ବିଷ ଥାଳି-ପ୍ଲାଷ୍ଟିକ୍ ଥାଳି

ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ସାମାଜିକ ଉତ୍ସବ, ଭୋଜିଭାତ ଆଦିରେ ପେପର୍ ପ୍ଲେଟ୍ ଏବଂ ଡ଼ିସପୋଜେବଲ୍ ପ୍ଲେଟ୍ର ବ୍ୟବହାର କରାଯାଉଛି । ଲୋକମାନେ ଏହି ଡ଼ିସ୍ପୋଜେବଲ୍ ପେପର୍ ପ୍ଲେଟ୍ରେ ଖାଇ ସାରିବା ପରେ ତାକୁ ଅଳିଆଗଦାରେ ଫୋପାଡ଼ି ଦେଉଛନ୍ତି । ଏହିସବୁ ପେପର୍ ପ୍ଲେଟ୍ରେ ଏକ ଅତ୍ୟନ୍ତ ପତଳା ପଲିଥିନ୍ର ଆବରଣ ରହିଛି । ଏହି ପଲିଥିନ୍ ଆବରଣ ଉପରେ ଖାଦ୍ୟ ପଦାର୍ଥ ବଢ଼ାଯିବା ପରେ ଏହି ପଲିଥିନ୍ର କିଛି ଅଂଶ ଖାଦ୍ୟ ସହିତ ମଣିଷର ପେଟ ଭିତରକୁ ଯାଉଛି । ଏଗୁଡ଼ିକୁ ପ୍ଲାଷ୍ଟିକ୍ ମାଇକ୍ରୋ ପାର୍ଟିକିଲ୍ କୁହାଯାଉଛି । ଏଗୁଡ଼ିକ ଖାଲି ଆଖିକୁ ଦେଖାଯାଏ ନାହିଁ ସତ; ହେଲେ ସ୍ୱାସ୍ଥ୍ୟ ପ୍ରତି ଭୟଙ୍କର ସମସ୍ୟା ସୃଷ୍ଟି କରୁଛି । ସାଧାରଣ ଭାବରେ ଦୈନନ୍ଦିନ ଜଳଖିଆ ଖାଇବା ଠାରୁ ଆରମ୍ଭ କରି ହୋଟେଲ୍ରେ ଖାଦ୍ୟ ଖାଇବା ପର୍ଯ୍ୟନ୍ତ ଏହି ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ହେଉଛି । କିଛି ବର୍ଷ ହେଲା ଏହାର ଆଉ ଏକ ନୂଆ ପ୍ରକାରର ବ୍ୟବହାର ଜଟିଳ ସମସ୍ୟା ସୃଷ୍ଟି କରିଲାଣି । ତାହା ହେଲା ଏହି ପ୍ଲେଟ୍ ଉପରେ ସିଧାସଳଖ ଖାଦ୍ୟ ପରଷା ନଯାଇ ତାହା ଉପରେ ଏକ ପ୍ରକାରର ପତଳା ପଲିଥିନ୍ ଖଣ୍ଡ ପକାଯାଇ ସେଥିରେ ଖାଦ୍ୟ ପରଷା ଯାଉଛି । ଏହି ପତଳା ପଲିଥିନ୍ ଖଣ୍ଡ ଗୁଡ଼ିକ ମଧ୍ୟ ଅତି ପତଳା ହୋଇଥିବାରୁ ସେଥିରୁ ମାଇକ୍ରୋ ପାର୍ଟିକିଲ୍ ଖାଦ୍ୟ ସହିତ ପେଟ ଭିତରକୁ ଯାଉଛି । ପ୍ରତିଦିନ ଅନେକ ଜଳଖିଆ ଦୋକାନରେ ଏହିଭଳି ପ୍ଲାଷ୍ଟିକ୍ ଖଣ୍ଡ ବ୍ୟବହାର କରାଯାଉଥିବା ଦେଖାଗଲାଣି । ଖାଦ୍ୟ ଖାଇସାରିବା ପରେ ଏହି ପ୍ଲାଷ୍ଟିକ୍ ଖଣ୍ଡ ଗୁଡ଼ିକ ଡ଼ଷ୍ଟବିନ୍ରେ ଫୋପଡ଼ା ଯାଉଛି ଏବଂ ଷ୍ଟିଲ୍ ପ୍ଲେଟ୍ ଗୁଡ଼ିକୁ ଧୋଇବାରେ ବହୁତ ସୁବିଧା ହେଉଛି । ହୋଟେଲ୍ ମାଲିକ ପାଇଁ ଏ ପ୍ରକାରର ବ୍ୟବସ୍ଥା ସୁବିଧାଜନକ ହୋଇଥିବା ବେଳେ ଗ୍ରାହକମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି । ଆଜିକା ଦିନରେ ପ୍ରାୟ ଜଳଖିଆ ଦୋକାନୀ ଜଳଖିଆ ବାଢ଼ିବା ସମୟରେ ପ୍ଲେଟ୍ ଉପରେ ଏହି ପ୍ଲାଷ୍ଟିକ୍ ଖଣ୍ଡ ସବୁ ପକାଇ ଗରମ ଗରମ ଜଳଖିଆ ବାଢ଼ି ଦେଉଛନ୍ତି । ଏହି ପ୍ଲାଷ୍ଟିକ୍ ଖଣ୍ଡ ଗୁଡ଼ିକ ଉପରେ ଗରମ ପଦାର୍ଥ ରଖାଗଲେ ଏଥିରେ ସିନ୍ଥେଟିକ୍ ବିଘଟନ ଘଟି ବିପୁଳ ପରିମାଣର ମାଇକ୍ରୋ ପ୍ଲାଷ୍ଟିକ୍ ଓ ବିଷାକ୍ତ ପଦାର୍ଥ ଖାଦ୍ୟରେ ମିଶୁଛି । 
ଠିକ୍ ସେମିତି ଡ଼ିସ୍ପୋଜେବଲ୍ ପ୍ଲାଷ୍ଟିକ୍ କପ୍ରେ ଗରମ ଗରମ ଚା' ପରିବେଷଣ କରାଯାଉଛି । ବିଭିନ୍ନ ପ୍ରକାରର ପେଟ୍ରୋକେମିକାଲ୍ସରୁ ପ୍ରସ୍ତୁତ ଏହି ପ୍ଲାଷ୍ଟିକ୍ ଗ୍ଲାସ୍ ଥରେ ମାତ୍ର ବ୍ୟବହାର କରାଯାଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏ ଗୁଡ଼ିକୁ ଥରେ ବ୍ୟବହାର କରି ଫୋପାଡ଼ି ଦିଆଯାଉଥିବାରୁ ବର୍ଷା ହେଲେ ଏସବୁ ନାଳନର୍ଦ୍ଦମାରେ ଭାସି ଯାଇ ପ୍ରାକୃତିକ ଜଳସ୍ରୋତକୁ ଅବରୋଧ କରି କୃତି୍ରମ ବନ୍ୟା ସୃଷ୍ଟି କରୁଛି । ଖରାଦିନ ହୋଇଥିଲେ ଏସବୁ ଉପରେ ସୂର୍ଯ୍ୟକିରଣ ପଡ଼ି ଏହାର ରାସାୟନିକ ବିଘଟନ ଘଟି ଏଥିରୁ କ୍ଷୁଦ୍ରାତିକ୍ଷୁଦ୍ର ଅଂଶ ସବୁ ବାୟୁମଣ୍ଡଳରେ ମିଶୁଛି ଏବଂ ପ୍ରତ୍ୟକ୍ଷ ଭାବରେ ଏସବୁ ମନୁଷ୍ୟ ତଥା ବିଭିନ୍ନ ପ୍ରାଣୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ପ୍ଲାଷ୍ଟିକ୍ର ଅଣୁ କଣିକା ଖାଦ୍ୟ ସହିତ ଶରୀରକୁ ଗଲେ କର୍କଟ ଭଳି ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଉଛି । ଏ ଦିଗରେ ହୋଟେଲ୍ ମାଲିକ କିମ୍ବା ଦେକାନୀ ଆଦୌ ସଚେତନ ନୁହଁନ୍ତି କିମ୍ବା ଏସବୁ ଉପରେ ଗରମ ଖାଦ୍ୟ ପଦାର୍ଥ ରଖି ଖାଉଥିବା ଗ୍ରାହକ ସଚେତନ ନୁହଁନ୍ତି । କିନ୍ତୁ ଶରୀର ପ୍ରତି ଏସବୁ ଭୟଙ୍କର ଜଟିଳ ସମସ୍ୟା ସୃଷ୍ଟି କରୁଛି । ଏସବୁର ବ୍ୟବହାରକୁ ଆଇନ୍ଗତ ଭାବରେ ନିଷିଦ୍ଧ କରାଯାଇଛି । ହେଲେ ସେସବୁ କେବଳ ଆଉ କେବଳ କାଗଜ କଲମରେ ରହିଛି । ଏହାର ମୂଳ କାରଣ ହେଲା ବିଭିନ୍ନ ପ୍ଲାଷ୍ଟିକ୍ ଶିଳ୍ପ କାରଖାନା ଗୁଡ଼ିକରେ ଏଭଳି ପଦାର୍ଥର ଉତ୍ପାଦନ ହେଉଛି । ବଜାରରେ ଏହି ପଦାର୍ଥର ଚାହିଦା ଥିବାରୁ ଏହାର ଉତ୍ପାଦନ ବନ୍ଦ କରିହେବ ନାହିଁ । ଯେଉଁଠାରେ ଚାହିଦା ଥାଏ ଏବଂ ଆଇନ୍ ଦୃଷ୍ଟିରୁ ସେସବୁ ନିଷିଦ୍ଧ ହୋଇଥାଏ ସେଠାରେ ଏକ ଚୋରା ବଜାର ସୃଷ୍ଟି ହୁଏ । ବର୍ତ୍ତମାନ ପଲିଥିନ୍ ଜରି, ପଲିଥିନ୍ ମୁଣା ଆଦିର ବ୍ୟବହାର କ୍ଷେତ୍ରରେ ତାହା ହିଁ ଘଟୁଛି । ଏ ସମସ୍ୟାକୁ ଲୋକମାନେ ମଧ୍ୟ ବୁଝିବା ଉଚିତ୍ ।