ଶ୍ରୀମନ୍ଦିରରେ ସୌର ଉପାସନା (୨)


କୃଷ୍ଣ ଚନ୍ଦ୍ର ସୁଆର : ସୂର୍ଯ୍ୟ ଉପାସନାର ଏକ ଜ୍ୱଳନ୍ତ ନିଦର୍ଶନ ହେଉଛି ଅରୁଣସ୍ତମ୍ଭ । ଏହା ମରହଟ୍ଟାମାନଙ୍କ ଶାସନ କାଳରେ କୋଣାର୍କରୁ ଆସିଥିଲା । ଅରୁଣ ସୂର୍ଯ୍ୟଙ୍କର ସପ୍ତାଶ୍ୱବାହିତ ରଥର ସାରଥି ଅରୁଣ, ଗରୁଡ ଦୁଇଭାଇ ମନ୍ଦିର ଭିତରେ ଗରୁଡ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ବିଦ୍ୟମାନ । ପ୍ରବାଦ ଅଛି- ଦକ୍ଷିଣାୟନ ସମୟରେ ସୂର୍ଯ୍ୟଙ୍କର ଏକ ଚକ, ଉଦୟମାନ ସମୟରେ ଚାରିଚକ, ଉତ୍ତରାୟଣ ଗତି ସମୟରେ ଷୋହଳଚକ ବିଶିଷ୍ଟ ଅଟେ । ସୂର୍ଯ୍ୟଙ୍କର ରଥରେ ସାତୋଟି ଧବଳ ଅଶ୍ୱ ରିହଛି । ସାତ ଅଶ୍ୱ ଅର୍ଥାତ୍ ସାତଟି ରଙ୍ଗର ସମାହାର ସେଥିପାଇଁ ସୃଷ୍ଟିର ଅଣୁକୋଣେ ଭରି ରହିଛି ସାତରଙ୍ଗ ତେଣୁ ତାଙ୍କୁ ସପ୍ତାଶ୍ୱବାହନ କୁହାଯାଏ । କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ ଓ ଗଜପତି ପ୍ରତାପରୁଦ୍ର ପ୍ରମୁଖ ସୂର୍ଯ୍ୟବଂଶୀୟ ରାଜା ଅଟନ୍ତି । 
ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳମାସ ଷଷ୍ଠୀରେ ଶ୍ରୀମନ୍ଦିରସ୍ଥ ପା୍ରଙ୍ଗଣରେ ସୂର୍ଯ୍ୟଦେବଙ୍କ ରଥୋତ୍ସବ ଅନୁଷ୍ଠିତ ହୁଏ । ବାରଚକ୍ର ବିଶିଷ୍ଟ ଏକ ଅନୁଜ ରଥରେ ଉତ୍ତରାୟଣ ଓ ଦକ୍ଷିଣାୟନ ସୂର୍ଯ୍ୟ ଅନୁଷ୍ଠିତ ହୁଅନ୍ତି । ବାରଚକ୍ର ହେଉଛି ଦ୍ୱାଦଶ ଆଦିତ୍ୟର ପ୍ରତୀକ । ଅଧିରଥ ଅରୁଣ ଓ ସପ୍ତାଶ୍ୱ ବିଦ୍ୟମାନ । ରଥର ଆବରଣ ବସ୍ତ୍ର ଉଦିତ ସୂର୍ଯ୍ୟ ବା ଅରୁଣ କର୍ଣ୍ଣ । ମୂର୍ତ୍ତି ଦ୍ୱୟ ପଞ୍ଚୋପଚାର ଭୋଗ ପରେ ଦକ୍ଷିଣ ଦ୍ୱାର ଦେଇ ରଥରେ ବିଜେ ହୁଅନ୍ତି । ରଥଟଣା ବେଳେ ଘଣ୍ଟ ବେଜେ । ପୂର୍ବରୁ କାହାଳୀ ଓ ତେଲେଙ୍ଗୀ ବଜା ବାଜୁଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଛୋଟ ରଥଟିକୁ ସୂର୍ଯ୍ୟ ମନ୍ଦିର ସମ୍ମୁଖ ସାତପାହଚ ଓ ସେଠାରୁ ପେରି ସରସ୍ୱତୀଙ୍କ ମନ୍ଦିର ଯଏ ଏକ ଅର୍ଦ୍ଧ ଚନ୍ଦ୍ରାକୃତି ପରିସର ମଧ୍ୟରେ ଆକର୍ଷଣ କରି ଭଗବାନ ସୂର୍ଯ୍ୟଦେବଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିଥାଆନ୍ତି । ରଥ ଆସି ସୂର୍ଯ୍ୟମନ୍ଦିର ପାଖରେ ପହଁଞ୍ଚôଲେ ଭକ୍ତମାନେ ଧୂପ, ଦୀପ ପ୍ରଦାନ କରିଥାନ୍ତି । ମନୁଷ୍ୟ ଏହି ଦେବ ଦୁର୍ଲଭ ରଥସ୍ଥିତ ଭୁବନ ଭାସ୍କରଙ୍କୁ ଦର୍ଶନ କଲେ ତାର ପୁନର୍ଜନ୍ମ ହୁଏ ନାହିଁ । ତେଣୁ ବର୍ଣ୍ଣିତ ଅଛି-
“ରଥସ୍ଥଂ ଭାସ୍କରଂ ଦୃଷ୍ଟ୍ୱା ପୁନଜନ୍ମ ନବିଦ୍ୟତେ ।” 
ପୂଜକ କିଛି ସମୟ ପରେ ପୂର୍ବଦ୍ୱାର ଦେଇ ଦୁଇମୂର୍ତ୍ତିଙ୍କୁ ସିଂହାସନରେ ବିଜେ କରାନ୍ତି । ପ୍ରଥମେ ମହାସ୍ନାନ ହେବାପରେ ନୂଆବସ୍ତ୍ର ପରିଧାନ, ଚନ୍ଦ୍ରଲାଗି, ବଡସିଂହାର ବେଶ ଓ କର୍ପୁର ଲାଗି ହୁଏ । ବରୁଣ ପୂଜା ସରିବା ପରେ ପାଣି ପକାଇ ମୁରୁଜ ପକାଯାଏ । ଟେରା ବାନ୍ଧି ବଲ୍ଲଭ ବଡସିଂହାର ଉଠେ । ସୂର୍ଯ୍ୟଙ୍କ ରୋଷରେ ତିଆରି ହୋଇଥିବା ବିଭିନ୍ନ ଭୋଗ ଯଥା- ଲଡୁ, କାକରା, ଖିରି, ଶୀତଳ ଭୋଗ, ପଣା ଭୋଗ ପରେ ବନ୍ଦାପନା ଆଳତି ହୋଇଥାଏ । ଉତ୍ତରାୟଣ ଓ ଦକ୍ଷିଣାୟନ ଠାକୁର ଆଜ୍ଞାମାଳ ପାଇ ପୂର୍ବଦ୍ୱାର ଦେଇ ରଥକୁ ବାହୁଡା ବିଜେ କରନ୍ତି । ଭକ୍ତମାନେ ପୁଣି ସାତପାହାଚ ପାଖରୁ ଫେରି ସରସ୍ୱତୀଙ୍କ ମନ୍ଦିର ପର୍ଯ୍ୟନ୍ତ ରଥାକର୍ଷଣ କରି ସୂର୍ଯ୍ୟଙ୍କ ନାଟମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖରେ ରଥ ସ୍ଥାପନ କରନ୍ତି । ଏହାପରେ ସୂର୍ଯ୍ୟଦେବଙ୍କର ନିଜସ୍ଥାନକୁ ବାହୁଡା ବିଜେ କରାନ୍ତି । ବନ୍ଦାପନା ଓ ପହୁଡ ଆଳତି ଶେଷ ହେବାପରେ ଠାକୁରଙ୍କ ପହୁଡ ହୁଏ । ଏ ସମସ୍ତ କାର୍ଯ୍ୟରେ ଶ୍ରୀମନ୍ଦିରର ଚାଙ୍ଗଡା ମେକାପୁ ଭଣ୍ଡାର ମେକାପ, ମୁଦୁଲି, ପତ୍ର, ପାଳିଆ, ଖୁଣ୍ଟିଆ, ଘଟୁଆରୀ, ଯୋଗାଣିଆ, ପ୍ରଧାନୀ ଓ ରାଜଗୁରୁ ପ୍ରଭୃତି ସହଯୋଗ କରିଥାନ୍ତି । କେଣାର୍କ ମନ୍ଦିର ଭଗ୍ନ ହୋଇଯିବା ପରେ ଗଜପତି କୋଣାର୍କର ସୂର୍ଯ୍ୟମୂର୍ତ୍ତି ଓ ଦୁଇଟି ବିଜେ ପ୍ରତିମା ଶ୍ରୀମନ୍ଦିରସ୍ଥ ସୂର୍ଯ୍ୟ ମନ୍ଦିରରେ ସ୍ଥାପନ କରିଥିଲେ  ଓ ତତ୍ ପରଠାରୁ କୋଣାର୍କରେ ପୂର୍ବ ପ୍ରାଚଳିତ ସୌର ଗୁଣ୍ଡିଚା ବଡ ଦେଉଳରେ ପ୍ରତିବର୍ଷ ପାଳନ କରାଯାଉଛି । ମଧ୍ୟକାଳୀନ ପୂଜା ସମୟରେ ଶ୍ରୀଜଗନ୍ନାଥଙ୍କୁ ସୂର୍ଯ୍ୟ ରୂପେ ଧ୍ୟାନ କରିବା ବା‚ନୀୟ । ଏଥିରୁ ସମ୍ବନ୍ଧ ସହଜରେ ଅନୁମେୟ । ତେଣୁ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି-
“ମଧ୍ୟାହ୍ନେ ପୂଜନେ ଭୁପ ସୂର୍ଯ୍ୟମେବଚ ଚିନ୍ତୟେତ୍
ଚିନ୍ତୟିତ୍ୱାଚ୍ଚୟେଦ୍ ବିଷ୍ଣୁଂ ନୀଳାଦ୍ରୋ ଦାରୁ ରୂପୀଣିସ୍
ମଧ୍ୟାହ୍ନ ଧ୍ୟାନମାଚକ୍ଷେ ସୌରଂ ପାପହରଂ ନୃପ
ବାଡିମୀ କୁସୁମା କରଂ ଶ୍ୱେତପଦ୍ମ ଇସତ୍ କରମ୍ ।ା”
ପଞ୍ଚଦେବତା ଉପାସନା ମଧ୍ୟରେ ସୂର୍ଯେ୍ୟାପସନା ସର୍ବ ପ୍ରଥମ ଓ ସମସ୍ତ ଦେବାଦେବୀଙ୍କ ରଥୋତ୍ସବ ମଧ୍ୟରେ ସୌର ଗୁଣ୍ଡିଚା ବଡ ଅଦ୍ୱିତୀୟ ମନେହୁଏ । ସାରା ଭାରତବର୍ଷରେ ସର୍ବତ୍ର ସୂର୍ଯ୍ୟ ଉପାସନା କରାଯାଉଥିଲେ ମଧ୍ୟ ଶ୍ରୀମନ୍ଦିର ଭଳି ଅନ୍ୟତ୍ର ସୂର୍ଯ୍ୟଦେବଙ୍କ ରଥୋତ୍ସବ ବା ସୌର ଗୁଣ୍ଡିଚା କେଉଁଠି ଦୃଷ୍ଟିଗୋଚର ହୁଏନାହିଁ । ଏହି ପରମ୍ପରା ଅନୁଯାୟୀ ଦ୍ୱାଦଶ ମାସେ ଦ୍ୱାଦଶ ନାମେ ସୂର୍ଯ୍ୟ ଉପାସନା କରାଯାଏ । ଏହାକୁ ଦ୍ୱାଦଶତ୍ମା କୁହାଯାଏ । ସେ ଗୁଡିକ ହେଲା-
ବୈଶାଖରେ ଆର୍ଯ୍ୟମା, ଜ୍ୟେଷ୍ଠରେ ମିତ୍ର, ଆଷାଢରେ ବରୁଣ, ଶ୍ରାବଣରେ ଇନ୍ଦ୍ର, ଭାଦ୍ରବରେ ବିବସ୍ୱାନ, ଅଶ୍ୱିନରେ ପୁଷା, କାର୍ତ୍ତିକରେ କ୍ରଚୁ, ମାର୍ଗଶୀରରେ ଅଂଶୁ, ପୌଷରେ ଭଗ, ମାଘରେ ତୃଷ୍ଟା, ଫାଲଗୁନ୍ରେ ବିଷ୍ଣୁ ଓ ଚୈତ୍ର ମାସରେ ଧାଣଦି ଦ୍ୱାଦଶ ଆଦିତ୍ୟ ରୂପେ ଆରାଧିତ ।
ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ସାଙ୍କେତିକ ମୁଦ୍ରାଙ୍କ ପରିଲକ୍ଷିତ ହୋଇଥାଏ । ତାଙ୍କର ନୟନ ଯୁଗଳ ସୂର୍ଯ୍ୟ ଓ ଚନ୍ଦ୍ର, ତ୍ରିକୋଣାକୃତି ନାସିକା ମଙ୍ଗଳ, ଧନୁରା କୃତି ଅଧର ରେଖା ବୁଧ, ପଦ୍ମାକୃତି ହୀକ ଖଚିତ ଚିତା ବୃହସ୍ପତି,ବର୍ଗକାର ମୁଖମଣ୍ଡଳ ଶୁକ୍ର, ପୁରୁଷାକାର କେତୁପରି ପ୍ରତୀୟମାନ ହୋଇଥାଏ । ରଥଯାତ୍ରା ସମୟରେ ବ୍ୟବହୃତ ପତାକା, ଆଲଟ ଓ ପଙ୍ଖାରେ ସୁମେରୀୟଙ୍କ ସଂଙ୍କେତ ଚନ୍ଦ୍ରସୂର୍ଯ୍ୟ ଦୃଷ୍ଟିଗୋଚର ହୁଏ । ମହାପ୍ରଭୁଙ୍କ ରନô ଭଣ୍ଡାରରେ କେତେକ ସ୍ୱର୍ଣ୍ଣାଳଙ୍କାର ଚନ୍ଦ୍ରସୂର୍ଯ୍ୟ ନାମରେ ରହିଛି । ସେହିପରି ସୁମେରୀୟଙ୍କ ଚନ୍ଦ୍ର ଦେବତାଙ୍କ ପ୍ରତୀକ ବର୍ତ୍ତମାନ ଶ୍ରୀମନ୍ଦିର ଚୂଡାରେ ଫରଫର ହୋଇ ଉଡୁଥିବା ଏବଂ ହାତବାନାରେ ଚନ୍ଦ୍ରଙ୍କ ସଂଙ୍କେତ ସ୍ପଷ୍ଟ ପ୍ରତିଭାତ ।
ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ମହର୍ଷି ଅଗସ୍ତୀ ଆଦିତ୍ୟ ହୃଦୟ ପାଠ କରିବାକୁ  ଉପଦେଶ ଦେଇଥିଲେ । ମହର୍ଷିଙ୍କ ଆଦେଶ ପାଳନ ପୂର୍ବକ୍ତ ପବିତ୍ର ଚିତ୍ତରେ ଆଗମନ କରି ପୂର୍ବାଭିମୁଖୀ ହୋଇ ଏହା ପାଠ କରିବାରୁ ପ୍ରଭୁ ଦୁର୍ବଧ୍ୟ ରାବଣର ବିନାଶ ସାଧନ କରିଥିଲେ । ପୁଣ୍ୟ ଶ୍ଲୋକ ଧୌମ୍ୟ ପୁରୋହିତଙ୍କ ଉପଦେଶ କ୍ରମେ ବନବାସୀ ଯୁଧିଷ୍ଠିର ଭଗବାନ ସୂର୍ଯ୍ୟଙ୍କର ଆରାଧନା ଓ ଅଷ୍ଟୋତ୍ତର ଶତନାମ ପାଠ କରିବାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟ ସମ୍ମୁଖରେ ଆତ୍ମ ପ୍ରକାଶ କରିବା ସଙ୍ଗେ ଅକ୍ଷୟ ପାତ୍ର ପ୍ରଦାନ କରି ଦ୍ୱାଦଶ ବର୍ଷ ଅନ୍ନ ପ୍ରଦାନ କରିବାକୁ ବର ପ୍ରଦାନ କରିଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପ ଗ୍ରସ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ ଓ ଦେବର୍ଷି ନାରଦଙ୍କ ଉପଦେଶ କ୍ରମେ ଚନ୍ଦ୍ରଭାଗା କୂଳରେ ଭଗବାନ ଭୁବନ ଭାସ୍କରଙ୍କୁ ଧ୍ୟାନ କରି ରୋଗମୁକ୍ତ ହୋଇଥିଲେ । ପୁରାଣ ପୃଷ୍ଠାରୁ ଜନକ, ବ୍ୟାସ, ବିଶିଷ୍ଟ, ବିଶ୍ୱାମିତ୍ର, ଗୌରମ, ନାରଦ, କପିଳ ଓ ମହତ୍ମା ଭୀଷ୍ମ ସୂର୍ଯେ୍ୟାପାସନା କରି ଅଶେଷ କୀର୍ତ୍ତିର ଅଧିକାରୀ ହୋଇଥିଲେ । ଓଡ଼ିଶାରେ ସୂର୍ଯ୍ୟଦେବ  ଧର୍ମଦେବତା ନାମରେ ସୁବିଦିତ । ସୂର୍ଯ୍ୟ ଦେବଙ୍କ ପ୍ରତ୍ୟାର୍ଥେ ବହୁ ଓଷା ବ୍ରତ ଯଥାକ୍ରମେ ରବି ନାରାୟଣ ବ୍ରତ, ସମ୍ବର ଦଶମୀ ଇତ୍ୟାଦି ପ୍ରଚଳିତ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ ମହାପାତକ ନାଶ ହେବାସଙ୍ଗେ ମଣିଷ ନିରୋଗ ହୋଇଥାଏ । ବ୍ୟାପକ ଭାବେ ଅନୁଷ୍ଠିତ ହେଉଥିବା  ଦୁତିବାହନ ଓଷା ବା ଦୁତିଆ ଓଷା ଗୋଟିଏ ସୂର୍ଯ୍ୟବ୍ରତ । ସେ ଦିନ ଓଷାକାରିଣୀ ମାନେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଭକ୍ତିପୂତି ନମସ୍କାର ଓ ଦର୍ଶନ କରିବା ବିଧାନ ଅଛି । ଯଥା- ସ୍ନାନକାରିଣୀ ସୂର୍ଯ୍ୟଙ୍କୁ ଦେଖିବ, ପୁଣି ପୂଜା କ୍ଷେତ୍ରରେ ପୂର୍ବକୋଣରେ ମୁରୁଜରେ ସୂର୍ଯ୍ୟଙ୍କ ଚିତ୍ର ଅଙ୍କିତ ହୁଏ । ଓଷାର ମାହାତ୍ମ୍ୟ ସ୍ୱରୂପ ଯେଉଁ କଥାଟି ପାଠ କରାଯାଏ ତହିଁରେ ସୂର୍ଯ୍ୟ ହିଁ ବିଶିଷ୍ଟ ଚରିତ୍ର । ଏତଦ୍ବ୍ୟତୀତ ଶ୍ରୀମନ୍ଦିରରେ ଶାମ୍ବ ଦଶମୀ, ମାଘ ସପ୍ତମୀ, ସୂର୍ଯ୍ୟଙ୍କର ଉତ୍ତରାୟଣ ଏବଂ ଦକ୍ଷିଣାୟନ ଯାତ୍ରା ତଥା ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଥାଏ । ଏହା ଛଡା ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ଶ୍ରୀଜୀଉଙ୍କର ବିଶେଷ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ପରିଶେଷରେ ବନ୍ଧୁଲାଭ, ଆୟୁଃବୃଦ୍ଧି, ଅଖଣ୍ଡ ଯଶ ପ୍ରାପ୍ତି ଓ ନୀରୋଗ ଜୀବନ ଲାଭ ପାଇଁ ସୂର୍ଯେ୍ୟାପାସନା ଅପରିହାର୍ଯ୍ୟ । ଯୁଦ୍ଧରେ ଜୟଲାଭ ଓ ଜନ୍ମ ଜନ୍ମାନ୍ତର ପାପା ମୋଚନ ପାଇଁ ସବିତାଙ୍କ ତ୍ରିକାଳ ଉପାସନା ପ୍ରକୃଷ୍ଟ ମାଧ୍ୟମ-
“ବିବସ୍ୱତସ୍ତୁ ଜାତାନାଂ ଶୃଣୁୟାଦ ବା ପାଠେତ୍ ତଥା ।ା
ଆପଦଂ ପ୍ରାପ୍ୟ ମୁଚ୍ୟେତ ପ୍ରାପ୍ଲୟାଚ୍ଚ ମହଦୀଶଃ ।ା
ଅହୋରାତ୍ର କୃତଂ ପାପମେତଚ୍ଛ ମୟତି ଶୃତମ୍ ।
ମହାତ୍ମ୍ୟ ମାଦି ଦେବସ୍ୟ ମାର୍ତ୍ତଣ୍ଡସ୍ୟ ମହାତ୍ମନଃ ।ା”
ଏମ୍.ଆଇ.ଜିୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ, ଭୁବନେଶ୍ୱର-୧୬
ଫୋ- ୯୧୭୮୯୦୮୭୬୩