାକୁରଙ୍କ ପାଖରେ ସମର୍ପିତ ହେବାକୁ ହେଲେ - "ମୁଁ ତୁମର' ଭାବଟିକୁ ନିଜ ଭିତରେ ଆରୋପିତ କରିବାକୁ ପଡ଼ିବ । ଏହା ହୋଇପାରିଲେ ଅହଙ୍କାର, ଆତ୍ମମ୍ଭରିତା ଉପରେ ନିୟନ୍ତ୍ରଣ ଆସିପାରିବ, ନିଜ ଭିତରେ ବିନୟସମନ୍ୱିତ ଭାବ ଗଜେଇ ଉଠିବ । ବ୍ୟକ୍ତିର ପ୍ରକୃତ ବ୍ୟକ୍ତିତ୍ୱ ପ୍ରସ୍ଫୁଟିତ ହୋଇପାରିବ । ବର୍ତ୍ତମାନ ସମୟରେ ବ୍ୟକ୍ତିର ଜୀବନ ବହୁ ସଙ୍କଟ ଦେଇ ଗତି କରୁଛି । ଅବିଶ୍ୱାସ, ସ୍ୱାର୍ଥପରତା, ହିଂସା, ଅପରାଧ ଭୟଙ୍କର ଭାବରେ ସମାଜକୁ କଳୁଷିତ କରୁଛି ଓ ଆହୁରି ତୀବ୍ର ରୂପ ଗ୍ରହଣ କରିବାର ଆଭାସ ମିଳୁଛି । ବ୍ୟକ୍ତିର ଉନ୍ନତି କେବଳ ଭୌତିକ ଉନ୍ନତିରେ ସୀମିତ ହୋଇଯାଉଛି । ଅର୍ଥନୈତିକ ଉନ୍ନତି ସହିତ ଚରିତ୍ରର ଅବନତି ତାଳ ମିଳାଇ ଚାଲିଛି । ବ୍ୟକ୍ତିର ଜୀବନ ଆହର, ନିଦ୍ରା ଓ ମୈଥୁନ ମଧ୍ୟର ସୀମାବଦ୍ଧ ହୋଇଯାଉଛି । ଧର୍ମକୁ ବାଦ ଦେଇ ପ୍ରକୃତ ଉନ୍ନତି ସମ୍ଭବ ନୁହେଁ । ପ୍ରକୃତ ଧର୍ମ କିନ୍ତୁ ସଂପ୍ରଦାୟର ଊଦ୍ଧ୍ୱର୍ରେ । ଏହି ଧର୍ମ କିନ୍ତୁ ଜୀବନ୍ତ ହୋଇଥାଏ ସଦଗୁରୁଙ୍କ ଠାରେ । ଅତଏବ ସଦଗୁରୁଙ୍କୁ ବାଦ ଦେଇ ଓ ଧର୍ମକୁ ବାଦ ଦେଇ କେବେ ପ୍ରକୃତ ଉନ୍ନତି ହୋଇପାରେନା ।
ଡା.ଉମେଶ ଚନ୍ଦ୍ର ପାତ୍ର
ମୋ : ୯୪୩୭୦୫୧୯୫୭