ମହିମା ଧର୍ମର ଇତିହାସ
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ପରିଣତ ଜୀବନରେ ମୁଁ ବ୍ରହ୍ମାବଧୂତ ବିଶ୍ୱନାଥ ବାପାଙ୍କ ସମସ୍ତ ଗ୍ରନ୍ଥ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁଙ୍କ ପ୍ରବନ୍ଧ ଓ ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧ ପଢି ମହିମାଧର୍ମ, ଦର୍ଶନ ଓ ଇତିହାସ ସଂପର୍କରେ ବହୁ କଥା ଜାଣିଲି । ବହୁ ମହିମା ସନ୍ନ୍ୟାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲି । ମୁଁ ସମାଜ, ପ୍ରଜାତନ୍ତ୍ର, ସହକାର, ଝଙ୍କାର ଓ କୋଣାର୍କ ପ୍ରଭୃତି ପତ୍ର ପତ୍ରିକାରେ ମହିମା ଧର୍ମ, ଏହାର ଉନ୍ମେଷ ଓ ବିକାଶ ଏହାର ଇତିହାସ ଓ ଦର୍ଶନ ସଂପର୍କରେ କେତେକ ପ୍ରବନ୍ଧ ପ୍ରକାଶ କରିଛି, ଯାହା ପାଠକୀୟ ଉନ୍ମେଷ ଓ ବିକାଶ, ଏହାର ଇତିହାସ ଓ ଦର୍ଶନ ସଂପର୍କରେ କେତେକ ପ୍ରବନ୍ଧ ପ୍ରକାଶ କରିଛି । ଯାହା ପାଠକୀୟ ଆବୃତି ଲାଭ କରିଛି । ଉନ୍ନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଧର୍ମ ଓ ସଂସ୍କୃତିର ସ୍ପର୍ଶରେ ଭାରତୀୟ ଅଧ୍ୟାତ୍ମଚେତନା ଏକ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇଥିଲା । ରାଜା ରାମମୋହନ ରାୟ, ସ୍ୱାମୀ ଦୟାନନ୍ଦ, ସ୍ୱାମୀ ବିବେକାନନ୍ଦ, ପ୍ରଭୃତି ଦିବ୍ୟଦ୍ରଷ୍ଟା ଓ ସଂସ୍କାରକ ବୃନ୍ଦ ଧାର୍ମିକ ସଂସ୍କାରର ଅମୃତମୟ ମୂର୍ଚ୍ଛନା ସୃଷ୍ଟି କରିଥିଲେ । ସେହି ସମୟରେ ଓଡ଼ିଶାରେ ସାଧୁ ସୁନ୍ଦର ଦାସ, ଅରକ୍ଷିତ ଦାସ ଓ ମହିମା ସ୍ୱାମୀ ଆବିର୍ଭାବ ହୋଇଥିଲେ । ତନ୍ମଧ୍ୟରୁ ମହିମା ସ୍ୱାମୀ ବୈଦିକ ସତ୍ୟ ସିଦ୍ଧାନ୍ତ ସମ୍ବନ୍ଧିତ ବିଶ୍ୱାତ୍ମ ଚେତନାରେ ଅଗଣିତ ଦୀନ ହୀନ ଅକିଞ୍ଚନ ଦଳିତ ନିଷ୍ପେସିତ ପଲ୍ଲୀବାସୀଙ୍କୁ ଉଦ୍ବୁଦ୍ଧ କରାଇ ପାରିଥିଲେ । ଏହି ମହାତ୍ମାଙ୍କ ପ୍ରଚାରିତ ଧର୍ମ ବିଶୁଦ୍ଧ ଅଦ୍ୱୈତବାଦର ଦାର୍ଶନିକ ବିଚାରବୋଧ ଆଧାରିତ । ମହନୀୟତା ହେଉଛି, ତତ୍ ପ୍ରଚାରିତ ଧର୍ମ ମହିମାଧର୍ମ ନାମରେ ପ୍ରସିଦ୍ଧି ଲାଭ କରିଥିଲା ।
ମହିମା ସ୍ୱାମୀଙ୍କର ଯଥାର୍ଥ ପରିଚୟ, ଜୀବନାଲେଖ୍ୟ ତଥା ଜନ୍ମକାଳ ଏ ଅବଧି ଅନୁପଲବ୍ଧ । ମହିମା ଧର୍ମାବଲମ୍ବୀଙ୍କ ମତରେ ସେ ଅଲେଖ ପରଂବ୍ରହ୍ମାଙ୍କ ଅବତାର ଏବଂ ଧର୍ମ ସଂସ୍ଥାପନାର୍ଥେ ସ୍ୱମହିମାରେ ଆବିର୍ଭୂତ ହୋଇଥିଲେ । ମହିମାଧର୍ମୀଙ୍କର ବିଶ୍ୱାସ ମହିମା ସ୍ୱାମୀ ୧୭୩୨ ଖ୍ରୀଷ୍ଟାବ୍ଦରେ ଆବିର୍ଭାବ ହୋଇ ଦୀର୍ଘ ୧୪୪ ବର୍ଷ ମହିମାଲୀଳା ସଂରଚନା କରିବା ପରେ ୧୮୭୬ ଖ୍ରୀଷ୍ଟାବ୍ଦରେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ପ୍ରକୃତ ଆବିର୍ଭାବ କାଳର ପ୍ରାମାଣିକ ତଥ୍ୟ ମିଳିନଥିଲେ ହେଁ ୧୮୨୬ରେ ପୁରୀରେ ସେ ‘ଅଲେଖ ମଣ୍ଡଳ’ ପ୍ରତିଷ୍ଠା କରିଥିବାର ସୂଚନା ମିଳିଅଛି । ସେହି ବର୍ଷ ଠାରୁ ସ୍ୱତନ୍ତ୍ର ମହିମାବ୍ଦ ପ୍ରଚଳିତ । ପ୍ରାଥମିକ ଅବସ୍ଥାରେ ଶ୍ରୀକ୍ଷେତ୍ର ପୁରୀରେ ବଡଦାଣ୍ଡ ଧୂଳିରେ ଅବସ୍ଥାନ କରୁଥିବାରୁ ତାଙ୍କୁ ‘ଧୂଳିଆ ଗୋସାଇଁ’ କୁହାଯାଉଥିଲା । ୧୮୨୬ ଠାରୁ୧୮୩୮ ପର୍ଯ୍ୟନ୍ତ ଦୀର୍ଘ ବାରବର୍ଷ ସେ ଖଣ୍ଡଗିରି ଗୁମ୍ଫାରେ କେବଳ ଜଳପାନ ପୂର୍ବକ ସମାଧିଯୋଗ ଅବଲମ୍ବନ କରିଥିଲେ । ସେତେବେଳେ ତାଙ୍କୁ ‘ନିରାହାରୀ ଗୋସାଇଁ’ କୁହାଯାଉଥିଲା । ୧୯୩୮ରେ ସେ ପୁରାଣ ପ୍ରସିଦ୍ଧ କପିଳାସ ପର୍ବତର କେନ୍ଦୁପାଣିଆ ଗୁମ୍ପାରେ ସାଧନା ମଗ୍ନ ହେଲେ । ଏହି ସମୟରେ ବାରବର୍ଷ ପର୍ଯ୍ୟନ୍ତ ଦେଓଗାଁର ସଦାନନ୍ଦ ଶବର ତାଙ୍କୁ ଫଳମୂଳ ଯୋଗାଇଥିଲା । ୧୮୫୦ରୁ ୧୮୬୨ ପର୍ଯ୍ୟନ୍ତ ଦୀର୍ଘ ବାରବର୍ଷ ଢେଙ୍କାନାଳ ରାଜା ଭଗୀର ମହୀନ୍ଦ୍ର ବାହାଦୁର ତାଙ୍କୁ ଗୋଦୁଗ୍ଧ ଯୋଗାଇଥିଲେ । ୧୮୩୮ରୁ ୧୮୫୦ ପର୍ଯ୍ୟନ୍ତ ସେ ଫଳାହାର କରି ସାଧନା କରୁଥିବାରୁ ତାଙ୍କୁ ‘ଫଳାହାରୀ’ ଗୋସାଇଁ’ କୁହାଯାଉଥିଲା । ୧୮୫୦ରୁ ୧୮୬୨ ପର୍ଯ୍ୟନ୍ତ ଦୀର୍ଘ ବାରବର୍ଷ ଢେଙ୍କାନାଳ ରାଜା ଭାଗୀରଥ ମହୀନ୍ଦ୍ର ବାହାଦୁର ତାଙ୍କୁ ଗୋଦୁଗ୍ଧ ଯୋଗାଇଥିଲେ । ଏଥିନିମିତ୍ତ ତାଙ୍କୁ ‘କ୍ଷୀରାହାରୀ ଗୋସାଇଁ’ କୁହାଯାଇଥିଲା । ୧୮୬୨ରେ ଏହି ମହାତ୍ମା ମହିମା ସମ୍ବୋଧି ପ୍ରାପ୍ତ ହୋଇ ‘ମହିମା ଗୋସାଇଁ’ ବା ‘ମହିମା ସ୍ୱାମୀ’ ନାମରେ ଖ୍ୟାତି ଲାଭ କଲେ । ସ୍ୱକୀୟ ସାଧନାରେ ସେ ସିଦ୍ଧିଲାଭ ପୂର୍ବକ ମହିମା ଦର୍ଶନ, ମହିମା ସଂଖ୍ୟା ବିଜ୍ଞାନ ଓ ମହିମା ଆୟୁର୍ବିଜ୍ଞାନର ଦିବ୍ୟ ସନେ୍ଦଶ ପ୍ରାପ୍ତ ହୋଇଥିଲେ । ୧୮୬୨ ମସିହା ଠାରୁ ସେ ମହିମା ଧର୍ମ ପ୍ରଚାର ଓ ପ୍ରସାରରେ ବ୍ରତୀ ହୋଇଥିଲେ । ତାଙ୍କ ପ୍ରଚାରିତ ମହିମାଧର୍ମର ସାରବତ୍ତା ହେଉଛି ଅଲେଖ ପରଂବ୍ରହ୍ମଙ୍କ ଠାରୁ ଆତ୍ମାକ୍ଷରିତ, ତାଙ୍କରି ଠାରେ ଅର୍ପିତ ଏବଂ ପରିଶେଷରେ ତାଙ୍କରି ଶରଣଦର୍ଶନରେ ମୁକ୍ତି । ତତ୍ ପ୍ରତିଷ୍ଠିତ ମହିମାଧର୍ମରେ ସର୍ବଶକ୍ତିମାନ ସର୍ବବ୍ୟାପକ ଅଲେଖ ପରଂବ୍ରହ୍ମଙ୍କୁ ‘ମହିମା ମହାମେରୁ’ ବୋଲି ବ୍ୟକ୍ତ କରାଯାଇଛି । ଜାତି, ଧର୍ମ, ବର୍ଣ୍ଣ, ସଂପଦ୍ରାୟ ନିର୍ବିଶେଷରେ ବ୍ରହ୍ମୋପସାନା ଏହି ଧର୍ମକୁ ମହିମାମୟ କରିଥିଲା । ମହିମାଧର୍ମ ବିଶୁଦ୍ଧ ଅଦ୍ୱୈତବାଦ ଉପରେ ଆଧାରିତ ଏବଂ ଦୟା, କରୁଣା, ପରୋପକାର, ବିଶ୍ୱପ୍ରେମ, ସରଳ ଜୀବନ ଓ ଉଚ୍ଚବିଚାରବୋଧ ଉପରେ ପ୍ରତିଷ୍ଠିତ । ବେଦ, ଉପନିଷଦ, ଗୀତା, ଭାଗବତ, ପୁରାଣ ଓ ଅନ୍ୟାନ୍ୟ ଶାସ୍ତ୍ରର ସାରୋଦ୍ଧାର ବାଣୀ ସଭିଙ୍କ ନିକଟରେ ପହଞ୍ଚାଇବା ନିମିତ୍ତ ମହିମା ସ୍ୱାମୀ ମହିମାଧର୍ମ ପ୍ରଚାର କରିଥିଲେ । ମହିମାଧର୍ମର ଦିବ୍ୟ ସନେ୍ଦଶ ମହାତ୍ମା ଭୀମଭୋଇଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’ରେ ସାବଲୀଳ ଧାରାରେ ପରିବେଷିତ ।
ସେଥିରେ କୁହାଯାଇଛି :
‘ଗୀତା ସାରସ୍ୱତ କରିପଦ ଅର୍ଥ ଭୀମ ଅରକ୍ଷିତ ଭଣି,
ଏ ଶାହାସ୍ତ୍ର ଆଦ୍ୟ ବିଭୂତିବୃତ୍ତାନ୍ତ ନାମ ସ୍ତତି ଚିନ୍ତାମଣି ।’
ଅର୍ଥାତ୍, ଏହା ଗୀତା ପ୍ରଭୃତି ଶାସ୍ତ୍ରର ସିଦ୍ଧାନ୍ତ ଏବଂ ସ୍ତୁତି ଚିନ୍ତାମଣି ନାମରେ ପ୍ରକାଶିତ ।
ମହିମା ସ୍ୱାମୀଙ୍କର ପ୍ରଥମ ସନ୍ନ୍ୟାସୀ ଶିଷ୍ୟ ହେଉଛନ୍ତି ଗୋବିନ୍ଦ ବାବା ଓ ପ୍ରମୁଖ ଶିଷ୍ୟ ହେଉଛନ୍ତି ଭୀମଭୋଇ । ସେ ପୁରପଲ୍ଲୀ ସର୍ବତ୍ର ଭ୍ରମଣ କରି ଚଉଷଠି ଜଣ ଯୁବକଙ୍କୁ ସନ୍ନ୍ୟାସ ଦୀକ୍ଷା ପ୍ରଦାନ କରିଥିଲେ । ଏମାନଙ୍କୁ ସିଦ୍ଧ ସନ୍ନ୍ୟାସୀ କୁହାଯାଉଥିଲା । ଲୋକମାନଙ୍କୁ ମହିମାଧର୍ମରେ ଦୀକ୍ଷିତ କରିବା ସହିତ ମହିମା ସ୍ୱାମୀ ସ୍ଥାନେ ସ୍ଥାନେ ମହିମାଆଶ୍ରମ ବା ଟୁଙ୍ଗି ପ୍ରତିଷ୍ଠା କରିଥିଲେ । ବିଶେଷ ସ୍ଥାନ ମାନଙ୍କରେ ମହିମା ମହାଧିବେଶନ ମଧ୍ୟ ବସାଉଥିଲେ । ତାଙ୍କ ଦୀକ୍ଷିତ ଶିଷ୍ୟମଣ୍ଡଳୀ ପରିବ୍ରାଜକ ସନ୍ନ୍ୟାସୀ ରୂପେ ମହିମାଧର୍ମ ପ୍ରଚାରରେ ବ୍ରତୀ ଥିଲେ । ଗ୍ରାମେ ଗ୍ରାମେ ପ୍ରତିଷ୍ଠିତ ଟୁଙ୍ଗି ସମୂହ ସେମାନଙ୍କ ରାତ୍ରି ଆଶ୍ରୟସ୍ଥଳୀ ଥିଲା । ସେହି ସମୟରେ ଢମଣା, ଦାରୁଠେଙ୍ଗ, ଖୁଣ୍ଟୁଣି, ମଢି (କାମାକ୍ଷାନଗର) ଜକା, ରଞ୍ଜାଗୋଳ, ଅଙ୍ଗାର ଗାଡିଆ, ବଉଳପୁର ଓ ଯୋରନ୍ଦା ପ୍ରଭୃତି ଟୁଙ୍ଗି ପ୍ରସିଦ୍ଧି ଲାଭ କରିଥିଲା । ସୂର୍ଯେ୍ୟାଦୟ ଓ ସୂର୍ଯ୍ୟାସ୍ତ ସମୟରେ ଅଷ୍ଟାଙ୍ଗ ପ୍ରଣାମ ପୂର୍ବକ ଅଲେଖ ପରଂବ୍ରହ୍ମଙ୍କର ଶରଣାପନ୍ନ ହେବା ଥିଲା ମହିମାସ୍ୱାମୀଙ୍କ ପ୍ରବର୍ତ୍ତିତ ନିତ୍ୟ ଉପାସନା । ସାକାର ପ୍ରତିମା ପୂଜା, ବୈଦିକ କର୍ମକାଣ୍ଡ ଓ ଜାତିଭେଦ ପରିହାର ପୂର୍ବକ ସରଳ ନିଷ୍ପପଟ ଜୀବନଯାପନ ହିଁ ଥିଲା ମହିମା ସ୍ୱାମୀଙ୍କର ଆଦର୍ଶ । ପ୍ରତ୍ୟହ ଗୋଟିଏ ଗ୍ରାମରୁ ଭିକ୍ଷା ଗ୍ରହଣ ଓ ସେହି ଗ୍ରାମର ଟୁଙ୍ଗିରେ ଗୋଟିଏ ରାତି ବିଶ୍ରାମ ଥିଲା ମହିମା ସ୍ୱାମୀଙ୍କ ଉପଦେଶ । ଦିବସ ସମୟରେ ମୁକ୍ତାକାଶ ତଳେ ଶାକାନ୍ନ ଅଲେଖ ପରଂବ୍ରହ୍ମଙ୍କୁ ସମର୍ପଣ ପରେ ଭୋଜନ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ସନ୍ନ୍ୟାସୀଗଣ କୁମ୍ଭୀ ବଳ୍କଳର କୋ÷ପୀନ ଓ ଗୃହୀମାନେ ଗେରୁଆ ବସ୍ତ୍ର ପିନ୍ଧିବାକୁ ସେ ନୀତି ନିର୍ଦ୍ଧାରଣ କରିଥିଲେ । ପରବର୍ତ୍ତୀ କାଳରେ କେତେକ ସନ୍ନ୍ୟାସୀ କୁମ୍ଭୀବୃକ୍ଷର ବଳ୍କଳ ପିନ୍ଧିଲେ ଓ କେତେକ ସନ୍ନ୍ୟାସୀ କଷାୟ ବସ୍ତ୍ରର କୋ÷ପୀନ ପିନ୍ଧିଲେ । ସଂପ୍ରତି ମହିମା ସମାଜ ବଳ୍କଳଧାରୀ ଓ କୋ÷ପୀନଧାରୀ ଦୁଇଭାଗରେ ବିଭକ୍ତ । ମହିମା ସ୍ୱାମୀଙ୍କ ମତରେ ଆଧ୍ୟାତ୍ମିକ ଚେତନାର ଉନ୍ମେଷ ହିଁ ସତ୍ୟ ମହିମା ଧର୍ମ, ଯାହା ଦୟା, କରୁଣା, ପରୋପକାର, ବିଶ୍ୱପ୍ରେମ ତଥା ଅନ୍ୟର ମଙ୍ଗଳ ସାଧନା ଦ୍ୱାରା ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ । କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ ଏହି ଷଡରିପୁ ସଂଯମ ଓ ଦମନ ପୂର୍ବକ ଅଖିଳ ବିଶ୍ୱବାସୀଙ୍କୁ ପିତୃମାତୃ ଜ୍ଞାନରେ ବିଶ୍ୱକଲ୍ୟାଣାର୍ଥେ ଜୀବନ ଯାପନ କରିବା ଥିଲା ମହିମା ସ୍ୱାମୀଙ୍କ ପ୍ରବର୍ତ୍ତିତ ମହିମାଧର୍ମର ସାରବତ୍ତା ।
ମହିମା ସ୍ୱାମୀ ମହିମା ଧର୍ମ ପ୍ରଚାର କରୁଥିବା ସମୟରେ ଓଡ଼ିଶାରେ ନ’ ଅଙ୍କ ଦୁର୍ଭିକ୍ଷ ପଡିଥିଲା । ମହିମା ସ୍ୱାମୀ ଧନୀ ବ୍ୟକ୍ତିଙ୍କ ଠାରୁ ଭିକ୍ଷା ସଂଗ୍ରହ କରି ବହୁ ସ୍ଥାନରେ ବିଭିନ୍ନ ବ୍ୟକ୍ତିମାନଙ୍କ ପାଇଁ ପଂକ୍ତି ବାଳଭୋଗର ବ୍ୟବସ୍ଥା କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ, ମହିମା ସ୍ୱାମୀ ଧର୍ମ ପ୍ରଚାର ସମୟରେ ଅନେକ ଅଲୋ÷କିକ ଲୀଳା ଦର୍ଶାଇ ଜନମାନସକୁ ବିଶେଷ ପ୍ରଭାବିତ କରିଥିଲେ । ସମାଜରେ ରକ୍ଷଣଶୀଳତା, ଆଧ୍ୟାତ୍ମିକ ସଂକୀର୍ଣ୍ଣତା, ଜାତିଭେଦର ଶୋଷଣ ତଥା ଧାର୍ମିକ ଜୀବନର କପଟତା ବିରୋଧରେ ମହିମା ସ୍ୱାମୀ ଦୃଢ ଜନମତ ସୃଷ୍ଟି କରିପାରିଥିଲେ । ଆପଣାର ମାନବବାଦୀ ଚେତନାରେ ସେ ମହିମାଧର୍ମକୁ ଏକ ଗଣଧର୍ମରେ ପରିଣତ କରିପାରିଥିଲେ । ୧୮୬୨ରୁ ୧୮୭୬ ପର୍ଯ୍ୟନ୍ତ ଦୀର୍ଘ ଚଉଦ ବର୍ଷ କାଳ ମହିମା ଧର୍ମ ପ୍ରଚାର ପୂର୍ବକ ଅନେକ ଜାଗାରେ ଟୁଙ୍ଗି ସ୍ଥାପନ କରିଥିଲେ ଯୋରନ୍ଦା ମହିମା ଟୁଙ୍ଗି ତନ୍ମଧ୍ୟରେ ପ୍ରଧାନ ଥିଲା । ସେହି ଟୁଙ୍ଗିରେ ସେ ମହାସମାଧିରେ ପ୍ରବେଶ କରିବେ ବୋଲି ପୂର୍ବରୁ ଜାଣିଥିଲେ ଏବଂ ନିଜର ପ୍ରିୟ ଶିଷ୍ୟ ଯୋରନ୍ଦା ଗ୍ରାମର କୁମ୍ଭାର ଦାମ ବେହେରାକୁ ତାଙ୍କ ମରଶରୀର ସମାଧି ଦେବାନିମିତ୍ତ ଗୋଟିଏ ବଡ ମାଟିହାଣ୍ଡି ତିଆରି କରିବାକୁ କହିଥିଲେ । ମହାସମାଧି ନେବାର କିଛି ବର୍ଷ ପୂର୍ବରୁ ସେ ଯୋରନ୍ଦା ଠାରେ ମାତା ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହିମାମେଳା ଓ ମହିମାଧର୍ମର ବାର୍ଷିକ ମହୋତ୍ସବ ଆରମ୍ଭ କରିଥିଲେ । ଯାହା ସଂପ୍ରତି ଭବ୍ୟ ରୂପ ଗ୍ରହଣ କଲାଣି । ୧୮୭୬ ମସିହା ଫାଲଗୁନ କୃଷ୍ଣ ଏକାଦଶୀ ତିଥିରେ ମହିମା ସ୍ୱାମୀ ଯୋରନ୍ଦା ଟୁଙ୍ଗିରେ ମହାସମାଧିରେ ପ୍ରବେଶ କଲେ । ତାଙ୍କ ଶରୀରକୁ ଦାମ ବେହେରା ତିଆରି କରିଥିବା ବଡଦାଣ୍ଡରେ ପୂରାଇ ଯୋରନ୍ଦା ଗ୍ରାମର ପୂର୍ବଦିଗରେ ସମାଧି ଦିଆଗଲା । ମୂଳସମାଧିର ଉଚ୍ଚତା ଚାରି ହାତ । ତା ଉପରେ ଗାଦୀ ମନ୍ଦିର ନିର୍ମାଣ କରାଯାଇଛି, ଯାହାକୁ ଲୋକେ ଅମୁହାଁ ଦେଉଳ କହୁଛନ୍ତି । ଏଠାରେ ଶୂନ୍ୟମନ୍ଦିର, ଧୂନିମନ୍ଦିର, ସଭାଗୃହ, ପୁସ୍ତକାଳୟ, ଅନେକ ମଠ, ଚଉମୁହାଣି କୂଅ, ଘଣ୍ଟାଘର, ଆଶ୍ରମ ଓ ଉପବନ ନିର୍ମିତ ହୋଇଛି । ପ୍ରତିବର୍ଷ ଏଠାରେ ନୂତନ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ମହିମାଧର୍ମର ବିକାଶରେ ମହିମାଗାଦୀ ସଂପ୍ରତି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କଲାଣି । ଇତିମଧ୍ୟରେ ମହିମାଗାଦୀଠାରେ ଉପଡାକଘର, ମହିମା ମହାବିଦ୍ୟାଳୟ, ଚିକିତ୍ସାକେନ୍ଦ୍ର ଓ ଆକାଶବାଣୀ କେନ୍ଦ୍ର ପ୍ରଭୃତି ପ୍ରତିଷ୍ଠା ହେଲାଣି । ସଂପ୍ରତି ମହିମାଗାଦୀ ମହିମାଧର୍ମାବଲମ୍ବୀଙ୍କର ମହାତୀର୍ଥରେ ପରିଣତ ହେଲାଣି । ଓଡ଼ିଶା, ବଙ୍ଗ, ବିହାର, ଆସାମ, ଛତିଶଗଡ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ର, ତେଲେଙ୍ଗାନା ଓ ଅନ୍ୟାନ୍ୟ ଅଞ୍ଚଳରୁ ମହିମାଭକ୍ତଗଣ ମହିମାମେଳାରେ ଯୋଗ ଦେଉଛନ୍ତି । ଏହା ବର୍ତ୍ତମାନ ବିଶ୍ୱପ୍ରସିଦ୍ଧ ମହୋତ୍ସବର ରୂପଗ୍ରହଣ କଲାଣି ।
ମହିମାସ୍ୱାମୀ ମହିମାଧର୍ମ ସମ୍ବନ୍ଧୀୟ କୋ÷ଣସି ଗ୍ରନ୍ଥ ରଚନା କରିନଥିଲେ । ତାଙ୍କ ଆବିର୍ଭାବର ବହୁ ପୂର୍ବରୁ ପଞ୍ଚସଖ୍ୟା ଯୁଗୀୟ ସାହିତ୍ୟରେ ଏହି ଧର୍ମ ଓ ଦର୍ଶନର ସୂଚନା ରହିଥିଲା ବୋଲି କୁହାଯାଏ । ମହିମା ସ୍ୱାମୀଙ୍କ କୃପାରୁ ଆଦୋ÷ ପାଠ ପଢିନଥିବା ଭୀମଭୋଇଙ୍କର କବିତ୍ୱ ସଞ୍ଚାର ହୋଇଥିଲା । ତାଙ୍କ ମୁଖରୁ ଯେଉଁ ପଦମାନ ନିସୃତ ହେଉଥିବା ତାହାକୁ ଦୁଇଜଣ ବ୍ରାହ୍ମଣ ଓ ଅନ୍ନପୂର୍ଣ୍ଣା ଲିପିବଦ୍ଧ କରୁଥିଲେ । ଭୀମଭୋଇଙ୍କ ସାହିତ୍ୟ ଦ୍ୱାରା ମହିମାଧର୍ମ ପରାଙ୍ଗ ପୃଷ୍ଠ । ସେହିସବୁ ସାହିତ୍ୟରୁ ‘ସ୍ତୁତିଚିନ୍ତାମଣି’ ଆଦିଅନ୍ତ ଗୀତା ‘ଶ୍ରୁତି ନିଷେଧ ଗୀତା’ ‘ନିର୍ବେଦ ସାଧନ’ ତଥା ଅନେକ ଭଜନ, ଜଣାଣ ଓ ଚଉତିଶା ପ୍ରକାଶିତ ଏବଂ ବହୁ ସାହିତ୍ୟ ଅଦ୍ୟାବଧି ଅପ୍ରକାଶିତ । ଏହି ସବୁ ସାହିତ୍ୟରୁ ମହିମାଧର୍ମର ସ୍ୱରୂପ ଓ ତତ୍ତ୍ୱ ଉପଲବଧ ହୋଇଥାଏ । ତନ୍ମଧ୍ୟରୁ ସ୍ତୁତି ଚିନ୍ତାମଣି ମହିମା ଧର୍ମର ବେଦ ସ୍ୱରୂପ । ସେଥିରେ ଉଲ୍ଲେଖଥିବା ପଦଗୁଡିକୁ ‘ବୋଲି’ କୁହାଯାଏ ଏବଂ ପ୍ରତ୍ୟେକ ବୋଲିରେ କୋଡିଏ ଗୋଟି ଲେଖାଏଁ ପଦ ରହିଛି । ‘ସ୍ତୁତି ଚିନ୍ତାମଣିରେ ଶହେ ଗୋଟି ବୋଲିରେ ଦୁଇହଜାର ପଦ ରହିଛି ଏବଂ ପ୍ରତ୍ୟେକ ପଦ ସମୁଜ୍ଜଳ ରତ୍ନ ସଦୃଶ । ବ୍ରହ୍ମାବଧୂତ ବିଶ୍ୱନାଥ ବାବା ‘ସର୍ବବେଦାନ୍ତ ସାରତତ୍ତ୍ୱ ଶିରୋମଣି ଅଲେଖ ପରଂବ୍ରହ୍ମଦର୍ଶନ ପୂର୍ବାର୍ଦ୍ଧ ଓ ଭତ୍ତରାର୍ଦ୍ଧ, ସତ୍ୟ ମହିମାଧର୍ମ ପ୍ରତିପାଦକ, ସତ୍ୟମହିମା ଧର୍ମ ଇତିହାସ’, ‘ମହିମାଗାଦୀ ମହିମାଧାମ ଇତିହାସ’, ‘ସିଦ୍ଧ ସାଧୁ ଚରଣ ମୃତ’ ପ୍ରଭୃତି ଅନେକ ଦୁର୍ଲଭ ଶାସ୍ତ୍ର ରଚନା ପୂର୍ବକ ମହିମା ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି । ଏତଦ୍ଭିନ୍ନ ମହୀନ୍ଦ୍ରବାବା, ଈଶ୍ୱର ବାବା, କ୍ଷେତ୍ରବାସୀ ବାବା ପ୍ରଭୃତି ମହିମା ସନ୍ନ୍ୟାସୀ ଅନେକ ଶାସ୍ତ୍ର ରଚନା କରିଛନ୍ତି, ଯାହା ଏକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ । ଭକ୍ତ ନାରାୟଣଙ୍କ ରଚିତ ଅନେକ ଭଜନ କୀର୍ତ୍ତନ ମହିମାଧର୍ମାବଲମ୍ବୀଙ୍କର ଅତି ପ୍ରିୟ । ପ୍ରଫେସର ଚିତ୍ତରଞ୍ଜନ ଦାସ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ଅନ୍ୟାନ୍ୟ ବିଜ୍ଞ ପ୍ରାଜ୍ଞବୃନ୍ଦ ମହିମା ଧର୍ମ ସମ୍ବନ୍ଧୀୟ ଅନେକ ଶାସ୍ତ୍ର, ନିବନ୍ଧ, ପ୍ରବନ୍ଧ ସନ୍ଦର୍ଭ ରଚନା ପୂର୍ବକ ଏହି ଧର୍ମ ଉପରେ ଯଥେଷ୍ଟ ଆଲୋକପାତ କରିଅଛନ୍ତି । ମହିମାଧର୍ମର ସାରବାଣୀ ଭୀମଭୋଇଙ୍କ ମୁଖ ନିସୃତ ଏବଂ ପରବର୍ତ୍ତୀ କାଳରେ ଅନ୍ୟାନ୍ୟଙ୍କ ଦ୍ୱାରା ସୁବିସ୍ତୃତ । ଭୀମଭୋଇଙ୍କର ଯେଉଁ ମହିମାବାଣୀ ସମଗ୍ର ବିଶ୍ୱର ଆଲୋଡ଼ନ ସୃଷ୍ଟି କରିପାରିଛି, ତାହା ହିଁ ମହିମାଧର୍ମ କାହିଁକି ସକଳ ଧର୍ମର ଶ୍ରେଷ୍ଠ ସନେ୍ଦଶ । ସ୍ତୁତି ଚିନ୍ତାମଣିର ସପ୍ତବିଂଶ ବୋଲି ସପ୍ତମ ପଦରେ ସେ ବ୍ୟକ୍ତ କରିଛନ୍ତି ଆପଣା ଜୀବନକୁ ନରକ ନିକ୍ଷିପ୍ତ କରି ଅଖିଳ ବିଶ୍ୱକୁ ବେଦନାମୁକ୍ତ କରିବାର ଦିବ୍ୟ ସିନେ୍ଦଶ ।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ
ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।”
ଏହି ମହିମାବାଣୀ ସମଗ୍ର ବିଶ୍ୱର ଆଲୋଡନ ସୃଷ୍ଟି କରିଛି ।
ସଂପ୍ରତି ବିଶ୍ୱର କୋଣ ଅନୁକୋଣରୁ ପ୍ରାୟ ଦଶଲକ୍ଷ ଯାତ୍ରୀ ମହିମାଗାଦୀରେ ସାତଦିନ ଧରି ଅନୁଷ୍ଠିତ ହେଉଥିବା ମହିମାମେଳାରେ ଏକତ୍ରିତ ହେଉଛନ୍ତି । ଦିନକୁ ଦିନ ମହିମା ମେଳା ଅଧିକରୁ ଅଧିକ ମହିମାମୟ ହୋଇଉଠୁଛି । ମହିମା ସଂସ୍କୃତିର ଉତ୍ତରଣରେ ମହିମାମେଳା ଏକ ସୁଦୀର୍ଘ ପରମ୍ପରା ଅତିକ୍ରମ କରି ଏକବିଂଶ ଶତାବ୍ଦୀରେ ଉପଗତ । ମହିମା ସ୍ୱାମୀଙ୍କ ପ୍ରବର୍ତ୍ତିତ ମହିମାଧର୍ମ ଏକ ମାନବବାଦୀ ଶାଶ୍ୱତ ସନାତନଧର୍ମର ଅଭିନବ ସଂସ୍କରଣ ରୂପେ ମାନ୍ୟତା ପ୍ରାପ୍ତ ତଥା ମହିମାସ୍ୱାମୀଙ୍କ ମହାସମାଧି ପୀଠ ମହିମାଗାଦୀ ମହିମାଧାମ ନାମରେ ଖ୍ୟାତ । ମହିମା ସ୍ୱାମୀଙ୍କ ହେଉଛି, ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ, ଉପାସନା, ଭାଷା, ବେଶଭୂଷାର ଭିନ୍ନତା ସତ୍ତ୍ୱେ ସକଳ ମାନବ ଏକ ପରମେଶ୍ୱରଙ୍କ ସନ୍ତାନ । ଏହାହିଁ ଭାରତୀୟ ଆଧ୍ୟାତ୍ମ ସୋ÷ନ୍ଦର୍ଯ୍ୟର ରମଣୀୟତା ।
ଆନନ୍ଦନଗର, କାଠଗଡା
ଢେଙ୍କାନାଳ, ମୋ -୮୮୯୫୨୩୦୭୨୨