ହୋମ୍ୱାର୍କ କ’ଣ ଏକ ବୋଝ?

ବିଭିନ୍ନ ସମୟରେ ସ୍କୁଲ୍ ପିଲାମାନଙ୍କର ବର୍ତ୍ତମାନର ପାଠପଢ଼ା ଶୈଳୀକୁ ନେଇ ବିଭିନ୍ନ ପ୍ରକାରର ମତ ଉଠୁଥିବା ଦେଖିବାକୁ ମିଳେ । କେତେବେଳେ ବସ୍ତାନିର ବୋଝ ତ ଆଉ କେତେବେଳେ ହୋମ୍ୱାର୍କ୍ର ବୋଝ । ସ୍କୁଲ୍ରେ ଯାହା ପଢ଼ା ହେଲା ତାକୁ ସେଇ ସ୍କୁଲ୍ରେ ଶେଷ କରି ପୁଣି ଘରେ ପଢ଼ିବା ପାଇଁ ଆଉ ଘରେ କରିବା ପାଇଁ ଆଉ କିଛି କାମ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି । ଏହି କାମଟିକୁ ହୋମ୍ୱାର୍କ୍ ବୋଲି କୁହାଯାଇ ସେମାନଙ୍କ ଉପରେ ଏହା ଏକ ବୋଝ ବୋଲି କିଛି ଶିକ୍ଷାବିତ୍ ଏବଂ ଅଭିଭାବକ ମତ ଦିଅନ୍ତି । ଏ କ୍ଷେତ୍ରରେ ଏକ ବାସ୍ତବ କଥା ହେଉଛି ୬-୭ ଘଣ୍ଟା ପାଇଁ ଛାତ୍ରଛାତ୍ରୀ ସ୍କୁଲ୍କୁ ଯାଉଥିବା ବେଳେ ଅନ୍ୟ ସମୟତକ ସେମାନେ ଘରେ ରହୁଛନ୍ତି । ତେଣୁ ଘରର ବୃତ୍ତିଗତ କାର୍ଯ୍ୟ ସହିତ ସେମାନେ ସଂପୃକ୍ତ ହେବା, ଘରର ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରି ଦକ୍ଷତା ହାସଲ କରିବା ଆଦି ନିହାତି ଆବଶ୍ୟକ । ହେଲେ ଏ କ୍ଷେତ୍ରରେ ଅନେକ ସମୟରେ ଶିଶୁ ଅଧିକାର ସୁରକ୍ଷାର ଆଇନ୍ର ଅପବ୍ୟବହାର କରାଯାଉଥିବା ଦେଖାଯାଏ । 
ବୃତ୍ତିଗତ ଭାବରେ ଜଣେ ଜଳଖିଆ ଦୋକାନୀ ସ୍କୁଲ୍ ସମୟ ପରେ ନିଜ ପିଲାଙ୍କୁ ନିଜ ଦୋକାନରେ କାମ କରିବାର ଅଭିଜ୍ଞତା ହାସଲ ପାଇଁ ପିଲାଟିଏକୁ କାମ ଦେଲେ ତାକୁ ଶିଶୁ ଶ୍ରମିକ ଭାବରେ ଆଇନ୍ର ଅପବ୍ୟବହାର କରି ଶିଶୁ ସୁରକ୍ଷା ସ୍ୱେଚ୍ଛାସେବୀମାନେ ଆଇନ୍ ଜାଲରେ ଫସେଇ ଦେଉଥିବାର ଦେଖାଯାଇଛି । ଏଇଠି ପ୍ରଶ୍ନ ଉଠୁଛି ସ୍କୁଲ୍ ସମୟ ପରେ ବାକି ୧୭-୧୮ ଘଣ୍ଟା ସମୟ ଛାତ୍ରଛାତ୍ରୀମାନେ ଘରେ କରିବେ କଣ? ବୃତ୍ତିଗତ କାର୍ଯ୍ୟରେ ପିତାମାତାମାନଙ୍କୁ ସାହାଯ୍ୟ କରିବେ ନାହିଁ । ବିଦ୍ୟାଳୟରୁ ଦିଆଯାଉଥିବା ହୋମ୍ଟାସ୍କକୁ କରିବେ ନାହିଁ ତ ତେବେ କରିବେ କଣ? ବର୍ତ୍ତମାନ ସମୟରେ ପିଲାମାନଙ୍କୁ ଆଣ୍ଡ୍ରଏଡ୍ ମୋବାଇଲ୍ ଦିଆଯିବା ପରେ ନାନା ପ୍ରକାରର ବିବାଦ ଉଠିବା ଦେଖାଗଲାଣି । କିଛି ଲୋକଙ୍କ ମତରେ ଏହା ସେମାନଙ୍କର ଭବିଷ୍ୟତର ନାଗରିକ ଭାବରେ ସାମାଜିକ ଜୀବନରେ ଚଳିବାର ଅଭିଜ୍ଞତାକୁ ନଷ୍ଟ କରୁଛି । ବାସ୍ତବ କ୍ଷେତ୍ରରେ ଏ ଅଭିଯୋଗର ସତ୍ୟତା ମଧ୍ୟ ଅଛି । ବର୍ତ୍ତମାନ ସମୟରେ ବିଦ୍ୟାଳୟ ଗୁଡ଼ିକୁ ସକାଳୁଆ କରାଯିବା ପରେ ବିଦ୍ୟାଳୟରୁ ୩ଟା ପରେ ଫେରି ଛାତ୍ରଛାତ୍ରୀ କରିବେ କଣ? ଏହା ସେମାନଙ୍କ ପାଇଁ ଦେଖିବାକୁ ଗଲେ ଖାଇବା ସମୟ ନୁହେଁ । ଶୋଇବା ସମୟ ମଧ୍ୟ ନୁହେଁ କି ଖେଳିବା ସମୟ ବି ନୁହେଁ । ତେଣୁ ଘରେ ବସି କେବଳ ବିରକ୍ତି ଅନୁଭବ କରିବା ବ୍ୟତୀତ ଆଉ ଅଧିକା କିଛି ହେଉନାହିଁ । 
ସକାଳୁଆ ସ୍କୁଲ୍ ସମୟ ଧାର୍ଯ୍ୟ କରାଯିବା ପଛରେ ମଧ୍ୟ ଏଭଳି କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ସକାଳୁଆ ସ୍କୁଲ୍ କରାଯିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସୁହାଉଛି ନା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସୁହାଉଛି ବା ବ୍ୟବସାୟିକ ଭିତ୍ତିରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ  ସୁହାଉଛି, ତାର ମଧ୍ୟ ଏକ ଆଲୋଚନା ଆବଶ୍ୟକ । ବିଦ୍ୟାଳୟର ପାଠପଢ଼ାକୁ ଘରେ ଆଉ ଥରେ ଅଭ୍ୟାସ କରିନେବା ପାଇଁ ହୋମ୍ୱାର୍କ୍ ପିଲାମାନଙ୍କୁ ଦିଆଯାଏ । ତେବେ ସେହି ହୋମ୍ୱାର୍କ୍ କରିବା ପାଇଁ ମଧ୍ୟ ଏକ ପରିବେଶ ତଥା ସମୟ ରହିଛି । ଯେତେବେଳେ ଇଚ୍ଛା ସେତେବେଳେ ଜେଲ୍ଖାନାରେ ବନ୍ଦୀ ଭଳି ଶୈଶବ ଏବଂ କୀଶୋର ଜୀବନକୁ କେବଳ ପାଠପଢ଼ା ଭିତରେ ଛନ୍ଦି ଦିଆଯିବାର ଉପକ୍ରମ ହେଉନାହିଁ ତ? 
ତେଣୁ ହୋମ୍ୱାର୍କ୍ ରହିବା ଉଚିତ୍ ହେଉଥିଲେ ମଧ୍ୟ ବିଦ୍ୟାଳୟ ଯେଉଁ ସମୟରେ ଖୋଲାଯାଉଛି ସେହି ସମୟକୁ ନେଇ ଅଧିକାଂଶ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ହୋମ୍ୱାର୍କ୍ ଏକପ୍ରକାରର ଦଣ୍ଡରେ ପରିଣତ ହୋଇଯାଉଛି । ଖେଳ ଠାରୁ ପିଲା ଦୂରେଇ ଯାଇ ମେଦ ବହୁଳତାର ଶିକାର ହେଉଛନ୍ତି । ଏହା ଉପରେ ବିତର୍କ ଆବଶ୍ୟକ । ନଚେତ୍ ପ୍ରତିଯୋଗିତାମୟ ଦୁନିଆ ଦୌଡ଼ରେ ପିଲାଙ୍କ ଉପରେ ଆଗକୁ ଆହୁରି ଚାପ ବଢ଼ିଯିବ ।