ବିଦେଶ ମୁହାଁ ଭାରତୀୟ କୋଟିପତି

ବିଦେଶ ମୁହାଁ ଭାରତୀୟ କୋଟିପତି

ଗୋପାଳ ମହାପାତ୍ର : ଭାରତର କୋଟିପତିମାନଙ୍କର ଦେଶ ପ୍ରତିଥିବା ମୋହ ଭଙ୍ଗ ହେବା ଏକ ଗୁରୁତର ବିଷୟ ନିଶ୍ଚୟ । ଭାରତର କୋଟିପତିମାନେ ଭାରତର ନାଗରିକତାକୁ ଛାଡି ବିଦେଶର ନାଗରିକତା ପାଇଁ ଚାହୁଁଛନ୍ତି । ଭାରତର ୧ ପ୍ରତିଶତ ଧନକୁବେର (ସୁପର ରିଚ)ଙ୍କ ସମେତ ୪୩୦୦ ଧନୀ ବ୍ୟକ୍ତି ଦେଶ ଛାଡି ବିଦେଶ ପଳାଇ ଯିବାକୁ ଚାହୁଁଛନ୍ତି କାହିଁକି? ଭାରତ ବିଶ୍ୱର ଏଭଳି ୩ୟ ଦେଶ ଯେଉଁ ଦେଶର ଅରବପତି ନାଗରିକ ନିଜର ଭିଟାମାଟିକୁ ସବୁଦିନ ପାଇଁ ବାଏ ବାଏ କରି ଅନ୍ୟଦେଶରେ ବସବାସ କରିବାକୁ ଚାଲିଯାଉଛନ୍ତି । ବିଶ୍ୱର ଅନ୍ୟଦେଶର କୋଟିପତି ମାନେ ମଧ୍ୟ ଅନ୍ୟ ଦେଶକୁ  ଯାଇ ବସବାସ କରୁଛନ୍ତି । ପ୍ରତିବର୍ଷ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିନ୍ତୁ ବିଗତ ୬ରୁ ୭ ବର୍ଷ ମଧ୍ୟରେ ଭାରତର କୋଟିପତି ମାନେ ଏବେ ଅଧିକ ଆଗ୍ରହୀ ହେଉଛନ୍ତି । ଏ ବର୍ଷ ଅର୍ଥାତ୍ ୨୦୨୪ରେ ୪୩୦୦ରୁ ଅଧିକ କୋଟିପତି ଅନ୍ୟ ଅର୍ଥରେ ଧନକୁବେର ବୈଧ ପ୍ରକ୍ରିୟାରେ ଦେଶ ଛାଡିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ହେନଲି ପ୍ରାଇଭେଟ ୱେଲ୍ଥ ମାଇଗ୍ରେସନ ରିପୋର୍ଟ ୨୦୨୪ରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ସଂସ୍ଥା ପ୍ରତିବର୍ଷ ଲୋକଙ୍କ ସମ୍ପତ୍ତି ଅର୍ଥାତ୍ ୱେଲଥ ବାବଦରେ ତଥ୍ୟ ସଂଗ୍ରହ କରିଥାଏ । ଦେଶରେ ହିନ୍ଦୁ-ମୁସଲିମ କୁ ନେଇ ଯେଉଁ ରାଜନୀତି ଚାଲିଛି ସେ ଦୃଷ୍ଟିରୁ ଭାରତର କୋଟିପତି ମାନଙ୍କ ପ୍ରଥମ ପସନ୍ଦ ହେଉଛି ସଂଯୁକ୍ତ ଆରବ ଏମିରାତ । କେବଳ ଭାରତର କୋଟିପତିଙ୍କ ପସନ୍ଦ ନୁହେଁ ସାରା ବିଶ୍ୱର କୋଟିପତି ମାନେ ସଂଯୁକ୍ତ ଆରବ ଏମିରାତକୁ ପ୍ରଥମ ପସନ୍ଦ ଭାବେ ବାଛୁଛନ୍ତି । ସଂଯୁକ୍ତ ଆରବ ଏମିରାତର ଅର୍ଥବ୍ୟବସ୍ଥା ମୁଖ୍ୟତଃ ଅଶୋଧିତ ତୈଳ ଉପରେ ଆଧାରିତ । କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ସଂଯୁକ୍ତ ଆରବ ଏମିରାତ (ୟୁଏଇ) ପର୍ଯ୍ୟଟନ କ୍ଷେତ୍ରରେ ବିକାଶ, ପୁଞ୍ଜିନିବେଶ ଏବଂ ସ୍ପୋର୍ଟ କ୍ୟାପିଟାଲ ଉପରେ ଅଧିକ ଗୁରୁତ୍ୱ ଦେଇଛି । ୟୁଏଇରେ କଠୋର ଆଇନ ବ୍ୟବସ୍ଥା ରହିଛି କିନ୍ତୁ ସେଠାକାର ଶାସକ ନାଗରିକମାନଙ୍କୁ ଜୀବନଠାରୁ ଅଧିକ ଭଲ ପାଇଥାନ୍ତି । ଏଇଥିପାଇଁ ୟୁଏଇର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ‘ଦି ହେନଲି ପ୍ରାଇଭେଟ ୱେଲ୍ଥ ମାଇଗ୍ରେସନ ରିପୋର୍ଟ’ର ତଥ୍ୟ ଅନୁସାରେ ୨୦୨୪ ଶେଷ ସୁଦ୍ଧା  ସାରା ବିଶ୍ୱର ୬୭୦୦ କୋଟିପତି ୟୁଏଇ ଯାଇ ବା ସ୍ଥାନାନ୍ତର ହୋଇ ସେଠାରେ ବସବାସ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କୋଟିପତିମାନେ ସେମାନଙ୍କ ଦେଶ ଛାଡି ୟୁଏଇ ରେ ବସବାସ କରିବାକୁ ଚାହିଁବାର ଏକ ବଡ଼ କାରଣ ହେଉଛି ସେଠାରେ ଜିରୋ (ଶୁନ୍) ଇନକମ୍ ଟ୍ୟାକ୍ସ ବ୍ୟବସ୍ଥା ରହିଛି ଏବଂ ସାରା ବିଶ୍ୱର ଲୋକଙ୍କ ପାଇଁ ଗୋଲଡନ ଭିସାର ସୁବିଧା ରହିଛି । କୋଟିପତି ମାନଙ୍କ ପାଇଁ ନିଜର ବ୍ୟବସାୟ ବୃଦ୍ଧି କରିବା ୟୁଏଇରେ ସହଜ ଅଟେ । କୋଟିପତିମାନେ ୟୁଏଇ  ପରେ ଆମେରିକାକୁ ସେମାନଙ୍କର ୨ୟ ପସନ୍ଦ ବୋଲି ବାଛୁଛନ୍ତି । ରିପୋର୍ଟ ଅନୁସାରେ ୨୦୨୪ ଶେଷ ସୁଦ୍ଧା ୩୮୦୦ କୋଟିପତି ସେମାନଙ୍କ ଦେଶଛାଡି ଆମେରିକା ଚାଲିଯିବେ । ଆମେରିକାରେ ଉନ୍ନତ ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ସେଠାକାର ଆଇନ୍ ବ୍ୟବସ୍ଥା ମଧ୍ୟ ଭଲ ଅଟେ । ବ୍ୟବସାୟ କରିବାପାଇଁ ଆମେରିକାରେ ସମସ୍ତ ସୁବଧା ରହିଛି ଓ ଟେକ୍ନୋଲୋଜିର ମାଷ୍ଟର ହେଉଛି ଆମେରିକା । ଏଇଥିପାଇଁ ଆମେରିକା ବିଶ୍ୱର ଶକ୍ତିଶାଳୀ ଦେଶ ହୋଇ ପାରିଛି ।
ତୃତୀୟ ନମ୍ବରରେ ରହିଛି ସିଙ୍ଗାପୁର । କୋଟିପତି ମାନେ ସିଙ୍ଗାପୁରରେ ବସବାସ କରିବା ପାଇଁ ଚାହିଁବାର ବଡ଼ କାରଣ ହେଉଛି ସିଙ୍ଗାପୁରର ପାରିପାଶ୍ୱିର୍କ ଅବସ୍ଥା ଏବଂ ସେଠାରେ ବ୍ୟବସାୟ ପାଇଁ ବନ୍ଧୁତ୍ୱପୁର୍ଣ୍ଣ ବାତାବରଣ ମଧ୍ୟ ରହିଛି । ଏପରିକି ଟିକସ ବ୍ୟବସ୍ଥା ମଧ୍ୟ ସରଳ । ଚତୁର୍ଥ ସ୍ଥାନରେ କାନାଡା ଥିବା ବେଳେ କୋଟିପତିମାନଙ୍କର ୫ମ ପସନ୍ଦର ସ୍ଥାନ ହେଉଛି ଅଷ୍ଟ୍ରେଲିଆ । ତଥ୍ୟ ଅନୁସାରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କାନାଡାକୁ ଭାରତ ସମେତ ଅନ୍ୟ ଦେଶର ୩୨୦୦ କୋଟିପତି ଚାଲିଯିବାକୁ ଥିବାବେଳେ ୨୫୦୦କୋଟିପତି ଅଷ୍ଟ୍ରେଲିଆରେ ବସବାସ କରିବା ପାଇଁ ଚାଲିଯିବେ । ଏତଦ୍ ବ୍ୟତୀତ ୟୁରୋପରେ ଅନ୍ୟ କେତେକ ଦେଶ ଇଟାଲୀ, ସ୍ୱିଜରଲ୍ୟାଣ୍ଡ, ୟୁନାନ ଏବଂ ପତ୍ତୁର୍ଗାଲ ମଧ୍ୟ କୋଟିପତି ମାନଙ୍କ ପସନ୍ଦ ତାଲିକାରେ ରହିଛି । ବିଶ୍ୱର ଅନେକ ଦେଶରୁ ଦେଶଛାଡି ଯାଉଥିବା ଲୋକଙ୍କ ସଂଖ୍ୟାକୁ ଦେଖିଲେ ଭାରତ ୩ୟ ସ୍ଥାନରେ ରହିଛି । ଏବର୍ଷ ୪୩୦୦କୋଟିପତି ଭାରତ ଛାଡୁଥିବା ବେଳେ ୨୦୨୩ରେ ୫୧୦୦ କୋଟିପତି ଭାରତ ଛାଡି ଅନ୍ୟ ଦେଶକୁ ଚାଲିଯାଇଛନ୍ତି । ଭାରତ ଛାଡିଥିବା ଅଧିକ କୋଟିପତି ୟୁଏଇ ଯାଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ପ୍ରତିବର୍ଷ ହଜାର ହଜାର କୋଟିପତି ଭାରତୀୟ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ।
ସୁରକ୍ଷା, ଆର୍ଥôକ କାରଣ, ଟିକସ ବ୍ୟବସ୍ଥା ଆଦିକୁ ନେଇ ଅନେକ କୋଟିପତି ଆଶଙ୍କାରେ ରହୁଛନ୍ତି, ଏଣୁ ସେମାନେ ଦେଶ ଛାଡୁଛନ୍ତି ବୋଲି କହିଛି ହେନଲି ପ୍ରାଇଭେଟ ୱେଲଥ ମାଇଗ୍ରେସନ ରିପୋର୍ଟ । ଏସବୁ ଛଡା ବ୍ୟବସାୟ ପାଇଁ ସର୍ବୋକୃଷ୍ଟ ପରିବେଷ ଏବଂ ସୁଯୋଗ, ଉନ୍ନତ ଜୀବନ ଶୈଳୀ, ପିଲାଙ୍କ ପାଇଁ ଉତ୍ତମ ଶିକ୍ଷାର ସୁଯୋଗ, ଉଚ୍ଚମାନର ସ୍ୱାସ୍ଥ୍ୟସେବା ପାଇବା ଆଶାରେ ଭାରତୀୟ କୋଟିପତି ମାନେ ଦେଶ ଛାଡୁଛନ୍ତି । ବିଗତ କିଛିବର୍ଷ ହେବ ଭାରତରେ ଉଚ୍ଚ ଶିକ୍ଷାର ସ୍ତର ବିଗିଡିଯାଇଛି । ଅନେକ ଦେଶରେ ଶିକ୍ଷାକୁ ରୋଜଗାର ସହ ଯୋଡ଼ାଯାଇଛି । ଦେଶ ଏବଂ ଔଦ୍ୟୋଗିକ ସଂସ୍ଥାନ ମାନଙ୍କର ଆବଶ୍ୟକତା ଅନୁସାରେ ଉଚ୍ଚଶିକ୍ଷାରେ କୌଶଳର ବିକାଶ କରାଯାଇଛି । ଭାରତରେ କୌଶଳ ବିକାଶ କଥା କୁହାଯାଉଛି କିନ୍ତୁ ପ୍ରକୃତ ପକ୍ଷେ କୌଶଳ ବିକାଶ କଥା କଥାରେ ହିଁ ରହିଯାଇଛି । ଭାରତରେ ଯେଉଁଭଳି ଶ୍ରମ ବ୍ୟବସ୍ଥା ରହିଛି ତଦନୁସାରେ ଭାରତରେ ରୋଜଗାର ମିଳିବା କଷ୍ଟକର ହୋଇାଯାଉଛି । ଦେଶର ଅବସ୍ଥା ଏପରି ହେଲାଣି ଯେ କେବଳ ଇସ୍ରାଏଲ ନୁହେଁ ଆଫଗାନିସ୍ଥ୍ାନ ଭଳି ଦେଶକୁ ଭାରତରୁ କୁଶଳୀ ଶ୍ରମିକ କାମ କରିବାକୁ ସେ ସବୁ ଦେଶକୁ ଯାଉଛନ୍ତି । ଏଥିରୁ ଦେଶର ପରିସ୍ଥିତି ବାବଦରେ ବୁଝିବା ଅଧିକ କଷ୍ଟକର ନୁହେଁ । ଅନେକ ପ୍ରତିଷ୍ଠିତ ସଂସ୍ଥାରୁ ବାହାରୁଥିବା ଛାତ୍ରମାନଙ୍କୁ ଯଦି ନିଯୁକ୍ତ ନମଳିବ ତେବେ ତ ସେମାନେ ନିଯୁକ୍ତି ପାଇଁ ବାହାରକୁ ଯିବେ ହିଁ ଯିବେ । ରାଷ୍ଟ୍ରୀୟ ସଂସ୍ଥାଗତ ଫ୍ରେମଓ୍ୟାର୍କ (ଏନ ୍ଆଇ ଆର ଏଫ)୨୦୨୪ ର ରିପୋର୍ଟରୁ ଏ ପ୍ରସଙ୍ଗରେ ଅନେକ ତଥ୍ୟ ମିଳିପାରିବ । ଉଚ୍ଚଶିକ୍ଷା ପାଇଁ ବିଦେଶକୁ ଯାଉଥିବା ଭାରତୀୟ ଛାତ୍ରମାନଙ୍କ ସଂଖ୍ୟାରୁ ଜଣାପଡିଛି ଯେ ଭାରତୀୟ ଶିକ୍ଷା ପ୍ରଣାଳୀ କେତେ ସଙ୍କଟ ଦେଇ ଗତି କରୁଛି । ବିଦେଶରେ ଉତ୍ତମ ଅବସର ବା ସୁଯୋଗ ଖୋଜିବା ପାଇଁ ବହୁ ସଂଖ୍ୟକ ଛାତ୍ର ଭାରତ ଛାଡୁୂଛନ୍ତି । ଦେଶରେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଲାଗୁ ହେବା ପରେ ମଧ୍ୟ ୩ବର୍ଷ ମଧ୍ୟରେ (୨୦୨୦ ରୁ ୨୦୨୩) ୮ଲକ୍ଷ ୯୪ହଜାର ୭୮୩ଛାତ୍ର ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଛନ୍ତି । ଏହି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦୁର୍ଭାଗ୍ୟ ଯେ ବଙ୍ଗଳାଦେଶ ଭଳି ଦେଶରେ ହଜାର ହଜାର ଛାତ୍ର ପଢ଼ୁଛନ୍ତି ।
ଭାରତ ସରକାରଙ୍କ ଏକ ରିପୋର୍ଟ ଅନୁସାରେ ବଙ୍ଗଳାଦେଶରେ ପଢ଼ୁଥିବା ଛାତ୍ର ମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଛାତ୍ର ମେଡିକାଲ ବା ଡାକ୍ତରୀ ପାଠ ପଢ଼ୁଛନ୍ତି । ଏବେ ୧୦ହଜାର ପାଖାପାଖି ଭାରତୀୟ ଛାତ୍ର ବଙ୍ଗଳାଦେଶରେ ରହି ପାଠ ପଢ଼ୁଛନ୍ତି । ଏହାର କାରଣ ହେଉଛି ଭାରତରେ ଡାକ୍ତରୀ ଶିକ୍ଷା ପାଇଁ ଯେତିକି ଖର୍ଚ୍ଚ ହୁଏ ବଙ୍ଗଳାଦେଶରେ ତାର ଅଧାରୁ କମ୍ ଖର୍ଚ୍ଚ ହୁଏ । ଭାରତରେ ପୁଞ୍ଜିବାଦର ସଂରକ୍ଷଣ ଏବଂ ଶିକ୍ଷାର ଘରୋଇକରଣ କାରଣରୁ ଉଚ୍ଚଶିକ୍ଷାର ଅବସ୍ଥା ବିକଟାଳ ରୂପ ନେବାରେ ଲାଗିଛି । ଭାରତରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କାରଣରୁ ଲୋକଙ୍କ ଆର୍ଥôକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ଏହି କାରଣରୁ ଅପରାଧ ବଢ଼ୁଛି ଓ ଧାର୍ମିକ ଉନ୍ମାଦ ବଢ଼ିବାରେ ଲାଗିଛି ଯାହା ମୁଣ୍ଡବିନ୍ଧାର କାରଣ ପାଲଟିବାରେ ଲାଗିଛି । ଏସବୁ ପାଇଁ ସକ୍ଷମବର୍ଗ ଦେଶ ଛାଡୁଛନ୍ତି ଯାହା ଦେଶ ପାଇଁ ଶୁଭଙ୍କର ନୁହେଁ । ଭାରତୀୟ ମେଧାର ବ୍ୟବହାର ଭାରତରେ ହେବା ଆବଶ୍ୟକ କିନ୍ତୁ ଅନ୍ୟ ଦେଶମାନେ ଭାରତୀୟ ମେଧାର ବ୍ୟବହାର କରୁଛନ୍ତି । କେବଳ ଯେ କୋଟିପତି ମାନେ ଉଚ୍ଚ ଆଶାନେଇ ଦେଶ ଛାଡୁଛନ୍ତି ତା ମଧ୍ୟ ନୁହେଁ । ଭାରତରେ ବିଭିନ୍ନ ଅପରାଧ, ବ୍ୟାଙ୍କ ଠକେଇ କରି ଅନେକ ଲୋକ ମଧ୍ୟ ଭାରତ ଛାଡି ବିଦେଶକୁ ଚାଲିଯାଉଛନ୍ତି । ଏମାନଙ୍କ ଭିତରେ ବିଜୟ ମାଲ୍ୟା ଏବଂ  ନୀରବ ମୋଦୀଙ୍କ ଭଳି  ଅନେକ ଅଛନ୍ତି ।
ରାମଚନ୍ଦ୍ରପୁର, ରଣପୁର
ମୋ : ୯୪୩୮୪୮୫୦୯୪