ନ୍ୟାୟପୂର୍ଣ୍ଣ ତ୍ୟାଗ


ଆମେ ଅନେକ ଅନୁଭବ କରୁ ଯେ ଆମକୁ ନ୍ୟାୟ ମିଳିନାହିଁ । ଭଗବାନ ସ୍ୱୟଂ ନ୍ୟାୟର ପ୍ରତୀକ ଏବଂ ନ୍ୟାୟର ଅଧୀନ ମଧ୍ୟ । କର୍ମ ଜଞ୍ଜାଳର ଆହ୍ୱାନ ଭିତରେ ନ୍ୟାୟପୂର୍ଣ୍ଣ ତ୍ୟାଗ ଭିତରୁ ଯେ ଜଣକୁ ସୁଖ ସମ୍ଭବ ହୋଇପାରିଥାଏ ସେ ସମ୍ପର୍କରେ ଅନେକ ଦିନ ତଳୁ ପଢ଼ିଥିବା ଏକ ଆଧ୍ୟାତ୍ମିକ କଥାଟି ମୋର ମନେ ପଡ଼ୁଛି । ଏକଦା ଭଗବାନ ବୁଦ୍ଧଙ୍କ ନିକଟକୁ ସମ୍ରାଟ ଶ୍ରୋଣିକ ଆସି କହିଲେ "ପ୍ରଭୁ! ମୁଁ ଏକ ଗଭୀର ଚିନ୍ତାରେ ଅଛି । ଯାହାର ଉତ୍ତର ଆପଣଙ୍କ ବ୍ୟତୀତ ଅନ୍ୟ କେହି ଦେଇପାରିବେ ନାହିଁ ।' ବୁଦ୍ଧ କହିଲେ, "ଠିକ୍ ଅଛି ପଚାର' । ସମ୍ରାଟ କହିଲେ, "ଭଗବାନ ! ମୋ ରାଜକୁମାରଙ୍କ ପାଖରେ ସବୁକିଛି ଅଛି । ଧନ, ସମ୍ପତ୍ତି, ଐଶ୍ୱର୍ଯ୍ୟ ସାଙ୍ଗକୁ ବିଳାସପୂର୍ଣ୍ଣ ଜୀବନ । କିନ୍ତୁ ଏହାକୁ ନେଇ ସେମାନେ ପ୍ରସନ୍ନ ରହିପାରୁ ନାହାନ୍ତି । ମାତ୍ର ଆପଣଙ୍କ ପାଖରେ ଥିବା ଭିକ୍ଷୁମାନଙ୍କୁ ଯାହା ମିଳିଛି, ସେମାନେ ତାକୁ ଗ୍ରହଣ କରି କିପରି ଖୁସିରେ ରହିପାରୁଛନ୍ତି?' ଭଗବାନ ବୁଦ୍ଧ ଉତ୍ତର ଦେଲେ, "ପ୍ରସନ୍ନତାକୁ ଖୋଜିବାକୁ ହେଲେ ଅକିଞ୍ଚନ (ଯାହା ପାଖରେ କିଛି ନାହିଁ) ଠୁ ଖୋଜ । ଯିଏ ସଂକଳ୍ପ କରି ସବୁକିଛି ଛାଡ଼ି ଦେଇଛି । ସିଏ ହିଁ ପ୍ରସନ୍ନ ରହିପାରେ । ଭିକ୍ଷୁକ କେବେ ଖୁସି ରହିପାରେ ନାହିଁ । କାରଣ ସେ କିଛି ଛାଡ଼ି ନାହିଁ ।  ପ୍ରସନ୍ନ ରହିବାର ଦୁଇଟି କଥା ହେଉଛି; ଗୋଟିଏ ଛାଡ଼ିବା ଓ ଗୋଟିଏ ହରାଇବା । ଯାହାକୁ ପଦାର୍ଥ ପ୍ରାପ୍ତ ହୋଇନାହିଁ, ସେ ତ୍ୟାଗୀ ନୁହେଁ । ତ୍ୟାଗୀ ସେ ଯିଏ ନିଜର ସ୍ୱତନ୍ତ୍ର ମନରୁ ସବୁକିଛି ତ୍ୟାଗ କରେ । ସାଧନ, ସୁବିଧା ସମ୍ପନ୍ନ ବ୍ୟକ୍ତି ବି ପ୍ରସନ୍ନ ରହିପାରିବ ନାହିଁ । କାରଣ ତାକୁ ସର୍ବଦା ଅର୍ଥର ସୁରକ୍ଷା ଚିନ୍ତା ଘାରିଥାଏ । ସେ ସବୁବେଳେ ଭୟଭୀତ ରହିଥାଏ । ଅଭୟ ସେ ହୋଇଥାଏ, ଯିଏ ସ୍ୱଇଛାରେ ତ୍ୟାଗ କରେ । ଶ୍ରୋଣିକଙ୍କୁ ନିଜ ପ୍ରଶ୍ନର ପ୍ରକୃତ ଉତ୍ତର ମିଳିଗଲା । ମହାତ୍ମା ବୁଦ୍ଧ ଜୀବନରେ ମଧ୍ୟମ ମାର୍ଗର ପକ୍ଷଧର ଥିଲେ । କିନ୍ତୁ ସେ ମଧ୍ୟ ବିଶ୍ୱାସ କରୁଥିଲେ ବିନା ତ୍ୟାଗରେ ବ୍ୟକ୍ତି ସୁଖରେ ରହିପାରିବ ନାହିଁ । ଯଦି ଅଭାବ ଅଛି ତେବେ ଚିନ୍ତା ଥାଏ । ଯଦି ଆବଶ୍ୟକଠୁ ଅଧିକ ଅଛି ତେବେ ସୁରକ୍ଷାର ଭୟ ଥାଏ । ତେଣୁ କିଛି ନରଖି ନ୍ୟାୟପୂର୍ଣ୍ଣ ଭାବେ ତ୍ୟାଗ କରିଥିବା ବ୍ୟକ୍ତି ସର୍ବଦା ସୁଖରେ ରହେ ।
ଗଙ୍ଗାଧର ସାମଲ,ମୋ: ୯୪୩୭୨୨୬୬୪୭