ଗୁରୁଦିବସ ଓ ଆମ ଶିକ୍ଷା ବ୍ୟବସ୍ଥା

ଗୁରୁଦିବସ ଓ ଆମ ଶିକ୍ଷା ବ୍ୟବସ୍ଥା


ହିମାଂଶୁ ଶେଖର : ଗୁରୁ-ଶିଷ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ପାଇଁ ଗୁରୁଦିବସ ଏକ ବଡ ଅବସର ।  ମହାଭାରତର କୃଷ୍ଣ-ସନ୍ଦିପନୀ, ଦ୍ରୋଣ-ଏକଲବ୍ୟଙ୍କଠାରୁ ଆରମ୍ଭକରି ଛତ୍ରପତି ଶିବାଜୀ ଓ ଗୁରୁ ରାମଦାସଙ୍କ ପର୍ଯ୍ୟନ୍ତ ପୁଣି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଠାରୁ ଆରମ୍ଭକରି ଏ. ପି. ଜେ. ଅବଦୁଲ କଲାମଙ୍କ ପର୍ଯ୍ୟନ୍ତ ସବୁଠିି ଗୁରୁ ଶିଷ୍ୟ ପରମ୍ପରାର ଲମ୍ବା ତାଲିକା । ସେହି ମହାନ ପରମ୍ପରାକୁ ମନେପକାଇ ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀ ସମସ୍ତେ ଗୁରୁଦିବସ ଉପଲକ୍ଷେ ବାର୍ତ୍ତା ରଖିଛନ୍ତି । ଗୁରୁ ଦିବସ ଦେଶର ଶିକ୍ଷକମାନଙ୍କର ଅଧିକାର,ଅସ୍ମିତା ଓ ସ୍ୱାଭିମାନ ପ୍ରତିଷ୍ଠା ପାଇଁ   ଚିନ୍ତା କରିବାର ଦିନଟିଏ ।  ଏହି କଥାକୁ ଆଖିରେ ରଖି ବିଶ୍ୱର ପ୍ରତ୍ୟେକ ଦେଶ ନିଜ ନିଜର ଶିକ୍ଷକ ବା ସମାଜ ନିର୍ମାତାମାନଙ୍କୁ ସମ୍ମାନ ଦେବା ଉଦେ୍ଦଶ୍ୟରେ ଭିନ୍ନ ଭିନ୍ନ ଦିନରେ ଗୁରୁ ଦିବସ ପାଳନ କରିଥାନ୍ତି । ଏପରିକି ସାର୍ବଜନୀନ  ଭାବେ ଅକ୍ଟୋବର ୫ ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ରୂପେ ମଧ୍ୟ ପାଳନ କରାଯାଇଥାଏ । ଆମ ଦେଶରେ ଗୁରୁ ଦିବସ ପାଳନ ଅବସରରେ ଆମେ ଦୁଇଟି କଥାକୁ ଗୁରୁତ୍ୱ ଦେଇଥାଉ । ପ୍ରଥମଟି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମ ଦିବସ ପାଳନ ଓ ଦ୍ୱିତୀୟଟି ଗୁରୁଙ୍କ ସମ୍ମାନାର୍ଥେ ଗୁରୁପୂଜା । 
ସବୁଦେଶରେ ଶିକ୍ଷକ ବା ଗୁରୁ ପୂଜନୀୟ । ବିଶ୍ୱର ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଦିବସରେ ବା ତାରିଖରେ ମହାନ୍ ଶିକ୍ଷକଙ୍କ ସ୍ମୃତିରେ ପାଳନ କରନ୍ତି ଶିକ୍ଷକ ଦିବସ ବା ଗୁରୁଦିବସ ।  ଆର୍ଜେଣ୍ଟିନାରେ ସେପ୍ଟେମ୍ବର ୧୧ ତାରିଖରେ ମହାନ୍ ଶିକ୍ଷକ ଡୋମିଙ୍ଗୋ ଫଷ୍ଟିନୋ ସାର୍ମିଏଣ୍ଟୋଙ୍କ ସ୍ମୃତିରେ ପାଳିତ ହୁଏ ଏହି ଦିବସ ।  ବ୍ରୁନେଇର ୨୮ତମ ଶାସକ ସୁଲତାନ ଓମାର୍ ଅଲ୍ଲୀ ସୈଫୁଦ୍ଦିନ୍ ତୃତୀୟଙ୍କ  ଜନ୍ମଦିନ ସେପ୍ଟେମ୍ବର ୨୩ ତାରିଖକୁ ପାଳନ କରାଯାଏ ଶିକ୍ଷକ ଦିବସ ଭାବରେ ।  ବ୍ରାଜିଲ୍ରେ ଅକ୍ଟୋବର ୧୫ ତାରିଖରେ ପ୍ରାଥମିକ ସ୍କୁଲଗୁଡିକ ଅଦାଲତରେ ଏକ ମାମଲାରେ ଜୟଯୁକ୍ତ ହୋଇଥିଲେ । ସେବେଠାରୁ ଏହି ଦିନକୁ ଶିକ୍ଷକ ଦିବସ ରୂପେ ପାଳନ କରାଯାଉଛି । ଏଥି ସହିତ ଆମେରିକାରେ ମଇ ମାସର ପ୍ରଥମ ସପ୍ତାହ (ବୁଧବାର) ଦିନକୁ ପାଳନ କରାଯାଏ ନ୍ୟାସନାଲ୍ ଟିଚର୍ସ ଡେ । ଆମ ଦେଶରେ ଗୁରୁପୂଜନର ପରମ୍ପରା ହେଉଛି ଅତି ପ୍ରାଚୀନ । ଏହି ଗୁରୁମାନଙ୍କ ଉଦେ୍ଦଶ୍ୟରେ ପ୍ରତିବର୍ଷ ପାଳନ କରାଯାଏ ଗୁରୁପୂର୍ଣ୍ଣିମା । ଏହିଦିନ ବେଦବ୍ୟାସ ଜନ୍ମଗ୍ରହଣ କରିଥିଲେ  । ସେହିପରି ଭାରତରେ ପ୍ରତିବର୍ଷ  ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ । ୧୯୬୨ ମସିହାରୁ ଏହା ପାଳନ କରାଯାଉଛି । ଏହି ଦିନ ୧୮୮୮ ମସିହାରେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ତତକାଳୀନ ମାଡ୍ରାସ୍ ସହର(ଆଧୁନିକ ଚେନ୍ନାଇ) ଠାରୁ ପ୍ରାୟ ୪୦ ମାଇଲ୍ ଦୂର ତିରୁତାନୀରେ ଜନ୍ମଗ୍ରହଣ କରିଥିଲେ । ଏକାଧାରରେ ସେଥିଲେ ଜଣେ ଶିକ୍ଷକ, ଶିକ୍ଷାବିତ୍,ଦାର୍ଶନିିକ,କୂଟନୀତିଜ୍ଞ ଓ ସର୍ବୋପରି ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି । ତାଙ୍କୁ ଆମ ଦେଶର ସର୍ବକାଳୀନ ଶ୍ରେଷ୍ଠ ଶିକ୍ଷକ ଓ ଶିକ୍ଷା ସଂସ୍କାରକ ଭାବେ ଗ୍ରହଣ କରାଯାଇଛି । ୧୯୬୨ ମସିହାରେ ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାପରେ  ତାଙ୍କର କେତେକ ଛାତ୍ର ଓ ଶୁଭେଚ୍ଛୁ ତାଙ୍କର ଜନ୍ମଦିନକୁ ଆଡମ୍ବର ସହକାରେ ପାଳନ କରିବାକୁ ଅନୁମତି ମାଗନ୍ତେ, ସେ କହିଲେ - “ଯଦି ମୋ ଜନ୍ମ ଦନକୁ ପାଳନ କରିବାକୁ ଚାହୁଁଛ ତେବେ ମୋ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କଲେ  ମୁଁ ବହୁତ ଖୁସି ହେବି” । ଛାତ୍ର ଓ ଶୁଭେଚ୍ଛୁମାନେ ତାଙ୍କ କଥା ରଖିଲେ ଓ ସେହିଦିନଠାରୁ ଗୁରୁଦିବସ ପାଳନ ଆରମ୍ଭ ହେଲା । 
ଗୁରୁ ଦିବସ ପାଳନ ଅବସରରେ ଆମ ଦେଶ ତଥା ରାଜ୍ୟ କଥା ଚିନ୍ତାକଲେ ଅନେକ କଥା ଆଖି ସାମ୍ନାକୁ ଆସେ । କୋଠାରୀ କମିସନ କହିଥିଲେ - “ଭାରତର ଭବିଷ୍ୟତ ଶ୍ରେଣୀଗୃହରେ ତିଆରି ହୁଏ” । କିନ୍ତୁ କ୍ଷୋଭର କଥା ଶିକ୍ଷାର ମୁଖ୍ୟ ବିନ୍ଧାଣି କୁହାଯାଉଥିବା ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଛି । କିଏ ସରକାରୀ, କିଏ ବେସରକାରୀ ତ କିଏ ଠିକା ଶିକ୍ଷକ, ଶିକ୍ଷା ସହାୟକ, ବ୍ଲକ୍ଗ୍ରାଣ୍ଟ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଇତ୍ୟାଦି । ଏମାନଙ୍କ ବେତନ ଓ ସର୍ତ୍ତାବଳୀ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର । ଏବେ ବ୍ଲକ୍ଗ୍ରାଣ୍ଟ୍ର ପରିଭାଷା ବଦଳି ନୂତନ ଗ୍ରାଣ୍ଟ୍-ଇନ୍-ଏଡ୍ ନୀତି ଘୋଷଣା କରାଯାଇଛି । ଏଥିରେ ମଧ୍ୟ ସେହି ଏକା ପ୍ରକାରର ବ୍ୟବସ୍ଥା - ଚାକିରି ସର୍ତ୍ତାବଳୀ ବା ଅନ୍ୟାନ୍ୟ ସୁବିଧା ସୁଯୋଗ ନାହିଁ । କାହିଁ ଏପରି ବ୍ୟବସ୍ଥା ଅତୀତରେ ନଥିଲା ? ଏପରି ସ୍ଥଳେ ଗୁଣାତ୍ମକ ଶିକ୍ଷା କିପରି ଆଶା କରାଯିବ, ତାହାହିଁ ବିରାଟ ପ୍ରଶ୍ନବାଚୀ ରୂପେ ଦେଖାଦେଇଛି ।
ଖାଲି ସେତିକି ନୁହେଁ ସମଗ୍ର ଦେଶରେ ପ୍ରାୟ ୧୨ ଲକ୍ଷ ଶିକ୍ଷକ ପଦବୀ ଖାଲି ପଡିରହିଛି । ଏହି ପଦବୀ ଗୁଡିକ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନାହିଁ । ଆମ ରାଜ୍ୟର ଅବସ୍ଥା ମଧ୍ୟ ସେହିପରି । ଅଦ୍ୟାବଧି ରାଜ୍ୟର ପ୍ରାୟ ୩ ହଜାର ପ୍ରାଥମିକ ବିଦ୍ୟାଳୟ ମାତ୍ର ଜଣେ ଲେଖାଏଁ ଶିକ୍ଷକରେ ପରିଚାଳିତ ହେଉଛି । କେତେକ କ୍ଷେତ୍ରରେ କେଉଁଠି ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ତ ଆଉ କେଉଁଠି ୭ଟି ଶ୍ରେଣୀକୁ ୨ ବା ୩ ଜଣ ଶିକ୍ଷକରେ ସ୍କୁଲ ଚାଲିଛି । ନିକଟରେ ପ୍ରକାଶିତ ତଥ୍ୟ ଆମ ଶିକ୍ଷାବ୍ୟବସ୍ଥାର ଦୟନୀୟ ଚିତ୍ରକୁ ପ୍ରଦର୍ଶିତ କରୁଛି । ଦଶଟି ଶ୍ରେଣୀଥିବା ଏକ ବିଦ୍ୟାଳୟ ଦୁଇଟି ଶିକ୍ଷକରେ ଚାଲିଛି । ଏଭଳି ଚିତ୍ର ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଏକ ତଥ୍ୟ ଅନୁସାରେ ଓଡିଶାରେ ଏବେ ୩୪ ହଜାର ୭୭୯ ଶିକ୍ଷକ ପଦବୀ ଖାଲି ପଡିଛି । ସେହିପରି ସରକାରୀ ହାଇସ୍କୁଲରେ ପ୍ରାୟ ୧୦ହଜାର ଶିକ୍ଷକ ପଦବୀ ଖାଲିପଡିଥିବା ବେଳେ ଓ କଲେଜ ସ୍ତରରେ ମଧ୍ୟ ଅନୁରୂପ ଅବସ୍ଥା । କେତେକ ସ୍କୁଲରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନାହାଁନ୍ତି । କଲେଜରେ ମଧ୍ୟ ଶହଶହ ଅଧ୍ୟାପକ ପଦବୀ ଖାଲି ପଡିଛି । ଏପରିକି ଅଧିକାଂଶ ସ୍କୁଲ/କଲେଜରେ ସ୍ଥାୟୀ ପ୍ରଧାନ ଶିକ୍ଷକ ବା ଅଧ୍ୟକ୍ଷ ନାହାଁନ୍ତି । ଖାଲି ସେତିକି ନୁହେଁ ଏବର ଦ୍ରୋଣାଚାର୍ଯ୍ୟମାନଙ୍କୁ ପାଠ ଅପେକ୍ଷା ଶାଠ କାମ ଅଧିକ କରିବାକୁ ପଡୁଛି । ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ ଏପରିକି ଲୌହ ବଟିକା ବଣ୍ଟନ ଆଦି କାମ ଶିକ୍ଷକମାନଙ୍କ ଉପରେ ଲଦି ଦିଆଯାଉଛି । ଏବେ ପୁଣି ଅଧ୍ୟାପକମାନଙ୍କ ୭ ଘଣ୍ଟିଆ ରହଣି ବ୍ୟବସ୍ଥା କରାଯାଇଛି । 
ଆଜି ଗୁରୁ ଦିବସ ପାଳନ ଅବସରରେ ଆତ୍ମ ସମୀକ୍ଷା କରିବାର ସମୟ ଆସିଛି । ସମୟ ବଦଳିବା ସହିତ ବଦଳି ଯାଇଛି ଗୁରୁ ଶିଷ୍ୟର ସମ୍ପର୍କର ନିବିଡତା । ଏତିକି ବେଳେ ମନେପଡନ୍ତି ସେ ସମୟର ଗୁରୁ ଓ ଶିଷ୍ୟମାନେ । ଅପରପକ୍ଷରେ ଗୁରୁଦିବସକୁ ନେଇ ଗୁରୁମାନେ ଖୁସିରେ ନାହାଁନ୍ତି । ପ୍ରାଥମିକ, ମାଧ୍ୟମିକ, ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟଠାରୁ ଆରମ୍ଭକରି ସବୁସ୍ତରରେ ଶିକ୍ଷକଙ୍କ ସମସ୍ୟା ଅଦ୍ୟାବଧି ତୁଟିନାହିଁ ।  ପେନସନ୍ ବ୍ୟବସ୍ଥା ଚାକିରି ସର୍ତ୍ତାବଳୀ ସମାନ କାମକୁ ସମାନ ଦରମା ଓ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ନେଇ ଏ ପର୍ଯ୍ୟନ୍ତ ସେମାନଙ୍କ ମନରେ କ୍ଷୋଭ ରହିଛି ।  ସେଥିପାଇଁ ଅଧିକାଂଶ ସମୟରେ ସେମାନେ ଆନେ୍ଦାଳନକୁ ଓହ୍ଲାଉଛନ୍ତି । ଶିକ୍ଷାବିତ୍ଙ୍କ ମତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏହା ଗୁରୁଦାୟିତ୍ୱ । ସାକ୍ଷାତ୍ ପରଂବ୍ରହ୍ମମାନଙ୍କ ପାଇଁ ସମସ୍ତେ ସମ୍ବେଦନଶୀଳ ହୁଅନ୍ତୁ, ଏହାହିଁ  ଆଜିର ଅନୁଚିନ୍ତା ।