ଭଞ୍ଜ ସାହିତ୍ୟ ଶିକ୍ଷା


କାବ୍ୟଯୁଗର ପ୍ରଚଣ୍ଡ ମାର୍ତ୍ତଣ୍ଡତୁଲ୍ୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସ୍ୱକୀୟ ପାଣ୍ଡିତ୍ୟ, ପ୍ରତିଭା, ସାଧନା, ଅଧ୍ୟବସାୟ ଓ ବହୁଶାସ୍ତ୍ରଦର୍ଶୀ ଗୁଣରେ କାବ୍ୟଯୁଗର ଚରମ ଶିଖରୀରେ ଉପନୀତ ହୋଇଥିଲେ  । ରୀତି ସାହିତ୍ୟର ସକଳ ଆଂଶିକ ଶୈଳୀ ଓ ସଂସ୍କୃତ କାବ୍ୟାଦର୍ଶର ଅନ୍ତର୍ନିହିତ ଗୁଣାବଳୀକୁ ନିଜର କରିବା ସହିତ କାବ୍ୟରୀତିରେ ପ୍ରୟୋଗ କରିଯାଇଛନ୍ତି  । ତାଙ୍କ କାବ୍ୟାବଳୀ ଉପମା ଓ ଅର୍ଥଗୋ÷ରବରେ ବିଭୂଷିତ  । ସେ ସମସ୍ତ ପ୍ରକାର ସଂସ୍କୃତ କାବ୍ୟଶାସ୍ତ୍ର, ଅଳଙ୍କାର ଶାସ୍ତ୍ର, ରସଶାସ୍ତ୍ର, କାମଶାସ୍ତ୍ର, ଆୟୁର୍ବେଦ ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର, ଦର୍ଶନ ଶାସ୍ତ୍ର, ଧନୁର୍ବେଦ ଓ ଅଭିଧାନ ଗ୍ରନ୍ଥ ଅଧ୍ୟୟନ କରିଥିଲେ  । ତାଙ୍କ ସଦୃଶ ଜଣେ ବହୁ ପାଠୀ, ବହୁ ଶାସ୍ତ୍ରଦର୍ଶୀ ଓ ପଣ୍ଡିତ କବି ଓଡ଼ିଆ ସାହିତ୍ୟରେ ଦୁର୍ଲଭ  । ତାଙ୍କର ଶବ୍ଦ ଓ ଅର୍ଥଜ୍ଞାନରେ ପ୍ରବୀଣତା ଥିବାରୁ ସେ ଲେଖିଯାଇଛନ୍ତି:-
“କହେ ଉପଇନ୍ଦ୍ର ଭଞ୍ଜ, ମୁଁ ଲଭିଛି ଶବଦ ସାଗର ପାର  ।”
ଓଡିଆ ରୀତିଯୁଗ ବା କାବ୍ୟଯୁଗର ସର୍ବଶ୍ରେଷ୍ଠ ପ୍ରେମିକ, ରସିକ ଓ ଆଳଙ୍କାରିକ କବି ହେଉଛନ୍ତି ଉପେନ୍ଦ୍ର ଭଞ୍ଜ  ।
ମୁଁ ଭଞ୍ଜ ସାହିତ୍ୟ ଅଧ୍ୟାପକ ଜୟକୃଷ୍ଣ ମିଶ୍ରଙ୍କ ନିକଟରୁ ଶିକ୍ଷା କରିଥିଲି  । ଅଧ୍ୟାପକ ମିଶ୍ର ହେଉଛନ୍ତି ତିଗିରିଆର ପ୍ରାତଃ ସ୍ମରଣୀୟ ପଣ୍ଡିତ ଭୁବନେଶ୍ୱର ବଡପଣ୍ଡାଙ୍କ ସୁଯୋଗ୍ୟ ଦାୟାଦ  । ସେ ସଂସ୍କୃତ ଓ ଓଡ଼ିଆ ଉଭୟ ସାହିତ୍ୟରେ ପ୍ରବୀଣ  । ଉପେନ୍ଦ୍ର ଭଞ୍ଜଙ୍କ ବିଷୟରେ ସେ ଲେଖିଛନ୍ତି ଯେ, “କାଳିଦାସ, ଭାରବୀ, ବାଣଭଟ୍ଟ, ଭବଭୂତି, ଶ୍ରୀହର୍ଷ ଓ ମାଘ ପ୍ରଭୃତି ମହାକବିମାନଙ୍କର ରଚନାର ଅପ୍ରତିଦ୍ୱନ୍ଦ୍ୱୀ କୃତିତ୍ୱକୁ ଉପେନ୍ଦ୍ର ବୈଦେହୀଶ ବିଳାସ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ଲାବଣ୍ୟବତୀ ପ୍ରଭୃତିରେ ସ୍ୱକୀୟ ବଳିଷ୍ଠ ପ୍ରତିଭା ଓ ଯୋଜନା ପାଟବ ବଳରେ ସମକକ୍ଷ ଭାବରେ ଦେଖାଇଛନ୍ତି ତାହା ନୁହେଁ, ତାଙ୍କ ବିଚିତ୍ର ରଚନା କୋ÷ଶଳ ଓ ପ୍ରକାଶର ଅଭିନବଭଙ୍ଗୀ ବହୁ ସ୍ଥଳରେ ବର୍ଣ୍ଣନାବଳୀର ପ୍ରସଙ୍ଗ ଗୁଡିକୁ ମଧୁରତର ଓ ସମଧିକ ଚିତ୍ତାକର୍ଷକ କରିପାରିଛି  । ଉପେନ୍ଦ୍ର ଭଞ୍ଜ ଅଳଙ୍କାର ପ୍ରୟୋଗ ବ୍ୟତୀତ  ପଦ୍ମବଳ, ନାଗବନ୍ଧ, ରଥବନ୍ଧ, ଚକ୍ରବଦ୍ଧ ପ୍ରଭୃତି କାବ୍ୟବନ୍ଧ, ରଥବନ୍ଧ, ଚକ୍ରବନ୍ଧ ପ୍ରଭୃତି କାବ୍ୟବନ୍ଧ-ନାରୀକେଳ, ଦ୍ରାକ୍ଷା, ଗୁଡ, ପଣସପରି କାବ୍ୟପାକ ଓ ଗୋମୂତ୍ର ଛନ୍ଦ ପ୍ରଭୃତି ସୂଚାରୁ ରୂପେ ନିଜ କାବ୍ୟାବଳୀରେ ବିନିଯୋଗ କରିଯାଇଛନ୍ତି  । ସେ ଥିଲେ ଜଣେ ରସଗ୍ରାହୀ ପଣ୍ଡିତ କବି  । ସେ ଭୋଜରାଜଙ୍କ ‘ଶୃଙ୍ଗାରୀଚେତ କବିଃ, କାବ୍ୟେ ଜାତଂ ରସମୟ ଜଗତ’ କଥାଟିକୁ ତାଙ୍କର ସମସ୍ତ କାବ୍ୟରେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି  । ଭରତ ମୁନିଙ୍କ ‘ବିଭାବାନୁଭାବ ସଞ୍ଚାରୀ ସଂଯୋଗାତ ରସଃ ନିଷ୍ପତ୍ତି’ ଉକ୍ତ ଅନୁଯାୟୀ ଉପେନ୍ଦ୍ରଙ୍କ କାବ୍ୟ ନାୟକ ନାୟିକାଗଣ ମିଳନ ବିରହର ଆବର୍ତ୍ତ ମଧ୍ୟରେ ଘୂରି ବୁଲିଛନ୍ତି  । ତେଣୁ ସେ ରସିକ ହାରାବଳୀରେ ଲେଖିଛନ୍ତି:-
ବିଚାରଇ କରିବି ଉତ୍ତମ ଛନ୍ଦ ଗୀତ,
ରସସାର ଶୃଙ୍ଗାର ଯହିଁରେ ହେବ ବ୍ୟକ୍ତ ଯେ  ।
ତେଣୁ କବି ଉପେନ୍ଦ୍ର ଭଞ୍ଜ ଶୃଙ୍ଗାର ରସ ସଂପର୍କୀୟ ବିଭାବ, ଅନୁଭାବ, ସଞ୍ଚାରୀଭାବ, ସଂଭୋଗ, ବିପ୍ରଲମ୍ବ, ସାତ୍ତ୍ୱିକ, ମୋଟ୍ଟାୟିତ, ଲୀଳା କିଞ୍ଚôତ ପ୍ରଭୃତିର ସୁଠାମ ପ୍ରୟୋଗ ନିଜ କାବ୍ୟମାନଙ୍କରେ କରିଯାଇଛନ୍ତି  । ସେ ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ରସିକ ହାରାବଳୀ, ପ୍ରେମସୁଧାନିଧି କାବ୍ୟରେ ପ୍ରେମପ୍ରଣୟ ତଥା ଉଚ୍ଚକୋଟୀର ଶୃଙ୍ଗାର ବର୍ଣ୍ଣନା କରିଯାଇଛନ୍ତି  । ପ୍ରେମସୁଧା ନିଧିର ପ୍ରେମାନୁରାଗର ମଧୁର ଅଭିବ୍ୟକ୍ତି ପାଠକ ଚିତ୍ତକୁ ଦ୍ରବୀଭୂତ କରିଥାଏ  ।
ନିର୍ମଳ ଚନ୍ଦ୍ର ମଣ୍ଡଳ ଶରଦେ ବିରାଜି
ଥିଲେ ଯଥା ଦର୍ପକ ଦର୍ପଣେ ଥିବ ମାଞ୍ଜ
ଚାହିଁ କୁମର କାତର
ଲେଖି ଆରମ୍ଭିଲା ବସି ବିନୟ ପତର  ।
ଉପେନ୍ଦ୍ରଙ୍କ କାବ୍ୟକଳ୍ପନା ତଥା ନିର୍ମାଣ କୋ÷ଶଳ ଓ ଶବ୍ଦ ପ୍ରୟୋଗ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ ହୋଇଥିବାରୁ ସାଧାରଣ ଲୋକେ ତାହାକୁ ବୁଝିବାରେ ଅକ୍ଷମ ହୁଅନ୍ତି  । ତଥାପି ସଙ୍ଗୀତ, ରାଗରାଗିଣୀ, ଛାନ୍ଦ, ଚଉତିଶା, ଚଉପଦୀ ପ୍ରଭୃତି ଯୋଗୁ ତାଙ୍କ କାବ୍ୟ କବିତା ସମସ୍ତଙ୍କ ମନକୁ ଉଲ୍ଲସିତ କରିଥାଏ  । ପଣ୍ଡିତ ଗୋପବନ୍ଧୁ ଦାଶ ତେଣୁ ‘ଅବକାଶ ଚିନ୍ତା’ରେ ଲେଖିଯାଇଛନ୍ତି  ।
ଗାଏ ତବ ଗୀତ ସଭାରେ ପଣ୍ଡିତ ପଥେ ପାନ୍ଥ ହୃଷ୍ଟମନା, ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା ନୃତ୍ୟ ରଙ୍ଗେ ବାରଙ୍ଗନା  ।
କାବ୍ୟ କୋ÷ଶଳ, ଅଳଙ୍କାର ପ୍ରୟୋଗ, ରସ ପରିବେଷଣ, ସାଙ୍ଗୀତିକତା, ଶୃଙ୍ଗାରିକତା, ଶବ୍ଦସଂଯୋଜନା ଓ ପରିବେଷଣର ପରିଚ୍ଛନ୍ନତାରେ ସେ ଥିଲେ ଅନନ୍ୟ ଓ ଅନୁପମ  । ଏହି ପୁରୋଦୃଷ୍ଟିରେ ପ୍ରାନ୍ତୀୟ ହିନ୍ଦୀ, ବଙ୍ଗଳା, ଆସାମୀ ମୈଥିଳୀ ଓ ତେଲୁଗୁ ସାହିତ୍ୟରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ ଓ ବୈଦେହୀଶ ବିଳାସ ପରି କାବ୍ୟ ଦୁର୍ଲ୍ଲଭ  । ଓଡ଼ିଆ କାବ୍ୟ ସାହିତ୍ୟକୁ ପ୍ରତିସ୍ପର୍ଦ୍ଧୀ ସଂସ୍କୃତ ସାହିତ୍ୟର ସମକକ୍ଷ କରିବା ଥିଲା ଉପେନ୍ଦ୍ର ଭଞ୍ଜଙ୍କ ଲକ୍ଷ୍ୟ ଓ ପ୍ରଚେଷ୍ଟା  । ତେଣୁ କାଳିଦାସୀୟ ଉପମା ବୈଚିତ୍ର୍ୟ ଓ ଭାରତୀଙ୍କ ଅର୍ଥଗୋ÷ରବ ଦକ୍ଷତା ତାଙ୍କଠାରେ ଯୁଗପତ ବିଳାସ କରୁଥିଲା  । ଅଳଙ୍କାର ପ୍ରାଚୁର୍ଯ୍ୟ ପ୍ରୟୋଗ ଓ ବହୁ ଅର୍ଥବୋଧକ ଶବ୍ଦ  ପ୍ରୟୋଗ ଉପେନ୍ଦ୍ରଙ୍କ ବିଳାସ ଥିଲା  । ଅଧ୍ୟାପକ ଜୟକୃଷ୍ଣ ମିଶ୍ର ମୋତେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟାବଳୀର ଆଦ୍ୟଯମକ, ପ୍ରାନ୍ତଯମକ, ଆଦ୍ୟପ୍ରାନ୍ତ ଯମକ, ମାଳଯମକ, ମହାଯମକ, ଯୋଡିଯମକ, ତି୍ରବୃତ୍ତ ଯମକ, ଉପମା, ଅନୁପ୍ରାସ, ଉତ୍ପ୍ରେକ୍ଷା, ପ୍ରତୀତା, ଉଲ୍ଲେଖ ପର୍ଯ୍ୟୟୋକ୍ତି, ଆକ୍ଷେପ, ବିଷମ, ଅନ୍ୟୋନ୍ୟ, ଯଥା ସଂଖ୍ୟା, ପରିସଂଖ୍ୟା, କାବ୍ୟଲିଙ୍ଗ, ସାମାନ୍ୟ, ଉନ୍ମିଳିତ, ରତ୍ନାବଳୀ, ଲଳିତ, ବିଶେଷ, ଦୃଷ୍ଟାନ୍ତ, ବ୍ୟତିରେକ, ଅର୍ଥାନ୍ତରନ୍ୟାସ ପ୍ରଭୃତି ଅଳଙ୍କାର ପ୍ରୟୋଗ କେଉଁ ଶୈଳୀରେ ଉପେନ୍ଦ୍ର ଭଞ୍ଜ କରିଛନ୍ତି ପାଞ୍ଜଳ ଭାବରେ ବୁଝାଇଥିଲେ  । ଏତଦ୍ଭିନ୍ନ ରୂପକ, ଅଦ୍ଭୁତ ରୂପକ, ଶ୍ଲେଷ, ଅଭଙ୍ଗ, ପ୍ରଭଙ୍ଗ ଓ ଭଙ୍ଗାଭଙ୍ଗ ଶ୍ଲେଷ, ବ୍ୟଙ୍ଗଶ୍ଲେଷ, ରୂପକ ଶ୍ଲେଷ, ସରୂପକ ଶ୍ଲେଷ, ଅଭୁତୋପମା, ଉପମେୟୋପମା, ଭ୍ରାନ୍ତିମାନ, ଅସମ୍ଭବ, ଅର୍ଥାପରି, ପ୍ରୌଢକ୍ତି, ସମ୍ଭାବନା, ବ୍ୟାଜୋକ୍ତି, ଅତୁ୍ୟକ୍ତି, ସଙ୍କର ଓ ଚିତ୍ରାଳଙ୍କାର ପ୍ରଭୃତିର ବ୍ୟବହାର କିପରି କରିଛନ୍ତି ତାହା ମଧ୍ୟ ବୁଝାଇଥିଲେ  । ଅଧ୍ୟାପକ ମିଶ୍ର ମୋତେ ବୁଝାଇବା ବେଳେ ଉପେନ୍ଦ୍ର ଭଞ୍ଜ ସ୍ୱକାବ୍ୟାବଳୀରେ ବ୍ୟବହାର କରିଥିବା ଲୋମବିଲୋମ, ବକ୍ରୋକ୍ତି, ଏକାକ୍ଷର, ଦ୍ୱିକ୍ଷର, ସଡ଼ଷ୍ଟ, ନିରୋଷ୍ଟକ, ସକାରାତ୍ରୟ, ଦତ୍ତାକ୍ଷର, ଚୁ୍ୟତକ୍ଷର, ମେଷଯୁଦ୍ଧ, ମଣ୍ଡୁକ ଷ୍କୃତି, ସିଂହାବଲୋକନ, ଗୋସୂତ୍ର, ବିରୋଧାଭାଷ, ପୁନରକ୍ତି, ବଦାଭାସ, ଅନ୍ତର୍ଲିପିକା ଓ ବହିର୍ଲିପିକା ପ୍ରଭୃତିର ଦୃଷ୍ଟାନ୍ତ ପ୍ରଦାନ କରିଥିଲେ  ।
ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ ମହାକାବ୍ୟରେ ଚିତ୍ରକୂଟ ବନ ପ୍ରଦେଶର ଅପୂର୍ବ ଶୋଭାବର୍ଣ୍ଣନା ପ୍ରସଙ୍ଗରେ ମାଳଯମକ ବ୍ୟବହାର କରି ଲେଖିଛନ୍ତି :-
ବିଚାରର ମାଳ ଯମକରେ କବି ମନେ,
ବୁଲେ ରାମ-ନାମ ରାମନେତ୍ରୀ ଘେନି ବନେ ଯେ  ।
ବୃହଦ୍ ଭାନୁ ଭାନୁ ଭାନୁ ପ୍ରଭା ତପ ନାହିଁ,
କୃତ ତମାଳ ମଭାଳ ମାଳତୀଲତା ନାହିଁ ଯେ  ।
ବହର ନିର୍ଝର ଝର ଝର ଅବିରତି,
ବିଶେଷ ତରଙ୍ଗ ରଙ୍ଗ ରଙ୍ଗିଣୀ ଶୋଭିତ ଯେ  ।
ବହି ଚନ୍ଦ୍ର ଚନ୍ଦ୍ର ଚନ୍ଦ୍ର ଶୀତଳକୁ ବାତ,
ବହେ ମନ୍ଦ ମନ୍ଦ ମନ୍ଦ ସୁତ କରେ ରୁତ ଯେ  ।
ବିଞ୍ଚେ ଘନ ଘନ ଘନ କୁଶକଣା କଥା,
ଦୃଷ୍ଟି ମଧୁର ମଧୁର ମଧୁରଜେ ତଥା ଯେ  ।
ବିଭ୍ରାଜିତ ଭୃଙ୍ଗ ଭୃଙ୍ଗ ଭୃଙ୍ଗ କରେ କେଳି,
ବନୀ ବନୀ ବନିତା କି ପୁଷ୍ପହାରେ ଝଳି ଯେ  ।
ଏହି ମାଳୋପମାର ପ୍ରୟୋଗାତ୍ମକ ଧାରା ଓ ସମୋଚ୍ଚାରିତ ଶବ୍ଦଗୁଚ୍ଛର ବିବିଧ ଅର୍ଥ ଅଧ୍ୟାପକ ମିଶ୍ର ମୋତେ ଯେପରି ବୁଝାଇଥିଲେ, ତାହା ଆଜି ପର୍ଯ୍ୟନ୍ତ ମୋ ସ୍ମୃତିରେ ଉଜ୍ଜୀବିତ ରହିଛି  । ସେ ମଧ୍ୟ ମୋତେ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ରେ ଶ୍ରୀଜଗନ୍ନାଥ ବନ୍ଦନା ମାଧ୍ୟମରେ ଉପମା ଓ ଅନ୍ୟାନ୍ୟ ଅଳଙ୍କାର ପ୍ରୟୋଗ ବୁଝାଇଥିଲେ  ।
ମହିମା ଅନନ୍ତ ପ୍ରଭୋ ମହୀମା ଅନନ୍ତ,
ମନୋହାରୀ ସହୋଦର ହୋଇଯାଇ ଖ୍ୟାତ ଯେ  ।
ଅରି-ଦର-କର ବିଭୋ ଅଛି-ଦର-କର,
ଯୁଗେ ଯୁଗେ ଧର ନାନାବିଧ ଅବତାର ହେ  ।
ବିଭୀଷଣ ଅଘ ବିଭୀଷଣ-ଅଘ-ହର,
ସ୍ଥାନ କରିନେଲ ଲଙ୍କା ନିଜ କଳେବର ହେ
ଭବ-ବିରଞ୍ଚô ପୂଜିତ ହେ ଭବ-ବିରଞ୍ଚô,
ଶୁଚିକ ବଳକ ସଦାନନ୍ଦ ସଦାଶୂଚି ହେ  ।
ଏଥିରେ ଲୁପ୍ତବର୍ଣ୍ଣ ପ୍ରୟୋଗ ଅତ୍ୟନ୍ତ ରସପୂର୍ଣ୍ଣ ଧାରାରେ ରଚିତ  । ଏହି ପଦଟିରୁ କ୍ରମେ ବର୍ଷା, ଶୀତ ଓ ଗ୍ରୀଷ୍ମ ଋତୁର ବର୍ଣ୍ଣନା ପରିଦୃଷ୍ଟ  । ଏହାହିଁ ଉପେନ୍ଦ୍ରଙ୍କ କାବ୍ୟ କୋ÷ଶଳ ଓ ଶବ୍ଦ ଅର୍ଥ ଜ୍ଞାନର ପରିଚୟ ଉଦାହରଣ ସ୍ୱରୂପ:-
ଅସାର ସଘନ କାଳ ହୋଇ ଉଦୟ,
ଅସିତ ପରବଳରୁ ଦରଶମୟ  ।
ସ୍ତନିତ ହିଁ ସ୍ଫୁଟ କଣ୍ଠରେ ସରୂତ,
ଅଚିର ପ୍ରଭାହିଁ ତାର ଦିଶେ ଦିଶେ ତ  ।
‘ଲାବଣ୍ୟବତୀ’ କାବ୍ୟରେ କେଳିସରୋବରରେ ଜଳକେଳି ବର୍ଣ୍ଣନା ଅତ୍ୟନ୍ତ  ହୃଦୟାଲ୍ଲାଦକର  ।
ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ,
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ  ।
ବିରାଜି ବିରାଜି ଅଛନ୍ତି ମୀନ ଭକ୍ଷଣ ପାଇ,
ରାଜୀବ ରାଜୀବ ନୟନ ଏଥି ଖେଳା କରଇ  ।
ସଲିଳେ ଉଡୁପ ଦେଖରେ ହୋଇଅଛି ମୋହନ,
ସଲୀଳେ ଉଡୁପ ବଦନୀ ଖେଳିବାକୁ ମୋ ମନ  ।
ସୌନ୍ଦର୍ଯ୍ୟ ବିଳାସୀ ରସିକ ଉପେନ୍ଦ୍ର ନାୟିକାର ରୂପ ଶୋଭା ବର୍ଣ୍ଣନାରେ ଚରମ ପରାକାଷ୍ଠା ଅର୍ଜନ କରିଛନ୍ତି  । ସେ ସୀତାଙ୍କୁ ଶଚ୍ଚୀ ସହିତ, ଲାବଣ୍ୟବତୀର ତନୁଶ୍ରୀକୁ ଷୋଳଗୋଟି ପୁଷ୍ପ ସହିତ, ସୁଭଦ୍ରାଙ୍କ ତନୁଲତାକୁ ଏକ ସ୍ୱର୍ଣ୍ଣଲତାରେ ଖଚିତ ହୋଇଥିବା ପୁଷ୍ପ, ଫଳ, ପକ୍ଷୀ ସହ ତୁଳନା କରିଛନ୍ତି  । ଯେପରି ଋତୁମାନଙ୍କ ମଧ୍ୟରେ ବସନ୍ତ, ପୁରୁଷମାନଙ୍କ ମଧ୍ୟରେ କନ୍ଦର୍ପ, ନଦୀ ମଧ୍ୟେ ଗଙ୍ଗା, ହସ୍ତୀ ମଧ୍ୟେ ଐରାବତ ଶ୍ରେଷ୍ଠ, ସେହିପରି ପୁଷ୍ପପୁରର ରାଜକୁମାରୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଶ୍ରେଷ୍ଠ ବୋଲି ସେ ବର୍ଣ୍ଣନା କରିଛନ୍ତି  ।
ସୁରଭି ପଣରେ ସୁରଭି ଗୁଣରେ ସୁରେଭି ପୁରେଶ ନନ୍ଦନା, 
ଯେମନ୍ତ ମତ୍ତକାଶିନୀଙ୍କ ସାମନ୍ତ- ମଣିଭୂଷା ହୋଇ ମନ୍ଦନା  ।
ତେମନ୍ତ, ସୁରଭି ଋତୁରେ ପ୍ରଧାନ, 
ନଦୀରେ ଗଙ୍ଗା ପୁରୁଷେ ମନସିଜ ଗଜେ ଇନ୍ଦ୍ରଗଜ ବିଧାନ  ।
ଉପେନ୍ଦ୍ରଭଞ୍ଜ ସଂସ୍କୃତ କାବ୍ୟାଦର୍ଶ ଓ ଆଳଙ୍କାରିକ ସୋ÷ନ୍ଦର୍ଯ୍ୟ ତତ୍ତ୍ୱକୁ ଅନୁସରଣ କରି ଓଡ଼ିଆ ସାହିତ୍ୟର ରୀତିକାବ୍ୟସମ୍ଭାର ସୃଷ୍ଟି କରିଥିଲେ  । ଅଧ୍ୟାପକ ଜୟକୃଷ୍ଣ ମିଶ୍ର ଜଣେ ବହୁ ଶାସ୍ତ୍ରଦର୍ଶୀ ସଂସ୍କୃତ ସାହିତ୍ୟଜ୍ଞାନୀ  । ସେ ଭଞ୍ଜକାବ୍ୟ ସମୂହକୁ ସ୍ୱକୀୟ ଅନ୍ତଦୃଷ୍ଟିରେ ପୁନଃ ପୁନଃ ଅଧ୍ୟୟନ ପୂର୍ବକ ଏହାର ସାରବତ୍ତାରେ ଅବଗାହନ କରିଥିଲେ  । ଅଧ୍ୟାପକ ମିଶ୍ରଙ୍କ ଆଶୀର୍ବାଦରୁ ମୁଁ ଭଞ୍ଜ ସାହିତ୍ୟରେ କିଞ୍ଚôତଜ୍ଞାନ ଲାଭ କରିପାରିଛି  ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨