ପୂର୍ଣ୍ଣତାର ଗନ୍ତାଘର - ଗୁରୁ
ଭାରତ ବର୍ଷରେ ତଥା ସମଗ୍ର ପୃଥିବୀର ଗୁରୁପୂଜା ଚଳି ଆସିଛି କାହିଁ କେଉଁ ପୁରା କାଳରୁ । ଭାରତୀୟ ପୁରାଣ ଶାସ୍ତ୍ର, କିମ୍ବଦନ୍ତୀ ତଥା ଲୋକ କଥାରୁ ଏହାର ପ୍ରମାଣ ଯଥେଷ୍ଟ ପରିମାଣରେ ମିଳେ । ଭାରତ ବାହାରେ ମଧ୍ୟ ଏହାର ପ୍ରଚଳନ ଅଛି । ଯାପାନର ସିଣ୍ଟୋ, ଚୀନର ତାଓ କନ୍ଫୁସିଅସ୍, ପାରସ୍ୟର ଜେରାଥୁଷ୍ଟ୍ର, ଯୀଶୁଖ୍ରୀଷ୍ଟ ଗୁରୁ ଭାବେ ଗ୍ରହଣ କରିଥିବା ଜନ ପ୍ରଭୃତି ପୃଥିବୀର ବିଖ୍ୟାତ ଗୁରୁ ଶ୍ରେଣୀର । ସେହି ମାନଙ୍କୁ ଗୁରୁ ଆଖ୍ୟା ଦିଆଯାଏ ଯେଉଁମାନେ ଜୀବନରେ ଈଶ୍ୱରଙ୍କ ସହ ନିଜକୁ ଯୋଗଯୁକ୍ତ କରିପାରିଛନ୍ତି ଏବଂ ତା ଫଳରେ ପାଇଥିବା ଜ୍ଞାନକୁ ସମାଜ ଉପକାରରେ ବ୍ୟବହାର କରିଥାନ୍ତି । ସାଧାରଣତଃ ଯାହା କୁହାଯାଇଥାଏ ଗୁରୁ ଅଜ୍ଞାନ ଦୂର କରି ଜ୍ଞାନ ପ୍ରଦାନ କରିଥାନ୍ତି । ସେ ଜ୍ଞାନ ବୈଦିକ ଜ୍ଞାନ । ବେଦ ଶବ୍ଦର ଅର୍ଥ ଜ୍ଞାନ । ଜ୍ଞାନପ୍ରାପ୍ତ ହୋଇ ମାନବ ଯାହାକରେ ତାହା ତାର ମାନବ ଜନ୍ମକୁ ସାର୍ଥକ କରେ । ଅଜ୍ଞାନର ସହ କରାଯାଉଥିବା କର୍ମ ଅନ୍ୟକୁ ତଥା ନିଜକୁ ପୀଡ଼ା ଦିଏ । ଯାହାର ଅନ୍ୟ ଅର୍ଥ ପାପ । ତାହାର ଫଳ ସମସ୍ତଙ୍କୁ ଜଣା । ଗୁରୁ ଅନ୍ଧକାରରୁ ଆଲୋକକୁ ନେଇଥାନ୍ତି । ଏଠାରେ ଅନ୍ଧକାର ଅର୍ଥ ଅଜ୍ଞାନ ଓ ଆଲୋକ ଅର୍ଥ ଜ୍ଞାନାଲୋକ । ଗୁରୁ ଏତେ ବଡ଼ ଉପକାର ସାଧନ କରନ୍ତି ବୋଲି ଗୁରୁଙ୍କ ପ୍ରତି କୃତଜ୍ଞ ହୋଇ କେତେକ ଶ୍ଲୋକରେ ଗୁରୁ ମହିମା ବର୍ଣ୍ଣିତ ହୋଇଛି । ସେଥିରୁ କେତୋଟି - "ଏକମପ୍ୟକ୍ଷରଂ ଯସ୍ତୁ ଗୁରୁଃ ଶିଷ୍ୟେ ନିବେଦୟେତ୍, ପୃଥିବ୍ୟାଂ ନାସ୍ତି ତଦ୍ଦତ୍ୱା ଯଉସ୍ମାଦ୍ନୃଣୀ ଭବେତ୍ ।' ଅର୍ଥ ""ଗୁରୁ ଶିଷ୍ୟକୁ ଯେଉଁ ଗୋଟିଏ ଅକ୍ଷର ଶିକ୍ଷା ଦିଅନ୍ତି ତା ବଦଳରେ ସାରା ପୃଥିବୀରେ ଏପରି କୌଣସି ପଦାର୍ଥ ନାହିଁ ଯାହା ଦେଇ ଶିଷ୍ୟ ଋଣମୁକ୍ତ ହୋଇପାରିବ ।'' "ଯଜ୍ଞ ବ୍ରତ ତପୋଦାନଂ ଜପ ତୀର୍ଥାନ୍ତୁ ସେବନଂ, ଗୁରୁ ତତ୍ତ୍ୱ ମବିଜ୍ଞାୟ ନିଷ୍ଫଳଂ ନାତ୍ର ସଂଶୟଃ ।' ଅର୍ଥାତ୍ ""ଗୁରୁ ତତ୍ତ୍ୱ ଅବଗତ ନହୋଇ ଯଜ୍ଞ, ବ୍ରତ, ତପ, ଦାନ, ଜପ ତୀର୍ଥ ପ୍ରଭୃତି ସମସ୍ତ କର୍ମ ନିଷ୍ଫଳ ପରିଗଣିତ ହୁଏ ।'' "ଗୁରୁରିତ୍ୟକ୍ଷରଂ ଯସ୍ୟ ଜିହ୍ୱାଗ୍ରେ ଦେବିତିଷ୍ଠତ, ତସ୍ୟ କିଂ ବିଦ୍ୟତେ ମୋହ ବେଦପାଠେ ଶ୍ରମୋ ବୃଥା ।' ଅର୍ଥାତ୍ ହେ ଦେବି, ଯାହାର ଜିହ୍ୱାଗ୍ରରେ ଗୁରୁ ଅକ୍ଷର ଦ୍ୱୟ ବିଦ୍ୟମାନ ଥାଏ, ତାହା ଠାରେ କୌଣସି ପ୍ରକାର ଅଜ୍ଞାନତ ବା ମୋହ ରହି ନପାରେ । ଅନ୍ୟତ୍ର କୁହାଯାଇଛି, "ଦେବାନାଞ୍ଚ ଗୁରୁଣାଞ୍ଚ ଭେଦୋଜ୍ଞାନାଦିନା କୃତଃ, ପାତୟେନ୍ମରକେ ତୀବ୍ରେ ଗୁରୁଭେଦ କରଂ ନରଂ ।' ଅର୍ଥ - ""ଯେଉଁ ବ୍ୟକ୍ତି ଅଜ୍ଞାନ ବନ୍ଧନ ଯୋଗୁଁ ଦେବତା ଓ ଗୁରୁ ମଧ୍ୟରେ ପ୍ରଭେଦ ଦେଖନ୍ତି, ସେମାନଙ୍କୁ ଭୀଷଣ ନର୍କରେ ପଡ଼ିବାକୁ ହୁଏ ।'' ଏଇଥି ପାଇଁ କୁହାଯାଇଥାଏ ଗୁରୁ ସାକ୍ଷାତ ପରମବ୍ରହ୍ମଂ । ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର । ଏହି ଶ୍ଲୋକଟିର ଅନ୍ୟଏକ ଅନ୍ତରାର୍ଥ ଅଛି । ପିତାମାତା ମଧ୍ୟ ଗୁରୁ ପଦବାଚ୍ୟ । ପିତାମାତା ସନ୍ତାନକୁ ସୃଷ୍ଟି କରନ୍ତି ବ୍ରହ୍ମା ସଦୃଶ, ପିତାମାତା ସନ୍ତାନକୁ ଲାଳନ ପାଳନ କରନ୍ତି ବିଷ୍ଣୁ ସଦୃଶ ଓ ସନ୍ତାନ ଠାରେ କୌଣସି କୌଣସି ଦୁରାଭ୍ୟାସ ବା ଦୁରାରୋଗ୍ୟ ଲକ୍ଷଣ ଦେଖିଲେ ତାହାକୁ ବିନାଶ କରିବା ପାଇଁ ମହେଶ୍ୱରଙ୍କ ଭୂମିକା ଗ୍ରହଣ କରନ୍ତି । ସେ ଦୃଷ୍ଟିରୁ ପିତାମାତା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତଥା ସାକ୍ଷାତ ପରଂବ୍ରହ୍ମ କହିଲେ କିଛି ଅତୁ୍ୟକ୍ତି ହେବନାହିଁ ।
ପିତାମାତାଙ୍କ ତୁଳନାରେ କିନ୍ତୁ ଗୁରୁଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ଗୋଟିଏ ଦୃଷ୍ଟିରୁ । ଶାସ୍ତ୍ରରେ କୁହାଯାଉଛି - "ଶରୀରଦ ପିତାଦେବୀ ଜ୍ଞାନଦୋ ଗୁରୁରେବଚ, ଗୁରୋର୍ଗୁରୁ ତରୋନାସ୍ତି ସଂସାରେ ଦୁଃଖ ସାଗରେ ।' ଅର୍ଥ - ପିତାମାତା ଆମର ଦେହଦାତା ଅଟନ୍ତି, ଗୁରୁ ଜ୍ଞାନ ଦାତା ଅଟନ୍ତି, ଏ ଦୁଃଖପୂର୍ଣ୍ଣ ସଂସାରରେ ଗୁରୁଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ଆଉକିଛି ନାହିଁ । "ଜନ୍ମ ହେତୃ ହି ପିତରୌ ପୂଜନୀୟୌ ପଯତ୍ନତଃ, ଗୁରୁ ବିଶେଷତଃ ପୂଜ୍ୟୋ ଧର୍ମାଧର୍ମ ପ୍ରଦର୍ଶକଃ ।' ଅର୍ଥ - ପିତା ଆମ ଜନ୍ମର ହେତୁ ହୋଇଥିବାରୁ ସର୍ବଦୌ ପୂଜନୀୟ, ଗୁରୁ ବିଶେଷ ଭାବେ ପୂଜ୍ୟ କାରଣ ସେ ଧର୍ମ ଓ ଅଧର୍ମ କ'ଣ ତାହାର ପ୍ରଦର୍ଶନ କରାଇଦେଇଥାନ୍ତି । ପରିଶେଷରେ କଥିତ ଅଛି "ଯାବଦାୟୁ ସ୍ତ୍ରୟୋ ବନ୍ଦ୍ୟା ବେଦାନ୍ତୋ ଗୁରୁରୀଶ୍ୱରଃ, ମାନସା କର୍ମଣାବାଚା ଶ୍ରୂତେରେବୈଷ ନିଶ୍ଚୟଃ ।' ଅର୍ଥ - ""ଯେ ପର୍ଯ୍ୟନ୍ତ ଆୟୁ ବିଦ୍ୟମାନ ଥିବ ସେ ପର୍ଯ୍ୟନ୍ତ ବେଦାନ୍ତ, ଗୁରୁ ଓ ଈଶ୍ୱର ତ୍ରୟଙ୍କର ବନ୍ଦନା କାୟମନୋବାକ୍ୟରେ କରଣୀୟ ।'' ଏହା ଶ୍ରୁତିର ସିଦ୍ଧାନ୍ତ । ପ୍ରକୃତରେ ଆମେ ଜୀବନ ଯାପନ କରୁଥିବା ଏହି ସଂସାରରେ ଏଭଳି ପରିସ୍ଥିତିମାନ ଉପୁଜିବ ସେ ସମୟରେ କ'ଣ କର୍ତ୍ତବ୍ୟ ଓ କ'ଣ କରଣୀୟ ତାହା ନିର୍ଣ୍ଣୟ କରିବା ସାଧାରଣ ମଣିଷ ପକ୍ଷେ କଷ୍ଟକର ହୋଇପଡ଼େ । ଫଳରେ ମଣିଷ କିଛି ଗୋଟାଏ କରିବସେ ଯାହାର ପରିଣାମ ଦୁଃସହ ହୋଇଯାଏ । ଆଧ୍ୟାତ୍ମିକ କ୍ଷେତ୍ରରେ ତ ଅବସ୍ଥା ଆହୁରି ଜଟିଳ ହୋଇପଡ଼େ । ତେଣୁ ପ୍ରତ୍ୟେକଙ୍କ ପାଇଁ ଗୁରୁ ନିତ୍ୟାନ୍ତ ଆବଶ୍ୟକ । ସେ ବ୍ୟକ୍ତି ଆକାରରେ ହୁଅନ୍ତୁ, ଗ୍ରନ୍ଥ ଆକାରରେ ହୁଅନ୍ତୁ ବା ଅଲୌକିକ ବାଣୀ ଆକାରରେ ହୁଅନ୍ତୁ । ଭଗବାନଙ୍କ ଅବତାର ମାନେ ମଧ୍ୟ ମାନବ ଶରୀର ଧରି ଆସିବା ସମୟରେ ପାର୍ଥିବ ଗୁରୁ ଗ୍ରହଣ କରିବା କଥା ଆମ୍ଭ ମାନଙ୍କୁ ଅଳ୍ପେ ବହୁତେ ଜଣା । ଗୁରୁ ଲାଭ କରିବା ପାଇଁ ବ୍ୟାକୁଳ ପ୍ରାର୍ଥନା ହିଁ ଗୁରୁଙ୍କୁ ଆଣି ପହଞ୍ଚାଇ ଦେଇଥାଏ । କେବଳ ଗୁରୁଙ୍କ ଆଜ୍ଞା ପାଳନ ହିଁ ମଣିଷକୁ ପୂର୍ଣ୍ଣତା ଦେଇଥାଇପାରେ ।
ଇ.ସଚ୍ଚିଦାନନ୍ଦ ନନ୍ଦ,ମୋ : ୯୩୩୭୨୪୨୯୫୫