ଦୋଛକିରେ ମିଶନ୍ ଶକ୍ତି ମହିଳା
ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ପରିବାର ଚଳାଇବା କ୍ଷେତ୍ରରେ ଆର୍ଥôକ ସାମର୍ଥ୍ୟ ବୃଦ୍ଧି କରିବା ପୂର୍ବର ବିଜେଡ଼ି ସରକାରଙ୍କର ଲକ୍ଷ୍ୟ ଥିଲା । ଏହି ଲକ୍ଷ୍ୟକୁ ନେଇ ବିଜେଡ଼ି ସରକାର ସମୟରେ ରାଜ୍ୟର ଲକ୍ଷ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମିତ୍ତ ମିଶନ୍ ଶକ୍ତି ବିଭାଗ ନାଁରେ ଏକ ବିଭାଗ ଖୋଲାଗଲା । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ କିଛି ପରିମାଣର ଅର୍ଥ ବ୍ୟାଙ୍କ୍ ଗୁଡ଼ିକ ଋଣ ଆକାରରେ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଛୋଟମୋଟ ବ୍ୟବସାୟରେ ବ୍ୟାଙ୍କ୍ମାନେ ସଂପୃକ୍ତ କରାଇଲେ । ଗତ କରୋନା ସଂକ୍ରମଣ ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ହଜାର ହଜାର ସଂଖ୍ୟାରେ ତୂଳା କନାରୁ ମାସ୍କ୍ ପ୍ରସ୍ତୁତ କରି ବିଶେଷ ଭାବରେ ଲାଭବାନ୍ ହୋଇଥିଲେ । ଏହା ପୂର୍ବରୁ ଏବଂ ଏହା ପରେ ମଧ୍ୟ ଶୁଖୁଆ, ଆଚାର, ବଡ଼ି, ପାମ୍ପଡ଼, ମସଲାଗୁଣ୍ଡ, ଚାଉଳ ପ୍ରସ୍ତୁତି ଆଦି ବିଭିନ୍ନ ପ୍ରକାରର ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ କରୁଥିବା କାରବାରରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ସାମିଲ୍ ହେଲେ । ହଜାର ହଜାର ମହିଳା ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ୍ ପୋଷାକ ପ୍ରସ୍ତୁତି କରିବା ନିମିତ୍ତ ସିଲେଇ ମେସିନ୍ ଯୋଗାଇ ଦେଲେ । ବ୍ୟାଙ୍କ୍ରୁ ଋଣ କରି ଏହି ମହିଳା ସଦସ୍ୟମାନେ ଅତ୍ୟନ୍ତ ଉଚ୍ଚମାନର ସ୍କୁଲ୍ ପୋଷାକ ପ୍ରସ୍ତୁତ କରି ବିଭିନ୍ନ ବିଦ୍ୟାଳୟକୁ ଏବେ ଯୋଗାଉଛନ୍ତି ।
ତେବେ ବର୍ତ୍ତମାନ ଏ କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ହେଲା ସରକାର ରଙ୍ଗ ବଦଳେଇବା ଆରମ୍ଭ କରିଛନ୍ତି । ବିଭିନ୍ନ ସରକାରୀ କୋଠାର ରଙ୍ଗ ବଦଳାଯିବା ପାଇଁ ନିଷ୍ପତ୍ତି ହୋଇଛି । ସରକାରୀ କର୍ତ୍ତୃତ୍ୱାଧୀନ ବସ୍ ଗୁଡ଼ିକର ରଙ୍ଗ ମଧ୍ୟ ବଦଳି ସାରିଲାଣି । ଓମ୍ଫେଡ୍ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଦୁଗ୍ଧ ପ୍ୟାକେଟ୍ର ରଙ୍ଗ ମଧ୍ୟ ବଦଳିଲାଣି । ତାହାରି ଭିତରେ ରାଜ୍ୟ ସରକାରଙ୍କ ପରିଚାଳିତ ବିଦ୍ୟାଳୟ ଗୁଡ଼ିକରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ନିମିତ୍ତ ପୋଷାକ ମଧ୍ୟ ବଦଳିଯାଇଛି । ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିପୁଳପରିମାଣର କନା କିଣି ଅନେକ ପୋଷାକ ପ୍ରସ୍ତୁତ କରି ରଖିଛନ୍ତି । କିନ୍ତୁ ଇତିମଧ୍ୟରେ ସରକାର ବିଦ୍ୟାଳୟ ପାଇଁ ପୋଷାକର ରଙ୍ଗ ବଦଳେଇ ଦିଆଯିବାରୁ ପ୍ରସ୍ତୁତ କରାଯାଇଥିବା ବିପୁଳ ପରିମାଣର ପେଣ୍ଟ୍, ସାର୍ଟ୍, ଫ୍ରକ୍ ସାଲୱାର୍ ଆଦି ଏସଏଚ୍ଜି ଗୋଷ୍ଠୀର ସଦସ୍ୟମାନଙ୍କ ନିକଟରେ ଗଦା ହୋଇ ରହିଲାଣି । ଏବେ ସେସବୁକୁ ନେଇ ସେମାନେ କଣ କରିବେ ତାହା ତାଙ୍କୁ ଚିନ୍ତାରେ ପକାଇ ଦେଲାଣି । ସ୍କୁଲ୍ ୟୁନିଫର୍ମ୍ ସବୁ ଯଦି ବିକ୍ରି ନହୁଏ ଏବଂ ସେଗୁଡ଼ିକର ରଙ୍ଗ ବଦଳିଯାଏ, ତାହା ହେଲେ ସେସବୁ ଆଉ ବିକ୍ରି ହେବାର ସମ୍ଭାବନା ନାହିଁ । ସରକାର ବଦଳିଲା ପରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକର ଆର୍ଥôକ ଅବସ୍ଥାକୁ ଏ ପ୍ରକାରର ଏକ ବିପଜ୍ଜନକ ସ୍ଥିତିକୁ ଆଣିବା ପାଇଁ କେହି କେବେ ହେଲେ ଚିନ୍ତା କରିନଥିବେ । କିନ୍ତୁ ରାଜନୀତିକ କାରଣକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା କରଜ କରି ପ୍ରସ୍ତୁତ କରିଥିବା ପୋଷାକ ଏବେ କଣ ହେବ ତାହା ଏକ ବଡ଼ ପ୍ରଶ୍ନବାଚୀ । ଏ କ୍ଷେତ୍ରରେ ଆଉ ଗୋଟିଏ ଚିନ୍ତାର ବିଷୟ ହେଲା ଯେହେତୁ ଏହି ପୋଷାକ ସବୁ ବିକ୍ରି ହେବାର ସମ୍ଭାବନା ନାହିଁ, ସେହେତୁ ଏସବୁକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ବ୍ୟାଙ୍କ୍ ଋଣ କିଭଳି ସୁଝିବେ ତାହା ସେମାନଙ୍କୁ ବିବ୍ରତ କରିସାରିଲାଣି ।
ନୂଆ ସରକାର ଆସୁ ଆସୁ ପୁରୁଣା ସରକାରଙ୍କର କେତେକ ନୀତିରେ ପରିବର୍ତ୍ତନ ଆଣିଛନ୍ତି । ଦଳୀୟ ଆଦର୍ଶର ଭିନ୍ନତାକୁ ନେଇ ସରକାର ବଦଳିଗଲେ ଏ ପ୍ରକାରର ଘଟଣା ଘଟିବା ଏକ ସ୍ୱାଭାବିକ କଥା । କିନ୍ତୁ ଏଥିରେ ଏସ୍ଏଚ୍ଜି ଗୋଷ୍ଠୀ ଗୁଡ଼ିକୁ ସଶକ୍ତ କରିବାର ଯେଉଁ ଲକ୍ଷ୍ୟ ରହିଛି ସେଥିରେ ସମସ୍ୟା ଉପୁଜୁଛି । ବର୍ତ୍ତମାନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ନିକଟରେ ରହିଥିବା ପୋଷାକକୁ ଶେଷ ହେବା ପର୍ଯ୍ୟନ୍ତ ନୂଆ ପୋଷାକକୁ ଅନ୍ତତଃପକ୍ଷେ ପ୍ରଚଳନ ନିମିତ୍ତ ସ୍ଥଗିତ ରଖାଯିବା ଆବଶ୍ୟକ । ଅନ୍ୟଥା ରାଜନୀତିକ ଚକ୍ରବୁ୍ୟହ ଭିତରେ ଲକ୍ଷ ଲକ୍ଷ ନିରୀହ ମିଶନ୍ ଶକ୍ତି ସଦସ୍ୟ ମାଆମାନଙ୍କର ଆର୍ଥôକ ସ୍ଥିତି ବିପର୍ଯ୍ୟସ୍ତ ହୋଇଯିବ ।