ଯୁବବର୍ଗ ଓ କୃଷି ଉଦ୍ୟୋଗ


ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ବର୍ଷ ତମାମ ଚାଷୀ ବାପୁଡ଼ା ନିଜ ବିଭିନ୍ନ ପ୍ରକାର ଚାଷବାସକୁ ନେଇ ବ୍ୟସ୍ତ ରହିଥାନ୍ତି ଓ ଓଡ଼ିଶା ମଧ୍ୟ ଏକ କୃଷି ପ୍ରଧାନ ରାଜ୍ୟ ଓ ଅନ୍ୟତମ କୃଷି ଅଗ୍ରଣୀ ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହୋଇଛି । ଓଡ଼ିଶା ସରକାରଙ୍କ ଯେଉଁ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ସେଥି ଭିତରେ କୃଷି ଏକ ଅନ୍ୟତମ । କୃଷି କ୍ଷେତ୍ରରେ ଏବେ ଯୁବପିଢି ଆଗ୍ରହ ଓ ଅଧ୍ୟବସାୟ ରଖି ବିଭିନ୍ନ ଉଚ୍ଚ ପାଠ୍ୟକ୍ରମ ଶିକ୍ଷା ଗ୍ରହଣ କରି କୃଷିକୁ ସେମାନଙ୍କର କେବଳ ଅର୍ଥ ରୋଜଗାର ନୁହେଁ ବରଂ ପରିଚୟର କ୍ଷେତ୍ର ଭାବେ ଗ୍ରହଣ କଲେଣି । କୃଷି କାର୍ଯ୍ୟ ଆଉ ପାରମ୍ପରିକ ଚାଷ ମଧ୍ୟରେ ସୀମିତ ନାହିଁ । ଅନେକ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଉତ୍ତମ ରୋଜଗାର ପନ୍ଥା ପାଲଟିଛି ଚାଷ କାମ । ଚାଷୀ ଆଉ ଧାନ ଫସଲରେ ସୀମିତ ନାହିଁ ପରିବା, ଫୁଲ, ଫଳ ସମେତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେଉଛନ୍ତି ରାଜ୍ୟର ଚାଷୀକୁଳ । ତେବେ ରାଜ୍ୟର ପଛୁଆ ବର୍ଗର ଯୁବକ ଯୁବତୀଙ୍କୁ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଯୁବକ ଯୁବତୀଙ୍କୁ ଫୁଲ, ଛତୁ ଏବଂ ମହୁମାଛି ଚାଷ ପାଇଁ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରୁ ୩୦ଜଣ ଲେଖାଏଁ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି । କୃଷି ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । 
ଓଡ଼ିଶାର ଯୁବକ/ଯୁବତୀଙ୍କୁ ଫୁଲ, ଛତୁ ଏବଂ ମହୁମାଛି ଚାଷରେ ଦକ୍ଷ କରି ସେମାନଙ୍କର ଆର୍ଥିକ ଏବଂ ସାମାଜିକ ବିକାଶ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସରକାର ଏ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରଖିଛନ୍ତି ଯେଉଁଥିରେ ମୁଖ୍ୟତଃ ଆର୍ଥିକ ସ୍ତରରେ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି ବର୍ଗ, ସମ୍ବେଦନଶୀଳ ବର୍ଗ, ଅଶିକ୍ଷିତ ଅବା ସ୍ୱଳ୍ପ ଶିକ୍ଷିତ ଆଦି ବର୍ଗର ଯୁବକ ଯୁବତୀଙ୍କୁ ସାମିଲ କରାଯିବ । ସେହିପରି ଅଧିକ ସଂଖ୍ୟକ ମହିଳାଙ୍କୁ ଏଥିରେ ସାମିଲ କରିବା ପାଇଁ ଯୋଜନା ହୋଇଛି । ପ୍ରଶିକ୍ଷଣ ନେବା ପାଇଁ ବୟସ ସୀମା ୧୮ ବର୍ଷରୁ ୪୫ ବର୍ଷ ମଧ୍ୟରେ ରଖାଯାଇଛି । ପ୍ରତ୍ୟେକ ଚାଷ ପ୍ରଶିକ୍ଷଣ ପାଇଁ ଜିଲ୍ଲାରୁ ୧୦ଜଣ କରି ତିନି ପ୍ରକାର ଚାଷ ପ୍ରଶିକ୍ଷଣ ପାଇଁ ସମୁଦାୟ ୩୦ଜଣଙ୍କୁ ଚୟନ କରାଯିବ । ସମ୍ପୃକ୍ତ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଏହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ମୁଖ୍ୟ ଦପ୍ତରକୁ ପଠାଯିବାର ବ୍ୟବସ୍ଥା ହୋଇଛି ।  
କିଛି ମାସ ତଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖି କହିଥିଲେ ଯେ ରାଜ୍ୟରେ କର୍ମ ନିୟୋଜନ ଏବଂ ଆୟବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ ଜରିଆରେ ୧.୫ ଲକ୍ଷ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଲକ୍ଷ୍ୟ ରଖିଛି । ଏହି ଦେଢ଼ଲକ୍ଷ ଯୁବକ ଯୁବତୀଙ୍କ ମଧ୍ୟରୁ ଆରପିଏଲ ପଦକ୍ଷେପ ଅଧୀନରେ ଅତି କମରେ ୧୫୦୦୦ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥିରେ ୨୫% ମହିଳା ଓ ୩୦% ଅବହେଳିତ ବର୍ଗର ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବ । ଉପଲବ୍ଧ ସମ୍ବଳ ଏବଂ ଯୋଗ୍ୟତା ଆଧାରରେ ଯୁବକ ଯୁବତୀ ଯେପରି ନିଜ ଉଦ୍ୟମରେ କର୍ମ ନିୟୋଜନ ପାଇପାରିବେ, ତାହା ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ଦଶ୍ୟ । ସେମାନେ ସମାଜରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ, ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର ଜରିଆରେ ଆରପିଏଲ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ହୋଇଛି । ଓଡ଼ିଶାରେ ବିଶେଷକରି କୃଷି କ୍ଷେତ୍ରରେ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ଯୁବ ବର୍ଗଙ୍କୁ ଆକୃଷ୍ଟ କରିବା ସହ ସେମାନେ କିପରି ସ୍ୱାବଲମ୍ବୀ ଆତ୍ମନିର୍ଭରଶୀଳ ହୋଇ ଅନ୍ୟ ମାନଙ୍କ ପାଇଁ କର୍ମ ସଂସ୍ଥାନ ତିଆରି କରିପାରିବେ ସେ ନେଇ ସରକାରୀ ଭାବେ ବ୍ୟାପକ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାର କେତେକ କ୍ଷେତ୍ରରେ ସହଯୋଗ କରୁଥିବାବେଳେ ଅନେକ ଦରିଆପାରି ସଂଗଠନ ବା ସ୍ୱେଚ୍ଛାସେବୀ ସଂଗଠନ ମାନେ ଏ କ୍ଷେତ୍ରରେ ସହାୟତାର ହାତ ବଢ଼ାଉଛନ୍ତି । ରାଜ୍ୟର ଯୁବପିଢ଼ି କୃଷି କ୍ଷେତ୍ରରେ ଅଧିକ ମନୋନିବେଶ କଲେ ଓଡ଼ିଶା କୃଷି କ୍ଷେତ୍ରରେ ସର୍ବଭାରତ ସ୍ତରରେ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ପରିଗଣିତ ହେବ । ଓରମାସ ଓଡ଼ିଶାର ସ୍ୱୟଂ ସହାୟକ ସଂଗଠନ ଓ ଚାଷବାସ ପାଇଁ ଆଗ୍ରହ ରଖୁଥିବା ସ୍ୱାବଲମ୍ବୀ ମହିଳା ମାନଙ୍କ ପାଇଁ ଅନେକ କ୍ରାନ୍ତିକାରୀ ଯୋଜନା ହାତକୁ ନେଇଛି । ଏହାଦ୍ୱାରା ରାଜ୍ୟ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧିଶାଳୀ ହୋଇପାରିବ ଏବଂ ଓରମାସର ସହଯୋଗରେ ସ୍ୱୟଂ ସହାୟକ ସଂଗଠନମାନେ ମଜଭୁତ ହୋଇପାରିବେ । 
ବିପିନ ବିହାରୀ ରାଉତ,ମୋ : ୯୪୩୭୬୬୬୪୫୩