ଦୁର୍ନୀତିର ଅବଦମିତ କାୟା

ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଆଇନ ଯେତିକି ଯେତିକି କଠୋର ହେଉଛି, ଦୁର୍ନୀତି ସେତିକି ସେତିକି କାୟା ବିସ୍ତାର କରିଚାଲିଛି ।  ଏହାର ସତ୍ୟତାକୁ ଟ୍ରାନସପରେନସି ଇଂଟରନ୍ୟାସନାଲ ନାମକ ସଂସ୍ଥା ପକ୍ଷରୁ ୨୦୨୪ରେ ପ୍ରକାଶିତ ରିପୋର୍ଟ ପ୍ରତିପାଦିତ କରିଛି । ଏହି ସଂସ୍ଥା ପକ୍ଷରୁ ୧୮୦ ରାଷ୍ଟ୍ରରେ ଦୁର୍ନୀତି ନେଇ ପ୍ରସ୍ତୁତ ରିପୋର୍ଟ-୨୦୨୪ରେ କରପ୍ସନ ପରସେପସନ ଇଣ୍ଡେକସ (ସିପିଆଇ)ରେ ଭାରତର ର୍ୟାଙ୍କ ୯୬ ରହିଛି । ୨୦୨୨ରେ ଭାରତ ୮୫ ର୍ୟାଙ୍କରେ ଥିବାବେଳେ କରପସନ ସ୍କୋର ଥିଲା ୪୦ । ୨୦୨୪ରେ ଏହି ସ୍କୋର ୩୮କୁ ହ୍ରାସ ପାଇଛି । ଏହି ସଂସ୍ଥା ତା’ର ରିପୋର୍ଟରେ ଉଲ୍ଳେଖ କରିଛ ଯେ, ସରକାରୀ କାର୍ଯ୍ୟାଳୟରେ କାମ ହାସଲ ପାଇଁ ୪୦ପ୍ରତିଶତରୁ ଊଦ୍ଧ୍ୱର୍ ଭାରତୀୟ ଉକେôାଚକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିଥାନ୍ତି, କିମ୍ବା କାମ ବଦଳରେ ସେମାନଙ୍କ ଠାରୁ ଲାଂଚ ଦେବା ପାଇଁ ଦାବି କରାଯାଇଥାଏ । ଲାଂଚ ନଦେଲେ ଫାଇଲ ଘୁଂଚେ ନାହିଁ କି, କାମ ହୁଏ ନାହିଁ, ଏଭଳି ମତ ଦେଇଛନ୍ତି  ୪୦ପ୍ରତିଶତ ଭାରତୀୟ । ଦୁର୍ନୀତି  ନେଇ ଦେଶରେ ରାଜନୈତିକ ସ୍ତରରେ ସର୍ବଦା କୋଳାହଳ, ନେତାମାନଙ୍କର ତୁମ୍ବିତୋଫାନ ଭାଷଣ ଲାଗି ରହିଥିଲେ ମଧ୍ୟ ଏହା ସଂକ୍ରାମକ ରୋଗ ଭଳି ମାଡି ଚାଲିଛି । ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବାରମ୍ବାର କଡା ଚେତାବନୀ ଦେଇଥିଲେ ମଧ୍ୟ ତାର ପ୍ରଭାବ ପଡୁନାହିଁ । କିନ୍ତୁ ଦୁର୍ନୀତି ପାଇଁ ଭାରତରେ ଶାସନ କ୍ଷମତା  ପରିବର୍ତ୍ତନ ଘଟିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର । ଏବେ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ସିବିଆଇ, ଇଡି ପରି କେନ୍ଦ୍ରୀୟ ସଂସ୍ଥା ଏବଂ ରାଜ୍ୟସ୍ତରରେ କ୍ରାଇମବ୍ରାଂଚ ଚଢାଉ ଜାରି ରଖିଛି । ଦିନକୁ ଦିନ ଦୁର୍ନୀତିଗ୍ରସ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଜବତ ଆୟ ବହିଃଭୂତ ସମ୍ପତ୍ତିର ପରିମାଣ ମଧ୍ୟ ବଢିବାରେ ଲାଗିଛି । ତେବେ ପ୍ରତିପକ୍ଷ ତଥା  ବିରୋଧୀଦଳ ନେତାଙ୍କୁ ଜବତ କରିବା ତଥା ରାଜନୈତିକ ଫାଇଦା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ବିରୋଧୀ ଦଳଗୁଡିକ ଅଭିଯୋଗ କରିଛନ୍ତି ।  ଦେଶରେ ଲାଂଚ କାରବାର, ସରକାରୀ ଅର୍ଥ ହେରଫେର, ଆତ୍ମସାତ ଯୋଗୁଁ ଦୁର୍ନୀତିର ଚେର ମାଡି ଚାଲିଛି । ଆହୁରି ମଧ୍ୟ ପିଉ ରିସର୍ଚ୍ଚ ସେଂଟର ଦ୍ୱାରା ହୋଇଥିବା ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ୬୪ପ୍ରତିଶତ ଭାରତୀୟ ଭାବନ୍ତି ଯେ, ରାଜନୈତିକ ନେତା ବ୍ୟାପକମାତ୍ରାରେ ଦୁର୍ନୀତିରେ ସମ୍ପୃକ୍ତ  । ବୋଧହୁଏ ଏଥିରେ ବିସ୍ମିତ ହେବାର କିଛି କାରଣ ନାହିଁ ।  ଏହା ସତ୍ୟ ଯେ, ଦୁର୍ନୀତି କେବଳ ଭାରତରେ ସୀମିତ ରହିନାହିଁ । ଏହା ବିଶ୍ୱର ଦୁଇତୃତୀୟାଂଶ ରାଷ୍ଟ୍ରକୁ ଗ୍ରାସ କରିଛି ବୋଲି ୨୦୨୪ ସିପିଆଇ ରିପୋର୍ଟରେ କୁହାଯାଇଛି । ଦୁର୍ନୀତି ଏପରି ମାତ୍ରାରେ କାୟାବିସ୍ତାର କରିଛି ଯେ, ଯେତେ କଠୋର ଆଇନ ପ୍ରଣୟନ ହେଲେ ବି ଦୁର୍ନୀତିଗ୍ରସ୍ତଙ୍କ ଫନ୍ଦିଫିକର ନିକଟରେ ଆଇନ ଫିକା ପଡିଯାଇଛି ବୋଲି କୁହାଯାଇପାରେ । ଆମ ରାଜ୍ୟରେ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ବହୁ ଆଇନ ରହିଛି । ମାତ୍ର ଦୁର୍ନୀତିଗ୍ରସ୍ତଙ୍କ ସଂଖ୍ୟା ବଢିଚାଲିଛି ।  ନିକଟରେ ଭିଜିଲାନ୍ସର ଚଢାଉ ଏହି ସଂକେତ ପ୍ରଦାନ କରୁଛି ।  ଦୁର୍ନୀତିଗ୍ରସ୍ତଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଜବତ ଆଖି ଖୋସି କରିଦେଇଛି । ନିକଟରେ କେତେକ ଇଞ୍ଜିନିୟର, ବହୁ ସଂସ୍ଥାର ପରିଚାଳନା ଘର ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢାଉ କରି କେବଳ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ନୁହେଁ, ନଗଦ କୋଟି କୋଟି ଟଙ୍କା, ସୁନାଗହଣା ଜବତ ଘଟଣା ଜନସାଧାରଣଙ୍କୁ ତାଜୁବ କରିଦେଇଛି । ଗୋଟିଏ ପଟେ ଦୁର୍ନୀତିଗ୍ରସ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସେହି ଅନୁପାତରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ହେଉନାହିଁ । ଆଇନର ଗଳାବାଟରେ ସେମାନେ ନିଦେ୍ର୍ଦାଷରେ ଖଲାସ ହେଇଯାଉଛନ୍ତି । ପ୍ରତି ୧୦ ଜଣରେ ମାତ୍ର ୩ପ୍ରତିଶତ ଭିଜିଲାନ୍ସ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଉଥିବା କୁହାଯାଏ । କେବଳ ଏତିକି ନୁହେଁ, ବିଚାର ପ୍ରକ୍ରିୟାର ମନ୍ଥରତା ଆଉ ଏକ କାରଣ ବୋଲି କୁହାଯାଇପାରେ । ଏହା ନିଃସନେ୍ଦହ ଯେ, ଦୁର୍ନୀତି ବିରୁଦ୍ଧରେ ସାର୍ବଜନିକ ସଚେତନତା ଓ ବିରୋଧ ହେବା ସହିତ କଠୋର ଶାସ୍ତିବିଧାନ ନହେବା ପର୍ଯ୍ୟନ୍ତ, ଏହା କମିବ ନାହିଁ କି ଏହାକୁ ନିରାକରଣ କରାଯାଇପାରିବ ନାହିଁ । 
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩