ସବୁ ପରେ ବି ଅଘଟଣ


ଦିନ କେଇଟା ତଳେ ଗଣେଶ ଚତୁର୍ଥୀ ପାଳନ ହୋଇ ଯାଇଥିବା ବେଳେ ଏହି ପୂଜା ଅବସରରେ ଡ଼ିଜେ ସାଉଣ୍ଡ୍ ବକ୍ସର ବ୍ୟବହାରକୁ ପୁଲିସ୍ ପକ୍ଷରୁ ନିଷିଦ୍ଧ କରାଯାଇଥିଲା । କେବଳ ସେତିକି ନୁହେଁ, ପୂଜା ସମୟରେ ଏବଂ ବିସର୍ଜନ ଶୋଭାଯାତ୍ରାରେ ଯେଭଳି ମଦ୍ୟପାନ କରି କେହି ବିଭ୍ରାଟ ସୃଷ୍ଟି ନ କରନ୍ତି ସେଦିଗରେ ବିଶେଷ ଭାବରେ ଧ୍ୟାନ ଦିଆଯାଇଥିଲା । ଏହା ସତ୍ତ୍ୱେ ବି ମୂର୍ତ୍ତି ଭସାଣୀ ସମୟରେ କେତୋଟି ଅପ୍ରୀତିକର ଘଟଣା ଘଟିଯାଇଥି । ମୂର୍ତ୍ତି ବିସର୍ଜନ ବେଳେ ଅସାବଧାନତା କାରଣରୁ କେତେଜଣ ଛାତ୍ରଙ୍କର ମୃତୁ୍ୟ ଘଟିଥିବା ଜଣାପଡ଼ିଲାଣି । ଆଉ କେତୋଟି ସ୍ଥାନରେ ପୂଜାର ଆର୍ଥôକ କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବିସର୍ଜନ ସମୟରେ ଆମ୍ବୁଲାନ୍ସକୁ ରାସ୍ତା ନ ଦେବାରୁ ଜଣେ ବ୍ୟକ୍ତିର ମୃତୁ୍ୟ ଘଟିବା ଭଳି ଅପ୍ରୀତିକର ଘଟଣା ଘଟିଯାଇଛି । ମୂର୍ତ୍ତି ଗୁଡ଼ିକୁ ମଧ୍ୟ ବିଭିନ୍ନ ଜଳାଶୟରେ ଜଳସ୍ରୋତ ମଧ୍ୟରେ ସିଧାସଳଖ ଉଦ୍ୟମ କରାଯାଇଥିବାରୁ ପ୍ରାକୃତିକ ଜଳଉତ୍ସ ଦୂଷିତ ହେଉଥିବା ଅଭିଯୋଗ କେତୋଟି ଆସିଲାଣି । ଏ ପ୍ରକାରର  ଏକ ଅଭିଯୋଗ ଏବେ ରାଜଧାନୀରେ ଉଠିଛି । ତେଣୁ ସାମଗ୍ରିକ ଭାବରେ ଦେଖିବାକୁ ଗଲେ ଶାନ୍ତିଶୃଙ୍ଖଳାର ସହିତ ଗଣେଶ ପୂଜା ସମାପନ ହୋଇଥିଲେ ମଧ୍ୟ ହାତଗଣତା କେତୋଟି ଅପ୍ରୀତିକର ଘଟଣା ଧାର୍ମିକ ପରିବେଶକୁ କଳୁଷିତ କରୁଛି । 
ଗଣେଶ ପୂଜା କ୍ଷେତ୍ରରେ ଦୂର୍ଗା ପୂଜା ଭଳି ମେଢ଼ ନିର୍ମାଣ ନିମିତ୍ତ ସ୍ଥାନୀୟ ଥାନା ଓ ପ୍ରଶାସନିକ କାର୍ଯ୍ୟାଳୟରୁ ଅନୁମିତ ଆଣିବାର ଆବଶ୍ୟକତା ନ ଥିବାରୁ ପୂଜାସ୍ଥଳର ସଂଖ୍ୟା ନିର୍ଣ୍ଣୟ କରିବା ସମ୍ଭବ ନୁହେଁ । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ଗାଡ଼ି ଗ୍ୟାରେଜ୍ ବାଲା ପର୍ଯ୍ୟନ୍ତ ସମାଜର ବିଭିନ୍ନ ବର୍ଗର ଲୋକେ ମୃଣ୍ମୟ ମୂର୍ତ୍ତି ବସାଇ ପୂଜା କରୁଥିବାରୁ ପୂଜା ସ୍ଥଳଗୁଡ଼ିକର ନିୟନ୍ତ୍ରଣ ବାସ୍ତବ କ୍ଷେତ୍ରରେ ସମ୍ଭବ ହେଉ ନାହିଁ । ଏହି କାରଣରୁ ଅସାମାଜିକ ବ୍ୟକ୍ତିମାନେ ପୂଜାସ୍ଥଳୀରେ ଆୟୋଜିତ ହେଉଥିବା ଭଜନ ସମାରୋହ, ବିସର୍ଜନ ଶୋଭାଯାତ୍ରା ଆଦିରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ମଦ୍ୟପାନ କରି ପୂଜାସ୍ଥଳୀ ନିକଟକୁ ଆସିବା କ୍ଷେତ୍ରରେ ଯେତେ କଟକଣା ଲଗାଗଲେ ମଧ୍ୟ କେଉଁଠି ନା କେଉଁଠି କିଛି ଲୋକ ନିଜର ବାହାଦୂରୀ ଦେଖାଇବାକୁ ଯାଇ ମଦ ପିଇ ଉତ୍ପାତ ଆରମ୍ଭ କରି ଦେଉଛନ୍ତି । ପୂଜା ଆୟୋଜନ କରୁଥିବା ସଂସ୍ଥା ଗୁଡ଼ିକ ପ୍ରଥମରୁ ହିଁ ଏ ପ୍ରକାରର ପରିସ୍ଥିତି ସୃଷ୍ଟିର ସୁଯୋଗ ନ ଦେବା ପାଇଁ ଚେଷ୍ଟା କରିବା ଉଚିତ୍ । 
ସେହିଭଳି ମୂର୍ତ୍ତି ବିସର୍ଜନ କ୍ଷେତ୍ରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପୂଜା ପର ଦିନ ବିସର୍ଜନ ହେଉଥିବା ବେଳେ ଅଣ-ଶିକ୍ଷାନୁଷ୍ଠାନ ପୂଜା ଗୁଡ଼ିକରେ କିଏ ୫ ଦିନ, କିଏ ୧୦ ଦିନ ଧରି ମୂର୍ତ୍ତିକୁ ରଖି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରୁଛନ୍ତି । ଏହା ଉପରେ କୌଣସି ପ୍ରକାର ନିୟନ୍ତ୍ରଣ ରହୁନାହିଁ । ତେଣୁ କୌଣସି କୌଣସି ସ୍ଥାନରେ ମଦ୍ୟପ ଉପଦ୍ରବ ହେବା ଭଳି ଘଟଣା ଘଟିଯାଉଛି । ଅନ୍ତତଃପକ୍ଷେ ସ୍ଥାନୀୟ ଅଞ୍ଚଳର ସାମାଜିକ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ପୂଜା ଆରମ୍ଭ ଠାରୁ ଭସାଣୀ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୂଜା ଆୟୋଜକମାନେ ଶପଥ ନେବା ଉଚିତ୍ । 
ଚଳିତବର୍ଷ ପୂଜାରେ ଡ଼ିଜେର ବ୍ୟବହାର ବନ୍ଦ ଏବଂ ମଦ୍ୟପାନ ବନ୍ଦ ଭଳି ଦୁଇଟି ବଡ଼ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହାକୁ ପାଳନ କରିବା କ୍ଷେତ୍ରରେ କାଁ ଭାଁ କେଉଁଠି, କେମିତି ତ୍ରୁଟିବିଚୁ୍ୟତି ଲକ୍ଷ୍ୟ କରାଯାଇଛି । ଭବିଷ୍ୟତରେ ଏ ପ୍ରକାରର ତ୍ରୁଟି ବିଚୁ୍ୟତି ଯେଭଳି ନ ଘଟେ ସେଥିପ୍ରତି ସ୍ଥାନୀୟ ସମାଜର ମୁରବି ଶ୍ରେଣୀର ଲୋକମାନେ ପ୍ରଥମେ ଦୃଷ୍ଟି ଦେବା ଆବଶ୍ୟକ । କୌଣସି ପ୍ରକାରର ଅସାମାଜିକ କାର୍ଯ୍ୟ କରି ଯଦି କେହି ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରେ ସ୍ଥାନୀୟ ଭାବରେ ଏ ପ୍ରକାରର ସମସ୍ୟାକୁ ତକ୍ରାଳ ସମାଧାନ କରିଦେବା ଆବଶ୍ୟକ । କୌଣସି ପ୍ରକାରର ବିବାଦ ଯେଭଳି ଆଗକୁ ନ ବଢ଼େ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ ।