ନିଜେ ବୁଝି ନେବା ଶ୍ରେୟସ୍କର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ଜୀବନରେ ଆମେ ସମସ୍ତଙ୍କୁ ଆମେ ଖୁସି କରିପାରିବା କି? ଆଉ କରିବାର ପରିଣାମ କଣ, ସେବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପୃଥିବୀରେ ସମସ୍ତେ ସମସ୍ତଙ୍କ ଠାରୁ ଭିନ୍ନ । କେହି କାହା ସହିତ ସମାନ ନୁହଁନ୍ତି । ତେଣୁ କାହାକୁ କାହା ସହ ତୁଳନା କରାଯାଇପାରିବ ନାହିଁ କିମ୍ବା ସମସ୍ତଙ୍କୁ ଗୋଟିଏ ମାପଦଣ୍ଡ ଭିତରକୁ ଅଣାଯାଇପାରିବ ନାହିଁ । ଏହାର ସିଧା ଅର୍ଥଟି ହେଲା ଆମେ ଯଦି ଜଣେ ଲୋକକୁ ଖୁସି କରିପାରୁଛୁ କିମ୍ବା ଜଣେ ଲୋକକୁ ବୁଝେଇ ଦେଇପାରୁଛୁ, ତା'ର ମାନେ ନୁହେଁ ଯେ ସମସ୍ତଙ୍କୁ ବୁଝେଇ ଦେଇପାରିବା । କାରଣ ସମସ୍ତଙ୍କର ଚିନ୍ତାଧାରା ଅଲଗା ଅଲଗା, ବିଚାରବୋଧ ଅଲଗା ଅଲଗା । ଏପରିକି ବୁଦ୍ଧିମତ୍ତା ଏବଂ ଗ୍ରହଣଶକ୍ତି ମଧ୍ୟ ଅଲଗା ଅଲଗା । ତେଣୁ ଜଣେ ଯଦି ବୁଝିଗଲା, ସମସ୍ତେ ବୁଝିଯିବେ ବୋଲି କୁହାଯାଇପାରିବ ନାହିଁ । ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତୁନି । ଆପଣ ସମସ୍ତଙ୍କୁ କଦାପି ଖୁସି କରିପାରିବେ ନାହିଁ । ଶେଷକୁ ନିଜେ ହିଁ ଦୁଃଖ ଭୋଗିବେ ।
ପୁଣି କାହାରି ସହିତ କାହାରିକୁ ତୁଳନା କରିବା ହିଁ ଏକ ଅନୁଚିତ୍ ଚିନ୍ତାଧାରା । କାହାରି ସହିତ କାହାରିକୁ ତୁଳନା କରାଯିବା ସମୟରେ ହୁଏତ ଜଣଙ୍କୁ ଉଚ୍ଚ ଏବଂ ଅନ୍ୟ ଜଣଙ୍କୁ ନୀଚ୍ଚ ଭାବରେ ଦର୍ଶାଇ, ନୀଚ୍ଚରେ ଥିବା ଲୋକକୁ ଉଚ୍ଚ ଭଳି ହେବା ପାଇଁ ପରାମର୍ଶ ଦିଆଯାଏ । ଏଭଳି ପରାମର୍ଶ ଗୁଡ଼ିକ ବ୍ୟକ୍ତିତ୍ୱ ପ୍ରତି ଅପମାନଜନକ । ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏ ପ୍ରକାରର କାର୍ଯ୍ୟ ନକରିବା ପାଇଁ ପରାମର୍ଶ ଦିଆଯାଏ । ବିଶେଷଖ କରି ଛାତ୍ର ଜୀବନରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟମାନଙ୍କ ସହିତ ତୁଳନା କରି ପ୍ରେରଣା ଦେଉଛନ୍ତି ବୋଲି ଭାବନ୍ତି । ଅଥଚ ବାସ୍ତବ କ୍ଷେତ୍ରରେ ଏହା ପ୍ରେରଣା ନୁହେଁ; ବରଂ ବ୍ୟକ୍ତିତ୍ୱ ପ୍ରତି ଏକ ଅପମାନ । ଏକଥାକୁ ନବୁଝିଲେ ଅନ୍ୟମାନଙ୍କ ସହିତ ତୁଳନା କରି କିଛି ବ୍ୟକ୍ତିଙ୍କୁ ଅଜ୍ଞାତସାରରେ ଅପମାନିତ କରାଯାଉଥିବ । ଛାତ୍ରଜୀବନରେ ସମସ୍ତେ ଶୁଣିଥିବେ ଯେ "ଗାନ୍ଧିଙ୍କ ପରି ହୁଅ', "ମଧୁବାବୁଙ୍କ ପରି ହୁଅ', "ଗୋପବନ୍ଧୁଙ୍କ ପରି ହୁଅ' । ହେଲେ ଆଜିଯାଏଁ କେହି ସେପରି ହୋଇପାରିନାହାନ୍ତି । ଜଣଙ୍କୁ ଗୋଟିଏ କଥା କହି ଦେଲେ ସେ ଯେତିକି ଗ୍ରହଣ କରେ ଅନ୍ୟ ଜଣେ ଯେ ସେତିିକି ଗ୍ରହଣ କରିବ ସେଭଳି କିଛି ପ୍ରମାଣ ନାହିଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।