ପରିବେଶ ସନ୍ତୁଳନ ଓ ଗ୍ରୀଷ୍ମ ପ୍ରବାହ
ହିମାଂଶୁ ଶେଖର : ଚଳିତବର୍ଷ ପ୍ରଥମ ଥର ପାଇଁ ଓଡିଶାରେ ତାପମାତ୍ରା ୪୦ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିସାରିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ କିଛିଦିନ ତଳେ ବୈାଦ୍ଧରେ ତାପମାତ୍ରା ୪୦.୫ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ବଲାଙ୍ଗୀରରେ ତାପମାତ୍ରା ୩୯.୯ଡିଗ୍ରୀ , ଝାରସୁଗୁଡା ଏବଂ ସୁନ୍ଦରଗଡରେ ୩୯.୪ଡିଗ୍ରୀ, ସମ୍ବଲପୁରରେ ୩୯.୩ଡିଗ୍ରୀ ହୀରାକୁଦରେ ୩୮.୭ଡିଗ୍ରୀ, ରାଉରକେଲାରେ ୩୮.୪ଡିଗ୍ରୀ, ଭଦ୍ରକ ଓ ଚାନ୍ଦବାଲିରେ ୩୭.୬ଡିଗ୍ରୀ, କେନ୍ଦୁଝର ଓ ବାଲେଶ୍ୱରରେ ଯଥାକ୍ରମେ ୩୭ ଓ ୩୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିଭଳି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୬.୬ଡିଗ୍ରୀ ରେକର୍ଡ କରାଯାଇଥିଲା । ଆମେ ସିନା ପଢିଲା ବେଳେ ପଢୁଥିଲୁ ବରଷକ ବାରମାସ, ଛଅ ଋତୁ । ଏବେ କିନ୍ତୁ ଛଅ ଋତୁ ସାତ ସପନ । ଋତୁ କହିଲେ ଏବେ ଗ୍ରୀଷ୍ମ, ବର୍ଷା, ଶୀତ । ଗ୍ରୀଷ୍ମର ପ୍ରକୋପ ଆଗରେ ହଜୁଛି ବସନ୍ତ, ଶରତ, ହେମନ୍ତ । ବିଶେଷକରି ଗ୍ରୀଷ୍ମର ପ୍ରକୋପ ଆଗରେ ଋତୁରାଜ ବସନ୍ତ ହଜିଯାଉଛି ।
ବିଗତବର୍ଷ ମାନଙ୍କରେ ଫେବୃଆରୀ ମଧ୍ୟଭାଗରୁ ରାଜଧାନୀ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୦.୪ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରିବାର ନଜିର ରହିଛି । ପୂର୍ବରୁ ମଧ୍ୟ ଫେବୃଆରୀରେ ରାଜଧାନୀରେ ତାପମାତ୍ରା ୪୦ଡିଗ୍ରୀ ପାର କରିବାର ରେକର୍ଡ ରହିଛି । ୧୯୬୩ ଫେବୃଆରୀ ଭୁବନେଶ୍ୱର ତାପମାତ୍ରା ୪୨.୩ ଡିଗ୍ରୀ ସେଲ୍ସିୟସ୍ ରହିଥିବା ବେଳେ, ୨୦୧୨ରେ ୪୦.୧ଡିଗ୍ରୀ, ୨୦୧୬ରେ ୪୦.୯ଡିଗ୍ରୀ, ୨୦୧୯ରେ ୩୯.୪ଡିଗ୍ରୀ ରହିଥିଲା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି । ଆଗକୁ ରାଜ୍ୟର ତାପମାତ୍ରା ଆଗକୁ ଆହୁରି ବଢିପାରେ । ଏବେ ଋତୁଚକ୍ରରେ ଅସ୍ୱାଭାବିକ ପରିବର୍ତ୍ତନ ହେଉଛି । ଆଗଭଳି ଆଉ ଛଅ ଋତୁ ଅନୁଭବ କରିହେଉନି । ଛଅଋତୁ ଆଜି ସାତ ସପନ । ଶରତ, ଶୀତ ଓ ବସନ୍ତ କ୍ରମଶଃ ମାନସ ପଟରୁ ହଜିଗଲେଣି । ଏବେ କେବଳ ଗ୍ରୀଷ୍ମ ,ବର୍ଷା ଓ ଶୀତ ତିନୋଟି ଋତୁ ଅନୁଭବ କରିହେଉଛି । ଏଥିମଧ୍ୟରୁ ପ୍ରାୟ ସାତ ଆଠ ମାସ ଗ୍ରୀଷ୍ମର ପ୍ରକୋପ ଜାରି ରହୁଛି କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ, ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା । ସବୁଠି ହା-ହୁତାଶମୟ ପରିବେଶ । କହିବା ବାହୁଲ୍ୟ ଯେ, ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି ବସନ୍ତ । ଋତୁରାଜ ସେ । ଫାଲଗୁନ-ଚୈତ୍ର, ନା ଥାଏ ଖରା, ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ଯେଉଁ ସମୟରେ ବସନ୍ତ ଋତୁ ଅନୁଭବ ହେବା କଥା ସେହି ସମୟରେ ରାଜ୍ୟରେ ଯେଭଳି ହାରରେ ତାପମାତ୍ର ବଢିଛି ତାକୁ ଦେଖିଲେ ଲାଗୁଛି ବସନ୍ତ ସମେତ ଶରତ ଓ ହେମନ୍ତ ଅଚିରେ ହଜିଯିବ ଓ ଗ୍ରୀଷ୍ମର ପ୍ରକୋପ ବଢି ବଢି ଚାଲିବ । ନିକଟରେ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ । ମାର୍ଚ୍ଚ ଓ ଏପ୍ରିଲରେ ଅଧିକରୁ ଅଧିକ ତାତି ଅନୁଭୂତ ହେବ ବୋଲି ପ୍ରାକ୍ ଆକଳନ କରାଯାଇଛି । ଏପରିକି କଟକ ଓ ଭୁବନେଶ୍ୱର ସହରରେ ମଧ୍ୟ ତାତି ଚିନ୍ତାଜନକ ହୋଇରହିବ ।
ତାପାୟନ ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବେ ଆମ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରୁ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି । ସେହିପରି ଆମ ଦେଶରେ ୧୯୫୦ ମାସିହାରୁ ପ୍ରତିବର୍ଷ ଜୁଲାଇ ପହିଲାରୁ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳିତ ହୋଇ ଆସୁଅଛି । ଏହାର ମୁଖ୍ୟ ଉଦେ୍ଦଶ୍ୟ ହେଲା ଜନସଚେତନ ସୃଷ୍ଟି କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉତ୍ସାହିତ କରିବା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ଏସବୁ ସତ୍ତ୍ୱେ ପୃଥିବୀ ସମେତ ଆମ ଦେଶ ତଥା ରାଜ୍ୟରେ ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ପାଉଛି । ଫଳରେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ହୋଇପାରୁନାହିଁ । ଫଳସ୍ୱରୂପ, ତାପାୟନ ବଢିଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି ଓ ବୃଷ୍ଟିପାତ ହ୍ରାସ ପାଉଛି । ବିଗତ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟ ହେଉଛି । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯୮ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ ।
ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ସକାରଙ୍କ ପକ୍ଷରୁ ସତର୍କତା ଗ୍ରହଣ କରାଯାଇଛି । ଏପରିକି ଏହି ସମୟରେ ବିଦୁ୍ୟତ କାଟ ନକରିବାକୁ ମଧ୍ୟ କୁହାଯାଇଛି । ତାପାୟନ ବୃଦ୍ଧି ଜଳବାୟୁର ଏପରି ଅସ୍ୱାଭାବିକ ପରିବର୍ତ୍ତନ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ବଢି ଚାଲିଛି କଙ୍କ୍ରିଟ ଜଙ୍ଗଲ । ଗଛକଟା ଅବାଧରେ ଚାଲିଛି । କାଗଜ କଲମରେ ନୂଆ ଚାରାଗଛ ଲଗାଯାଉଛି । କିନ୍ତୁ ସେଥିରୁ ବଞ୍ଚୁଛି କେତେ ତାହାର ହିସାବ କାହା ପାଖରେ ନାହିଁ । ‘ମଣିଷଟିଏ-ଗଛଟିଏ’ ସ୍ଳୋଗାନ କାଗଜ କଲମରେ ସୀମିତ ରହିଛି । ଆମେ ଜାଣିଛେ ପରିବେଶରେ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷ ରୋପଣ ଦରକାର । କେବଳ ସରକାରଙ୍କ ଉପରେ ଛାଡିଦେଲେ ହେବନାହିଁ । ଆମକୁ ମଧ୍ୟ ବୃକ୍ଷରୋପଣ କରୁବାକୁ ହେବ ଓ ତାକୁ ବଞ୍ଚାଇ ରଖିବାକୁ ହେବ । ଏଥିପାଇଁ ‘ମଣିଷଟିଏ-ଗଛଟିଏ’ ସ୍ଳୋଗାନ ଉପରେ ଗୁରୁତ୍ୱ ଦେବାକୁ ହେବ ।
ଜଗତସିଂହପୁର
ମୋ -୯୩୩୭୨୨୧୯୨୪