ବିଶ୍ୱ ମଧୁମେହ ଦିବସ
ଆଜି ୱାର୍ଲଡ଼ ଡାଇବେଟିସ୍ ଡେ' ବା ବିଶ୍ୱ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ସମଗ୍ର ବିଶ୍ୱରେ ମଧୁମେହ ଦିବସ ଭାବେ ପାଳନ କରାଯାଏ । ମଧୁମେହ ରୋଗ ସହିତ ଲିଭର ଓତଃପ୍ରୋତ ଭାବେ ଜଡ଼ିତ । ଲିଭର ଏକ ବିରାଟ ଲେବୋରେଟରି ବା ରସାୟନାଗାର । ଏହା ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରର ସବୁଠାରୁ ବଡ଼ଗ୍ରନ୍ଥି । ପେଟର ମଧ୍ୟ ଭାଗର ଡାହାଣପଟକୁ ମଧ୍ୟଚ୍ଛଦାର ଠିକ୍ ତଳକୁ ଯକୃତ ରହିଥାଏ । ପିଞ୍ଜରାହାଡ ଭିତରେ ଏହା ସୁରକ୍ଷିତ ଅବସ୍ଥାରେ ଥିବାବେଳେ ଏହାକୁ ଶରୀରର ବିଜ୍ଞାନଗାର କହିଲେ ଅତୁ୍ୟକ୍ତି ହେବନାହିଁ । ଏକ ସମୟରେ ଏହା ବହୁତ ରାସାୟନିକ କାର୍ଯ୍ୟ କରିଥାଏ । ଶରୀରରେ ନଷ୍ଟ ହେଉଥିବା ଲୋହିତ ରକ୍ତକଣିକାରୁ ହିମୋଗ୍ଲୋବିନ୍ ବାହାର କରି ତାକୁ ଭାଙ୍ଗି ପୁଣି ନୂଆ ହିମୋଗ୍ଲୋବିନ୍ ସୃଷ୍ଟି କରିବାରେ ଯକୃତ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ରକ୍ତ ଜମାଟ ବାନ୍ଧିବା ପାଇଁ ଯେଉଁ ଉପାଦାନ ଆବଶ୍ୟକ ପଡ଼େ ଯଥା ପ୍ରୋଥ୍ରୋମ୍ବିନ୍ ଓ ଫିବ୍ରିନୋଜେନ୍ ତାହା ଯକୃତ ଲେବୋରେଟରିରେ ହିଁ ତିଆରି ହୁଏ । ପିତ୍ତ କ୍ଷରଣ ହେଉଛି ଯକୃତର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଖାଦ୍ୟ ପାକସ୍ଥଳୀରୁ ଗ୍ରହଣି ମଧ୍ୟକୁ ପ୍ରବେଶ କରିବା ସମୟରେ ପିତ୍ତନଳୀରୁ ପିତ୍ତ ଆସି ଖାଦ୍ୟ ସହିତ ମିଶି ପାଚନ କ୍ରିୟାରେ ସାହାଯ୍ୟ କରେ । ରକ୍ତରେ ଶର୍କରା ପରିମାଣ ଅଧିକ ହେଲେ ଯକୃତ ଏହାକୁ ଗ୍ଲାଇକୋଜେନ୍ରେ ପରିଣତ କରି ନିଜ ଭିତରେ ସଞ୍ଚୟ କରି ରଖେ । ଉପବାସ ସମୟରେ ରକ୍ତରୁ ଗ୍ଲୁକୋଜର ପରିମାଣ କମିଗଲେ ଲିଭର ଗ୍ଲାଇକୋଜେନ୍କୁ ଗ୍ଲୁକୋଜରେ ପରିଣତ କରି ଶର୍କରାର ଭାରସାମ୍ୟ ରକ୍ଷା କରେ । ଏହି ବ୍ୟସ୍ତବହୁଳତା ମଧ୍ୟରେ ଯକୃତ ତାର କର୍ମ କରୁଥିବା ସମୟରେ ଶରୀର ମଧୁମେହ ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ଯକୃତର ସମସ୍ୟା ବଢ଼ିଯାଏ । ମଧୁମେହ ଓ ଯକୃତ ପରସ୍ପର ନିର୍ଭରଶୀଳ । ମଧୁମେହ ରୋଗ ହେଲେ ଯକୃତ ଖରାପ ହୁଏ ଓ ଯକୃତ ଖରାପ ହେଲେ ମଧ୍ୟ ଶରୀର ମଧୁମେହ ରୋଗ ଦ୍ୱାରା ଆକ୍ରାନ୍ତ ହୁଏ । ଅନ୍ୟ କେତେକ କ୍ଷେତ୍ରରେ ଉଭୟ ଲିଭର ଓ ଅଗ୍ନ୍ୟାଶୟ ଏକା ସହିତ ଆକ୍ରାନ୍ତ ହୁଅନ୍ତି । ମଧୁମେହ ରୋଗରେ ଆକ୍ରାନ୍ତ ହେଲେ ୪୦-୭୦% କ୍ଷେତ୍ରରେ ଯକୃତରେ ଚର୍ବି ଜମିଯାଏ । ଏହାକୁ ଫ୍ୟାଟିଲିଭର କୁହନ୍ତି । ଅତ୍ୟଧିକ ଚର୍ବି ଜମିଲେ ଯକୃତ କୋଷରେ ଏକ ପ୍ରକାର ପ୍ରଦାହ ସୃଷ୍ଟି ହୋଇ ରକ୍ତରେ ଲିଭର ପାଚକ ରସର ମାତ୍ରା ବୃଦ୍ଧିପ୍ରାପ୍ତ ହୁଏ । ଏହାକୁ ନାସ୍ ବା ଷ୍ଟିଆଟୋ ହେପାଟାଇଟିସ୍ କୁହାଯାଏ । ଧୀରେ ଧୀରେ ଚର୍ବି ଜମିଲେ ଲିଭର କୋଷର କ୍ଷତ ସୃଷ୍ଟି ହୋଇ ସଂଯୋଜକ ତନ୍ତୁରେ ମୋଟା ଦାଗ ଜମିଯାଏ । ଏହା ଯକୃତର କାର୍ଯ୍ୟ କ୍ଷମତାକୁ କମାଇ ଦିଏ ଓ ସୂତ୍ରତନ୍ତୁମୟତା ଯୋଗୁଁ ଯକୃତ ସଙ୍କୁଚିତ ହୋଇ ଉପରିଭାଗରେ ଛୋଟ ଛୋଟ ଫୁଲା ବା ଗ୍ରନ୍ଥିକା ହୋଇ ଧୀରେ ଧୀରେ ସିରୋସିସ୍ ବା ଜଳଉଦରୀ ରୋଗର ସୃଷ୍ଟି ହୁଏ ।
ମଧୁମେହ ରୋଗରେ ଯକୃତ କ୍ୟାନସରର ସଂଖ୍ୟା ମଧ୍ୟ ଅଧିକ । ମଧୁମେହରେ ଲିଭରର ପିତ୍ତକୋଷରେ ପଥର ସୃଷ୍ଟି ହୁଏ । ମଧୁମେହ ରୋଗରେ ବ୍ୟବହୃତ ଔଷଧର ପାଶ୍ୱର୍ପ୍ରତିକ୍ରିୟା ଯୋଗୁଁ ବେଳେ ବେଳେ ଜଣ୍ଡିସ୍ ହୁଏ । ମଧୁମେହରେ ଜଣ୍ଡିସ ବା ହେପାଟାଇଟିସ୍ ହେଲେ ସେଥିରେ ଜଣ୍ଡିସ୍ର ମାତ୍ରା ଅତ୍ୟଧିକ ଭାବରେ ବଢ଼ିଯାଏ ଓ ବେଳେବେଳେ ପେଟରେ ପାଣି ଜମିଯାଏ । ବେଳେବେଳେ ରୋଗୀମାନେ ସେଥିରେ ମୃତୁ୍ୟବରଣ କରନ୍ତି । ମଦ୍ୟପାନ ଓ ହେପାଟାଇଟିସ୍ "ବି', "ସି'କୁ ବାଦ ଦେଲେ ମଧୁମେହ ରୋଗ ହେଉଛି ଲିଭର ସିରୋସିସ୍ ବା ଜଳଉଦରୀ ବ୍ୟାଧିର ମୁଖ୍ୟ କାରଣ । ମଧୁମେହ ବା ହେପାଟାଇଟିସ୍ "ବି' ଓ "ସି' ଭୂତାଣୁ ବେଳେ ବେଳେ ମିଶି ଯକୃତକୁ ଆକ୍ରମଣ କରନ୍ତି । ଲିଭର ଓ ଅଗ୍ନ୍ୟାଶୟ ଏକା ସହିତ ଖରାପ ହେଲେ ଏହା ସାଂଘାତିକ ଅବସ୍ଥା ସୃଷ୍ଟି କରେ । ଲିଭରରେ ଅତ୍ୟଧିକ ଲୌହକଣିକା ଜମିଗଲେ ଲିଭର ସିରୋସିସ୍ ଓ ଡାଏବେଟିସ୍ ହୁଏ । ଏହାକୁ ବ୍ରୋଞ୍ଜ ଡାଏବେଟିସ ବା ହିମୋକ୍ରୋମାଟୋସିସ୍ କୁହନ୍ତି । ଅଟୋଇମୁ୍ୟନ୍ ଲିଭର ରୋଗରେ ମଧ୍ୟ ଅଗ୍ନ୍ୟାଶୟ ଖରାପ ହୋଇ ଡାଏବେଟିସ୍ ହୁଏ । ଏହାକୁ ଟାଇପ-୧ ଡାଏବେଟିସ ଓ ଅଟୋଇମୁ୍ୟନ୍ ଲିଭର ରୋଗ ବୋଲି କୁହନ୍ତି । ମଧୁମେୟରେ ଅଗ୍ନ୍ୟାଶୟ ଓ ଲିଭର ଏକାଠି ଆକ୍ରାନ୍ତ ହେଲେ ଉଭୟ ରୋଗର ଲକ୍ଷଣ ଦେଖାଯାଏ । ଭୋକ ଲାଗେନାହିଁ, ଜଣ୍ଡିସ୍ ହୁଏ, ଆଖି ହଳଦିଆ ଦେଖାଯାଏ, ପେଟରେ ପାଣି ଜମିଯାଏ । ବେଳେବେଳେ ବୃକକ୍ ଖରାପ ହୋଇ ପରିସ୍ରା କମିଯାଏ । ମନୁଷ୍ୟର ଚେତା ମଧ୍ୟ ବୁଡ଼ିଯାଏ । ମଧୁମେହ ରୋଗ ଯୋଗୁଁ ହୃତ୍ପିଣ୍ଡ, ଲିଭର, ଫୁସ୍ଫୁସ୍, ବୃକକ୍, ରକ୍ତନଳୀ ଓ ସ୍ନାୟୁଗୁଚ୍ଛ ଇତ୍ୟାଦି ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଖରାପ ହୋଇଯାଏ । ଏହା ଏକ ଦାରୁଣ ବ୍ୟାଧି ଓ ରୋଗୀ ମୃତୁ୍ୟମୁଖରେ ପଡ଼େ । ପ୍ରଥମ ଅବସ୍ଥାରୁ ଉଭୟ ରୋଗର ଚିକିତ୍ସା ବିଶେଷଜ୍ଞ ଚିକିତ୍ସକ ମାନଙ୍କ ଦ୍ୱାରା କଲେ ଏଥିରେ ରୋଗ ଉପଶମ ହେବାର ଆଶା ରହିଛି । ଇନ୍ସୁଲିନ୍ ଓ ବିଭିନ୍ନ ପ୍ରକାର ଲିଭର ଔଷଧ ପ୍ରୟୋଗ କରାଯାଏ । ରୋଗୀ ମାନଙ୍କୁ ଦରକାର ହେଲେ ଆଇସିୟୁରେ ରଖିବାକୁ ପଡ଼େ । ତେଣୁ ଏସବୁ କ୍ଷେତ୍ରରେ ପ୍ରଥମରୁ ସାବଧାନ ହେବାର ବହୁତ ଆବଶ୍ୟକତା ରହିଛି । ନିୟମିତ ଶାରୀରିକ ବ୍ୟାୟାମ ଓ ଯୋଗାସନ କଲେ ମଧୁମେହର ନିଅାଁ କମିଯାଏ ଓ ଯକୃତର ମଧ୍ୟ ଉପଶମ ମିଳେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଲିଭର ବିଭାଗରେ ଉପରୋକ୍ତ ଚିକିତ୍ସାର ସମସ୍ତ ସୁବିଧା ରହିଛି ।
ମୋ : ୯୪୩୭୦୫୧୯୫୭