ସେବା ଓ ସଂଗ୍ରାମର ଅନନ୍ୟ ପ୍ରତିମା : ରମାଦେବୀ
କୃଷ୍ଣ ଚନ୍ଦ୍ର ସୁଆର : ଭାରତର ସ୍ୱାଧୀନତା ସଂଗ୍ରାମରେ ମହାତ୍ମାଗାନ୍ଧିଙ୍କ ପ୍ରେରଣାରେ ଯେଉଁ କେତେକ ମହିୟସୀ ମହିଳା ନେତୃତ୍ୱ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜ ଜୀବନକୁ ଦେଶ ମାତୃକାର ସେବାରେ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରେ ପୂଜ୍ୟା ରମାଦେବୀ ହେଉଛନ୍ତି ଅନ୍ୟତମ । ସେ ଏକାଧାରାରେ ଜଣେ ମିଷ୍ଠଭାଷୀ ବିଶିଷ୍ଟ ନାରୀନେତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ସାହସିନୀ, ସୁସଙ୍ଗଠିକା, ସେବିକା, ଜୀବନୀକାର ତଥା ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ । ୧୮୯୯ ମସିହା ଡିସେମ୍ବର ମାସ ୩ ତାରିଖରେ ସେ ଅବିଭକ୍ତ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ଶୈଶବର ଶ୍ରଦ୍ଧା ନାମ ଥିଲା ବେଲୁ । ତାଙ୍କ ପିତାଙ୍କ ନାମ ଗୋପାଳବଲ୍ଲଭ ଦାସ, ମାତାଙ୍କ ନାମ ବସନ୍ତ ମଞ୍ଜରୀ ଦେବୀ ଓ ସେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ ଅଟନ୍ତି । ତାଙ୍କ ମାମୁଁ ରାୟବାହାଦୁର ରାଜକିଶୋର ଦାସ ସେତେବେଳେ ଜିଲ୍ଲା କଲେକ୍ଟର ଥିଲେ । ପିତା ଗୋପାଳ ବଲ୍ଲଭ ଦାସ ସେତେବେଳକାର ଡେପୁଟି ମାଜିଷ୍ଟ୍ରେଟ୍ ଏବଂ ଜଣେ ସାହିତି୍ୟକ ଥିଲେ ।
ସେମାନେ ଦୁଇ ଭଉଣୀ ଥିଲେ, ଉମା ଏବଂ ରାମା । ମା’ ସର୍ବଦା ତାଙ୍କୁ ପିଲାବେଳେ ରାମାୟଣ, ମହାଭାରତ ଓ ବହୁ ଅଧ୍ୟାତ୍ମିକ କାହାଣୀ ଶୁଣାଉଥିଲେ ,ବରଂ ଭାରତୀୟ ମହିୟସୀ ନାରୀମାନଙ୍କ ସମ୍ପର୍କରେ ଦୁଃସାହସୀ କାର୍ଯ୍ୟକଳାପ ସମ୍ବନ୍ଧୀୟ ବିବାଦ ବ୍ୟାଖ୍ୟା ରେଖାପାତ କରାଇଥିଲେ । ପିତା ତାଙ୍କ ପରିବାର ଧରି ମୁଜାଫରପୁର ବିହାରରେ ରହୁଥିବା ବେଳେ ଏକଦା ଦୁଇ ଭଉଣୀ ଘର ପାଖ ଏକ ସୁନ୍ଦର ବଗିଚାକୁ ଖେଳିବାକୁ ଯାଇଥିଲେ । ସେଠାରେ ଦିନେ ମାଳି ତାଙ୍କୁ କିଛି ଫଳ ଦେଲା । ସେ ତାକୁ ନେଇ ଘରକୁ ଆସିଥିଲେ । ଏ ଫଳ ଦେଖି ଗୋପାଳ ବଲ୍ଲଭ କହିଲେ ଏ ଫଳ କିଏ ଦେଲା ? କାହାଠୁ ଆଣିଲ ? ଏ ଫଳର ମାଲିକ ଏ କଥା ଜାଣନ୍ତି ତ ? ଯଦି ତା’ ଜ୍ଞାତ ସାରରେ ନ ଆଣିଛ, ଯା’ ଏବଂ ଏହାକୁ ଶୀଘ୍ର ଫେରା, କ୍ଷମାମାଗ । ମାଲିକର ବିନା ଅନୁମତିରେ କିଛି ଗ୍ରହଣ କରିବା ବା ଆଣିବା, ଚୋରି ସହ ସମାନ । ମାଳି ଫଳ ଦେଇଥିଲା, ସେମାନେ ମାଲିକ ପାଖକୁ ଯାଇ ଏକଥା ଜଣାଇଲେ ଏବଂ କ୍ଷମା ମାଗିଲେ । ସେ ଖୁସି ହୋଇ ଆହୁରି ଫଳ ଦେଲେ । ଗୋପାଳ ବଲ୍ଲଭ ପିଲାମାନଙ୍କୁ ସଦାବେଳେ ଉପଦେଶ ଦିଅନ୍ତି, ସଦାବେଳେ ସତ କୁହ । କାହାକୁ ତୁମ ବାକ୍ୟ ବା କାର୍ଯ୍ୟ ଦ୍ୱାରା ଆଘାତ ଦିଅନାହିଁ । ବାପାଙ୍କର ଏହି କଥାକୁ ରମାଦେବୀ ଜୀବନ ସାରା ମାନିଥିଲେ । ସେ ଥିଲେ ଭାରି କର୍ମଠ , ଶୃଙ୍ଖଳିତ ଓ ସଙ୍ଗୀତ ପ୍ରିୟ । ଏତଦ୍ବ୍ୟତୀତ ମାତା ତାଙ୍କୁ ଖୁଦିରାମ, ଭାଗତ୍ ସିଂ, ଅରବିନ୍ଦଙ୍କ ନିଃସ୍ୱାର୍ଥ ଦେଶ ପ୍ରେମର କାହାଣୀ ଶୁଣାଉଥିଲେ । ଫଳରେ ବାଲ୍ୟକାଳରୁ ହିଁ ରମାଦେବୀ ଉଦ୍ବୁଦ୍ଧ ହୋଇ ଉଠୁଥିଲେ ।
ଆଦ୍ୟ ଜୀବନରେ ସେ କୌଣସି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିନଥିଲେ । ଘରୋଇ ଗୁରୁଜୀଙ୍କ ଦ୍ୱାରା ଘରେ ଶିକ୍ଷାଲାଭ କରିଥିଲେ । ୧୯୧୪ ମସିହାରେ ମାତ୍ର ପନ୍ଦର ବର୍ଷ ବୟସରେ ସେ ବିଶିଷ୍ଟ ଗାନ୍ଧିବାଦୀ ନେତା ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ । ରମାଦେବୀଙ୍କ ଦୁଇ ସନ୍ତାନ ପୁତ୍ର ମନମୋହନ ଚୌଧୁରୀ ଓ କନ୍ୟା ଅର୍ଣ୍ଣପୂର୍ଣ୍ଣା ମହାରଣା ବି ସ୍ୱାଧୀନତା ସଂଗ୍ରାମର ଅଂଶୀଦାର ଥିଲେ । ସେ ବଡଲୋକ ଘରର କନ୍ୟା ଥିଲେ, ବଡ ଲୋକ ଘରେ ବିଭା ହୋଇଥିଲେ ଓ ପିଲାଦିନୁ ପ୍ରାଚୁର୍ଯ୍ୟ ଭିତରେ ତାଙ୍କ ଜୀବନ କୁସୁମ ବିକଶିତ ହୋଇଥିଲା । କିନ୍ତୁ ସେ କେବେ ଭାବିନଥିଲେ ଯେ ସମାଜର ନିମ୍ନସ୍ତରକୁ ଓହ୍ଲାଇ ଆସି ଦୀନ ଦରିଦ୍ର ଓ ଅବହେଳିତ ଶ୍ରେଣୀର ଜନତାଙ୍କ ସେବାରେ ବ୍ରତୀ ହୋଇ ଉତ୍ସର୍ଗୀକୃତ, କାର୍ଯ୍ୟ କରିବେ । ସେଥିପାଇଁ ତାଙ୍କ ଜୀବନର ମୂଳ ଉକ୍ତି ଥିଲା- ‘ ମାନବ ସେବା ହିଁ ମାଧବ ସେବା’ । ଜାତିର ପୂଜ୍ୟ ପିତା ମହାତ୍ମାଗାନ୍ଧିଙ୍କ ଆହ୍ୱାନରେ ୧୯୨୧ ମସିହାରେ ତାଙ୍କ ସ୍ୱାମୀ ଗୋପବନ୍ଧୁ ଚୌଧୁରୀ ଉଚ୍ଚ ପଦସ୍ଥ ଡେପୁଟି ମାଜିଷ୍ଟ୍ରେଟ୍ ଚାକିରି ଛାଡି, ମୁକ୍ତି ସଂଗ୍ରାମରେ ଯୋଗଦେବା ପରେ ଗାନ୍ଧିଜୀଙ୍କ ଆଦର୍ଶ ଅନୁସରଣରେ ପୋଷାକ, ଖାଦ୍ୟପେୟ ଓ ସରଳ ନିରାଡମ୍ବର ଜୀବନ ଯାପନ କରିବା ସାଙ୍ଗକୁ ସପରିବାର ବଦଳି ଯାଇଥିଲେ । ୧୯୨୨ ମସିହାରେ ଜଗତସିଂହପୁରର ଅଳକା ନଦୀ କୂଳରେ ଗୋପବନ୍ଧୁ ଚୌଧୁରୀ ଓ ଭାଗୀରଥି ମହାପାତ୍ରଙ୍କ ଉଦ୍ୟମରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ତାଲିମ ଦେବା ପାଇଁ ‘ଅଳକାଶ୍ରମ’ ପ୍ରତିଷ୍ଠା କରିଥିଲେ । ଜଗତସିଂହପୁରର ଆଭ୍ୟନ୍ତରୀଣ ଅଞ୍ଚଳରେ ଅବସ୍ଥିତ ଥିଲା । ଲୋକଙ୍କର ଦୁଃଖ ସୁଖରେ ସାମିଲ ହେବା ସାଙ୍ଗକୁ ସେତେବେଳେ ଏହି ଅଳକାଶ୍ରମ ଥିଲା ସ୍ୱଦେଶୀ ଆନେ୍ଦାଳନର ଯଜ୍ଞ ପୀଠ ଓ ସ୍ୱାଧୀନତା ସଂଗ୍ରାମୀ ତିଆରି କାରଖାନା । ସେତେବେଳେ ଶହ ଶହ ଛାତ୍ର ଗାନ୍ଧିଜୀଙ୍କ ଡାକରାରେ ସ୍କୁଲ କଲେଜ ଛାଡି ସ୍ୱାଧୀନତା ଆନେ୍ଦାଳନରେ ସାମିଲ ହୋଇଥିଲେ । ଏହି ଆଶ୍ରମବାସୀ ଛାତ୍ରମାନଙ୍କ ଖାଇବା ପିଇବା, ରହିବା ଓ ଶିକ୍ଷା, ସ୍ୱାସ୍ଥ୍ୟ ରକ୍ଷାର ଦାୟିତ୍ୱ ନେଇଥିଲେ ନିଜେ ରମାଦେବୀ । ସେଥିପାଇଁ ଅଳକାଶ୍ରମର ଅନ୍ତେବାସୀମାନେ ତାଙ୍କୁ ମା’ ବୋଲି ସମ୍ବୋଧନ କରୁଥିଲେ । ୧୯୨୪ରେ ଉକ୍ରଳ ଦିବସ ସମ୍ମିଳନୀ କଟକ ମୁନ୍ସିପାଲଟି ଠାରେ ବସିଲା । ସେ ସରୋଜିନୀ ଚୌଧୁରୀ ଓ ହେମବତୀ ଦେବୀଙ୍କ ସହ ଏଥିରେ ଯୋଗଦେଇଥିଲେ । ୧୯୨୮ରେ କଲିକତାରେ ଅନୁଷ୍ଠିତ ମହିଳା କଂଗ୍ରେସର ଅଧିବେଶନକୁ ଓଡ଼ିଶାରୁ ଯୋଗ ଦେଇଥିଲେ । ରମାଦେବୀ ଓ ଗୋପ ବାବୁ ସୂତାକଟା ଓ ଲୁଗାବୁଣା ନିଜେ ଶିଖି କର୍ମୀମାନଙ୍କୁ ଶିକ୍ଷା ଦେବା ନିମନ୍ତେ ୧୯୨୮ର ଅଳକାଶ୍ରମରେ ଅବସ୍ଥାନ କଲେ । ମହାତ୍ମାଗାନ୍ଧି ପ୍ରଥମଥର ପାଇଁ ୧୯୨୧ ମସିହାରେ ଓଡ଼ିଶା ଗସ୍ତରେ ଆସି କଟକ ନଈବାଲି ସଭାରେ ବକ୍ତୃତା ଦେଇ ତିଳକ ପାଣ୍ଠି ନିମନ୍ତେ ଯେତେବେଳେ ଚାନ୍ଦା ମାଗିଲେ ସେଇଠି ତାଙ୍କ ସହିତ ରମାଦେବୀଙ୍କର ଦେଖାହେଲା । ସେ ତାଙ୍କ ଭାଷଣ, ଆଦର୍ଶ, ସରଳ ଜୀବନ ଯାପନ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ମନ ବଳାଇଥିଲେ ଏବଂ ସେହି ସଭାରେ ତାଙ୍କ ଦେହରୁ ସମସ୍ତ ଅଳଙ୍କାର କାଢି ଦେଇ ଦେଲେ । ସ୍ୱାମୀଙ୍କ ପଦାନୁସରଣ କରି କଂଗ୍ରେସରେ ଯୋଗଦେଲେ । ସୂତା କାଟିଲେ । ଖଦଡ ପିନ୍ଧିଲେ । ତାଙ୍କ ଖଦି ପରିଧାନ କରିବା ଦେଖି ଅନେକ ବ୍ୟକ୍ତି ଥଟ୍ଟା କରିଥିଲେ ଓ କେତେକ ପ୍ରଭାବିତ ହୋଇ ଖଦି ବସ୍ତ୍ର ପରିଧାନ କରିବାକୁ ଲାଗିଥିଲେ । ତେଣୁ ନାରୀର ଆଭୂଷଣ ସମ୍ପର୍କରେ ସେ କହିଥିଲେ- ‘ବେଶ ଭୂଷା ଅଳଙ୍କାର ଓ ଚାକଚକ୍ୟ ପୋଷାକ ପରିହାର କରି ନାରୀମାନେ ଅନ୍ତର୍ନିହିତ ଗଣ, ସେବା, ନମ୍ରତା, ତ୍ୟାଗ ଇତ୍ୟାଦିକୁ ପରିଧାନ କଲେ ସୌନ୍ଦର୍ଯ୍ୟ ପ୍ରସ୍ଫୁଟିତ ହେଇ ଉଠିବା । ଏ ପରିପ୍ରେକ୍ଷୀରେ ଖଦିର ପ୍ରଶସ୍ତିଗାନ କରି ଜାତୀୟ କବି ବୀର କିଶୋର ଦାସ ସ୍ୱାଧୀନତା ସଂଗ୍ରାମ ବେଳେ ଲେଖିଥିବା କବିତାରୁ ପଂକ୍ତିଟିଏ ଉଦ୍ଧୃତ-
ଖଦି ତ ଦେଶର ପ୍ରାଣ ଦେବତା
ପାଇଛି ମୋ ଦେଶ ଖଦିର ସନେ୍ଦଶ
ବୁଝିଛି ଖଦିର ମରମ କଥା
ଖଦି ତ ଦେଶର ପ୍ରାଣ ଦେବତା ।
ଖଦି ମୋର ଧନ ଖଦି ମୋର ଧ୍ୟାନ
ଖଦି ମୋର ଜ୍ଞାନ ଖଦି ଟି ବିଜ୍ଞାନ
ଖଦି ମୋର ବଳ ଖଦି କଉଶଳ
ଗତି ଅଛି ଦଶେ ଜାତି ମମତା
ଖଦି ତ ଦେଶର ପ୍ରାଣ ଦେବତା ।
୧୯୨୨ ମସିହାରେ ବିହାରର ଗୟାଠାରେ କଂଗ୍ରେସ ମହାଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେତେବେଳେ ଓଡ଼ିଶାରୁ ପ୍ରଥମ ମହିଳା ପ୍ରତିନିଧି ଭାବେ ରମାଦେବୀ ଓ ହିରଣ୍ୟମୟୀ ଦେବୀ ଯୋଗ ଦେଇଥିଲେ । (କ୍ରମଶଃ)
ଏମ.ଆଇ.ଜି.ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର- ମୋ ୯୧୭୮୯୦୮୭୬୩