ଆଧୁନିକତା ବନାମ୍ ଟାଟୁ

ଆଧୁନିକତା ବନାମ୍ ଟାଟୁ


ବର୍ତ୍ତମାନ ଯୁବପୀଢ଼ିଙ୍କ ମଧ୍ୟରେ ଟାଟୁ ପ୍ରତି ଏକ ଦୁର୍ବାର ଆକର୍ଷଣ ସୃଷ୍ଟି ହୋଇଛି । ଯୁବକଯୁବତୀ ଏପରିକି ବୃଦ୍ଧବୃଦ୍ଧା ନିର୍ବିଶେଷରେ ସମସ୍ତେ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରୁଛନ୍ତି । ଏହି ଟାଟୁକୁ ପୂର୍ବକାଳରେ ଲୋକମାନେ ଗୋଦା କୁଟେଇବା କିମ୍ବା ଚିତା କୁଟେଇବା କହୁଥିଲେ । ଏଭଳି କରିବା ଫଳରେ ସ୍ଥାୟୀ ଭାବରେ ଶରୀରରେ ବିନ୍ଦୁ ଗୁଡ଼ିକୁ ନେଇ କିଛି ଚିହ୍ନ ସୃଷ୍ଟି ହୋଇଯାଏ । ମୋଗଲ ସାମ୍ରାଜ୍ୟ ସମୟରେ ମହିଳାମାନଙ୍କ ଉପରେ ଯବନ ସୈନ୍ୟମାନଙ୍କର ଲୋଲୂପ ଦୃଷ୍ଟିକୁ ଆଡ଼େଇବା ପାଇଁ ଯୁବତୀମାନେ ମୁହଁରେ ଚିତା କୁଟେଇ ସେମାନଙ୍କର ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ ଭଳି ଏକ ମନୋବୃତ୍ତିରୁ ନିବୃତ୍ତ ରହୁଥିଲେ । ଏହି ଚିତା କୁଟା କିଛି ବିଷାକ୍ତ ତୈଳରେ ଛୁଞ୍ଚି ବୁଡ଼େଇ କରାଯାଏ । ତୈଳରେ ବୁଡ଼ା ହୋଇଥିବା ଛୁଞ୍ଚି ଚର୍ମରେ ଫୋଡ଼ି ହୋଇଗଲେ କିଛି ଦିନ ପରେ ସେହି ଛୁଞ୍ଚି ଫୋଡ଼ା ବିନ୍ଦୁଟି ନୀଳ ରଙ୍ଗର ଏକ ଚିହ୍ନ ଭାବରେ ସ୍ଥାୟୀ ହୋଇ ଶରୀରରେ ରହିଯାଏ । ଏହା ପ୍ରାଚୀନ କାଳରେ ଯୁବତୀମାନେ ଲୋକଙ୍କ ଲୋଲୂପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ କରୁଥିଲେ । ସମୟର ପରିବର୍ତ୍ତନ ସହିତ ଏହି ଚିତା କୁଟା ବା ଟାଟୁ କ୍ରମେ ଏକ ଫେସନ୍ରେ ପରିଣତ ହୋଇଗଲା । ରେସେଲମାନିଆରେ ଅଂଶଗ୍ରହଣ କରୁଥିବା ମଲ୍ଲ ଯୋଦ୍ଧାମାନେ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିବା ପରେ ଯୁବଗୋଷ୍ଠୀଙ୍କର ଏହି ଟାଟୁ ପ୍ରତି ଏକ ଅହେତୁକ ମୋହ ସୃଷ୍ଟି ହୋଇଯାଇଛି । ତେଣୁ ସେମାନେ ଶରୀରର ବିଭିନ୍ନ ସ୍ଥାନରେ ଯଥା ହାତ, ଗୋଡ଼, ମୁଣ୍ଡ, ଛାତି ବେକ ତଥା ସମ୍ବେଦନଶୀଳ ଜାଗା ଭଳି ଆଦି ସ୍ଥାନରେ ଏହି ଟାଟୁ କରି ଅନ୍ୟମାନେ ଏହାକୁ ଦେଖିବା ଭଳି ପ୍ରଦର୍ଶନ ମନୋବୃତ୍ତି ପ୍ରକାଶ କରୁଛନ୍ତି । କିଛି ଦଶନ୍ଧି ତଳେ ଏଭଳି ଟାଟୁ ଥିବା ଯୁବକମାନଙ୍କୁ ସୈନ୍ୟ ବାହିନୀରେ ନିଆଯାଉନଥିଲା ଏବଂ ଏହି ଟାଟୁ ଚିହ୍ନ ଗୁଡ଼ିକୁ ସାମରିକ ବାହିନୀର ବିଭିନ୍ନ ବିଭାଗରେ ଅଯୋଗ୍ୟତା ବୋଲି ବିବେଚନା କରାଯାଉଥିଲା । କ୍ରମେ ଏ ପ୍ରକାରର ଚିହ୍ନ ଗୁଡ଼ିକ ଏକ ଫେସନ୍ରେ ପରିଣତ ହୋଇଯିବାରୁ ବିଭିନ୍ନ ପ୍ରକାରର ନିରାପତ୍ତା ବାହିନୀରେ କାର୍ଯ୍ୟ କରୁଥିବା ଜବାନ୍ମାନେ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିବାରେ ଲାଗିଲେ । ୧୯୯୦ ଦଶକ ବେଳକୁ ଏଡସ୍ର ଭୟାବହତାକୁ ନେଇ ବିଶୋଧିତ ଛୁଞ୍ଚି ଏବଂ ଇଞ୍ଜେକ୍ସନ୍ ଛୁଞ୍ଚିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଟାଟୁରେ ବ୍ୟବହାର ହେଉଥିବା ଛୁଞ୍ଚି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏଥିରେ ଗୋଟିଏ ମାତ୍ର ଛୁଞ୍ଚିରେ ସମସ୍ତଙ୍କର ଟାଟୁ କରାଯାଉଥିବାରୁ ଟାଟୁ ଚିହ୍ନ ଥିବା ଲୋକମାନଙ୍କୁ କେତେକ କ୍ଷେତ୍ରରେ ଏଚ୍ଆଇଭି ପଜିଟିଭ୍ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଥିଲା । ବର୍ତ୍ତମାନ ନିରାପତ୍ତା ବାହିନୀରେ ଥିବା କିଛି ବିଭାଗର କର୍ମଚାରୀମାନଙ୍କୁ ଏବଂ ଜବାନ୍ମାନଙ୍କୁ ଟାଟୁ କରିବା ପାଇଁ ବାରଣ କରାଯାଇଛି ଏବଂ ପୂର୍ବରୁ ଟାଟୁ କରିଥିଲେ ପନ୍ଦର ଦିନ ଭିତରେ ତାକୁ ଲିଭେଇବାକୁ କୁହାଯାଇଛି । ୟୁନିଫର୍ମ ପିନ୍ଧିବା ପରେ ଟାଟୁ ଦେଖା ଯାଉଥିଲେ ଏହାକୁ ବର୍ତ୍ତମାନ ଅଯୋଗ୍ୟତା ବୋଲି ବିବେଚନା କରାଯିବ । ସ୍ପେସିଆଲ୍ ସ୍ୱୀକୁ୍ୟରିଟି ବାଟାଲିୟନରେ କାର୍ଯ୍ୟରତ ସୈନ୍ୟଙ୍କୁ ଏ ପ୍ରକାରର ନିଦେ୍ର୍ଦଶ ଦିଆଯିବା ପରେ ବିଭାଗର ଜବାନ୍ମାନଙ୍କ ଭିତରେ ଆତଙ୍କ ଖେଳିଯାଇଛି । ସ୍ପେସିଆଲ୍ ସ୍ୱୀକୁ୍ୟରିଟି ବାଟାଲିୟନର ଜବାନ୍ମାନଙ୍କୁ ଅଶୋଭନୀୟ ଭାବରେ ଏବଂ ଆପତ୍ତିଜନକ ଭାବରେ ତଥା ବିଶୃଙ୍ଖଳିତ ଆଚରଣ ଭାବରେ ଦର୍ଶାଯାଇଛି । ଖାକି ପୋଷାକ ସହିତ ଟାଟୁ ରହିପାରିବ ନାହିଁ ବୋଲି କଡ଼ା ନିଦେ୍ର୍ଦଶ ଦିଆଯାଇଛି । ଟାଟୁ କରିବା ଏକ ସ୍ଥାୟୀ ବ୍ୟବସ୍ଥା ହୋଇଥିବାରୁ ଏହାକୁ କିଭଳି ଲିଭାଯିବ, ତାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିିଛି । ଠିକ୍ ସେହିପରି ହାତରେ ବିଭିନ୍ନ ପ୍ରକାରର ସୂତା ବାନ୍ଧିବା ଆଚରଣକୁ ମଧ୍ୟ ବିଶୃଙ୍ଖଳିତ ଭାବରେ ଗ୍ରହଣ କରାଯାଇଛି । ତେବେ ହାତରୁ ସିନା ସୂତା ବାହାର କରି ଦିଆଯାଇପାରିବ, କିନ୍ତୁ ଟାଟୁକୁ କିପରି ଲିଭାଯିବା ତାହା ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ।